Unknown

 

 

 

 

 

 

 

 

 

 

 

ଯେ ଅଛୁଆଁ ଛୁଇଁ ଦେଲା

ଶ୍ରୀମତୀ ସୁଧାଂଶୁବାଳା ପଣ୍ଡା

 

 

 

 

 

ସମାଜରେ ଉଚ୍ଚ ଆସନ ଗ୍ରହଣ କରିଥିବା ଲେଖକର ଲେଖାକୁ ଉତ୍ତମ ବୋଲି ବିବେଚନା ନ କରି ଯିଏ ଉତ୍ତମ ଲେଖାକୁ ସମାଜରେ ଉଚ୍ଚ ଆସନ ଦେଇ ଜାଣେ, ସେଇଭଳି ଜଣେ ମହାନ ବ୍ୟକ୍ତିଙ୍କ ହାତରେ ମୋର ‘ଯେ ଅଛୁଆଁ ଛୁଇଁ ଦେଲା’ ବହିଟିକୁ ଅର୍ପଣ କରୁଚି ।

 

–ଲେଖିକା–

Image

 

ଭୂମିକା

 

ଗତ ଦଶକରେ କ୍ଷୁଦ୍ରବୃହତ ଗଳ୍ପକାହାଣୀ ଆଦି ଲେଖି ଯେଉଁ କତିପୟ ଲେଖିକା ଓଡ଼ିଆ କଥା ସାହିତ୍ୟକୁ ସମୃଦ୍ଧ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଓ ପାଠକ ସମାଜର ପ୍ରିୟଦୃଷ୍ଟି ଆକର୍ଷଣ କରିଛନ୍ତି–ସେମାନଙ୍କ ମଧ୍ୟରେ ଶ୍ରୀମତୀ ସୁଧାଂଶୁବାଳା ପଣ୍ଡା ଅନ୍ୟତମା । ଶ୍ରୀମତୀ ପଣ୍ଡା ଗତଦଶକରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲେ ହେଁ ଗତ ପନ୍ଦର କୋଡ଼ିଏ ବର୍ଷ ଧରି ପ୍ରାୟ ତାଙ୍କର କିଶୋରୀ ଜୀବନରୁ ଗଳ୍ପ କବିତାଦି ଲେଖି ଆସୁଛନ୍ତି ଓ ସେଗୁଡ଼ିକ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଆସିଛି । ଶତ ଶତ ଗଳ୍ପ କେତୋଟି କ୍ଷୁଦ୍ର ଉପନ୍ୟାସର ସେ ଲେଖିକା ଏବଂ ଏବେ ବି ତାଙ୍କର ଲେଖନୀ ମୁଖର ଓ ଗତିଶୀଳ । ଯାହା ଲକ୍ଷ୍ୟ କରାଯାଏ, ତାଙ୍କର ପୂର୍ବତନ ଗଳ୍ପଗୁଡ଼ିକ ଅପେକ୍ଷା ଇଦାନୀତନ ଗଳ୍ପଗୁଡ଼ିକରେ ସେ କ୍ରମଶଃ ଅଧିକ ଗଭୀର ଥିମ୍ ସଚେତନ ଓ ଶୈଳୀରେ ବହୁ ପରିମାଣରେ ସଂଯତ ଓ ଗମ୍ଭୀର ହୋଇ ଉଠୁଛନ୍ତି । ତାଙ୍କ ପୂର୍ବର ଗଳ୍ପଗୁଡ଼ିକରେ ସେ ଥିଲେ ଖୁବ୍ ଭାବପ୍ରବଣା, ତରଳମନା ଓ ବାହ୍ୟ ଦୃଷ୍ଟିସମ୍ପନ୍ନା ଏବଂ ଅଧିକାଂଶ ଗଳ୍ପରେ ନରନାରୀଙ୍କ ଯୌନ ଆକର୍ଷଣଜନିତ ଏ ଘଟନାଦୁର୍ଘଟନାହିଁ ଥିଲା ତାଙ୍କ ଲେଖନୀର ଉପଜୀବ୍ୟ । ଭାଷାରେ ମଧ୍ୟ ଥିଲା କୃତ୍ରିମତା ଓ ଏକ ଅଯଥା ନାଟକୀୟତାର ଉପଦ୍ରବ । ଅବଶ୍ୟ ଏସବୁ ଦୁର୍ବଳତା ଭିତରେ ବି ତାଙ୍କର ବକ୍ତବ୍ୟ-ବଳିଷ୍ଠତା ଓ କଳ୍ପନାର ଅନୁରଞ୍ଜନ ତାଙ୍କ ଅନ୍ତର୍ନିହିତ ପ୍ରତିଭାର ସ୍ଵାକ୍ଷର ପ୍ରଦାନ କରୁଥିଲା । ଏବଂ ତାଙ୍କର ଲେଖନୀ ନିଶ୍ଚିନ୍ତଭାବେ କ୍ରମବିକାଶ ପଥରେ ଆଗେଇ ଯାଉଥିଲା ।

 

କିନ୍ତୁ ଅଗ୍ରଦୂତ ପ୍ରକାଶନୀ ଶ୍ରୀମତୀ ପଣ୍ଡାଙ୍କର ଏହି ଯେଉଁ ଗଳ୍ପ ସଂକଳନଟି ପ୍ରକାଶ କରିଛନ୍ତି—ସେଥିରୁ ସ୍ପଷ୍ଟ ଜଣାପଡ଼େ ଲେଖିକା ଇତିମଧ୍ୟରେ ଜଣେ ପ୍ରତିଷ୍ଠିତ କଥାକାରର ସୀମା ସ୍ପର୍ଶ କଲେଣି । ଶଂସିତ “ଯେ ଅଛୁଆଁ ଛୁଇଁ ଦେଲା” । ଗଳ୍ପସଂକଳନଟିରେ ପନ୍ଦରଟି ସାନ ବଡ଼ ଗଳ୍ପ ରହିଛି । ପ୍ରତିଟି ଗଳ୍ପରେ ଲେଖିକାଙ୍କର ଜୀବନସମ୍ପର୍କୀୟ ଅଭିଜ୍ଞତା ଖୁବ୍ ମାର୍ମିକ ଭଙ୍ଗୀରେ ପ୍ରକାଶ ପାଇଅଛି । ଆଧୁନିକ ସମାଜଜୀବନ ଓ ବ୍ୟକ୍ତିଜୀବନର ବହୁ ଜଟିଳ ଘଟଣା ଏବଂ ନୈତିକ ଓ ଅଧ୍ୟାତ୍ମ ସଂକଟ ସହିତ ବଞ୍ଚିବାର ବେଦନା ଓ ଆନନ୍ଦକୁ ନେଇ ଶ୍ରୀମତୀ ପଣ୍ଡା ଏକ ନାରୀସୁଲଭ କୋମଳ ସମ୍ବେଦନଶୀଳତାରେ, କେବେ ବା ପରୋଷ ବିଦ୍ରୂପ ଓ ଭର୍ତ୍ସନା ମାଧ୍ୟମରେ ବହୁ ଛବି ଆଙ୍କିଛନ୍ତି । ‘ମହାଲକ୍ଷ୍ମୀଙ୍କ ରୋଷ’ ଭଳି ଗଳ୍ପରେ ସେ ଯେପରି ପ୍ରଚଳିତ ସମାଜର ବହୁ ଉତ୍କଟ ଅନୈତିକତା ଉପରେ ଆବେଗାତ୍ମକ ଭର୍ତ୍ସନା ଢାଳି ଦେଇଛନ୍ତି, ସେହିପରି “ଯେ ଅଛୁଆଁ ଛୁଇଁ ଦେଲା” ଗଳ୍ପରେ ଅସ୍ପୃଶ୍ୟତା ଭଳି ଏକ ପାରମ୍ପରିକ ସାମାଜିକ କୁସଂସ୍କାରକୁ ନେଇ ସେ ଗୋଟିଏ ମନସ୍ତାତ୍ତ୍ୱିକ, ନୈତିକ ଓ ଧାର୍ମିକ ଅଭିଜ୍ଞତା ପାଠକ ଚିତ୍ତରେ ସମ୍ବେଦିତ କରିପାରିଛନ୍ତି । ଅସ୍ପୃଶ୍ୟତା କେବଳ ଗୋଟିଏ ସାମାଜିକ କୁସଂସ୍କାର ନୁହେଁ । ଏହା ପଛରେ ଏକ ପରମ୍ପରାର ନୈତିକ ସମର୍ଥନ ମଧ୍ୟ ରହିଛି । ଏବଂ ଏହା ମଧ୍ୟ ଏକ ମନସ୍ତାତ୍ତ୍ୱିକ ସମସ୍ୟା । ଅଥଚ ଏହିଭଳି ଗୋଟିଏ ଜଟିଳ ସମସ୍ୟାକୁ ସମ୍ପୂର୍ଣ୍ଣ ମାନବୀୟ ଆବେଗଶ୍ରିତ କରି ଏକ ଧାର୍ମିକ ଚେତନାର ପୃଷ୍ଠଭୂମିରେ ଶ୍ରୀମତୀ ପଣ୍ଡା ଯେପରି ଶିଳ୍ପୀସମ୍ମତ ସମାଧାନ କରିପାରିଛନ୍ତି–ତାହା ତାଙ୍କ ଉଜ୍ଜ୍ୱଳ ପ୍ରତିଭାର ପରିଚୟ ଦିଏ-। ଏଣେ ପୁଣି ‘ମହାଲକ୍ଷ୍ମୀଙ୍କ ରୋଷ’ ଗଳ୍ପରେ ତାଙ୍କର ଲେଖନୀ ଯେମିତି ପ୍ରଚଣ୍ଡ, ତୀକ୍ଷ୍ଣ, ବେଗବାନ୍, ବିଦ୍ରୂପଶାଣ, ଉଦ୍‍ଗୀରଣମୟ, ସେମିତି ‘ଏକାନ୍ତ ଏକାକୀ’ ‘ଗ୍ଳାନି’ ‘ଅସ୍ତଲଗ୍ନ’ ଆଦି ଗଳ୍ପରେ ତାଙ୍କର ସ୍ଵର ସେମିତି ଭାବୁକତାପୂର୍ଣ୍ଣ-କୋମଳ-ଙ୍କଚିତ୍ ରୋମାଣ୍ଟିକ ଓ ଉଦ୍ବେଳତାପୂର୍ଣ୍ଣ ମନେହୁଏ-

 

ମୋଟ ଉପରେ ଶ୍ରୀମତୀ ସୁଧାଂସୁବାଳା ଆଧୁନିକ ଓଡ଼ିଆ କଥାକାରମାନଙ୍କ ମଧ୍ୟରେ କ୍ରମେ ନିଜର ଆସନ ପ୍ରତିଷ୍ଠିତ କରାଇ ନେଲେଣି । ଅନ୍ତତଃ ଏହି ଗଳ୍ପ ସଂକଳନଟି ତା’ର ଉଜ୍ଜ୍ୱଳ ପ୍ରମାଣ ଓ ପ୍ରତିଶ୍ରୁତି ଉଭୟ ଦେଇପାରିଛି । ଏଠାରେ ଗୋଟିଏ କଥା ଉଲ୍ଲେଖ କରିବାକୁ ବାଧ୍ୟ ହେଉଛି ଯେ, ଏହି ପାଞ୍ଚ ଦଶ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟରେ ଗଳ୍ପରଚନା ବଡ଼ ଦୁର୍ଲଭ ହୋଇପଡ଼ିଛି । ବହୁ ପତ୍ରିକାର ସମ୍ପାଦକ ଆଜିକାଲି ଏହି ଅଭିଯୋଗ କରୁଛନ୍ତି ଯେ ସେମାନେ ସେମାନଙ୍କର ସ୍ୱତନ୍ତ୍ର ସଂଖ୍ୟାଗୁଡ଼ିକର ଶ୍ରୀବୃଦ୍ଧି ଲାଗି ମଧ୍ୟ ଉତ୍କୃଷ୍ଟ ଗଳ୍ପ ପାଇ ପାରୁନାହାନ୍ତି । ଏ ଅଭିଯୋଗ ସତ୍ୟ ବୋଲି ମୋର ମଧ୍ୟ ମନେହୁଏ । କିନ୍ତୁ ଏହାର କାରଣ କ’ଣ ? ଏକଥା ନିଶ୍ଚିନ୍ତ ଯେ ଗୋଟିଏ ଭଲ ଗଳ୍ପ ଲେଖିବା ଅତ୍ୟନ୍ତ ପରିଶ୍ରମସାଧ୍ୟ ବ୍ୟାପାର । ଏହା ବହୁ ସମୟସାପେକ୍ଷ-ବହୁ ଧୈର୍ଯ୍ୟସାପେକ୍ଷ । ଏବଂ ଏପରିକି ଏହା ବହୁ କାୟିକଶ୍ରମ ମଧ୍ୟ ଆବଶ୍ୟକ କରେ । ଏତଦ୍‍ବ୍ୟତୀତ, ଜୀବନ ସଙ୍ଗେ ଘନିଷ୍ଠ ଓ ଆନ୍ତରିକଭାବେ ସଂଲଗ୍ନ ରହି ଜୀବନର ଅଭିଜ୍ଞତା ଅର୍ଜନ କରିବା ଓ ସେହି ଅଭିଜ୍ଞତାର ମନନପ୍ରସୂତ ଅର୍ଥ ଉଦ୍ଭାବନ କରିବା ଉପରେ ଗାଳ୍ପିକର ପ୍ରତିଭାର ମୂଲ୍ୟ ଓ ସାଧନାର ନିଷ୍ଠା ଜଣାପଡ଼େ । ଏକ ସମ୍ବେଦନଶୀଳ ହୃଦୟ ଏବଂ ପରିଚ୍ଛନ୍ନ ମାନବଶୀଳତା, ନେଇ ବ୍ୟକ୍ତି ଓ ସମାଜର ବହୁବିଧ ଘଟଣା ଓ ସମସ୍ୟା ସହିତ ଜଡ଼ିତ ନରହିଲେ ଓ ପୁନଶ୍ଚ ସେଥିରୁ ଅନୁଭବରେ ଏକ ନିର୍ଲିପ୍ତ ସ୍ଥିରତା ଆଣି ଅଭିଜ୍ଞତାଗୁଡ଼ିକର ମର୍ମ ଉଦ୍‍ଘାଟନ ନ କରି ପାରିଲେ କେହି ଉତ୍କୃଷ୍ଟ ଗଳ୍ପର ଲେଖକ ହୋଇପାରିବ ନାହିଁ । ତେଣୁ ଭଲ ଗଳ୍ପ ବା ଉପନ୍ୟାସ ଗଳ୍ପ ଲେଖିବା ପାଇଁ ଲେଖକର କେବଳ ଲେଖନୀ-ସାଧନା ଦରକାର ନୁହଁ ଜୀବନ ସାଧନା ସର୍ବାଦୌ ଆବଶ୍ୟକ । ଆମର ଲେଖକ ଲେଖିକାମାନେ କ’ଣ ଏହି ଦ୍ଵିବିଧ ସାଧନାକୁ ଡରି ଯାଉଛନ୍ତି କି ! ହୋଇପାରେ ।

 

ଅବଶ୍ୟ ଏହି ଗଳ୍ପଗୁଡ଼ିକର ରଚୟିତା ଜଣେ ନାରୀ ଏବଂ ବିଶେଷରେ ଗୃହିଣୀ । ତାଙ୍କ ଜୀବନଚକ୍ରର ଘୂର୍ଣ୍ଣନରେ ବା ଗତିବେଗର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଅଛି । ବିଶେଷତଃ ଆମ ସମାଜରେ ଜଣେ ନାରୀ ଯେତେ ପ୍ରତିଭାର ଅଧିକାରିଣୀ ହେଲେ ମଧ୍ୟ—ତା’ର ବିକାଶ ଲାଗି ବା ଉପଯୋଗ ଲାଗି ତା’ର ଯେତିକି ସ୍ଵାଧୀନତା ଆବଶ୍ୟକ, ତାହା ବହୁ କାରଣରୁ ତାକୁ ମିଳେ ନାହିଁ । ତା’ଛଡ଼ା, ଏକ ଭୀରୁ ସଂକୋଚ ଓ ଆଶଙ୍କାପ୍ରବଣ କୁଣ୍ଠିତତା ଆମ ସମାଜରେ ଆମେ ପୁରୁଷମାନେ ନାରୀମାନଙ୍କ ଆଗରେ ଏକ ନାରୀସୁଲଭ ସୁଗୁଣରୂପେ ଆଦର୍ଶ କରି ଥୋଇଛୁ । କାରଣ, ଆମର ଆଦର୍ଶ ନାରୀଟିଏ ହେଲା—ଅବଳା ଦୁର୍ବଳା, ଭୀରୁ, ବାମା ଓ ପୁରୁଷର ଖିଆଲ, ଖୁସୀ ଓ ସ୍ୱାର୍ଥପର ନୀତିନିୟମ ପାଖେ ସମର୍ପିତା କୋମଳା ଲତାଇବ ପ୍ରାଣୀଟିଏ ।

 

ଠିକ୍ ଅଛି । ଆମର ପୁରୁଷପୁଙ୍ଗବମାନେ ସେମାନଙ୍କ ମନୋହାରିଣୀରୂପେ ଏହିଭଳି ନାରୀଟିଏ ମନୋନୀତ କରନ୍ତୁ । ମାତ୍ର ଗଳ୍ପ, ଉପନ୍ୟାସ, ନାଟକ ଆଦି ଲେଖିବାର ପ୍ରତିଭା ନେଇ ଯେଉଁମାନେ ଜନ୍ମ ହୋଇଛନ୍ତି, ସେମାନଙ୍କୁ କେହି ଯେପରି ନାରୀ ବା ପୁରୁଷର ସୀମିତ ଗଣ୍ଡିଭିତରେ ରଖି ବିଚାର ନ କରନ୍ତୁ । କାରଣ ପ୍ରତିଭାର ଲିଙ୍ଗଭେଦ ନାହିଁ । ଏବଂ ସାର୍ବଜନୀନ ଆଚରଣ କୋର୍ଡ଼ ମଧ୍ୟ ନାହିଁ ।

 

ସେ ଯାହାହେଉ, ଓଡ଼ିଆ ସାହିତ୍ୟରେ କୁନ୍ତଳାକୁମାରୀଙ୍କଠାରୁ ଆରମ୍ଭ କରି ଶ୍ରୀମତୀ ସୁଧାଂଶୁବାଳାଙ୍କ ପର୍ଯ୍ୟନ୍ତ ବହୁ ନାରୀ ଖୁବ୍ ସାହସର ସହିତ ଆମ ସମାଜର ବହୁ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନଙ୍କ ପ୍ରତିଭା-ରଶ୍ମୀରେ ଆମ ସାହିତ୍ୟ-ସଂସ୍କୃତିର ଆକାଶକୁ ସମୁଜ୍ଜ୍ୱଳ କରିବାର ପ୍ରୟାସ ଦେଖାଇ ଯାଇଛନ୍ତି ଓ ଦେଖାଉଛନ୍ତି ମଧ୍ୟ । ସ୍ଵର୍ଗତା ବିଦ୍ୟୁତପ୍ରଭା, ଶ୍ରୀମତୀ ସୁପ୍ରୀତି ଗନ୍ତାୟତ, ଶ୍ରୀମତୀ ବସନ୍ତ କୁମାରୀ, ଶ୍ରୀମତୀ ବ୍ରହ୍ମୋତ୍ରୀ, ଶ୍ରୀମତୀ ବୀଣାପାଣି, ଶ୍ରୀମତୀ ପ୍ରତିଭା, ଶ୍ରିମତୀ ବନଜା ପ୍ରମୁଖା ପ୍ରତିଭାବତୀ ଲେଖିକାମାନେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ବହୁ ସମୃଦ୍ଧ କରିଛନ୍ତି । ଏଇମାନଙ୍କ ଭିତରେ ମୁଁ ଶ୍ରୀମତୀ ସୁଧାଂଶୁବାଳା ପଣ୍ଡାଙ୍କୁ ଆଉ ଏକ ନୂତନ ପ୍ରତିଭାର ଉଜ୍ଜ୍ୱଳ ସମ୍ଭାବନାର ପ୍ରତୀକରୂପେ ଅଭିନନ୍ଦନ ଜଣାଉଛି । ଉତ୍କଳ ଭାରତୀ ମା’ଶାରଳାଙ୍କ ପ୍ରସାଦରୁ ତାଙ୍କର ଲେଖନୀ ନବନବ ଉନ୍ମେଷଶାଳିନୀ ପ୍ରଜ୍ଞାର ବାହକ ହେଉ—ଏତିକି ମାତ୍ର କଲ୍ୟାଣ ମୁଁ ଜ୍ଞାପନ କରୁଅଛି । ଇତି ।

 

 

ମହାପାତ୍ର ନୀଳମଣି ସାହୁ

୧୩ । ୪ । ୨୨

ସମ୍ପାଦକ, ସ୍ଵରାଷ୍ଟ୍ର (ଲୋକସମ୍ପର୍କ) ବିଭାଗ

ମହାବିଷୁବ ସଂକ୍ରାନ୍ତି

ଓଡ଼ିଶା ସରକାର, ଭୁବନେଶ୍ୱର

Image

 

ସୂଚୀପତ୍ର

 

୧.

ଯେ ଅଛୁଆଁ ଛୁଇଁ ଦେଲା

୨.

ଜୀବନ-ଯାତନା

୩.

ଶୀତସ୍ମୃତି

୪.

ଏକାନ୍ତ ଏକାକୀ

୫.

ଗ୍ଳାନି

୬.

ଅସ୍ତଲଗ୍ନ

୭.

ମଧ୍ୟାହ୍ନର ଉପକଥା

୮.

ପିପାସା

୯.

କାହାଣୀ ଏକ ଝରା ପତ୍ରର

୧୦.

ପଦୋନ୍ନତି

୧୧.

ପ୍ରତିଧାବନ

୧୨.

ଅନୁଭୂତିର ସ୍ୱର

୧୩.

କ୍ଷତ

୧୪.

ପାଖୁଡ଼ା

୧୫.

ମହାଲକ୍ଷ୍ମୀଙ୍କ ରୋଷ

Image

 

ଯେ ଅଛୁଆଁ ଛୁଇଁ ଦେଲା

 

ବିସ୍ମିତ ହୋଇ ଚାହିଁ ରହିଛନ୍ତି ଅହଲ୍ୟା ସ୍ୱାମୀ ସଦାନନ୍ଦଜୀଙ୍କ ଆଡ଼େ... । ଇଏ କି ଆଶ୍ଚର୍ଯ୍ୟ ବାଣୀ ଶୁଣାଉଛନ୍ତି ଆଜି ସ୍ୱାମୀଜୀ... ? ଗୀତା, ଭାଗବତ, ବେଦ ଆଉ ବେଦାନ୍ତର ବହୁ ତଥ୍ୟ ସେ ଶୁଣିବାକୁ ପାଇଛନ୍ତି ଏଇ ସ୍ୱାମୀଜୀଙ୍କଠାରୁ... । ପ୍ରତିଟି ବାଣୀକୁ ସେ ଆକଣ୍ଠ ପାନ କରିଛନ୍ତି... । ଶ୍ରୀକୃଷ୍ଣଙ୍କର ବାଲ୍ୟ, କୈଶୋର ଆଉ ଯୌବନାବସ୍ଥାର ବହୁ କରୁଣ ମଧୁର ସୁନ୍ଦର ଉପାଖ୍ୟାନମାନ ଶୁଣିଛନ୍ତି ବିଭୋର ହୋଇ । କେତେ ନିର୍ଜନ ସକାଳ, କେତେ ନିରୋଳା ସନ୍ଧ୍ୟା ଆଉ କେତେ ଗଭୀର ରାତ୍ରିର ଆଲିଙ୍ଗନକୁ ଉପେକ୍ଷା କରିଦେଇ ସ୍ୱାମୀଜୀଙ୍କ ଆଦର୍ଶବାଣୀକୁ ମଧ୍ୟ ଶୁଣିଛନ୍ତି ଉତ୍କର୍ଣ୍ଣ ହୋଇ । ମାତ୍ର ଆଜିର ଏ ବାଣୀ ! ...ଅହଲ୍ୟାଙ୍କ ପାଇଁ ଏକ ଅଭିନବ ଦିଗର ଦର୍ଶନ ଯେମିତି...

 

ଅଶ୍ରୁସଜଳ ଦୁଇ ଆଖିର ପତାକୁ ଲୁଗା କାନିରେ ଚାପି ଦେଇ, ବଡ଼ କରୁଣ ସ୍ଵରରେ ସ୍ୱାମୀଜୀଙ୍କୁ ପ୍ରଶ୍ନ ତୋଳିଲେ ଅହଲ୍ୟା, ଆଚ୍ଛା ସ୍ୱାମୀଜୀ ! ଆପଣ ଏ ଯେଉଁ ବାଣୀ ଶୁଣାଇଲେ, “ସନ୍ତାନ ଯେତେ ବଡ଼ ଭୁଲ୍ କଲେ ବି ମାଆ ତାକୁ କ୍ଷମା ଦେବା ଉଚିତ୍” ...ଏହା କ’ଣ ଜୀବନ ପାଇଁ ବାସ୍ତବରେ ସତ୍ୟ... ? ମୁଁ କିନ୍ତୁ ଏଥିରେ ଆଦୌ ଏକମତ ନୁହେଁ ।

 

ଉପସ୍ଥିତ ଭକ୍ତବୃନ୍ଦ ସ୍ତବଧ ହୋଇଗଲେ । ସ୍ଵାମୀଜୀଙ୍କ ବାଣୀରେ ଯୁକ୍ତି... ? ଅହଲ୍ୟା ଆଜି କ’ଣ ପାଗଳି ହୋଇଗଲେ... ? ସ୍ଵାମୀଜୀଙ୍କ ବକ୍ତବ୍ୟକୁ ତ କେବେହେଲେ ଅହଲ୍ୟା ଅବମାନନା କରିନାହାନ୍ତି... । କ’ଣ ଆଜି ତାଙ୍କର ହେଲା... ? ଏଭଳି ବ୍ୟତିକ୍ରମ କାହିଁକି... ? ସମସ୍ତେ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଲେ ଅହଲ୍ୟାଙ୍କୁ ।

 

ସ୍ଵାମୀଜୀଙ୍କ ସୌମ୍ୟ ବଦନରେ ମଧ୍ୟ ବିସ୍ମୟ ପରିସ୍ଫୁଟ ହେଲା । ଇଏ କି ବ୍ୟତିକ୍ରମ ଆଜି ଅହଲ୍ୟାଙ୍କର... ? ଅହଲ୍ୟା ତ ଅଜ୍ଞ ନୁହନ୍ତି... । ପ୍ରତିଟି ଭକ୍ତଙ୍କ ଅପେକ୍ଷା ଅଧିକ ବୁଦ୍ଧି ତ ଅହଲ୍ୟାଙ୍କର । ତେଣୁ ଏ ବିଚକ୍ଷଣା ନାରୀଟିକୁ ସ୍ଵାମୀଜୀ ମନେ ମନେ ବେଶ୍ ଖାତିର କରନ୍ତି...ଆଜି କିନ୍ତୁ ବଡ଼ ଦ୍ଵନ୍ଦରେ ପଡ଼ିଛନ୍ତି ସ୍ଵାମୀଜୀ । ନାରୀ ହୋଇ ଅହଲ୍ୟା ଏଥିରେ ଏକମତ ନୁହନ୍ତି କେମିତି...-? କେମିତି ବୁଝାଇବେ ଏ ମାତୃଭାବର ଇଙ୍ଗିତଟିକୁ... ? ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ ସ୍ଵାମୀଜୀ...

 

ବାତ୍ସଲ୍ୟ ମମତାରେ ବି ଅହଲ୍ୟା ତ କୃପଣ ନୁହନ୍ତି । ସ୍ୱାମୀଜୀଙ୍କର ଗୋଟାଏ ଗୋଟାଏ କ୍ଷୁଧିତ ମୁହୂର୍ତ୍ତରେ ଅହଲ୍ୟାଙ୍କ ହାତ ତିଆରି ପାଏସ୍ ଟିକକ କି ତୃପ୍ତି ଦିଏ... । ସ୍ଵାମୀଜୀ ଆଗ୍ରହରେ ଖାଉଥିବାର ଦେଖି, ଆଉ ଟିକିଏ, ଆଉ ଟିକିଏ କହି ଚାମୁଚ୍ ଚାମୁଚ୍‍ ଢାଳି ଚାଲନ୍ତି ଅହଲ୍ୟା... ତଥାପି ସ୍ୱାମୀଜୀଙ୍କର ଖିରିପାତ୍ର ଶୂନ୍ୟ ହୋଇଯାଏ... । ମନେ ମନେ ଲଜ୍ଜିତ ହୁଅନ୍ତି ସ୍ଵାମୀଜୀ... । ପର ମୁହୂର୍ତ୍ତରେ ଭାବନ୍ତି, କେତେ ସ୍ନେହ; କେତେ ଶ୍ରଦ୍ଧା ଏ ନାରୀଟିର...ଆଃ । ୟାଙ୍କର କୋଳରେ ଜନ୍ମ ଲାଭ କରି ଥରଟିଏ ମାତ୍ର ‘‘ମାଆ’’ ବୋଲି ଡାକି ଦେଇଥିଲେ ଜୀବନ ସାର୍ଥକ ହୋଇ ଯାଇଥାନ୍ତା । ଅଥଚ ଏଇ ସନ୍ତାନବତ୍ସଳା ଜନନୀ ହୃଦୟରେ ସନ୍ତାନ ପ୍ରତି କ୍ଷମା ନାଇଁ... ? ଏହା କି ସମ୍ଭବ... ?

 

କି ଅଦ୍ଭୁତ ସତେ ଅହଲ୍ୟା ! ସନ୍ତାନ ପ୍ରତି ଅନ୍ତରରେ କ୍ଷମା ନ ଥାଇ; ଏ ଆଶ୍ରମର ପରିଚାରିକା କାମକୁ କିପରି ବାଛି ନେଇଛନ୍ତି... ? ଓଳିଏ ନ ରାନ୍ଧିଲେ ମନ ତାଙ୍କର ଦୁଃଖରେ ବିଦୀର୍ଣ୍ଣ ହୋଇଯାଏ କିପରି...ଆଖିରୁ ଲୁହ ପୋଛି ଅପର ଆଗରେ କୁହନ୍ତି, ଛିଃ...ଏ ନିଆଁଲଗା ଜ୍ୱରଟା କାହିଁକି ମୋତେ ସାଧୁଚି...କିପରି ଆଜି ସ୍ଵାମୀଜୀ ଖାଇଲେ... ? କିଏ ରାନ୍ଧିକରି ଦେଲା ଆଶ୍ରମବାସୀଙ୍କୁ... ? ସ୍ଵାମୀଜୀ ବି ଉପଲବ୍ଧି କରନ୍ତି ଅହଲ୍ୟାଙ୍କ ହାତରନ୍ଧାର ଅଭାବକୁ... ।

 

ଷାଠିଏ-ସତୁରୀ ବର୍ଷର ବୃଦ୍ଧା ଅହଲ୍ୟାଙ୍କ ଅନ୍ତର ଏଭଳି ଭାବେ ସ୍ନେହସିକ୍ତ ଯେ, ଆଖିରେ ଚଷମା ଲଗାଇ ଚାଉଳରୁ ଗୋଟି ଗୋଟି କରି ଧାନ ଖୁଦ ବାଛି ରଖନ୍ତି । ଚିକ୍ ଚିକ୍ ପିତ୍ତଳ ଥାଳିରେ ସରୁ ଅନ୍ନ, ମେଞ୍ଚି ମେଞ୍ଚି ମୁଗ ଡାଲି, ଚେକା ଚେକା କଞ୍ଚା କଦଳୀ ଭଜା, ଅଗସ୍ତୀ ଶାଗ ରାନ୍ଧି ଯେତେବେଳେ ଅହଲ୍ୟା, ସ୍ଵାମୀଜୀଙ୍କ ପାଖରେ ନେଇ ରଖନ୍ତି, ସହୃଦୟତାରେ ସ୍ଵାମୀଜୀଙ୍କ ଅନ୍ତର ଉଦ୍ବେଳିତ ହୋଇଉଠେ... । କୃତଜ୍ଞତାରେ ବିଭୋର ହୋଇପଡ଼ନ୍ତି ସେ... । ସେଇ ସ୍ଵାମୀଜୀ, ଅହଲ୍ୟାଙ୍କର ଏଇ ଉପସ୍ଥିତ ହୃଦୟ ନେଇ ବିସ୍ମିତ ଆଉ ବିବ୍ରତ ।

 

ଯାହାଙ୍କ ପାଖେ ଏଭଳି ଅନାବିଳ ପ୍ରେମ, ଆଶାତୀତ ଆନ୍ତରିକତା ଦେଖିବାକୁ ମିଳେ, ସେଇ କିପରି ନିଜର ମାତୃତ୍ଵପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି... ? ସତରେ ତା’ହେଲେ ସେ କ’ଣ ତାଙ୍କର ଅକ୍ଷମଣୀୟ ସନ୍ତାନକୁ କ୍ଷମା ଦେଇନାହାନ୍ତି... ? ସେ କ’ଣ ସତରେ ଏତେ ଦୂର ହୃଦୟହୀନା... ? ସ୍ଵାମୀଜୀଙ୍କ ମନରେ ବିସ୍ମୟ ଓ କୌତୂହଳ... । ନାଁ...ଇଏ ତାଙ୍କ ପ୍ରକୃତ ମନର ପରିଚୟ ନୁହେଁ ।

 

ତେବେ କ’ଣ ଅହଲ୍ୟା ମାତୃତ୍ୱରୁ ବଞ୍ଚିତା... ?

 

ଭାବନାରେ ଅଟକି ଗଲେ ସ୍ଵାମୀଜୀ... । ଛିଃ...ଏଭଳି ଅସଙ୍ଗତ ଭାବନା କାହିଁକି ସ୍ପର୍ଶ କରୁଛି ମନକୁ... ? ଅବଶ୍ୟ ଅହଲ୍ୟାଙ୍କ ଅତୀତ ସ୍ଵାମୀଜୀଙ୍କୁ ଅଜଣା... । ଯଦିଓ ଏ ଆଶ୍ରମରେ ରହିବାର ଅନେକ ଦିନ ହୋଇଗଲାଣି...ତଥାପି ଥରଟିଏ ହେଲେ ସ୍ଵାମୀଜୀ ପଚାରି ଦେଇନାହାନ୍ତି ଅହଲ୍ୟାଙ୍କୁ, ତୁମର ଘର କେଉଁଠି ମା... ? କେଉଁଠୁ ଆସିଚ ତୁମେ... ? କିଏ କିଏ ତୁମର ଅଛନ୍ତି ? ନାଁ—କିଛି ହେଲେ ବି ସେ ପ୍ରଶ୍ନ କରିନାହାନ୍ତି ତାଙ୍କୁ... I କେବଳ ପ୍ରଥମ ଦିନର ସେଇ ଲୁହଧୁଆ ଦୁଇ ଆଖିର ଚାହାଣି ସ୍ୱାମୀଜୀଙ୍କୁ ବିହ୍ଵଳ କରି ପକାଇଚି ଆଜିପର୍ଯ୍ୟନ୍ତ... । ଅବଶ୍ୟ ଏ ଭଳି ଜଣେ ଭକ୍ତଙ୍କୁ ପାଇ ସ୍ଵାମୀଜୀ ଆଜି ଗର୍ବିତ... । ମାତ୍ର...

 

ନାଁ...ନାଁ...ଆଉ ତାଙ୍କୁ ସନ୍ଦେହ କରାଯିବା ଠିକ୍ ହେଉନି... । ବଡ଼ ଉଦାସ ଆଖିରେ ଚାହିଁ ଦେଖିଲେ ସ୍ୱାମୀଜୀ, ସେଇମିତି ନିଶ୍ଚଳ ହୋଇ ଠିଆହୋଇ ରହିଛନ୍ତି ଅହଲ୍ୟା ଉତ୍ତର ପାଇବା ଆଶା ନେଇ...

 

କି ଉତ୍ତର ଦେବେ ସ୍ୱାମୀଜୀ... ? ଇଏ ତ କିଛି ଗୋଟାଏ ନିଗୂଢ଼ ତତ୍ତ୍ଵ ନୁହେଁ ଯେ, ବୁଦ୍ଧି ଖଟାଇ ସ୍ଵାମୀଜୀ ବୁଝାଇ ଦେବେ ପ୍ରାଞ୍ଜଳଭାବେ... I ଇଏ ତ ମାତୃତ୍ୱର ଉତ୍ସ... I ୟା’କୁ କ’ଣ ଭାଷା ସାହାଯ୍ୟରେ ବୁଝାଯାଇପାରେ... ?

 

ସ୍ଵାମୀଜୀଙ୍କ ନୀରବତା ଆଉ ଅହଲ୍ୟାଙ୍କ ମନର ବ୍ୟତିକ୍ରମ ଦେଖି, ସ୍ତବ୍ଧ ଭକ୍ତମଣ୍ଡଳି ଗୋଟି ଗୋଟି ହୋଇ ସେ ସ୍ଥାନରୁ ବିଦାୟ ନେଇ ଚାଲିଗଲେଣି । କେବଳ ଅଭିମାନରୁଦ୍ଧା ଅହଲ୍ୟା ଉତ୍ତର ପାଇବା ଆଶା ନେଇ ଏକାକୀ ଠିଆ ହୋଇ ରହିଛନ୍ତି ନିଶ୍ଚଳଭାବେ... I ସ୍ୱାମୀଜୀଙ୍କ ପ୍ରତିଟି ଉକ୍ତିକୁ ସେ ହୃଦୟ ଦେଇ ଗ୍ରହଣ କରି ନେଉଥିଲେ...କିନ୍ତୁ ଆଜି ଏ ଉକ୍ତିର...

 

ସ୍ୱାମୀଜୀ ଦେଖିଲେ, ଆଉ ନୀରବ ରହି, ପରିସ୍ଥିତିକୁ ଅଧିକ ଗୁରୁଗମ୍ଭୀର କରିବା ଉଚିତ୍ ନୁହେଁ । ଭୟବିଜଡ଼ିତ କଣ୍ଠରେ ସେ ପ୍ରଶ୍ନ ତୋଳିଲେ, ମା’ । ତମେ କ’ଣ ମାତୃତ୍ଵରୁ ବଞ୍ଚିତା... ?

 

ଦୁଇ ହାତରେ ପାପୁଲିକୁ ମୁହଁ ଉପରେ ଚାପିଦେଇ ଆକୁଳ ଶିଶୁପରି କାନ୍ଦିଉଠିଲେ ଅହଲ୍ୟା... I ସେ କରୁଣ କାତର କ୍ରନ୍ଦନ ଧ୍ୱନି ସ୍ୱାମୀଜୀଙ୍କୁ ବିଚଳିତ କରି ପକାଇଲା... I ଛଅ ବର୍ଷର ଛୋଟ ଝିଅଟିଏଭଳି ଷାଠିଏ ବର୍ଷର ବୃଦ୍ଧା ଅହଲ୍ୟା କ୍ରନ୍ଦନରେ ଅଧିର ହୋଇଉଠିଲେ । ବୋଧହୁଏ, ଏ ଅପ୍ରିୟ ସତ୍ୟ ପ୍ରଶ୍ନ କରିଦେଇ ଭୁଲ୍ କରିଦେଲେ ସ୍ୱାମୀଜୀ... I ଅପ୍ରିୟ ସତ୍ୟ କହିବା ନିର୍ବୋଧତା ହେଲେ ବି, ଉପାୟ କ’ଣ— ? କ’ଣ କହି ବା ସେ ସାନ୍ତ୍ୱନା ଦେଇଥାଆନ୍ତେ... ? ମନୁଷ୍ୟକୁ ସାନ୍ତ୍ୱନା ଦେବା କ’ଣ ଏତେ ସହଜ ବ୍ୟାପାର... ?

 

କ୍ରନ୍ଦନରେ ଅସ୍ଥିର ହୋଇ ସଜ୍ଞାହୀନଭଳି ଲୋଟି ପଡ଼ିଛନ୍ତି ଅହଲ୍ୟା ଭୂମି ଉପରେ । ବଡ଼ କରୁଣ ଲାଗିଲା ଏ ପରିସ୍ଥିତି ସ୍ଵାମୀଜୀଙ୍କୁ... I

 

ନିଜ ଆସନରୁ ଉଠି ଆସି ସ୍ୱାମୀଜୀ, ଅହଲ୍ୟାଙ୍କୁ ତୋଳି ଧରି କହିଲେ, ଉଠ ମା’...ମୁଁ ଆଜି ଆଦୌ ସକ୍ଷମ ହୋଇପାରୁନି ତୁମକୁ ବୁଝାଇବା ଲାଗି । ଏଥିଲାଗି ମୋତେ କ୍ଷମା ଦେଇ ତୁମେ ତୁନି ହୁଅ ମା...

 

ଆଃ...ସେ ସ୍ପର୍ଶ କେତେ ଆନ୍ତରିକତାର...ଅନୁଭବ ନ କଲେ ଜାଣିବା କ’ଣ ସମ୍ଭବ ? ନିରୀହ ଗାଭୀଟିର ଆଖିପରି ଅହଲ୍ୟାଙ୍କ ଦୁଇ ଆଖି ସ୍ଥିର ହୋଇଗଲା ସ୍ୱାମୀଜୀଙ୍କ ଆଖି ଉପରେ । ଅଭିମାନରୁଦ୍ଧ କଣ୍ଠରୁ ବାହାରି ଆସିଲା, “ଠିକ୍ ତୁମ ଭଳି ମୋର ବି ଏକ ପୁତ୍ର ଅଛି ସ୍ୱାମୀଜୀ”...

 

ମା’...ଚମକି ଉଠିଲେ ସ୍ୱାମୀଜୀ, ବିସ୍ମୟ ତାଙ୍କର ଦି’ଗୁଣ ବଢ଼ିଉଠିଲା । ଭାବନାଗୁଡ଼ିକ ଓଲଟ ପାଲଟ ହୋଇଗଲା । ଅନୁତାପଦଗ୍ଧ କଣ୍ଠରେ କହିଲେ ସ୍ୱାମୀଜୀ, ପୁତ୍ର ସନ୍ତାନର ଜନନୀ ହୋଇ ଏ ଆଶ୍ରମରେ.....

 

ଆଶ୍ରୟପ୍ରାର୍ଥିନୀ ମୁଁ—

 

ଆଖିରୁ ଅଶ୍ରୁ ପୋଛିଲେ ଅହଲ୍ୟା । କିନ୍ତୁ ଅନ୍ତର ମନ୍ଥିତ କରି ବୋହିପଡ଼ୁଛି ଆହୁରି କେତେ ବେଦନାର ଅଶ୍ରୁ... I ବିଗତ ଦିନର ସ୍ମୃତି ଯେମିତି କଣ୍ଟା ପରି ଫୋଡ଼ି ହୋଇଯାଉଚି ମନରେ । ନାଁ—ଏ ଅଶ୍ରୁ ଯେମିତି ଥମିବାର ନୁହେଁ ।

 

ସ୍ଵାମୀଜୀଙ୍କ ପାଇଁ ଏହା ଚରମ ବିସ୍ମୟ । ପ୍ରତିଟି କଥା ପଚାରି ଦେଇ ଅସଲ କଥାଟା ଜାଣିଦେବା ପାଇଁ ବ୍ୟଗ୍ର ହୋଇଉଠିଲେଣି ସ୍ୱାମୀଜୀ... । କିନ୍ତୁ ଅହଲ୍ୟା ଯେ କ୍ରନ୍ଦନରତା । କ୍ରନ୍ଦନର ଆବେଗରେ ସେ ଭାଙ୍ଗିପଡ଼ୁଛନ୍ତି ରହି...ରହି...

 

ନୀରବ ବିସ୍ମୟରେ କେତୋଟି ମୁହୂର୍ତ୍ତ କଟିଯିବା ପରେ ସ୍ଵାମୀଜୀ ଶୁଣିବାକୁ ପାଇଲେ ଭଙ୍ଗା ଭଙ୍ଗା କଣ୍ଠ ତୋଳି କାହାଣୀ ଆରମ୍ଭ କରି ଦେଇଛନ୍ତି ଅହଲ୍ୟା...

 

“ବହୁ ଅତୀତରେ ସ୍ଵାମୀ-ପୁତ୍ରର ଏକ ଛୋଟ ସଂସାର ଭିତରେ ବୁଡ଼ି ରହିଥିଲି ମୁଁ । ଗୋଟାଏ ଗୋଟାଏ ମଧୁର ଛନ୍ଦରେ ପ୍ରତିଟି ମୁହୂର୍ତ୍ତ କଟି ଯାଉଥିଲା ଅତି ଆନନ୍ଦରେ । କିନ୍ତୁ ସ୍ଵାମୀଜୀ ! ମୋର ସେ ସୁଖକୁ ବୋଧହୁଏ ସହ୍ୟ କରିପାରିଲେନି ଈଶ୍ଵର । ଗୋଟାଏ ଶାନ୍ତ ସୁନ୍ଦର ସନ୍ଧ୍ୟା ହଠାତ୍ କରୁଣ ହୋଇଉଠିଲା ମୋ’ପାଇଁ । କିଏ ଜଣେ ଆସି ଖବର ଦେଲା ଆକ୍ସିଡେଣ୍ଟରେ ମୃତ୍ୟୁ ଘଟିଛି ସ୍ୱାମୀଙ୍କର । ଉଦୟ ସୂର୍ଯ୍ୟ ଅସ୍ତମିତ ହୋଇଗଲେ ଚିରଦିନ ପାଇଁ । ସେଇ ଅନ୍ଧକାର ଭିତରେ ମତେ ସାରା ଜୀବନ କଟାଇବାକୁ ପଡ଼ିଲା ଏଇ ମାତ୍ର ପୁତ୍ରକୁ ଧରି ।

 

ଯନ୍ତ୍ରଚାଳିତ ପରି ଟିକେ ଚହଲି ଗଲେ ସ୍ୱାମୀଜୀ, କିନ୍ତୁ ଅନୁଭବ କଲେ, ଖୁବ୍ ବେଗି ବେଗି ତାଙ୍କର ସଜ୍ଞା ଯେମିତି ଲୋପ ପାଇବାକୁ ଆରମ୍ଭ କରୁଚି । ତଥାପି ଶୁଣିବାପାଇଁ ମନ ଉଦବେଗ, ଅସ୍ଥିର ।

 

ଅହଲ୍ୟା କହୁଛନ୍ତି, ସ୍ୱାମୀଜୀ ! ଏ କାହାଣୀ କେଉଁ ଆରବ୍ୟ ଦେଶର ରୋମାଞ୍ଚକର କାହାଣୀ ନୁହେଁ...କି କେଉଁ ରାଜପୁତ୍ରର ଘୋଡ଼ା ଚଢ଼ି ଯିବା ବାଟରେ ରାଜକୁମାରୀ ସହିତ ଚାରିଆଖି ମିଳନର କାହାଣୀ ଏ ନୁହେଁ । ଏ ମୋର ଦୁଃଖ; ନୈରାଶ୍ୟ ଆଉ ବେଦନାର ଗୁରୁଭାର ସମ୍ଭାଳି ନ ପାରିବାର କାହାଣୀ ।

 

ହୁଏତ ଏ କାହାଣୀ ଶୁଣାଇ ଦେଇ କେତେକାଂଶରେ ମୁଁ ଆଶ୍ଵସ୍ତି ଅନୁଭବ କରିବି । କିନ୍ତୁ ସ୍ୱାମୀଜୀ ଦୁଃଖିନୀର ଏ ଦୁଃଖ କାହାଣୀ ଶୁଣିବାରେ ବିବ୍ରତ ହୋଇପଡ଼ିବେ ନାଇଁତ...ଆପଣ... ?

 

ନାଇଁ ମା’...ଏମିତି ଭାବନା ମନରେ ପୁରାଅନି । ତୁମେ ଯଦି କାହାଣୀ ଶୁଣାଇ ଆଶ୍ଵସ୍ତ ହେବ ମୁଁ କ’ଣ ଆଶ୍ଵସ୍ତ ହେବିନାହିଁ ? ଭକ୍ତର ଗୁହାରି ଶୁଣି ଶୁଣି ଈଶ୍ୱର କେବେ ବ୍ୟସ୍ତ ହୋଇପଡ଼ିବାର ଶୁଣିଛ ତୁମେ ? କେହି ଅନୁଭବ କରିଛି ତାଙ୍କ ବିବ୍ରତତା ? ଆମେ ତ ଛାର ମଣିଷ ମାତ୍ର...ଦୁଃଖ ତ ଆମମାନଙ୍କର ଚିର ସାଥି...ୟା’କୁ ନ ଶୁଣିବାର ଅବମାନନା ସମ୍ଭବ ନୁହେଁ ମା’...

 

ଭାବ ଗମ୍ଭୀରା ଅହଲ୍ୟା ପୂର୍ବପରି କହି ଚାଲିଲେ, ଅଭାବ, ଅନାଟନ, ଦାରିଦ୍ର୍ୟ ଭିତରେ ବଞ୍ଚିବା ପାଇଁ ଏକମାତ୍ର ଆଲୋକବର୍ତ୍ତିକା ମୋର ଦୀପୁ... । ଭଲ ନାଆଁ ତା’ର ପ୍ରଦୀପ । ସେଇ ପ୍ରଦୀପର ଶିଖା ତେଜି ତେଜି ଗୋଟିଏ ଶାନ୍ତି ସରଳ ଯୋଗ୍ୟ ପୁତ୍ର ହୋଇ ବାହାରିଲା ଦୀପୁ । ଡାକ୍ତରୀ ପାଶ୍ କରି ବିଦେଶକୁ ଯିବା ପାଇଁ ମନୋନୀତ ହେଲା ସେ... ।

 

ଡାକ୍ତର... ? ସ୍ଵାମୀଜୀଙ୍କ ମନରେ ବିସ୍ମୟର ଏକ ନୂଆ ଆନନ୍ଦ । ଉତ୍କର୍ଣ୍ଣ ହୋଇ ଶୁଣିବାକୁ ଲାଗିଲେ ସ୍ୱାମୀଜୀ ।

 

ସ୍ୱପ୍ନାତ୍‍ଥିତା ପରି ଚାହିଁ ରହିଛନ୍ତି ଅହଲ୍ୟା ମୁକ୍ତ ପ୍ରାଙ୍ଗଣ ଆଡ଼େ...ରାତ୍ରି ନିବିଡ଼ ହୋଇ ଆସିଲାଣି । ଆଶ୍ରମବାସୀ ଭୋଜନାଦି ସାରି ଗଭୀର ନିଦ୍ରାରେ ନିଦ୍ରା ଗଲେଣି । ଏ ସ୍ଵାର୍ଥପର ଦୁନିଆରେ କିଏ କାହାର ଦୁଃଖ ଶୁଣିବା ପାଇଁ ଉଦବେଗ ହେଉଚି... ? କିଏ ଅନୁଭବ କରୁଚି କାହା ହୃଦୟର ମହନୀୟତାକୁ ? ଯିଏ ଯାହାର ସ୍ଵାର୍ଥ ନେଇ ପାଗଳ...ଏଇ କାମ, କ୍ରୋଧ, ମୋହରୁ ମୁକ୍ତି ପାଇବା ପାଇଁ ତ ଦଉଡ଼ି ଆସିଛନ୍ତି ଏ ଆଶ୍ରମକୁ । ସେମାନେ କାହିଁକି ଜାଣିବେ ଯେ, ଏ ଆଶ୍ରମରେ ବି ଦୁଃଖ ଶୋକାଦିର ସମ୍ମୁଖୀନ ହେବାକୁ ହୁଏ ବୋଲି ?

 

ମା...ସ୍ଵାମୀଜୀଙ୍କ ହାଲୁକା ଡାକରେ ସଚକିତ ହୋଇଉଠିଲେ ଅହଲ୍ୟା... । ଯେମିତି କାହାର ଆଘାତ ପାଇ ତାଙ୍କ କଳ୍ପନାର କାଚଘରଟା ଚୂନା ହୋଇଗଲା...ଅନ୍ୟ ମନସ୍କତା କାଟି ପୁଣି କାହାଣୀର ଖିଅ ଧରିଲେ ଅହଲ୍ୟା...

 

ସ୍ଵାମୀଜୀ ! ବିଦେଶକୁ ଛାଡ଼ିବା ପାଇଁ ମୋର ଆଦୌ ଇଚ୍ଛା ନ ଥାଏ । ଦୀପୁର ଦୀର୍ଘ ଅନୁପସ୍ଥିତ ମୋତେ କେତେ ଯନ୍ତ୍ରଣାଦାୟକ ଆପଣ ନିଶ୍ଚୟ ଅନୁଭବ କରୁଥିବେ । କିନ୍ତୁ ତା’ତ ଆଉ କରାଯାଏନା ବିଦେଶକୁ ଯିବା ଦିନ ତା’ ମୁଣ୍ଡରେ ଚନ୍ଦନର ଟିପା ପିନ୍ଧାଇ ଦେଇ କହିଥିଲି, ବାପା ! ଏ ଟିପା କେବଳ ବିଜୟର ଟିପା ନୁହେଁ...ଏ ଟିପା ହେଉଚି ପୁଣ୍ୟର ଟିପା... । ତୁ ଭାବେ ନାଁ ଯେ ବିଦେଶକୁ ଯାଇ ଗୋରୁମାଂସ ଖାଇ ଜାତି ହରାଇବା ପାଇଁ ମୁଁ ଡରୁଛି ବୋଲି । ସେ ଭୟ ମୋର ନାହିଁ । କାରଣ ତୁ ନିରାମିଷାସୀ । କିନ୍ତୁ ଗୋଟିଏ କଥାକୁ ମୋର ଖୁବ୍ ଭୟ, ସେଇଟି ହେଲା ଚରିତ୍ର... । ସେ ଦେଶର ଝିଅଗୁଡ଼ାକ ବାପା ବଡ଼ ଡାହାଣୀ । ଦେହର ଡାହାଣୀ ରଙ୍ଗ ଆଉ ମିଠାକଥା କହି ଭୁଲାଇ ଦିଅନ୍ତି ଆମ ଦେଶର ପୁଅମାନଙ୍କୁ... । ତୁ ବାପା ସେ ଖସଡ଼ାରେ ଯାଇ ଗୋଡ଼ଖସାଇ ଦେବୁ ନାଇଁତ... ?

 

ଦୀପୁ ଚକ୍ଷୁର “ନାଇଁ” ବୋଲି ସୂଚେଇ ଦେଉଥିବା ସେଇ ନିରୀହ ଡୋଳା ଦୁଇଟି ଏବେ ବି ମୋ ମନକୁ ସଙ୍କୁଚିତ କରି ପକାଉଛି କିନ୍ତୁ ସ୍ଵାମୀଜୀ...

 

ଆଉ କହିପାରିଲେ ନାଇଁ ଅହଲ୍ୟା... । କିନ୍ତୁ ଏତିକିରେ ରହିଗଲେ ମନରେ କି ଶାନ୍ତି ଆସୁଛି ? ସ୍ଵାମୀଜୀଙ୍କୁ କି ଜଣାଇ ହେଉଚି ତାଙ୍କ ଆଦର୍ଶବାଣୀର ବିଫଳତା କିପରି ମୋ ଜୀବନରେ... । କିପରି ଅକ୍ଷମ ହୋଇଛି ପୁତ୍ରକୁ କ୍ଷମା ଦେବା ପାଇଁ... । ଏ ଭଳି ଭୁଲ୍‍କୁ କ’ଣ କ୍ଷମା ଦିଆଯାଇପାରେ ସ୍ଵାମୀଜୀ... ? କୁହନ୍ତୁ ମା’...କିଛି ବ୍ୟକ୍ତ ନ କରି ଏତିକି ବେଳୁ ଏମିତି ଅଧୈର୍ଯ୍ୟ ହୋଇଉଠୁଛନ୍ତି... ?

 

ସ୍ଵାମୀଜୀ ! ଦୀପୁର ସେ ଛୋଟ ଚିଠି ଖଣ୍ଡିକ ମୋ ମନରେ କେତେ ଯେ ଆନନ୍ଦ ଭରି ଦେଇଥିଲା...କିପରି ବ୍ୟକ୍ତ କରିବି ଆପଣଙ୍କୁ... ? ଦୀପୁ ଆସୁଚି...ଦୀପୁ ଫେରି ଆସୁଚି ପୁଣି ମୋରି କୋଳକୁ... । ସେ’ ଦିନଟି ଯାକ ଆନନ୍ଦରେ ମୋ ଗୋଡ଼ ଲାଗୁ ନ ଥାଏ ତଳେ... । ଏତେ ଆନନ୍ଦ ଜୀବନରେ କେବେ ଅନୁଭବ କରି ନ ଥିଲି ମୁଁ । କିନ୍ତୁ ହାୟ ! ସେ ଆନନ୍ଦ ଭିତରେ ଏତେ ଦୁଃଖ ଛପି ରହିଥିଲା ବୋଲି...ଜାଣି ଥିଲା କିଏ... ?

 

ସନ୍ଧ୍ୟା ନଇଁ ଆସୁଥାଏ...ମୁଁ ତର ତର ହୋଇ ଚଉରା ମୂଳେ ସଞ୍ଜ ଦେବା ପାଇଁ ଉଦ୍ୟତ ହେଉଚି, ଦୀପୁ ଆସି ମୋ ଗୋଡ଼ ଛୁଇଁ ପ୍ରଣାମ କଲା...ମୁଁ ତାକୁ ତଳୁ ଉଠାଇ ନେଇ ଆଶ୍ଳେଷି ଧରିଲାବେଳେ ଦେଖିଲି ପଛ ପାଖେ ତା’ର ଜଣେ ବେଦେଶିନୀ ସୁନ୍ଦରୀ ତରୁଣୀ... । ମୋତେ ଚାହିଁ ଦେଇ ମୃଦୁ ହସି ସେ ଯାହା ବ୍ୟକ୍ତ କଲା ମତେ, ତା’ ଭାଷାରେ ସେଥିରୁ ମୁଁ ଯାହା ବୁଝିଲି, ସେ କହୁଛି, “ତମେ ମତେ ଚିହ୍ନି ପାରୁନା... ? ଅଥଚ ମୁଁ ତୁମର ବୋହୂ ହୋଇଆସିଚି...ଦୟାକରି ମତେ ସ୍ଵାଗତ କର ମାଆ”...

 

ସ୍ଵାମୀଜୀ । ସେ ମମତାସିକ୍ତ ଭାଷା ଏବେ ବି ମୋ ହୃଦୟକୁ ସ୍ପର୍ଶ କରୁଛି ବାରମ୍ବାର । କିନ୍ତୁ ଶରୀରକୁ ତା’ର ସ୍ପର୍ଶ କରିପାରିଲିନି ମୁଁ... । ଅବଗୁଣ୍ଠନ ଟାଣି ଦେଇ ବୋହୂ ବୋଲି ଆଶ୍ଳେଷି ଧରି ପାରିଲିନି ତାକୁ... । ନୀରବରେ ବୋହି ଚାଲିଥାଏ ଆଖିରୁ ଅଜସ୍ର ଅଶ୍ରୁ...

 

ମୋ କାନ୍ଦ ଦେଖି ସେ ବିସ୍ମିତ ହେବା ସ୍ୱାଭାବିକ... I ତା’ ଭାଷାରେ ମତେ ବାରମ୍ଵାର ବାରଣ କରୁଥାଏ ନ କାନ୍ଦିବା ପାଇଁ... I କିନ୍ତୁ ସ୍ୱାମୀଜୀ ! ସେ କ’ଣ କାନ୍ଦ... ? ମନକୁ ସାନ୍ତ୍ଵନା ଦେଇ ନ ପାରିବାର ଅପାରଗତା ସେ... I କେମିତି ସାନ୍ତ୍ଵନା ଦେବି କୁହନ୍ତୁ ଭଲା...ମୁଁ କ’ଣ ଜାଣିଥିଲି, ଦୀପୁ ସବୁ ଜାଣି କରି ବି ଏଡ଼େ ବଡ଼ ଭୁଲ କରି ବସିବ ବୋଲି... ? କେତେ ଆଶା କରିଥିଲି, ବୋହୂଟିଏ ଆସିଲେ, ମତେ ରାନ୍ଧି କରି ଗଣ୍ଡେ ଦେବ ବୋଲି । ନିଜେ ରାନ୍ଧି ବାଢ଼ି ଖାଇବାରେ ଯେଉଁ ବିରକ୍ତି...କିନ୍ତୁ ସ୍ୱାମୀଜୀ ! ସେଇ ବିରକ୍ତି ମୋର ଚିର ସାଥୀ ହୋଇ ରହିଲା... I

 

ଦୁଃଖ, ହତାଶା; ଘୃଣା ଆଉ କ୍ଷୋଭରେ ପଥର ପାଲଟିଗଲି ମୁଁ l ଦୀପୁର ବ୍ୟସ୍ତତା, ବୋହୂର ବ୍ୟାକୁଳତା ଶୁଣିବା ପାଇଁ ଓ ଦେଖିବା ପାଇଁ ଧୈର୍ଯ୍ୟ ରହିଲାନି ମୋର... I ଅନୁଭବ କଲି ଦେହରେ ମୋର ପ୍ରଚୁର ତାତି...ଯନ୍ତ୍ରଣାରେ ଛାତିଟା ଯେମିତି ଫାଟିଯାଇଚି...ମୃତ୍ୟୁର ଯେମିତି ପୂର୍ବ ମୁହୂର୍ତ୍ତ ଏଇଟା... I

ସକାଳର ଆଲୁଅରେ ଆଖି ଖୋଲି ଦେଖିଲି, ଶଯ୍ୟା ଧାରରେ ବସି ରହିଚି ଦୀପୁ... । କମ୍ପିତ ହସ୍ତରେ କ’ଣ ଗୋଟାଏ ଔଷଧ ଧରି ପିଇବା ପାଇଁ ମତେ ନିବେଦନ କରୁଚି ବୋହୂ... । (ବୋହୂ ବୋଲି ଉଚ୍ଚାରଣ କରିବାରେ ମତେ ଘୃଣା ଲାଗୁଚି ସ୍ଵାମୀଜୀ...) ଉପାୟଶୂନ୍ୟଭାବେ ମୁଁ ଚୁପ୍‍ଚାପ୍ ଆଖି ଦୁଇଟିକୁ ବନ୍ଦ କରିଆଣିଲି । କିନ୍ତୁ କାନକୁ ତ ବନ୍ଦ କରିବାର ଉପାୟ ନାଇଁ । ଦୀପୁ ମୋତେ ବୁଝାଇବାରେ ଲାଗିଚି... “ତୁ ବ୍ୟସ୍ତ ହୁଅନା ବୋଉ...ମୁଁ ଯାହା କହୁଚି ଶୁଣ... ଏ ଝିଅଟିକୁ ଅଯଥା ଦୋଷ ଦେଇ ତୋ ସ୍ନେହରୁ ବଞ୍ଚିତ କରାନା ତାକୁ... । ତୋର ସ୍ନେହ ଶ୍ରଦ୍ଧା ଶୁଣି ଶୁଣି ମୋ’ଠାରୁ କେତେ ଆଶାୟୀ ହୋଇ ଆସିଥିଲା... । କିନ୍ତୁ କାଲିର ବ୍ୟବହାରରେ ସେ ଏକବାରେ ଆଶ୍ଚର୍ଯ୍ୟ... । ମୁଁ ତାକୁ ଭୁଲାଇ ରଖିଚି ଯେ, ବୋଉର ଏମିତି ବେଳେ ବେଳେ ମୁଣ୍ଡ କ’ଣ ହୋଇଯାଏ...ଏବଂ ଏ ରୋଗ ତା’ର ବହୁ ଦିନର...ବାପା ଚାଲିଯିବାର ପରଠାରୁ... । ମୋ କଥା ଶୁଣି, ଭୁଲି ଯାଇ ଚୁପ୍ ରହିବା ଝିଅ ନୁହେଁ ସେ...ସାରା ରାତ୍ରି ଅନିଦ୍ରା ରହି ରୋଗର ଉପଶମ ପାଇଁ ବହି ପଢ଼ି ପଢ଼ି ଔଷଧ ଯୋଗାଡ଼ କରି କହୁଚି, “ତମେ ମାଆଙ୍କର ରୋଗ ଭଲ କରିପାରିନା... I ଅଥଚ ଅପରର ରୋଗ ଭଲ କରିବା ପାଇଁ ବିଶେଷ ଯୋଗ୍ୟତା ହାସଲ କରିବାକୁ ବିଦେଶ ଚାଲିଗଲ...’’ ଛି...ଛି...କି ଅନ୍ୟାୟ କଥା ଏ...ବୋଉ ! ଏଭଳି ଗୋଟିଏ ଝିଅ ପାଇ ମନରେ ତୋର ଦୟା ଆସୁନି ଟିକେ... ? ଦେଖିଲୁ କେଡ଼େ ଭଲ ଝିଅଟିଏ ଏ... I ଔଷଧ ଧରି ସେଇମିତି ଠିଆ ହୋଇରହିଚି... I ଏଇମିତି ଠିଆ ହୋଇ ରହିଥିଲା ମାସ ମାସ ଧରି ମୋ’ପାଇଁ ଗୋଟାଏ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହରାଉଥିବା ବେଳେ, ଏ ଝିଅଟିର ସହାୟତାରେ ଜୀବନ ଫେରିପାଇଲି ମୁଁ । ତା’ର ସେଇ ସେବା, ଆନ୍ତରିକତା ମୁଗ୍ଧ କଲା ମତେ । ଆରୋଗ୍ୟ ହେବାପରେ ବି ତାକୁ ଛାଡ଼ି ଦେଇ ମୁଁ ଏକାକୀ ଚଳିବା ସମ୍ଭବ ହେଲାନି ଆଉ ।

 

ଦିନେ ଭାବିଲି, ପ୍ରତିଦିନ ଏଇମିତି ଜଳିପୋଡ଼ି ମରିବା ଅପେକ୍ଷା ବିବାହ କରିଦେଲେ କ୍ଷତି କ’ଣ ହୁଅନ୍ତା... ? ତୋ କଥା ବି ମୋର ମନେପଡ଼ିଲା... I ବିଶ୍ୱାସ କର ବୋଉ । ଏ ଝିଅ ଆଦୌ ଡାହାଣୀ ନୁହେଁ... । ବରଂ ତାରି ଆଦର୍ଶରେ ଅଭିଭୂତ ହୋଇ ପୁଅ ତୋର ଡାହାଣା ପାଲଟିଗଲା । ତୋର ସେବା ଶୁଶ୍ରୂଷାରେ କିଛି ହେଲେ ଅଭାବ ହେବନି ବୋଉ । ଠିକ୍ ତୋରି ପୁଅ ଭଳି ସେ ବି ଗୋଟିଏ ଡାକ୍ତର । ମୋ’ଠାରୁ ତା’ର ଯୋଗ୍ୟତା ଆହୁରି ବେଶି । ତୋ’ର ମନଲାଖି ଗୋଟିଏ ବୋହୂ ନେଇ ତୋତେ ଅବାକ୍ କରାଇ ଦେବି ବୋଲି ଭାବିଥିଲି । କିନ୍ତୁ ବୋଉ ତୁ ମତେ ଅବାକ୍ କରାଇ ଦେଲୁ ।”

 

ଥାଉ । ଆହତ ଅଭିମାନରେ ମୁହଁ ଫେରାଇ ଆଣିଲି । ମୁଁ କି ଚପଳ ଶିଶୁ । ଆଦର୍ଶ ଶୁଣି ଶୁଣି ନିଜ ଉପରୁ ବିଶ୍ୱାସ ହରାଇବି ?

 

ପ୍ରତ୍ୟେକ ମଣିଷ ଏକ ହେଲେ ବି, ଧର୍ମର ତ ପୁଣି ଗୋଟାଏ ତଫାତ୍ ଅଛି । କାହାକୁ କିଛି ନ କହି ଦିଅଁ ଗଣ୍ଡାକ ଧରି ଉପର ଖଞ୍ଜାକୁ ଚାଲିଆସିଲି ।

 

ଅନ୍ତର ମନ୍ଥିତ କରି ବୋହି ଚାଲିଥାଏ, ଅନବରତ ବେଦନାର ଅଶ୍ରୁ । ଯାହାକୁ ସହାୟ କରି ମୁଁ ଏପର୍ଯ୍ୟନ୍ତ ବଞ୍ଚି ଆସିଥିଲି । ତାକୁଇ ପର କରିଦେଇ ନିଃସହାୟ ହୋଇଗଲି । ସେ ପରିବେଶ, ସେ ପୁଅବୋହୂ ମତେ ସମ୍ପୂର୍ଣ୍ଣ ଅପବିତ୍ର ମନେହେଲା । ସେଠାରେ ଆଉ ଦିଅଁଙ୍କର ସ୍ଥାନ କାଇଁ ? ନିଜର ପୁଅବୋହୂ ବୋଲି ନିଜର ଧର୍ମକୁ ତ ବୁଡ଼ାଇ ଦେବିନି ।

 

ପ୍ରତିଟି ଦିନ, ପ୍ରତିଟି ମୁହୂର୍ତ୍ତ, ଦୁଃଖ ଯନ୍ତ୍ରଣା ଆଉ ହତାଶା ଭିତରେ ଗତି କରୁଥାଏ । ବାହାର ଲୋକଙ୍କୁ ମୁହଁ ଦେଖାଇବା ପାଇଁ ଆଉ ମୁହଁ ନ ଥାଏ ମୋର । କିନ୍ତୁ କିଏ କୋଉ ବାଟରେ ଆସି କହି ଦେଇଯାଏ ମୋତେ, “ସକାଳେ ଆଉ ଦୀପୁବାବୁ ପରଟା ସନ୍ତୁଳା ଖାଉନାହାଁନ୍ତି । ଖାଉଛନ୍ତି, ଅଣ୍ଡା ଆଉ ପାଉଁରୁଟି” । ଆଉ କିଏ କୁହେ ଆସି, “ସାଆନ୍ତାଣୀ ! ଗାଆଁଟା ଯାକରେ ଆଉ ଗୋଟିଏ କୁକୁଡ଼ା ଅଛି ? ସବୁ ତମ ବୋହୂ ସାଆନ୍ତାଣୀଙ୍କ ପେଟରେ ।’’ ୟାକୁ ଶୁଣି ଦେଇ ଘୃଣାରେ ମୋ ନାସିକା କୁଞ୍ଚନ ହୋଇଉଠେ । କିନ୍ତୁ ଉପାୟ କ’ଣ ?

 

ଏଇ ଘରର ଆରପଟେ ଆନନ୍ଦର ହରିଲୁଟ୍ ଚାଲିଚି । ଏପଟେ ଚାଲିଚି ଦୁଃଖର କିଣା ବିକା । ଦୀପୁକୁ ସମ୍ବର୍ଦ୍ଧନା ଦେବା ପାଇଁ କେତେ ସଭା ସମିତି ଉତ୍ସବ, କୃତଜ୍ଞତା ଜ୍ଞାପନ । କିନ୍ତୁ ସ୍ଵାମୀଜୀ ! ମୁଁ ? ମୁଁ ?

 

ମୁଁ ସେଇ ବିଧବା ବ୍ରାହ୍ମଣୀ । ନିଃସ୍ୱା । ଗାଁର ଗୋଟାଏ ମର୍ଯ୍ୟାଦାବିହୀନ ବୃଦ୍ଧା । ଯାହା ଆକ୍ଷର ଅଶ୍ରୁରେ ମୂଲ୍ୟ ନାଇଁ । ଯାହାର ତ୍ୟାଗ ପାଇଁ କେହି ହୃଦୟ ଦେଇ ଅନୁଭବ କରିବାର ନୁହେଁ । ନିଜକୁ ଏକାଟିଆଭାବେ ବଞ୍ଚାଇ ରଖିବାର କି ମର୍ମ ବେଦନା ।

 

କେଉଁ ଦିନ, ଦିନ ଯାକରେ ଥରେ, କେଉଁ ଦିନ କିଛି ବି ନୁହେଁ । ନ ଖାଇ ନ ଖାଇ କ୍ଷୀଣରୁ କ୍ଷୀଣତର ହେଲି କ୍ରମେ । କିନ୍ତୁ କ’ଣ ତା’ର ମୂଲ୍ୟ... ? ସେଥିରେ ଶାନ୍ତି ତ ମିଳିଲାନି ବରଂ କ୍ଳାନ୍ତି ବଢ଼ି ଉଠିଲା ଅଧିକ... ।

 

ପୁଅବୋହୂ କିନ୍ତୁ ଦିନେ ହେଲେ ମତେ ଅବହେଳା କରନ୍ତି ନାଇଁ । ଦୀପୁ ମୋ ପାଖେ ବସି ବସି କୁହେ, ବୋଉ ! ଏ ଅପରାଧକୁ ମତେ କ୍ଷମା ନ ଦେଇ ଅଭିଶାପ ଦେଉଛୁ... । ଦୁଃଖରେ ମୋ ଅନ୍ତର ତରଳି ପଡ଼େ ପଛେ ମନକୁ ବଦଳାଇ ପାରେନା ଆଦୌ—।

 

ବୋହୂ ତା’ ଭାଷାରେ ନମ୍ରତାର ସହିତ କୁହେ, ଅଚ୍ଛୁତ୍‍କନ୍ୟା ବୋଲି ମୁଁ ତୁମକୁ ରାନ୍ଧିକରି ସିନା ଦେବିନି ଖାଇବାକୁ, କିନ୍ତୁ ଏ ଫଳ, ପିଜୁଳି... ସେଓ ...ବାନାନାରେ ତ କିଛି କ୍ଷତି ନାଇଁ... । ହିନ୍ଦୁ ଗ୍ରନ୍ଥରୁ ପଢ଼ିଛି ମୁଁ, ତମ ରାମଚନ୍ଦ୍ର ଜାତିହୀନ ଶବରୁଣୀଠାରୁ କୁଆଡ଼େ ଅଇଁଠା ଫଳ ଖାଉଥିଲେ... ।

 

ତା’ କଥା ଶୁଣି ମୋ ବେଦନାକ୍ତ ଅଧର ପ୍ରାନ୍ତରେ ଧାରେ ହସ ଲୋଟିଯାଏ... । କିନ୍ତୁ ହାତ ବଢ଼ାଇ ତା’ ହାତରୁ ଫଳର ପ୍ଲେଟ୍ ନେଇ ଆସିପାରେନି । କିଏ ଯେମିତି ମତେ ବାରଣ କରେ, ଏ ମିଠା କଥାରେ ଭୁଲିଯାଆନା–ଆମ ଦେଶର ଶବର ସଙ୍ଗେ କ’ଣ ସେମାନେ ତୁଳନାର ଯୋଗ୍ୟ... ?

 

କିଛି ଦିନର ବ୍ୟବଧାନ ପରେ, ଦୁଆରେ ଆସି ଥୁଆ ହୁଏ ଗୋଟିଏ ଗାଡ଼ି... । ଏବଂ ସେଇ ଗାଡ଼ିରେ ପୁଅବୋହୂ ମିଶି ଡାକ୍ତରଖାନା ଯାଆନ୍ତି... । ଉଭୟ ଡାକ୍ତର... । ଚାକିରି କରିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଆଜି କାଲିତ ଘରଛାଡ଼ି ବାହାରେ ଚାକିରି କରିବାରେ ଅଧିକ ଗୌରବ ।

 

ମୁଁ ଆଡ଼େଇ ହୋଇ ରହିଗଲି ସେମିତି ।

 

ବର୍ଷକର ବ୍ୟବଧାନ ପରେ, ଗୋଟାଏ ଶାନ୍ତ ଅପରାହ୍ନରେ ଘରକୁ ସୁନ୍ଦର କରି ଜନ୍ମ ନେଲା ଏକ ପୁତ୍ର ସନ୍ତାନ । ସ୍ୱାମୀଜୀ ! ସେ’ଦିନ ମୋର କି ସୁଖର ଦିନ ।

 

ଇତଃସ୍ତତଃ ହୋଇଉଠିଲେ ସ୍ୱାମୀଜୀ । ସନ୍ନ୍ୟାସୀ ହେଲେ ବି, ସଂସାରର ଆନନ୍ଦକୁ ଉପଲବ୍ଧି କରିବା ପାଇଁ କ’ଣ ସେମାନେ ଅକ୍ଷମ... ? ଆନନ୍ଦରେ ଉଜ୍ଜ୍ଵଳି ଉଠିଲା ସ୍ୱାମୀଜୀଙ୍କ ସୌମ୍ୟ ବଦନ... ।

 

କିନ୍ତୁ ସ୍ୱାମୀଜୀ ! ମୋର ଦୁଇ ଆଖିରୁ ବୋହି ଚାଲୁଥାଏ ଶ୍ରାବଣର ଧାରା... ।

 

ଏଥର, ଆଶ୍ଚର୍ଯ୍ୟର ସୀମା ଟପିଲେ ସ୍ୱାମୀଜୀ । “ତମେ କ’ଣ ସତରେ ଅଦ୍ଭୁତ ମା’... ? ଏତେ ଆନନ୍ଦ ଭିତରେ ଆଖିରେ ତମର ଅଶ୍ରୁ... ? କାହିଁକି... ?’’

 

—ମୁଁ ତ ତାଙ୍କୁ ସ୍ପର୍ଶ କରି ପାରିବିନି... ।

 

ସ୍ୱାମୀଜୀଙ୍କ ମନ, ଦୁଃଖରେ ଭାରାକ୍ରାନ୍ତ ହୋଇଉଠିଲା । କିଛି କହି ନ ପାରି ନୀରବ-ବିସ୍ମୟରେ ଚାହିଁ ରହିଲେ କେବଳ...

 

କିଛିଦିନ ପରେ, ବୋହୂ ଡାକ୍ତରଖାନା ଯିବା ପାଇଁ ନାତିର ଦାୟିତ୍ୱ ନେବାକୁ ମତେ ଅନୁରୋଧ କଲା ଦୀପୁ... ! ମୁଁ ତାକୁ ଛୁଇଁବି ନାଇଁ ବୋଲି ଦୀପୁକୁତ ମୁହଁ ଖୋଲି କୁହାଯାଇପାରେନା— । ଏ କଥା ତ ଆଉ ସମ୍ଭବ ନୁହେଁ । ମୁଁ ତାକୁ ବୁଝାଇବା ଢଙ୍ଗରେ କହିଲି; ଦେଖ ବାପା । ମୁଁ ତ ବୁଢ଼ୀ ହେଲିଣି...ପିଲାକୁ ସମ୍ଭାଳି ପାରିବାର ଶକ୍ତି କାଇଁ ଆଉ... ?

 

ମୋ ଅଭିମାନକୁ ଭ୍ରୂକ୍ଷେପ ନ କରି ଘରକୁ ଆଣିଲେ ଆୟା... । ସେବା ଶ୍ରୁଶ୍ରୂଷାରେ ହେଳା ନାଇଁ । ପିଲାକୁ ଆଦର ଯତ୍ନରେ ବି ଅଭାବ ନାଇଁ । ମାତ୍ର ତା’ର ଗୋଟିଏ ବଦ୍‍ଗୁଣ ଥାଏ, ଦ୍ଵିପ୍ରହରେ ଘଣ୍ଟାଏ ଦେଢ଼ ଘଣ୍ଟା ପାଇଁ ଯାଏ ସେ ତା’ର ସ୍ୱାମୀ ପାଖକୁ... । ମନା କରିବାର ଉପାୟ ନାଇଁ ମୋର । ସ୍ୱାମୀ ତା’ର ପକ୍ଷାଘାତ ରୋଗୀ । ସେଇ ସମୟରେ ହିଁ ସେ ଖାଏ... । ତା’ର ଅନୁପସ୍ଥିତିରେ ସେଇ ଘଣ୍ଟାଏ ଦେଢ଼ଘଣ୍ଟା ମତେ ପିଲାର ଦାୟିତ୍ୱ ବହନ କରିବାକୁ ପଡ଼େ... । ମାତ୍ର କେବେ ହେଲେ ଥରେ ତାକୁ ଧରି ପକାଇବା ପାଇଁ ଦରକାର ପଡ଼େନି । ସେ ଶୋଇଥିବା ଅବସ୍ଥାରେ ଯାଇ, ପୁଣି ଫେରି ଆସେ ସେଇ ଶୋଇବା ଅବସ୍ଥାରେ । ମାତ୍ର ଗୋଟାଏ ଦିନ...

 

ଚମକି ପଡ଼ିଲେ ସ୍ୱାମୀଜୀ ! “କ’ଣ ହେଲା ମା’... ?’’

 

ଶୁଖିଲା ମୁହଁଟା ଉପରେ ଅହଲ୍ୟାଙ୍କ ଅଭ୍ୟସ୍ତ ହାତଟା ପହଁରି ଯାଇ ଅଟକି ଗଲା...ଘନ ଘନ ନିଶ୍ୱାସ ବାହାରି ଆସିଲା...ମନର ଦୋଳନ କ୍ଷିପ୍ର ହୋଇଉଠିଲା । ନାଁ— ଆଉ ଗୋପନ କରିବା ସମ୍ଭବ ନୁହେଁ । ପ୍ରକୃତିସ୍ଥ ହୋଇ ଅହଲ୍ୟା କହିଲେ, ଦିନେ ତାରି ନିଦ ଭାଙ୍ଗିଗଲା... । କାନ୍ଦି କାନ୍ଦି ଅଥୟ ହେଉଥାଏ ସେ । କେତେବାର ମୋ ଶିଥିଳ ହାତ ଦୁଇଟି ପ୍ରସରି ଯାଇଚି ତାକୁ ଧରିନେବା ପାଇଁ...ମାତ୍ର ପାରୁନଥାଏ ମୁଁ...ଫେରି ଆସୁଥାଏ ହାତ ଦୁଇଟି ତା’ର ଯଥା ସ୍ଥାନକୁ... । ବହୁ ଚେଷ୍ଟା କରି ବି ତାକୁ ସ୍ପର୍ଶ କରିପାରିଲିନି... । ମନରେ କି ଦୁଃଖ... । ନୈରାଶ୍ୟରେ ଭାଙ୍ଗି ପଡ଼ି ଭାବୁଥାଏ, ଈଶ୍ୱର ମତେ ଏ ଦୁଃଖ ଦେଲେ କାହିଁକି... ? ନିଜ ଜାତିର ଯଦି ବୋହୂଟିଏ ଆଣିଥାଆନ୍ତା ଦୀପୁ, ତେବେ କ’ଣ ଏଭଳି ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି ମୁଁ... ? ଦୁଇ ହାତକୁ ସଜୋରେ ମୁଣ୍ଡରେ ପିଟି ଦେଇ ଆଖି ଦୁଇଟା ବୁଜି ଦେଲାବେଳେ, ଗୁରୁଣ୍ଡି ଗୁରୁଣ୍ଡି ଲେଉଟି ପଡ଼ିଲା ସେ ଖଟ ତଳକୁ... । ଠିକ୍ ସେଇ ଅବସରରେ ବଡ଼ ଆଶ୍ଚର୍ଯ୍ୟ ଭାବେ ଆସି ପହଞ୍ଚିଲା ଦୀପୁ । ପଛେ ପଛେ ତା’ର ଆୟା ବି... ।

 

ଆଶ୍ଚର୍ଯ୍ୟ ଆଖିରେ ମତେ ଚାହିଁ ରହିଚି ଦୀପୁ... ।

 

ଅଭିଯୁକ୍ତ ଆସାମୀ ପରି ସେ ଘରୁ ବାହାରି ଆସିବା ଛଡ଼ା ଅନ୍ୟ ଉପାୟ ମୋର ନ ଥିଲା... । ଧରା ପଡ଼ିଯିବା ଭୟରେ ମୁଁ ସେଠାରୁ ଚାଲି ଆସିଲି ସିନା, କିନ୍ତୁ ଯାହା ଶୁଣିବାକୁ ପାଇଲି, ସେଇ ମୁହୂର୍ତ୍ତରେ ଜୀବନ ହରାଇ ଦେବାକୁ ମନ ହେଉଥାଏ...

 

ଘୃଣିତ କଣ୍ଠରେ ଦୀପୁ କହୁଥାଏ, ଏଇଠି ଠିଆ ହୋଇରହିଚି, ଅଥଚ ପିଲାଟା ପଡ଼ିଗଲା ପଛେ ଟିକିଏ ଧରି ପକାଇଲା ନାଇଁ ।

 

ଆୟା କହୁଥାଏ, ସେ’ତ ପୁପୁନ୍‍ ବାବୁଙ୍କୁ ଆଦୌ ଛୁଇଁ ବି ଦିଅନ୍ତି ନାଇଁ । ଦିନେ ସେ ଖାଇ ବସିଥିବା ବେଳେ ପୁପୁନ୍‍ବାବୁ ଗୁରୁଣ୍ଡି ଯାଇ ତାଙ୍କୁ ଛୁଇଁଦେଲେ ଯେ, ସଙ୍ଗେ ସଙ୍ଗେ ବଡ଼ମାଆ (ମୁଁ) ଉଠି ପଡ଼ିଲେ । କେତେଥର ଯାଇ ଗଧୋଇଲେ...ଗଙ୍ଗା ପାଣିରେ ମୁଣ୍ଡ ଧୋଇଲେ...ଘର ସାରା ତାଙ୍କର ଗଙ୍ଗା ପାଣି ଛିଞ୍ଚିଲେ...

 

—ଥାଉଥାଉ ତୁ ତୁନି ହୁଅ...ସେ ଯଦି ଆମକୁ ଏଭଳି ଅସ୍ପୃଶ୍ୟ ବୋଲି ଭାବୁଥାଏ, ତେବେ ସେ ଆମ ପାଖେ ରହୁଚି କାହିଁକି... ? ଦିନେ ହୁଏତ ଆମେ ତାକୁ ଛାଡ଼ିବା ପାଇଁ ବାଧ୍ୟ ହେବୁ... । ନଚେତ୍ ସେ ଆମକୁ... । (ଆୟା ପ୍ରତି ଦୀପୁର ଏ ଅଭିମାନ ସ୍ଵର...)

 

ମତେ କିନ୍ତୁ ଦୀପୁର ସେ କଥା ପଦକ ଭାରି ବାଧିଲା ସ୍ଵାମୀଜୀ... । ସବୁ ତାରି ଅନ୍ୟାୟକୁ ସହି ଯାଇଥିଲି... । କିନ୍ତୁ ୟା’କୁ ପାରିଲିନି... । ସେଇ ମୁହୂର୍ତ୍ତରେ ମନସ୍ଥ କରିନେଲି ଘରଛାଡ଼ିବା ପାଇଁ । କିନ୍ତୁ ସ୍ଵାମୀଜୀ ! ସେ କ’ଣ ଏତେ ସହଜ କଥା... ? କୁଆଡ଼େ ଯିବି...କିପରି ଚଳିବି ଏଇକଥା ଭାବି ଭାବି ଦିନେ ମୋ ଅନ୍ତରଙ୍ଗ ବାନ୍ଧବୀ ସୌମିତ୍ରୀକୁ ଏ ଦୁଃଖ ଜଣାଇଲି...। ମୋ ଦୁଃଖ ଶୁଣି ସୌମିତ୍ରୀ ଲୋତକ ଝରିଲା ସିନା, ପୁଅ ତା’ର ବତାଇ ଦେଲା ଆପଣଙ୍କ ଠିକଣା...ଆଶ୍ଵାସନା କଣ୍ଠରେ କହିଲା, ମାଉସୀ ! ଆପଣ ଚାଲିଯାଆନ୍ତୁ ଏ ଆଶ୍ରମକୁ । ନିଅନ୍ତୁ ଏ ଖବରକାଗଜ ଖଣ୍ଡିକ ଏଥିରେ ଆଶ୍ରମର ସମସ୍ତ ବିବରଣୀ ପ୍ରକାଶ ପାଇଚି...। (ଏବେ ବି ମୋ ଟିଣ ସୁଟୁକେଶ୍‍ ଭିତରେ ସେ ଖବରକାଗଜ ଖଣ୍ଡିକ ସାଇତା ହୋଇ ଥୁଆ ହୋଇଚି) ଏଠି ରହିବାକୁ ହେଲେ ନିଜର ହାତରୁ ଖର୍ଚ୍ଚ ବହନ କରିବାକୁ ପଡ଼େନା କେବଳ ସ୍ଵାମୀ ସଦାନନ୍ଦଜୀଙ୍କ ପାଖେ ନିଜକୁ ଭକ୍ତଭାବେ ଉତ୍ସର୍ଗ କରିଦେଲେ, ସ୍ଵାମୀଜୀ ଭକ୍ତର ସମସ୍ତ ଖର୍ଚ୍ଚ ବହନ କରନ୍ତି... ।

 

ଏ ବକ୍ତବ୍ୟ ଶୁଣି, ସ୍ଵାମୀଜୀ ପ୍ରୀତ ହୋଇଉଠିଲେ । ମୋର କିଛି ପୁଞ୍ଜି ନାଇଁ ମା’... । ଏଇ ଭକ୍ତମାନଙ୍କର ସାହାଯ୍ୟରେ ଆଶ୍ରମଟି ଚଳେ... । ତାଙ୍କରିମାନଙ୍କ ସୁକର୍ମରେ ମୁଁ ବଞ୍ଚିପାରିଚି ମା...

 

—ଖାଲି ବଞ୍ଚି ନାହାନ୍ତି ସ୍ଵାମୀଜୀ ! ଆମମାନଙ୍କୁ ବଞ୍ଚାଇ ପାରିଛନ୍ତି । ଏ ତପୋବନର ମାୟା କ’ଣ କମ୍... ? ଦେଖୁନାହାନ୍ତି ଜୀବନର ସର୍ବସ୍ଵ ମମତା ତୁଟାଇ କେମିତି ଅଟକି ଯାଇଚି ଏଠି... ।

 

ମୁଁ ଅନେକ ଦିନୁ ଖୋଜୁଥିଲି, ଏଇମିତି ଏକ ଶାନ୍ତସୁନ୍ଦର ପରିବେଶ... । ଆଉ ଖୋଜୁଥିଲି ମଧ୍ୟ ଠିକ୍ ଆପଣଙ୍କଭଳି ଜଣେ ସନ୍ନ୍ୟାସୀଙ୍କୁ... । ଯାହାର ହୃଦୟ ଠିକ୍ ଆପଣଙ୍କଭଳି ମହତ୍‍ ହୋଇଥିବ... । ଯେଉଁଠାରେ କି ପ୍ରତି ରନ୍ଦ୍ରେ ରନ୍ଦ୍ରେ ଭରି ରହିଥିବ ପବିତ୍ରତା । ସ୍ଵାମୀଜୀ ! ୟାକୁ ପାଇବା ପାଇଁ ମୋର କ’ଣ କମ୍ ପ୍ରୟାସ ? ବିଶ୍ୱାସ କରନ୍ତୁ ମୁଁ ଦାଣ୍ଡ ଦୁଆରୁ ଗୋଡ଼ ବାହାର କରେନି । କିନ୍ତୁ କି ଆଶ୍ଚର୍ଯ୍ୟ ଶକ୍ତି ବଳରେ ମୁଁ ଏକାକୀ ପବିତ୍ରଭୂଇଁ ବୃନ୍ଦାବନରେ ପାଦ ଦେଇ ପାରିଲି । ଈଶ୍ୱର ମୋ ଡାକ ଶୁଣିଛନ୍ତି ସ୍ଵାମୀଜୀ । ସେ ଅସ୍ପୃଶ୍ୟ ପରିବେଶରୁ ମୁକୁଳି ଆସି ଶାନ୍ତିରେ ନିଃଶ୍ୱାସ ମାରୁଛି ଏଠି । ଏଭଳି ଦୋଷରେ କ’ଣ ପୁଅକୁ କ୍ଷମା ଦିଆଯାଇପାରେ ?

 

ଏ କ’ଣ ? ସ୍ୱାମୀଜୀଙ୍କର ଆଖିରେ ଯେ ଅଶ୍ରୁ । ଇତଃସ୍ତତଃ ହୋଇଉଠିଲେ ଅହଲ୍ୟା, ନିଜର ଅଜଣାରେ କେତେବେଳେ ଦରଦୀ କଣ୍ଠରୁ ବାହାରି ଆସିଲା, ଛିଃ ଆପଣ କାନ୍ଦୁଛନ୍ତି ସ୍ଵାମୀଜୀ-? ଏ ଦୁଃଖିନୀର ଦୁଃଖ ଶୁଣି ଆପଣଙ୍କ ଆଖିରେ ଅଶ୍ରୁ ? ମୋର ସକଳ ଦୁଃଖକୁ ଫିଙ୍ଗି ଦେଇ ଆପଣଙ୍କ ଚରଣ ତଳେ ଆଶ୍ରୟ ନେଇ ନିଜକୁ ବଡ଼ ପବିତ୍ର ମନେକରୁଛି ମୁଁ ।

 

—କିନ୍ତୁ ମା’ ! ଯେଉଁ ଚରଣ ଦୁଇଟି ତଳେ ଆଶ୍ରୟ ନେଇ ନିଜକୁ ପବିତ୍ର ମନେକରୁଚ, ସେଇ ଚରଣ ଦୁଇଟି ଯେ ଅପବିତ୍ର ।

 

—ସ୍ଵାମୀଜୀ ! ଏ କ’ଣ କହୁଛନ୍ତି ଆପଣ ? (ଯେମିତି ଆକାଶରୁ ପଡ଼ିଲେ ଅହଲ୍ୟା ।)

 

—ସତ କହୁଚି ମା’ । ନିରାଟ ସତ୍ୟ ଏ ।

 

ମତେ ମନେହେଉଚି ପରିହାସ କରୁଛନ୍ତି ଆପଣ । ପରୀକ୍ଷା କରୁଛନ୍ତି ଏ ନିଃସହାୟ ବୃଦ୍ଧାକୁ ।

 

—ବିଶ୍ୱାସ କରନ୍ତୁ ମା’, ଏ ପରିହାସ ନୁହେଁ କି ପରୀକ୍ଷା ବି ନୁହେଁ । ମନୁଷ୍ୟ ଜୀବନର ଏଇ ନିରାଟ ସତ୍ୟ ଘଟଣା । ଏ ଆଶ୍ଚର୍ଯ୍ୟ ପୃଥିବୀରେ କିଛି ଅସମ୍ଭବ ଅଛି ମା’ ?

 

—ମୁଁ ମୋଟେଇ ବିଶ୍ଵାସ କରିପାରୁନି ସ୍ୱାମୀଜୀ, ଦୟାକରି ମୋତେ ଚରମ ବିସ୍ମୟରେ ଉପନୀତ କରାନ୍ତୁ ନାହିଁ ।

 

—ହୁଏତ ମା’ ସମସ୍ତଙ୍କ ପାଇଁ ଏହା ଚରମ ବିସ୍ମୟ । କିନ୍ତୁ ଏହାର ସତ୍ୟତା ଉପରେ କ’ଣ ଅବିଶ୍ଵାସ କରାଯାଏ ? ଏହା ତ ମୋର ଅଙ୍ଗେ ନିଭାଇବା ଘଟଣା ।

 

—ସ୍ଵାମୀଜୀ ।

 

—ବିସ୍ମିତ ହୁଅନ୍ତୁ ନାହିଁ ମା’, ...ଯଦିଓ ମୁଁ ସନ୍ୟାସୀ...ଏବଂ ସନ୍ୟାସୀମାନଙ୍କ ପକ୍ଷରେ ପୂର୍ବାଶ୍ରମର ଇତିହାସ ଅନ୍ୟ ଆଗରେ ବୟାନ କରିବା ଅନୁଚିତ୍ ତଥାପି...ତଥାପି ଆପଣଙ୍କ ଆଗରେ ମୁଁ ସତ୍ୟକୁ ଉନ୍ମୋଚନ କରିବାରେ ତିଳେ ହେଲେ କୁଣ୍ଠାବୋଧ କରୁନି... । ମୋ ବ୍ୟକ୍ତିତ୍ଵ ଉପରେ ଆଞ୍ଚ ଆସୁ ପଛେ ମୁଁ ମୋ ଧର୍ମକୁ ଅବଜ୍ଞା କରେ ପଛେ, ତଥାପି ସବୁ ବାରଣକୁ ଉପେକ୍ଷା କରି କହିବା ପାଇଁ ବାଧ୍ୟ ହେଉଚି, କେବଳ ମନୁଷ୍ୟ ମନର ଅନ୍ଧବିଶ୍ୱାସକୁ ପୋଛି ଦେବା ପାଇଁ... । ପ୍ରତ୍ୟେକ ମନୁଷ୍ୟ ସମାନ ମା...ଛୁଆଁ ଅଛୁଆଁ କେବଳ ମନର ବିକାର...ଅନ୍ଧବିଶ୍ଵାସର କାରଣ... । କୁହନ୍ତୁ ମା’...କଥା ଦିଅନ୍ତୁ ମତେ, ମୁଁ ମୋର ପ୍ରକୃତ ପରିଚୟ ଦେଲେ ଭୁଲ ବୁଝିବେ ନାଇଁ ତ ମୋତେ... ? ଆପଣଙ୍କ ପୁଅପରି ଦୂରେଇ ଦେବେ ନାଇଁ ତ ମତେ... ? କରିବେ ନାଇଁ ତ ଘୃଣା ?

 

ସ୍ଵାମୀଜୀଙ୍କ କଥା କରୁଣ ଜଣାପଡ଼ିଲା ଅହଲ୍ୟାଙ୍କୁ । ତଥାପି ମନକୁ ସେ ବୁଝାଇ ନ ପାରି କହିଲେ, ଯାହାହେଲେ ବି ସ୍ଵାମୀଜୀ ଆପଣ ତ ଅଚ୍ଛୁତ୍ ହୋଇନଥିବେ ।

 

ମୁଁ ହରିଜନ୍ ମା ।

 

—ହରିଜନ ! ନିଜ ଅଜଣାରେ ଦି’ ପାହୁଣ୍ଡ ପଛକୁ ଘୁଞ୍ଚି ଗଲେ ଅହଲ୍ୟା... । ଏ ଚଳନ୍ତି ପୃଥିବୀଠାରୁ ସେ ଯେମିତି ଦୂରେଇ ଯାଉଛନ୍ତି... । କେତେ ଆଗ୍ରହରେ କେତେ କଷ୍ଟ ସହି ସେ ଆସିଥିଲେ ଏଠିକୁ କେବଳ ଏଇ ଅସ୍ପୃଶ୍ୟତାରୁ ରକ୍ଷା ପାଇବେ ବୋଲି । କିନ୍ତୁ ଈଶ୍ଵର ତାଙ୍କୁ ସେଇଥିରେ ଦୁଃଖ ଦେଇ ଚାଲିଛନ୍ତି ଅନବରତ । ଯାହାଙ୍କୁ ସେ ଦେବତା ଭଳି ପୂଜା କରି ଆସୁଥିଲେ, ନିଇତି ଭୂମିଷ୍ଠ ପ୍ରଣାମ ଜଣାଇ ଉଚ୍ଛିଷ୍ଟ ସେବା କରୁଥିଲେ, ସେଇ ସ୍ଵାମୀଜୀ ହରିଜନ ? ଆଉ ଭାବି ପାରିଲେ ନାହିଁ ଅହଲ୍ୟା... । ମନ ଭିତରେ ଅବଚେତନାର ଅସଂଖ୍ୟ ବୁଦ୍ ବୁଦ୍ ।

 

ସ୍ତମ୍ଭୀଭୂତ ହୋଇ ସ୍ୱାମୀଜୀଙ୍କ ଆଗତ ବକ୍ତବ୍ୟକୁ ଅପେକ୍ଷା କରି ରହିଲେ ଅହଲ୍ୟା...

 

—ବିଶ୍ଵାସ ହେଉନି ମା’... ?

 

—କେମିତି ବିଶ୍ଵାସ କରିବି କୁହନ୍ତୁ ସ୍ୱାମୀଜୀ... ? ସତରେ କ’ଣ ଏହା ବିଶ୍ଵାସରଯୋଗ୍ୟ... ? ଆପଣଙ୍କ ପାଟିରୁ ଏହା ଶୁଣି ବି ଶୁଣିପାରୁନି ମୁଁ । ହଠାତ୍ ଅସ୍ଵାଭାବିକଭାବେ ଗମ୍ଭୀର ହୋଇଉଠିଲେ ଅହଲ୍ୟା...ବୋଧହୁଏ ସ୍ୱାମୀଜୀଙ୍କ ଏ ଉକ୍ତିକୁ ସେ ସନ୍ଦେହ କରୁଛନ୍ତି ନିଶ୍ଚୟ ।

 

ଅହଲ୍ୟାଙ୍କର ଏ ଭାବ, ଏ ମୌନତା ସ୍ୱାମୀଜୀଙ୍କୁ ଅଛପା ରହିଲାନି... । ବହୁ ଚିନ୍ତାକରି ସ୍ୱାମୀଜୀ ସ୍ଥିରକଲେ, ନାଁ ଏହାକୁ ଲୁଚାଇ ରଖି, ଅନ୍ଧବିଶ୍ଵାସକୁ ହତ୍ୟା କରାଯାଇପାରେନା, କରନ୍ତୁ ପଛେ ଅହଲ୍ୟା ଘୃଣା...ସ୍ୱାମୀଜୀ ବୋଲି ନ ମାନନ୍ତୁ ପଛେ ତଥାପି ସେ ସତ୍ୟଟାକୁ ଉନ୍ମୋଚନ କରିବେ, ଛୁଆଁ ଅଛୁଆଁର ଭେଦଭାବକୁ ମନୁଷ୍ୟ ମନରୁ ଘୁଞ୍ଚାଇବେ । ଆଉ ଏଇ ଅହଲ୍ୟାଙ୍କ ଭଳି ଯେଉଁ ନାରୀ, ଛୁଆଁ ଅଛୁଆଁ ଉପରେ ଜୋର ଦେଇ, ନିଜର ପୁଅ, ବୋହୂ, ନାତିକୁ ପର କରିଦେଇ, ଜଣେ ଅଜଣା ଅଶୁଣା ବ୍ୟକ୍ତିର ପରିବେଶକୁ ନିଜର କରି ପବିତ୍ର ମନେକରୁଛି, ସେଇଭଳି ଏକ ନାରୀର ମନରୁ ଯଦି ସେ ପୋଛି ଦେଇପାରିବେ ଏ ଅନ୍ଧବିଶ୍ଵାସକୁ ତେବେ, ସେ ବୋଧେ ଜୀବନର ସମସ୍ତ ସାଧନାର ସିଦ୍ଧି ଲାଭ କରିବେ... । ହୁଏତ ଏହା ତାଙ୍କ ଜୀବନର ସର୍ବଶ୍ରେଷ୍ଠ କୃତି ହୋଇପାରେ । ଅତୀତକୁ ଲୁଚାଇ ରଖିବାରେ କିନ୍ତୁ ଆନନ୍ଦ ନାଇଁ ।

 

—ମା’ ! ଦିନେ ମୋ ଉପରେ ସମସ୍ତ ବିଶ୍ଵାସ ଢାଳିଦେଇ ନିଜକୁ ବଞ୍ଚାଇ ରଖିଥିଲେ...-। ସେଇ ବିଶ୍ଵାସର ମନୁଷ୍ୟ ଆଜି କ’ଣ କେବେ ଅବିଶ୍ଵାସର କାହାଣୀ ଶୁଣାଇପାରେ...-? ମୁଁ ଏଇଲେ ଆପଣଙ୍କ ଆଖିରେ ଜଣେ ସନ୍ନ୍ୟାସୀ ହୋଇପାରେ, କିନ୍ତୁ ମା’ ! ମୁଁ କାହିଁକି ସନ୍ନ୍ୟାସୀ ହେଲି, ସେ କଥା ଯଦି ଶୁଣିବେ, ତେବେ କ’ଣ ଅବିଶ୍ୱାସ କରିବେ ? ଆପଣ ପଛେ ଅବିଶ୍ୱାସ କରନ୍ତୁ, କିନ୍ତୁ ଶୁଣିବା ପାଇଁ ଉତ୍ସାହର ଇଙ୍ଗିତ ଦେଲେ ମୁଁ ସୁଖୀ ହେବି ମା...

 

ଅହଲ୍ୟା ନିରେଖି ଚାହିଁଲେ ସ୍ୱାମୀଜୀଙ୍କୁ । ଆଃ ! କି ସୁନ୍ଦର ପ୍ରଶସ୍ତ ଲଲାଟ...ତୀକ୍ଷ୍ଣ ନାସିକା...ଗୌର କାନ୍ତି ଦୀର୍ଘାଙ୍ଗ ବପୁ ବିଶିଷ୍ଟ ଅତି ଆକର୍ଷଣୀୟ ଚେହେରା । କି ନରମ ଏ କଥା...ସତେ ଯେମିତି ଅମୃତ ଝରୁଛି... । ଇଏ କ’ଣ କେବେ ହେଲେ ହରିଜନ ହୋଇପାରନ୍ତି ? କେବଳ ମୋ ମନକୁ ଭୁଲାଇବା ପାଇଁ ହୁଏତ ଏ କଳ୍ପନାର କାହାଣୀ ସୃଷ୍ଟି କରୁଛନ୍ତି..., କିନ୍ତୁ ସତରେ କ’ଣ ମୁଁ ଭୁଲିଯିବି... ?

 

ନିଜ ଉପରେ ଗଭୀର ବିଶ୍ଵାସ ରଖି ଅହଲ୍ୟା କହିଲେ, ଶୁଣିବା ପାଇଁ ମୋର କୌଣସି ଆପତ୍ତି ନାଇଁ ସ୍ୱାମୀଜୀ...କିନ୍ତୁ ଏ କାହାଣୀ ଶୁଣାଇ ମତେ କ’ଣ ବଦଳାଇ ଦେଇପାରିବେ... ? ଜୀବନର ସମସ୍ତ ପବିତ୍ରତାକୁ ବୁଡ଼ାଇ ଦେଇପାରିବେ ଅସ୍ପୃଶ୍ୟତାରେ... ?

 

—ଆପଣ ନିଜେ ହିଁ ବୁଡ଼ିଯିବେ ମା’... । କାହାକୁ ଏପର୍ଯ୍ୟନ୍ତ କହିନାହିଁ... । ଜଣ ଜଣଙ୍କୁ ପରୀକ୍ଷା କରି ଦେଖିଛି, ସମସ୍ତେ ଏକ ଅନ୍ଧ ବିଶ୍ଵାସରେ ହିଁ ଜଡ଼ିତ । କେହି କେବେ ଅଚ୍ଛୁତ୍ ଲୋକକୁ ସ୍ପର୍ଶ କରିବା ପାଇଁ ମନ ବଳାଇନାଇଁ କି ତା’ର ହୃଦୟ ଚିହ୍ନିବାପାଇଁ କେହି କେବେ ବ୍ୟାକୁଳ ହୋଇଉଠିନି... । ମଣିଷ ହୋଇ ମଣିଷଠାରୁ ଦୂରେଇ ରହିବା କେତେଦୂର ହୃଦୟବିଦାରକ ତା’ କ’ଣ କେବେ ଅନୁଭବ କରିଛନ୍ତି ମା’... ?

 

ଅହଲ୍ୟାଙ୍କ, ଅବଗୁଣ୍ଠନ ବିହୀନ ନିସ୍ତେଜ ମସ୍ତିଷ୍କ ଦୋହଲି ଯାଇ ‘ନାଇଁ’ର ସୂଚନା ଦେଲା...

 

ଝର ଝର ହୋଇ ଝରିପଡ଼ିଲା ସ୍ୱାମୀଜୀଙ୍କ ଚକ୍ଷୁରୁ ଅଶ୍ରୁ... । କାହାରି ଏ ଅନୁଭୂତି ନାଇଁ ମା’... । ଅଛି କେବଳ ମୋର ସେ କେତେଦୂର ମର୍ମନ୍ତୁଦ ଆପଣ ବିଚାର କରନ୍ତୁ ମା’...

 

...ମେଦିନ୍‍ପୁରର ହରିଜନ ବସ୍ତିରେ ମୋର ଘର । କିନ୍ତୁ ପିଲାଟି ଦିନରୁ ଅନ୍ୟ ଲୋକର ତତ୍ତ୍ଵାବଧାନରେ କଲିକତାରେ ମୁଁ ଉଚ୍ଚ ଶିକ୍ଷାପାଏ । ପରେ ପରେ ଈଶ୍ୱରଙ୍କ କୃପାରୁ ମୁଁ ହୁଏ ପଦସ୍ଥ ଅଫିସର । ଘରଦ୍ଵାର ଜାତି କୁଟୁମ୍ବଙ୍କ ସହିତ ମୋର ସମ୍ପର୍କ ନ ଥାଏ କହିଲେ ଚଳେ, କିନ୍ତୁ ମାଆର ମୃତ୍ୟୁ ଖବର ପାଇ ଚୁପ୍ ରହିଯିବାତ ସମ୍ଭବ ନୁହେଁ । ଆସେ, ମାଆର ଶୁଦ୍ଧକ୍ରିୟା କରିବା ପାଇଁ ମେଦିନ୍‍ପୁର । ମେଦିନ୍‍ପୁରର ସମାଜ ପାଖରେ ମୁଁ ଏକବାରେ ଅପରିଚିତ... । କିନ୍ତୁ ସେମାନେ ମୋର ଉପସ୍ଥିତିରେ ମତେ ଚିହ୍ନି ଯାଇଥାଆନ୍ତି ସମସ୍ତେ... । ଦିନେ ଗୋଟାଏ ଉତ୍ତପ୍ତ ମଧ୍ୟାହ୍ନରେ ମୁଁ କୌଣସି କାମ ସାରି ସାଇ ଭିତର ଦେଇ ଫେରୁଥାଏ, ଏତିକିବେଳେ ଜଣେ ସନ୍ନ୍ୟାସୀ ମୋର ସମ୍ମୁଖସ୍ଥ ହୋଇ ମୋ’ଠାରୁ କିଛି ଭିକ୍ଷା ଚାହିଁଲେ । ବୈଶାଖର ଖରା...ସେଥିରେ ପୁଣି ମଧ୍ୟାହ୍ନ...ପକେଟରୁ କିଛି ଟଙ୍କା ଦେଇ ଆପ୍ୟାୟିତ କରିବାପାଇଁ ମନ ବଳିଲା ନାଇଁ । ଅନୁରୋଧ କଲି ଘରକୁ ଆସି କିଛି ଜଳଯୋଗ କରି ଯିବାପାଇଁ । ସନ୍ନ୍ୟାସୀ ଆନନ୍ଦରେ ବିହ୍ଵଳିତ ହୋଇ ଯିବାପାଇଁ ସମ୍ମତି ଦେଉ ଦେଉ ହସି ଉଠିଲେ ଜନତା— । କିଏ ଓଦା ଗାମୁଛା କାନ୍ଧରେ ପକାଇ ଦଉଡ଼ି ଆସିଲା ପିଣ୍ଡା ଉପରୁ... । ଘର ଭିତରୁ କିଏ ଦଉଡ଼ି ଆସିଲା ପଖାଳ କଂସା ଛାଡ଼ି...ଆଉ କେତେଜଣ ଟେରିଲିନ୍ ପିନ୍ଧା ଆଧୁନିକ ଯୁବକ ତାସ୍ ଆଡ୍‍ଡାରୁ ଓହରି ଆସି, ଦୁର୍ଘଟଣାଟାଏ ଘଟିଗଲା ପରି ପାଟିକରି ଉଠିଲେ, କ’ଣ...କ’ଣ...କହିଲୁ ! ସନ୍ନ୍ୟାସୀଙ୍କୁ ଡାକି ନେଉଚୁ ଘରକୁ ? ଦି’ଅକ୍ଷର ପଢ଼ିଦେଇ ଚାକିରିଟାଏ କରିଦେଲୁ ବୋଲି ଜାତି, ଗୋତ୍ର ଭୁଲିଗଲୁ...ହାଡ଼ିଟାଏ ହୋଇ ଏଡ଼ିକି ଆସ୍ପର୍ଦ୍ଧା... ?

 

ସନ୍ନ୍ୟାସୀ ଏ ଅଶୋଭନୀୟ ପରିସ୍ଥିତିର ସମ୍ମୁଖୀନ ହୋଇ କ୍ରୋଧ ଜର୍ଜରିତ କଣ୍ଠରେ ମୋତେ ଅଭିଶାପ ଦେବାକୁ ଲାଗିଲେ । ମା’ । ଅଭିଶାପକୁ ମୋର ଭୀଷଣ ଭୟ । ତାଙ୍କର କ୍ରୋଧାଗ୍ନିକୁ ଶୀତଳ କରାଇବା ପାଇଁ ନମ୍ରତାର ସହିତ କହିଲି, ସ୍ଵାମୀଜୀ ! ଆପଣ କ’ଣ ବିଶ୍ଵାସ କରନ୍ତି ମନୁଷ୍ୟ ମନୁଷ୍ୟ ପାଖରେ ଅସ୍ପୃଶ୍ୟ... ?

 

ମୋ ଆଦର୍ଶ ବକ୍ତବ୍ୟକୁ ଫୁତ୍କାରରେ ଉଡ଼ାଇଦେଲେ ଜନତା... । ସ୍ଵାମୀଜୀ ଉତ୍‍କ୍ଷିପ୍ତ ହୋଇ କହିଉଠିଲେ, ହାଡ଼ିଟାଏ ହୋଇ ମତେ ଆଦର୍ଶବାଣୀ ଶୁଣାଉଛୁ... ?

 

ବାରମ୍ବାର ହାଡ଼ିର ଉଚ୍ଚାରଣରେ ମୁଁ ଉତ୍ତେଜିତ ହୋଇପଡ଼ିଲି ମା’... । ପ୍ରତିଶୋଧ ନେବା ଗଳାରେ କହିଉଠିଲି, ସନ୍ନ୍ୟାସୀ ମହାଶୟ ! ଆପଣ ଭୁଲି ଯାଉଛନ୍ତି ଯେ, ମୁହୂର୍ତ୍ତେ ପୂର୍ବରୁ ମତେ ହାତ ପତାଉ ଥିଲେ ଭିକ୍ଷାପାଇଁ... । ଏଇଲେ ହାଡ଼ିଟାଏ କହି ଘୃଣା କରୁଛନ୍ତି... । ଅସ୍ପୃଶ୍ୟ କହି ଲାଞ୍ଛନା ଦେଉଛନ୍ତି... । କେଉଁଠି ମୋ ଦେହରେ ଅସ୍ପୃଶ୍ୟତାର ଛାପ ମରାହୋଇଚି ଦେଖାଇଲେ... । ମୁଁ ଯଦି କୁହେ, ଆପଣ ଅସ୍ପୃଶ୍ୟ...ଆଉ ଏ ଗୈରିକ ବସନ ଆପଣଙ୍କର ମିଥ୍ୟା ଆବରଣ... ?

 

ମିଳିତ ସ୍ୱରରେ ହସି ଉଠିଲେ ସମସ୍ତେ... । ସେ’ ତ ହସ ନୁହେଁ ମା’...ତାଚ୍ଛଲ୍ୟ ଭରା ଉପହାସ... । ପରେ ପରେ ବର୍ଷା ଭଳି ଗାଳି ବୃଷ୍ଟି ହୋଇଗଲା ମୋ ଉପରେ । କି କଦର୍ଯ୍ୟ ଭାଷା...ଜୀବନରେ ମୁଁ ପ୍ରଥମ ଥର ପାଇଁ ଶୁଣିଲି । ମଣିଷ ହୋଇ ମଣିଷକୁ ପୁଣି ଏଭଳି ବ୍ୟବହାର କରେ । ଏଭଳି କଟୁକ୍ତି ପ୍ରୟୋଗକରେ...ଏହା ମୋର କଳ୍ପନାର ଅତୀତ ଥିଲା... । କ୍ରୋଧ ଆଉ ଅପମାନରେ ଭାଙ୍ଗିପଡ଼ିଲି ମୁଁ... । ସେଇ ମୁହୂର୍ତ୍ତରେ ମନସ୍ଥ କଲି, ମୁଁ ହେବି ଏକ ସନ୍ନ୍ୟାସୀ... । ମନୁଷ୍ୟର ଶ୍ରେଷ୍ଠ ଆସନ ଗ୍ରହଣ କରି ଭୁଲାଇ ରଖିବି ମଣିଷକୁ...ଯେମିତି ସେ ବିଶ୍ଵାସ କରିବ ଯେ, ଅସ୍ପୃଶ୍ୟତା କେବଳ ଅନ୍ଧବିଶ୍ଵାସ । ମନୁଷ୍ୟ ପାଖରେ ସବୁ କିଛି ହିଁ ସମ୍ଭବ... ।

 

ସେଇ ରାତି ରାତି ବୃନ୍ଦାବନ ଅଭିମୁଖେ ଯାତ୍ରାକଲି । ଅସଂଖ୍ୟ ପଦାତିକଙ୍କ ଭିଡ଼ ଠେଲି ମୁଁ କେବଳ ଜଣଙ୍କୁ ଖୋଜୁଥାଏ, ସେ ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ... । ତାଙ୍କୁ ପାଇବା କ’ଣ ଏଡ଼େ ସହଜ ମା’...

 

ଉତ୍‍କର୍ଣ୍ଣ ହୋଇ ଶୁଣି ଯାଉଛନ୍ତି ଅହଲ୍ୟା... । କେତେବେଳେ ବିସ୍ମୟରେ ଅବା କେତେବେଳେ ଦୁଃଖରେ ଆଖିପତା ବିସ୍ଫାରିତ ହୋଇ ଯାଉଚି ତ ସଙ୍କୁଚି ଯାଉଚି... । କ’ଣ କହିବେ କହିବେ ହୋଇ କହିପାରୁ ନାହାନ୍ତି ଆଉ । ମନଟା ଯେମିତି ସଂକୀର୍ଣ୍ଣ ହୋଇ ଆସୁଚି ଆସ୍ତେ ଆସ୍ତେ... ।

—ଦିନ ନାଇଁ...ରାତି ନାଇଁ...ଅଖିଆ ଅପିଆ ପଡ଼ି ରହିଥାଏ ମନ୍ଦିର ପ୍ରାନ୍ତରେ... । କେବଳ ଏତିକି ମାତ୍ର ମିନତି ଜଣାଇବା ପାଇଁ, ସତରେ କ’ଣ ଛୁଆଁ...ଅଛୁଆଁ ତମେ ଦୁଇଟି ଜାତି ସୃଷ୍ଟି କରିଚ ପ୍ରଭୁ... ?

କେତେଥର ଏଇ ପ୍ରଶ୍ନ ପଚାରି ମୁଁ ଅପେକ୍ଷା କରିଚି ମା’ । କିନ୍ତୁ ଉତ୍ତର ମିଳିବା ଆଦ‌ୌ ସମ୍ଭବ ହେଲାନି । ଖରା, ବର୍ଷା, ଶୀତ କାକର ଖାଇ ଖାଇ ମାସ ମାସ କଟିଗଲା । ତଥାପି ମୋର ଧୈର୍ଯ୍ୟ ଚ୍ୟୁତିନାଇଁ । ସେଇମିତି ପଡ଼ିରହିଥାଏ ମୁଁ ଗୋଟାଏ ଅଗଣିତ ପଶୁଠାରୁ ବି ହୀନପରି । ମନରେ କି ବ୍ୟାକୁଳତା, କି ଅଭିମାନ । ସେଇ ଚିର ଅଛୁଆଁ ଶ୍ରୀକୃଷ୍ଣଙ୍କ ବିଗ୍ରହ ପାଖକୁ ଛୁଇଁ ଦେବାପାଇଁ ହାତ ମୋର ବାରମ୍ବାର ପ୍ରସାରି ଯାଉଥାଏ; କିନ୍ତୁ ମା ! ତାହା କ’ଣ କେବେ ସମ୍ଭବ ? ଯାହାକୁ ଧରିବାପାଇଁ ମନା, ସେ ଯଦି ନିଜେ ଧରା ନ ଦେଲା ଆସି, ତେବେ ତାକୁ ବଳତ୍କାର ଭାବେ ଧରିବାରେ ବାହାଦୁରି କାଇଁ ?

କିନ୍ତୁ ମା’ ! ଗୋଟାଏ ନିଶାର୍ଦ୍ଧରେ ଶୁଣିବାକୁ ପାଇଲି କାହାର ଏକ ହତାଶାର ସୁର । ଚମକି ଚାହିଁଲି; ଏଁ ଏ ଯେ ସେଇ ବୃଦ୍ଧ ସନ୍ନ୍ୟାସୀ, ଯାହାର ଲାଗି ଲାଞ୍ଛିତ ହୋଇ ଗୋଟାଏ ହୀନ ନରାଧମପରି ପଡ଼ିରହିଛି ଏଠି । ସେ ପୁଣି କାହିଁକି ମୋ ପିଛା ଧରିଛନ୍ତି ? ଆହତ ଅଭିମାନରେ ମୁହଁ ଫେରାଇ ଆଣିଲି ମୁଁ; କିନ୍ତୁ ଏ ପାଖରେ ସ୍ଵୟଂ ଶ୍ରୀକୃଷ୍ଣଙ୍କ ଦରହସିତ ମୁହଁ । ହାତ ବଢ଼ାଇ ଡାକୁଛନ୍ତି, ଯେମିତି କାହିଁ କୋଉ ଯୁଗର ମୁଁ ଦାସ ତାଙ୍କର । ବିସ୍ମୟରେ ନିବୁଜ ହୋଇଆସିଲା ମୋ ଦୁଇ ଆଖି । ସେଇ ବୁଜା ଆଖି ଭିତରେ ବି ମୁଁ ଦେଖିବାକୁ ପାଇଲି ପୁଣି ସେଇ ସନ୍ନ୍ୟାସୀଙ୍କୁ । ଭିକ୍ଷାର ଥଳି ଦେଖାଇ କହୁଛନ୍ତି, ଅନେକ ଦିନୁ ମୁଁ କ୍ଷୁଧିତ ବାପା । କିଛି ହାତ ତିଆରି ବ୍ୟଞ୍ଜନ ନାଇଁ-? ସେଇ ଅର୍ଦ୍ଧ ଜାଗରଣ ଅବସ୍ଥାରେ ବି ମୁଁ ପ୍ରତିଶୋଧ ନେବାକୁ ଭୁଲି ନାଇଁ । ଘୃଣିତ କଣ୍ଠରେ ଉତ୍ତର ଦେଲି, ଏ ଅଚ୍ଛୁତ୍‍ର ହାତ ତିଆରି ବ୍ୟଞ୍ଜନ ଗ୍ରହଣରେ ଆପଣ ଅପବିତ୍ର ହୋଇଯିବେନି ସନ୍ନ୍ୟାସୀ ମହାଶୟ ? କିନ୍ତୁ ଏ କ’ଣ ? ସେଇ ବୃଦ୍ଧ ସନ୍ନ୍ୟାସୀଙ୍କ ଭିତରେ ମୁଁ ଦେଖିବାକୁ ପାଇଲି ଶ୍ରୀକୃଷ୍ଣଙ୍କୁ । ମୋତେ ତୋଳିଧରି କହୁଛନ୍ତି, ଆଉ ଅଭିମାନ କରନାଇଁ । ଉଠ ଉଠ ତମେ ଏଥର । ମନୁଷ୍ୟ କ’ଣ କେବେ ଅସ୍ପୃଶ୍ୟ ହୋଇପାରେ ? ଅନ୍ଧାର ଆଲୁଅର ଲୁଚକାଳି ଖେଳପରି, ମୋର ଅର୍ଦ୍ଧ ଜାଗରଣ ଅର୍ଦ୍ଧ ନିଦ୍ରିତ ଅବସ୍ଥାରେ ଯାହା ଘଟିଗଲା, ସେ କ’ଣ ମା’ ଭୁଲିବାର-?

ମୋର ପୁନର୍ଜନ୍ମ ଲାଭହେଲା ଯେମିତି । ଉଠି ବସିଲି, କାଇଁ କେହିତ ନାହାନ୍ତି । ଚତୁଃପାର୍ଶ୍ଵ ମୋର ନୀରବ-ନିର୍ଜନ; କିନ୍ତୁ ସେ ସ୍ପର୍ଶ, ସେ ଅମୃତବାଣୀ ମୋ ଚେତନା ଗ୍ରନ୍ଥିରେ ଭରିଦେଲା ଅମାପ ଶକ୍ତି । ସେ ସ୍ଵର ଶୁଣାଯାଉଚି ଯେମିତି ଅତି ସ୍ପଷ୍ଟ । ସେ ସ୍ପର୍ଶ ଜଣାଯାଉଚି ଯେମିତି ଅତି ଆପଣାର ।

ଆଖିରେ ମୋର ଲୁହ ଚାଲି ଆସିଲା ।

ଭାବିଲି, ମଣିଷଗୁଡ଼ାଙ୍କର କି ଅଦ୍ଭୁତ ଅହଙ୍କାର ! ଈଶ୍ୱର ଯାହାକୁ ସ୍ପର୍ଶ କରୁଛନ୍ତି, ତାକୁ ମଣିଷ ଅସ୍ପୃଶ୍ୟ କହି ଲାଞ୍ଛିତ କରୁଚି । ମଥା ମୋର ଆପେ ଆପେ ନତ ହୋଇଯାଇ ବିନମ୍ର ପ୍ରଣତି ଜଣାଇଲା, ପ୍ରଭୁ ! ଏ ଅଜ୍ଞ ମନୁଷ୍ୟକୁ କ୍ଷମା ଦିଅ ।

ଅହଲ୍ୟାଙ୍କର ମନେହେଲା, ତାଙ୍କର ଦୁଇ ସଙ୍କୁଚିତ ହସ୍ତ ଯେମିତି ତୋଳି ଧରୁଚି ସେଇ ସୁସ୍ଥ ସୁନ୍ଦର ଗୋଲ୍ ଗାଲ୍ ନାତିଟିକୁ ଏବଂ ତା’ର କଅଁଳ ଗାଲରେ ଭାବ ବିହ୍ଵଳ ହୋଇ ଅଜସ୍ର ବୋକଦେଇ ଚାଲିଛନ୍ତି ସେ ।

 

ତା’ ପରେ ପରେ ସ୍ୱାମୀଜୀଙ୍କ ସନ୍ନ୍ୟାସୀ ଜୀବନ ଆରମ୍ଭ ହୋଇ, ସନାତନ ନାୟକ ସ୍ଥାନରେ କିପରି ସ୍ୱାମୀ ସଦାନନ୍ଦଜୀ ଜନ୍ମନେଲା ଆଉ ଶୁଣିବା ପାଇଁ ଆଗ୍ରହ ନ ଥିଲା ଅହଲ୍ୟାଙ୍କର-। ସେ ଅନୁଭବ କଲେ, ପୂର୍ବପରି ସ୍ୱାମୀଜୀ କାହାଣୀ ଶୁଣାଇଲା ପରେ ସେ ଯେମିତି ଭୂମିଷ୍ଠ ପ୍ରଣାମ ଜଣାନ୍ତି, ଠିକ୍ ସେଇଭଳି ସେ ଭୂମିଷ୍ଠ ହୋଇପଡ଼ିଛନ୍ତି ସ୍ୱାମୀଜୀଙ୍କ ଚରଣ ତଳେ-

Image

 

ଜୀବନ-ଯାତନା

 

ରାଜଧାନୀର ରାସ୍ତା !

 

ବେଶ ପ୍ରଶସ୍ତ ଆଉ ଲୋଭନୀୟ । ଦେହରେ ବାଜୁଛି ହାଲକା ହାଲକା ପବନ । ଚମତ୍କାର ସ୍ପର୍ଶ । ଆଉ ତା’ର ଆନ୍ତରିକ ଆକର୍ଷଣରେ ଦୀର୍ଘ ପଥ ଅତିକ୍ରମିବାର କ୍ଳାନ୍ତି, ମନେହେଉଚି “କିଛି ନୁହେଁ” ଭଳି । ଏ ଗତି ପଥ ଆହୁରି ଦୀର୍ଘ ହୋଇଯାଆନ୍ତା କି... ? ଜିତେନ୍ଦ୍ର ମନରେ ଅମାପ ଆଗ୍ରହ... । ଛାତ୍ର ଜୀବନରେ ତା’ର ସବୁଠାରୁ ବଡ଼ ଅଭିଳାଷ ଥିଲା ରାଜଧାନୀରେ ଚାକିରି କରିବା । କୈଶୋରରେ ଆସିଥିଲା ସେ ଡାଡୀ ଙ୍କ ସହିତ ରାଜଧାନୀ ପରିଦର୍ଶନରେ । ସେହି ଅପ୍ରାପ୍ତ ବୟସରେ ସେ ମନସ୍ଥ କରିନେଇଥିଲା ଜୀବନଟା କଟେଇ ଦେବାପାଇଁ ରାଜଧାନୀର ପ୍ରଶସ୍ତ କୋଳରେ । ଗନ୍ଧପୂତ ଏକ କ୍ଷୁଦ୍ର ଗ୍ରାମରେ ରହି ଫ୍ୟାକ୍ଟରୀର ମ୍ୟାନେଜର ହୋଇ ଭାରି ବେତନର ଗୁରୁତ୍ଵ ଜିତେନ୍ଦ୍ରକୁ ଅଣନିଃଶ୍ଵାସୀ କରି ପକାଉଥିଲା । ଡାଡୀ କିନ୍ତୁ ଏଥିର ଭୀଷଣ ବିରୋଧୀ । ସେ ଚାହାନ୍ତି ଆତ୍ମସମ୍ମାନ ଆଉ ଅର୍ଥ । ଯୋଉଟା ଜିତେନ୍ଦ୍ର ପାଇଁ ସମ୍ପୂର୍ଣ୍ଣ ନିଷ୍ପ୍ରୟୋଜନ । ମାତ୍ର ଜିତେନ୍ଦ୍ରର ସେଇ ସାର୍ଥକ ଅଭିଳାଷର ଦିନଗୁଡ଼ିକ ସରି ସରି ମାତ୍ର ଆଉ କେତୋଟି ମୁହୂର୍ତ୍ତ ପରେ ତା’ର ଚିର ଅବସାନ ଘଟିବ । ଆରମ୍ଭ ହେବ ଆଉ ଏକ ନୂତନ ଜୀବନ...ରୂପ ନେବ ହିପୋକ୍ରେସିରେ... ।

 

ଭାବନାରେ ପଥ ଅତିକ୍ରମି ଅଫିସ କକ୍ଷରେ ପ୍ରବେଶ କଲା ଜିତେନ୍ଦ୍ର । କକ୍ଷର ଉପସ୍ଥିତ ପ୍ରତ୍ୟେକ ସହକର୍ମୀ ଜିତେନ୍ଦ୍ରକୁ ଦେଖି ମିଳିତ ସ୍ୱରରେ ପାଟିକରି ଉଠିଲେ; ଭୋଜି କାଇଁ ?

 

ଅବାକ୍ ଆଖିରେ ସମସ୍ତଙ୍କୁ ଥରେ ଚାହିଁଦେଇ ଭାବିଲା, ଭୋଜି ? କି ଭୋଜି ? କିଛିକ୍ଷଣ ନୀରବ ରହିବା ପରେ, ତା’ର ମନେପଡ଼ିଗଲା, ସତେ ତ ବାହାଘର ସରିଯାଇଚି । ବନ୍ଧୁ ଓ ସହକର୍ମୀମାନଙ୍କୁ ତା’ର ଭୋଜି ଦେବା କଥା । କିନ୍ତୁ...

 

ଛୁଟି ନେଇ ବାହା ହେବାକୁ ଗଲାବେଳେ, ଅଫିସ୍‍ର ସମସ୍ତ ବ୍ୟକ୍ତି ଜାଣିଥିଲେ ଯେ ଜିତେନ୍ଦ୍ର ବାହା ହେବାକୁ ଯାଉଚି; କିନ୍ତୁ ଜଣେ ହେଲେ କେହି ଜିତେନ୍ଦ୍ରର ବିବାହ ନିମନ୍ତ୍ରଣ ପାଇନଥିଲେ । ତେଣୁ ଜିତେନ୍ଦ୍ରର ବିବାହ ହେଲା କି ନାଁ ଜାଣିବାପାଇଁ ଉତ୍କଣ୍ଠିତ ଚିତ୍ତରେ ଭୋଜିର ପ୍ରଶ୍ନ ହିଁ ସେମାନେ ଉଠାଇଥିଲେ ।

 

ସେ ପ୍ରଶ୍ନର ସୁଅ ତାକୁ ଯେମିତି ଠେଲି ନେଇ ନିକଟ ଅତୀତର ବିବାହ ତିଥିର ସ୍ମୃତିରେ ପୋତି ପକାଇଲା । ଜିତେନ୍ଦ୍ର ଭାବି ଚାଲିଚି...

 

ଉଦ୍ଭାସିତ ବିଦ୍ୟୁତ୍‍ ଆଲୋକର ସଜ୍ଜାରେ ବିବାହର ପୂର୍ବ ସନ୍ଧ୍ୟାଟା ବେଶ୍ ମିଠା ମିଠା ବୋଲି ଅନୁଭବ ହୋଇଥିଲା ଜିତେନ୍ଦ୍ରର । ଲନରେ ଘୂରି ଘୂରି ଡାଡୀ ଆଲୋକ ସଜ୍ଜାର ଅନେକ ମନ୍ତବ୍ୟ ପ୍ରକାଶ କରୁଥାଆନ୍ତି । ଡାଡୀ ଙ୍କର ଖୁବ୍ ନିକଟକୁ ଲାଗିଆସି ମାମୀ କହୁଥାଆନ୍ତି, “ଏ ସମସ୍ତ ପରିକଳ୍ପନା ମୋର ବୋଲି ତମେ ଜାଣିଚ ନାଁ ?” ଡାଡୀ ଙ୍କ କଣ୍ଠରେ ଚାପାହସର ଗୁଞ୍ଜରଣ-। ଆଉ କେତେକ ଅସ୍ପଷ୍ଟ କଥା ମାମୀଙ୍କ ପ୍ରତି । ଏ ସବୁ ଜିତେନ୍ଦ୍ର ଶୁଣିବାକୁ ପାଇଥିଲା ବହୁ ଦୂରରେ ଥାଇ । ହୁଏତ କୌଣସି ଲତାର ଅନ୍ତରାଳରେ ସେ ଲୁଚି ଯାଇଥିଲା ସନ୍ଧ୍ୟାର ଆଗମନ ଆଗରୁ ।

 

ବିବାହର ଶୁଭ ସକାଳ—

 

ସମୟ ନିଶ୍ଚୟ ଆଠଟାରୁ ଊର୍ଦ୍ଧ୍ୱ ହେବ । ଡାଡୀ ବାହାର ବାରଣ୍ଡାରେ ବସି ବସି ଗୋଟାଏ ସମ୍ବାଦପତ୍ରର ପୃଷ୍ଠା ଓଲଟାଉ ଥାଆନ୍ତି । ମଝିରେ ମଝିରେ ଡାକ ପକାଉଥାଆନ୍ତି, “ଉଠ ସଯୁ । ଶୁଣ ଶୁଣ ଆଜିର ନିଉଜ୍ । ମାମୀ ବିଛଣାରେ ଅଳସ ଭାଙ୍ଗି ନିଦ୍ରିତ କଣ୍ଠରେ ଉତ୍ତର ଦେଉଥାଆନ୍ତି, ‘ନିଉଜ୍ ଶୁଣାଇବ ତ ପାଖକୁ ଆସ, ଏତେ ଶୀଘ୍ର ଉଠିବାକୁ ଆଦୌ ମନ ହେଉନି । ଅନେକ ରାତିରେ କାଲି ଶୋଇବାକୁ ପଡ଼ିଥିଲା ନା...ତା’ପରେ ଆଉ କିଛି ଅସ୍ପଷ୍ଟ ନିଦ୍ରିତ କଣ୍ଠର ସ୍ଵର— ।

 

ସଂଲଗ୍ନ କକ୍ଷରେ ଜିତେନ୍ଦ୍ର ଅଜଣା ଅତିଥି ପରି ସବୁ ଶୁଣି ଯାଉଥାଏ । ଶୁଣି ନ ଶୁଣିବାର ଛଳନା କରିବା ଜିତେନ୍ଦ୍ରର ବାଲ୍ୟଅଭ୍ୟାସ । ଜାଣି ନ ଜାଣିବାର, ଶୁଣି ନ ଶୁଣିବାର ଛଳନା ନିତ୍ୟ ନୂତନ ହୋଇ ରୂପ ନିଏ ଏ ଗୃହରେ । ଛଳନା...ଖାଲି ଛଳନା । ଆଧୁନିକ ମଣିଷର ଉତ୍କଟ ସଭ୍ୟତା ମାତ୍ର ।

 

ଜିତେନ୍ଦ୍ର ନୀରବ । ଦୀର୍ଘ ସମୟ ଅତିକ୍ରାନ୍ତ ହେବାପରେ ମାମୀ ସଜ୍ଜିତ କକ୍ଷରୁ ବାହାରି ଆସି ବ୍ୟସ୍ତତାରେ ପ୍ରଶ୍ନ କଲେ—ଏପର୍ଯ୍ୟନ୍ତ ମିଃ ଜୋସେଫଙ୍କର ଦେଖା ନାଇଁ... ? ମି: ଜୋସେଫ ନମ୍ର କଣ୍ଠରେ ଡ୍ରଇଁରୁମ୍‍ରୁ ଉତ୍ତର ଦେଲେ, ମୁଁ ଏଇଠି ଆପଣଙ୍କୁ ଅପେକ୍ଷା କରିଚି ମ୍ୟାଡାମ୍ ।

 

ସାମାନ୍ୟ କ୍ଷିପ୍ର ଗତିରେ ମାମୀ ଆଗେଇ ଚାଲିଲେ ଡ୍ରଇଁରୁମ୍ଆଡ଼େ । ମି: ଜେସେଫ ଭଦ୍ରତାର ହସ ହସି, ବିସ୍ମିତ ହୋଇ ପ୍ରଶ୍ନ କଲେ ? “ଏ ବିବାହ ଆପଣଙ୍କର, ନାଁ...ଆପଣଙ୍କ ସନ୍ତାନର ? ରକ୍ଷା ଅଛି ବିବାହଟା ପୁଅର । ଯଦି ଝିଅର ହୋଇଥାଆନ୍ତାନା, ତେବେ ଜୋଇଁ ଆସି ଆପଣଙ୍କ ଗଳାରେ ଫୁଲମାଳ ଦେଇଥାଆନ୍ତା ।” ନିଜ ସୌନ୍ଦର୍ଯ୍ୟଗର୍ବରେ ମୂହ୍ୟମାନ ହୋଇପଡ଼ି, ମି: ଜୋସେଫ୍‍ଙ୍କ ହସ ସହିତ ହସ ମିଳାଇଲେ ମାମୀ

 

ହସର ଲହରୀଟା ସରି ସରି ଆସୁଥିବାବେଳେ, ଡାଡୀ ଙ୍କ ଉପସ୍ଥିତି ଉପଲବ୍ଧି କରି ମି: ଜୋସେଫ୍‍ ସଚେତନ ହୋଇଯାଇ କହିଲେ, ସବୁ ରେଡ଼ି କରିଦେଇଚି ସାର୍ ପ୍ଲାଣ୍ଟ ବଗିଚାର ମାଳିଠାରୁ ଫୁଲମାଳ...କହ୍ନେୟାଲାଲଠାରୁ କର୍ପୂରହାର...ବିବାହର ଉପକରଣମାନ...ବ୍ୟାଣ୍ଡପାର୍ଟି ସବୁ ରେଡ଼ି ସାର୍ । ମିସେସ୍ ଶତପଥୀଙ୍କୁ ସାକ୍ଷାତ କରି ବରଯାତ୍ରୀ ଯିବାଲାଗି ଚାରିଟା କାର୍ ମଧ୍ୟ ସାଙ୍ଗରେ ନେଇଆସିଚି ସାର୍...

‘ଟାଇ’ର ଗଣ୍ଠିଟା ବେକ ଉପରକୁ ଉଠାଇ ଦେଇ ଗମ୍ଭୀର କଣ୍ଠରେ ଡାଡୀ ଙ୍କର ସଂକ୍ଷିପ୍ତ ଉତ୍ତର ‘ହୁଁ’... ।

ଏଥର ମି: ଜୋସେଫଙ୍କର କଥା କହିବା ଶୈଳୀ ବଦଳିଗଲା । କଣ୍ଠ-ସ୍ୱରକୁ ନିମ୍ନ କରାଇ ପୁଣି କହି ଚାଲିଲେ, ମିସେସ୍ ଶତପଥୀ ମତେ ବାରମ୍ବାର ସୂଚେଇ ଦେଇଛନ୍ତି ସାର୍, “ଯେମିତି ବର ବାହାରିବା ପାଇଁ ଡେରି ନ ହୁଏ— ।’’ ଯେତେହେଲେ ପିଲା ଝିଅତ...ସେ ଆଦୌ ଉପବାସ ରହି ପାରେନି— । ତା’ଛଡ଼ା ଏ ଶୁଭ ଦିନରେ ଉପବାସ ରହିବା ପ୍ରଥା ଯେ କେମିତି ପ୍ରଚଳିତ ଅଛି, ସେକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ... ।

ଡାଡ଼ୀ ନୀରବ... । ଚାରିଟା କାରରେ ବରଯାତ୍ରୀ ଯାଇପାରିବେ କି ନାଇଁ, ମନେ ମନେ ହିସାବ କରି ଚିନ୍ତିତ ଥିଲେ ବୋଧେ... ।

କିନ୍ତୁ ମାମୀଙ୍କ ପ୍ରତିବାଦର ସ୍ୱର No...No...Not necessary...ଉପାସ୍ ? ପୁଣି ଚିତ୍ରା ପାଇଁ... ? Never...ମି: ଜୋସେଫ୍ ଦୟାକରି ଟିକେ ଫୋନ୍ କରି ଦିଅନ୍ତୁ ତ...କିଛିହେଲେ ଟିକେ ଖାଇ ଦେଇଥାଉ ସେ— । ଏତେ ସାନପିଲା ଉପାସ ରହିବ... ?

ଜିତେନ୍ଦ୍ର ସ୍ତବ୍ଧ... । ମନରେ ତା’ର ବିସ୍ମୟର ତୀବ୍ର କୌତୂହଳ, ଚିତ୍ରା ସାନପିଲା... । ଆଉ ସେ... ? ଦୁହେଁ ପିଲାଦିନୁ ଏକାଠି ପଢ଼ି ସିନିୟର କେମ୍ବ୍ରିଜ୍ ପାଶ୍ କରିଥିଲେ... । ଅଥଚ ବିବାହ ପାଇଁ ଚିତ୍ରା ପିଲାଝିଅ... । ତା’ର ଖାଇବା ପାଇଁ ସମସ୍ତେ ସଜାଗ... । ମାତ୍ର ଜିତେନ୍ଦ୍ରପାଇଁ କେହି ନୁହେଁ-। ଝିଅମାନେ ଯେତେ ବୁଢ଼ୀ ହୋଇ ବାହାହେଲେ ବି ସେମାନେ ପିଲା... । ଆଶ୍ଚର୍ଯ୍ୟ ଏ ମନୋବୃତ୍ତି ସତରେ: !

କିଛିକ୍ଷଣ ପରେ ଡାଡୀ ଅନ୍ୟମନସ୍କତା କାଟି ପ୍ରଶ୍ନ କରିଥିଲେ, ହଁ...ଆଉ କ’ଣ ସବୁ କହୁଥିଲେ ମି: ଶତପଥୀ ?

ମି: ଜୋସେଫ୍‍ଙ୍କ ଗଳା ଖୁବ୍ କ୍ଷୀଣଭଳି ମନେହେଲା...କୋଡ଼ିଏ ହଜାର କ୍ୟାଶ୍ ମ୍ୟାଡାମ୍‍ଙ୍କୁ ଦେଇ ଦେଲିଣି... । ବାକି ପାଞ୍ଚ ହଜାର ଝିଅର ହାତ ବ୍ୟାଗରେ ଦେବେ... ।

ଏଥିରେ ଜମା କୋଡ଼ିଏ ଅଛି... ? ଆମର ପରା ଚୁକ୍ତି ହୋଇଥିଲା ତିରିଶପାଇଁ ? ବୁଝିଲେ ମି: ଜୋସେଫ୍‍ । ପୁଅ ମୋର... । କଥାରୁ ବିଚ୍ୟୁତ ହେଲେ ସଫା ବାହାଘର ବନ୍ଦ କରିଦେବି... । ମାମୀଙ୍କର ବିରକ୍ତିସୂଚକ ସ୍ୱର... ।

ଓଃ—ସଞ୍ଜୁ ! Please, you stop...ଦେବେ ଦେବେ ସେ... । ଏକାଥରକେ ଏତେଗୁଡ଼ାଏ ଟଙ୍କା ନେଇ ଦେବାକୁ ପ୍ରଥମେ ଟିକେ କୁଣ୍ଠାବୋଧ କରନ୍ତି ସମସ୍ତେ... । ତା’ପରେ ନ ଦେଲେ ଆଦାୟ କରାଯିବନି ଆସ୍ତେ...ଆସ୍ତେ... । ତମେ ଜାଣିଚ ତ ଶତପଥୀର ପ୍ରମୋଶନଟା ମୋ’ ହାତରେ ଅଛି... । ଯାଅ, ରଖି ଦିଅ ସେତିକି...

ଆଲମିରାରେ ମାମୀ ଟଙ୍କାତକ ରଖିଦେଇ ଏକ ଆନନ୍ଦମିଶା ସ୍ୱରରେ ଜିତେନ୍ଦ୍ର ଉଦ୍ଦେଶ୍ୟରେ କହିଲେ, ଟାଇମ୍ ତୁ ମିସ୍ କରିଯାଉଚୁ ଜିତୁ...ଶୀଘ୍ର ରେଡ଼ିହୋଇଯା— ।

ବିବାହର ଚତୁର୍ଥ ଦିନ ସନ୍ଧ୍ୟା—

ସଜ୍ଜିତ କକ୍ଷରୁ ମାମୀ ପାଟିକରି ଉଠୁଥିଲେ, ଜିତୁ ! ଡ୍ରେସ୍ଅପ ହୋଇ ତୁ ଆଗ ଚାଲିଯା...ମୁଁ ଚିତ୍ରାକୁ ନେଇ ପରେ ଯାଉଚି... । ଗେଷ୍ଟଙ୍କୁ ରିସିଭ୍ କରିବାପାଇଁ ଅବଶ୍ୟ ଡାଡୀ ଅଛନ୍ତି... । ତଥାପି ତୋର ଉପସ୍ଥିତି ନିହାତି ଦରକାର ।

ପ୍ଲାଣ୍ଟର ସଂଲଗ୍ନ ପାର୍କରେ ମୁଷ୍ଟିମେୟ କେତେକ ବନ୍ଧୁଙ୍କୁ ନେଇ (ଅବଶ୍ୟ ସେ ସମସ୍ତ ଆଗନ୍ତୁକ ଥିଲେ ଡାଡି ଙ୍କର ତଳ କର୍ମଚାରୀ) ବିବାହ ଭୋଜି ଆରମ୍ଭ ହୋଇଥିଲା । କିଛି କାଜୁ, ଚିକେନ୍ ପକୋଡ଼ି, ସୁନ୍ଦର ସୁବାସିତ ସନ୍ଦେଶ, ଆଉ ନୂଆ ନୂଆ ଅନେକ ପାନୀୟର ବିପୁଳ ଆୟୋଜନ ।

 

ଚିକେନ୍ ପକୋଡ଼ିର ଟ୍ରେ ଧରି ସମସ୍ତଙ୍କୁ ଗ୍ରହଣ କରିବାକୁ ଇଙ୍ଗିତ ଦେଉଥିଲା ବେଳେ ମଧୁର କଣ୍ଠରେ ସୂଚାଇ ଦେଉଥିଲେ, ଆପଣମାନେ ଏଭଳି ଏକ ଅକେଜନରେ ସାଧାରଣତଃ ଖାଦ୍ୟ ସାମଗ୍ରୀରେ ଉଦର ପୂରଣ କରନ୍ତି, କିନ୍ତୁ ଆଜି ଆପଣମାନେ ପେଟ ଭର୍ତ୍ତି କରିବେ ପାନୀୟରେ”...

 

ଏକ ମିଳିତ ହସର ଚମତ୍କାର ଗୁଞ୍ଜରଣ ଖେଳିଯାଇ ପୁଣି ମୁହୂର୍ତ୍ତକରେ ମିଳେଇଗଲା...-। ଶୁଣାଗଲା, ଅଜସ୍ର ଡ୍ରିଙ୍କ୍ ବଟଲ ଖୋଲିବାର ଉତ୍କଟ ଶବ୍ଦ... ।

 

ଯାନ୍ତ୍ରିକ ମଣିଷ ପରି ଗୋଟାଏ ଚେୟାରରେ ନୀରବରେ ଢୋଳାଇ ପଡ଼ିଥାଏ ଜିତେନ୍ଦ୍ର...-। ଏ ଆସରରେ ସତେ ଯେମିତି ତା’ର ଉପସ୍ଥିତି ଏକବାରେ ନିଷ୍ପ୍ରୟୋଜନ ।

 

ପଛ ପାଖରୁ କାହାର ହାଲ୍‍କା ହସରେ ଜିତେନ୍ଦ୍ରର ଚେତନା ଫେରି ଆସିଥିଲା... । ଚାହିଁ ଦେଖିଲା ପାଖ ଚେୟାର ଛାଡ଼ି ଚିତ୍ରା ହସି ଉଠୁଚି ବାନ୍ଧବୀ ରୁବିନାଙ୍କ ସହିତ... । ଘୂରି ବୁଲୁଚି ଗୋଟିଏ ଚିତ୍ରିତ ପ୍ରଜାପତି ଭଳି... । ହାତରେ ତା’ର ହାପ୍ ପେଗ୍‍ଓ୍ୱାଇନ୍... ।

 

ସାନ ଭଉଣୀ ମିତ୍ରାର ତାଗିଦ୍ ସ୍ୱର, “ଅଳ୍ପ ପିଇ ଚିତ୍ରା”ଦି...ଆଜି ଯେମିତି ବେହୋସ ନ ହେଉ...ଜିତୁ ଭାଇ ବିଗିଡ଼ିବେ...”

 

ବାନ୍ଧବୀ ରୁବିନାଙ୍କର ଉପହାସ ସ୍ୱର... “ମୁଁ ତ ଦୁଇଟା ପେଗ୍ ସାରିଦେଲିଣି । ପିଇନା ଚିତ୍ରା । ବେଶ୍ ମଜ୍ଜା ଆସିବ—”

 

ରୁବିଙ୍କ ବଏ-ଫ୍ରେଣ୍ଡ ତାଙ୍କୁ ଦୂରେଇ ଦେଇ ଆସିଲେ ଚିତ୍ରା ପାଖକୁ...ହାତରେ ତାଙ୍କର ଭର୍ତ୍ତି ରଙ୍ଗିନ୍ ସୁରାର ବୋତଲ...ଓଠରେ ଉକୁଟି ଉଠୁଚି ବହୁ ଆନ୍ତରିକତାର ସ୍ୱର...

 

ଘୃଣାରେ ନାସିକା କୁଞ୍ଚନ କରି ଅପର ଦିଗକୁ ମୁହଁ ବୁଲାଇ ନେଲା ଜିତେନ୍ଦ୍ର । ଯାହା ହେଉ ରକ୍ଷା ମିଳିଗଲା ଯେମିତି ସେ ବିଭତ୍ସ ଦୃଶ୍ୟରୁ... । ଧୀର ପଦ ତୋଳି ଅଳ୍ପ ଦୂର ଆଗେଇ ଯିବାବେଳେ କୁଞ୍ଜଲତାର ଆଢ଼ୁଆଳରୁ ଭାସି ଆସିଲା ଗୁଡ଼ାଏ ପରିଚିତ କଣ୍ଠସ୍ୱର...

 

ଜିତେନ୍ଦ୍ରକୁ ମନେହେଲା ସେ ବିଭତ୍ସ ଦୃଶ୍ୟସବୁ ଯେମିତି ବିଭିନ୍ନ ପୋଜରେ ତା’ ଆଖି ଆଗରେ ନାଚି ନାଚି ତାକୁ ବ୍ୟସ୍ତ କରି ପକାଉଛନ୍ତି...କୁଞ୍ଜଲତାର ଗହଳି ଭିତରେ, ମି: ଜୋସେଫ୍‍ ପେଗ୍ ପରେ ପେଗ୍ ବଢ଼ାଇ ଚାଲିଛନ୍ତି ମାମୀଙ୍କୁ...ମି: ଜୋସେଫଙ୍କ ଶକ୍ତ ଜାନୁ ଉପରେ, ମାମୀ ଅକାତରେ ଘୁମେଇ ପଡ଼ି କହୁଥାଆନ୍ତି, “I can’t bear any more ମି: ଜୋସେଫ୍‍ I can’t ...ଚାଲ... ଚାଲ ଆମେ ଏଠୁ ଚାଲିଯିବା...ଘରେ କେହିନାହାନ୍ତି... ସେଇଠି... ସେଇଠି...

 

ସାର୍ ଯଦି ଖୋଜନ୍ତି... ? ମି: ଜୋସେଫଙ୍କ କୌତୁକ ପ୍ରଶ୍ନ...

 

ଓଃ...କହିଦେଇ ଆସନା...ମୁଁ ମିସେସ୍ ମହାପାତ୍ରଙ୍କୁ ଘରେ ଛାଡ଼ିଦେଇ ଆସୁଚି She feels uncomfortable.

 

କଟୀ ବେଷ୍ଟନ କରି ମି: ଜୋସେଫ ଆଗେଇ ନେଇ ଚାଲିଲେ ମାମୀଙ୍କୁ । ଯିବା ବାଟରେ ମାମୀ କହୁଥିଲେ, “All drinks are your presentation ? Nice...decent taste...you don’t worry...ମୁଁ ମି: ମହାପାତ୍ରଙ୍କୁ କହି ଏଇ ମାସେ ଦୁଇମାସ ଭିତରେ ତୁମର ପ୍ରମୋଶନଟା କରାଇ ଦେଉଚି...

 

ବହଳ ଅନ୍ଧକାର କାଟି ରାତ୍ରିଟା କ୍ରମେ ଫିକା ପଡ଼ିଆସୁଚି... । ଅନେକବେଳ ଧରି ଶଯ୍ୟା ଉପରେ ସେମିତି ବସି ରହିଚି ଜିତେନ୍ଦ୍ର... । କିଏ ଦି’ଜଣ ଆସି ଚିତ୍ରାକୁ ଛାଡ଼ିଦେଇ ଚାଲିଗଲେ... ।

 

ଘର ଥିଲା ନିସ୍ତବ୍ଧ... ।

 

ଜିତେନ୍ଦ୍ର ଭାବୁଚି...ଖାଲି ଭାବି ଚାଲିଚି... । ଏ କ’ଣ ସବୁ ଘଟି ଯାଉଚି ? ସେ ରୋକି ପାରୁନି...ମନା କରିପାରୁନି... । ସେ କ’ଣ ସତରେ ଅସମର୍ଥ...ଅପାରଗ... ? ନାଁ—ଏ ପରିସର ଭିତରୁ ତାକୁ ଦୂରେଇ ଯିବାକୁ ପଡ଼ିବ... । ନଚେତ୍ ଆଜି ଭଳି ସମସ୍ତ ରାତ୍ରି ବ୍ୟର୍ଥତାରେ ଏମିତି କଟିବ ସିନା । ନାଁ—ଆଜି ବି ସେ ବ୍ୟର୍ଥତାରେ କଟାଇବାର ସୁଯୋଗ ଦେବନି ଜିତେନ୍ଦ୍ର । ମନର ସମସ୍ତ ଗ୍ଳାନି ଫୁଙ୍କି ଉଡ଼ାଇ ଦେଇ ନିଦ୍ରିତା ଚିତ୍ରାକୁ ନିରୀକ୍ଷଣ କଲା ଜିତେନ୍ଦ୍ର । ଆଃ—ପ୍ରାଣର ପ୍ରଭଞ୍ଜନକୁ ଏଡ଼ାଇଦେବାରେ କାହାର ଶକ୍ତି ଅଛି ?

 

ନିବିଡ଼ ଆଲିଙ୍ଗନରେ ଆଶ୍ଳେଷି ନେଇ ଚିତ୍ରାକୁ ଉଠାଇବା ପାଇଁ ଚେଷ୍ଟା କଲା ଜିତେନ୍ଦ୍ର । ମାତ୍ର କ୍ଳାନ୍ତା ଚିତ୍ରା, ଜିତେନ୍ଦ୍ରର ସ୍ପର୍ଶ ପାଇ ବ୍ୟସ୍ତ ହୋଇଉଠିଥିଲା, “ଓଃ, ଶୋଇନା ତମେ ? Don’t disturb me. I am very tired...Don’t disturb.

 

ଗୋଟାଏ ଶୃଙ୍ଖଳର ଆକର୍ଷଣରେ ନିୟନ୍ତ୍ରିତ ହୋଇ ଜିତେନ୍ଦ୍ର କିଛି କହିପାରୁନି—

 

ପ୍ରତୀକ୍ଷିତ ପ୍ରଭାତର ଆଗମନରେ ଜିତେନ୍ଦ୍ର ନୂତନ ଚେତନା ଲାଭ କଲା ଯେମିତି । ମନରେ ତା’ର ସଞ୍ଚରି ଗଲା ବିପୁଳ ଶକ୍ତି, ସମସ୍ତ ସାମର୍ଥ୍ୟ ଖଟାଇ ଜିତେନ୍ଦ୍ର କହିଲା, ‘ମୁଁ କାଲି ଚିତ୍ରାକୁ ନେଇ ଭୁବନେଶ୍ୱର ଚାଲିଯାଉଚି ମାମୀ । କ୍ଵାଟର ତ ମିଳିଚି । ଆଉ ଅସୁବିଧା କ’ଣ ?

 

ମାମୀଙ୍କର ଏମିତି ଉତ୍ତେଜିତ ସ୍ଵର କେବେ ଶୁଣି ନ ଥିଲା । “You fool you do not know what is life”...ତୁ ଚାକିରି କରି କ୍ଵାଟର ପାଇଚୁ ବୋଲି ମତେ ଜଣାଉଚୁ...ଲଜ୍ଜା ବି ଲାଗୁନି...ଦେଖିଚି ମୁଁ ସେସବୁ କ୍ଵାଟର...ମୋ Servant କ୍ଵାଟରଠାରୁ ହୀନ... । ଆଉ ଯାହା ଦରମା, ସେ ତ ମୋ ଆୟା ବେଲୁର ଦରମାଠାରୁ କମ୍... । ଜାଣିଚୁ, ବେଲୁର ମାସକୁ ଇନ୍‍କମ୍ କେତେ... ? ତୋର ଦରମାଠାରୁ ଢେର ବେଶି । ସେତିକିରେ ଚିତ୍ରାରତ କସମେଟିକ୍ କିଣା ହୋଇପାରିବନି । ତାକୁ ନେଇ ସେଠାରେ କ’ଣ ଚାକରାଣୀ କରାଇବୁ... ? ଘରେ କାହିଁକି ବସି ରହିବୁ ବୋଲି ପି.ଏସ୍.ସି.ରେ ତ ସିଲେକ୍ଟ ହୋଇଚୁ...ଯା...ଜଏନ୍ କରିଦେ’ ବୋଲି ତତେ କୁହାହୋଇଥିଲା— । ଏଥିପାଇଁ ତୁ ସେ ଚାକିରିକୁ ଷ୍ଟିକ୍ କରି ରହିବୁ... ? ଡାଡୀ ମି: ଚକ୍ରବର୍ତ୍ତୀଙ୍କୁ ଡକାଇ ତାଙ୍କ ବ୍ରାଞ୍ଚରେ ଖାଲି ପଡ଼ିଥିବା Superintendent ପୋଷ୍ଟରେ ରହିବା ପାଇଁ କଥାବାର୍ତ୍ତା କରି ସାରିଛନ୍ତି... । ସେଠି ରେଜିଂନେସନ୍ ଦେଇ ଏଠି ଜୟନ୍ କରିବୁ । ଜେନେରାଲ ମ୍ୟାନେଜର ପୁଅ ଇଞ୍ଜିନିୟରିଂ ପଢ଼ି ସରକାରୀ ଚାକିରି କରିବ, ନୁହଁ ?

 

ରୁଦ୍ଧ କ୍ରନ୍ଦନର ଆବେଗରେ ଅସ୍ଥିର ହୋଇ ଜିତେନ୍ଦ୍ର ଶୟନ କକ୍ଷରେ ପ୍ରବେଶ କଲା... । ନୟନର ଦୁଇପତା ଲୋତକରେ ଭିଜି ଭିଜି ନିମିଳିତ ହେଲା ବେଳକୁ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି । ଚଳଚିତ୍ରର ନାୟିକାଭଳି ସଜ୍ଜିତ ହୋଇ ଡ୍ରେସିଂରୁମ୍‍ରୁ ବାହାରି ଆସୁଚି ଚିତ୍ରା...ସାମ୍ନାରେ ଠିଆ ହୋଇ ଅଭିଯୋଗ ସ୍ଵରରେ କହୁଚି, ଓଃ...ଏ ଯାଏଁ ତମେ ରେଡ଼ି ହୋଇ ନଁ । ...ମି: ଚକ୍ରବର୍ତ୍ତୀଙ୍କୁ ମୁଁ କାଲି କଥା ଦେଇଚି ଆଜି ବଲଡ୍ୟାନ୍ସରେ ମୁଁ ତାଙ୍କର ପାର୍ଟନର ହେବି... । ମନେ ନାଇଁ ତମର... ? ଆଜି ପରା ସଟର୍ ଡେ ।

 

ଜିତେନ୍ଦ୍ର ସ୍ତବ୍ଧ...ନିଷ୍ପନ୍ଦ...

 

ଏଇ କ’ଣ ଆନନ୍ଦର ଆଉ ଆବେଗର ଜୀବନ ? —ଉପଭୋଗ ଆଉ ବିସ୍ମୃତିର ଜୀବନ-?

 

ଚିତ୍ରା ନିଶ୍ଚୟ କ୍ଲବ୍ ଯିବ— । ମି: ଚକ୍ରବର୍ତ୍ତୀଙ୍କୁ ସନ୍ତୁଷ୍ଟ ନ କରାଇଲେ ଚାକିରିରେ ଉନ୍ନତି ନାଇଁ... । କେତେ ରାତି ହେବ କେଜାଣି ଫେରୁ...ଫେରୁ... ? କ୍ଲବ୍ ନାଇଟ୍ ଥିଲାଦିନ ମାମୀଙ୍କ ଫେରିବା ସମୟ ଦୁଇଟାରୁ ଊର୍ଦ୍ଧ୍ଵ ହୁଏ... । ଢଳି ଢଳି ମାମୀ ପୋଷା ବିଲେଇ ପରି ବେଡ୍‍ରୁମରେ ପଶିଯାଆନ୍ତି... । ତା’ପରେ ଡାଡୀଙ୍କର ନରମ କଣ୍ଠର ସ୍ଵର ଶୁଣାଯାଏ...ଆସ–ଆସ...ସଞ୍ଜୁ...What do you want ? କଫି... ? ନାଁ—ଥାଉ ଫ୍ଲାସ୍କରେ ଗରମ ଦୁଧ ଅଛି ପିଇ ଦିଅ’... । ମାମୀଙ୍କ ଲାଗି ଡାଡୀଙ୍କର ଆଜି ଏ ପଦୋନ୍ନତି...ଅସୀମ କ୍ଷମତା...

 

ନୀରବରେ ଠିଆ ହୋଇ କିଛି ଭାବିବାକୁ ଜିତେନ୍ଦ୍ରର ସମୟ ନ ଥିଲା... । ଚିତ୍ରା ହାତ ଧରି ଟାଣୁଚି...ଆସ ଜିତେନ୍...ଅନେକ ଡେରି କରୁଚ... । ମାମୀ କାର୍‍ ଚାବି ବଢ଼ାଇ ଦେଉଥିଲେ ଜିତେନ୍ଦ୍ରକୁ ଡାଡୀ ଫେରିବା ପୂର୍ବରୁ ତୁ ଚାଲି ଆସିବୁ । ଚିତ୍ରା ଥିବ...ମୁଁ ନେଇ ଆସିବି ତାକୁ...

 

ଜିତେନ୍ଦ୍ର ନିର୍ବାକ୍...ଏକ ଅଦୃଶ୍ୟ ଶକ୍ତିର ରଜ୍ଜୁରେ ସେ ଯେମିତି ବନ୍ଧା—ସେ ରଜ୍ଜୁ ଯେମିତି ଫିଟିବାର ନୁହେଁ କି ଛିଣ୍ଡିବାର ନୁହେଁ... । ମନରେ କେମିତି କାନ୍ଦ କାନ୍ଦ ଭାବ... । ନିଜର ନିଜତ୍ଵକୁ ବଳି ଦେବାର ଅପମାନ, ହତାଶା ଆଉ ବ୍ୟର୍ଥତାର ଭାବ ଇଏ... । ଏ କାନ୍ଦ ଆତ୍ମସନ୍ତୋଷର ନୁହେଁ...ଆତ୍ମ ଦହନର... । ଆତ୍ମ-ଗ୍ଳାନି ଓ ଲଜ୍ଜାର ତୀବ୍ର ପ୍ରତିକ୍ରିୟା ମାତ୍ର... ।

 

ଜିତେନ୍ଦ୍ରର ଗାଡ଼ି କ୍ଲବରେ ଅଟକିବା ଆଗରୁ ମି: ଚକ୍ରବର୍ତ୍ତୀ କାର୍‍ ପାଖକୁ ଆଗେଇ ଆସିଲେ... । ଆନନ୍ଦରେ ସେ ଖାଲି ଫାଟି ପଡ଼ୁଥିଲେ । କକ୍ଷରେ ପ୍ରବେଶ କରୁ କରୁ ଦୁହେଁ ଦୁହିଁଙ୍କୁ ଆଶ୍ଳେଷି ନେଲେ ନିବିଡ଼ ଭାବେ... । ପାନୀୟ ପରିଚାରିକା ମୁଗ୍ଧ ନୟନରେ ଚାହିଁ ରହିଥିଲା ଦୁହିଁଙ୍କୁ...ଆଃ...

 

ଆଉ ଭାବି ପାରିଲାନି ଜିତେନ୍ଦ୍ର । ନିକଟ ଅତୀତର ବିବାହ ଭୋଜିର ସ୍ମୃତି ଜିତେନ୍ଦ୍ର ମନରେ କଣ୍ଟାପରି ଫୋଡ଼ି ହୋଇଯାଉଚି ଚାଇଁ...ଚାଇଁ । ସେ ନିଜେ ତ ବିବାହ ଭୋଜି ନ ପାଇ ଉପବାସ ଥିଲା...ବନ୍ଧୁ ସହକର୍ମୀଙ୍କୁ କ’ଣ ଖୁଆଇବ ?

 

ଜିତେନ୍ଦ୍ର ସାର୍ଟ କଲାରଟାକୁ ଟାଣି ନେଇ ସରୋଜ କହୁଚି, କିରେ ! ଭୋଜି କଥା ପଡ଼ିବାରୁ କ’ଣ ଚୁପ୍ ହୋଇଗଲୁ ? ବାହା ହେବୁ...ଭୋଜି ଦେବୁନି ?

 

ପକେଟ ଭିତରୁ ନିଜର ଇସ୍ତଫାପତ୍ରଟି କାଢ଼ି ପିଅନ ହାତରେ ପଠାଇ ଦେଉଦେଉ ସରୋଜର ବକ୍ତବ୍ୟରେ ସାମାନ୍ୟ ହସିଉଠିଲା ଜିତେନ୍ଦ୍ର... । କ’ଣ କହିଲୁ... ? ଭୋଜି... ? ହଁ ହଁ ତମେମାନେ ସମସ୍ତେ ଆଜି ସନ୍ଧ୍ୟାରେ ମୋ ଘରକୁ ଆସିବ ଭୋଜି ଖାଇବାକୁ । ସେ ଯେପରି କ୍ଷୀଣ କଣ୍ଠରେ କେଉଁ ସ୍ଵପ୍ନାଲୋକରୁ ଉତ୍ତର ଦେଉଥିଲା, ଅଶ୍ରୁର ଆବେଗରେ ରୁନ୍ଧିହୋଇ ଆସୁଥିଲା ତା’ର କଣ୍ଠସ୍ଵର ।

Image

 

‘ଶୀତ-ସ୍ମୃତି’

 

ଆଃ, ଆଜି ଭାରି ଶୀତ ।

 

ଏ ଶୀତୁଆ ଏକସ୍ତରୀର ପ୍ରଥମ ଲଗ୍ନରେ ମୁଁ ତୁମକୁ ମୋ ସ୍ମୃତିର ପଥକୁ ଟାଣି ଆଣି ଭୁଲ କରୁନି ତ ? ବିଗତ ସତୁରୀରେ ଅବଶ୍ୟ ମୁଁ ଏଭଳି ଅନେକ ଲଗ୍ନ ତିଆରିଛି । ସେ ସୃଷ୍ଟି ମୋ ନିଜର-। କିନ୍ତୁ ଏ ଏକସ୍ତରୀର ଲଗ୍ନ ମତେ କାହିଁକି ସୃଷ୍ଟିଛଡ଼ା ଭଳି ମନେହେଉଚି । ମୋ ସ୍ମୃତିଳ ପଥରେ ଗୋଲାପ ସଦୃଶ ଠିଆ ହୋଇ ରହି କାହିଁକି ସ୍ୱାଗତ କରୁଛ ମତେ ? ମୁଁ ଜାଣେ ତୁମକୁ ମୁଁ ପାଇ ପାରିବିନି । ତମେ କ’ଣ ଏ କଥା ଜାଣିପାରୁନା ? ଏ ସୃଷ୍ଟିର ବୈଚିତ୍ର୍ୟକୁ ତୁମେ ବୋଧେ ବିଶ୍ଵାସ କରନି । ମୋର କିନ୍ତୁ ଗଭୀର ବିଶ୍ଵାସ, ଯିଏ ଯାହାକୁ ଚାହେଁ, ତାକୁ ସେ ପାଇପାରେନା । ଆମେ ସେଥିରୁ ବାଦ୍ ପଡ଼ିଯିବା କିପରି ? ତଥାପି ଏ ଅବୁଝା ମନ ଅବୋଧ୍ୟ ଶିଶୁ ଭଳି ତୁମରି ପାଖକୁ ଦଉଡ଼ି ଯାଉଚି । ମୋର ଏ ଦୁଷ୍ଟ ମନ, ଯଦି ତମ ଭବିଷ୍ୟତ ଜୀବନର ଅବୋଧ ଶିଶୁ ହୋଇ ଜନ୍ମ ନିଏ, ତମେ କ’ଣ ତାକୁ ସ୍ଵାଗତ କରିବନି ?

 

ସ୍ମୃତି ହାତରୁ ଚିଠିଟା ଖସି ପଡ଼ି ବକ୍ଷ ଦେଶରେ ଆଶ୍ରୟ ନେଲା । ଖଟ ଉପରେ ଚିତ୍ ହୋଇ ଶୋଇ ଭୂବନ ଭାଇଙ୍କ ଚିଠି ପଢ଼ୁଥିଲା ସ୍ମୃତି । ମହିଳା କଲେଜର ନିର୍ଜନ କକ୍ଷ । ଚାରିଜଣ ରହିବା ବିଶିଷ୍ଟ କକ୍ଷ ହୋଇଥିଲେ ବି ଅନ୍ୟ ତିନି ଜଣ ସହଚରୀ ଯାଇଛନ୍ତି ସିନେମା । ଏଭଳି ନିର୍ଜନ ସମୟ ସ୍ମୃତି ଖୋଜୁଥିଲା ଅନେକ ଦିନରୁ । ସାଇତି ରଖିଥିଲା ଚିଠିଟି ପଢ଼ିବା ପାଇଁ ଏମିତି ନିର୍ଜନ ମୁହୂର୍ତ୍ତରେ । ସ୍ୱୟଂ ସିନେମା ଗଲାବେଳେ ବାଧ୍ୟ କରୁଥିଲା ସ୍ମୃତିକୁ ସାଙ୍ଗ ହୋଇ ଯିବାପାଇଁ । ଏତେ ବାଧ୍ୟତା ସତ୍ଵେ ସ୍ମୃତିର ନାଇଁ ଶୁଣି; ଆଶ୍ଚର୍ଯ୍ୟ ସ୍ଵରରେ ସ୍ଥିତି କହିଲା, ପିକ୍‍ଚରଟା ବହୁତ ହିଟ୍ ହୋଇଚି ସ୍ମୃତି । ବିଲ୍‍କୁଲ୍ ନେକେଡ୍ । ଦେଖିବାକୁ ତୋର ମନ ହେଉନି ?

 

ଶଙ୍କିତ ମନରେ ସ୍ମୃତି ହସିଲା ଅଳ୍ପ । ନେକେଡ୍, ହାଃ ହାଃ ଭୂବନ ଭାଇଙ୍କ ଚିଠିର ଗୋଟିଏ ଧାଡ଼ିର ନଗ୍ନତା ଯେ ପିକ୍‍ଚରଠାରୁ କେତେ ଦୂର ଆରାମଦାୟକ, ସ୍ଥିତି ଜାଣିବ କେମିତି ? କିନ୍ତୁ ସ୍ଥିତି କହୁଥିଲା, ସେ କୁଆଡ଼େ ଜଣେ ଗ୍ରାମ୍ୟ ଯୁବକଙ୍କୁ ପ୍ରେମ କରେ । କିନ୍ତୁ ଚିଠିପତ୍ରରେ ନୁହେଁ-। ସ୍ୱଦେହରେ ।

 

ଆଃ, ସ୍ଵଦେହରେ ??

 

ଗୋଟାଏ ଉତ୍ତେଜନାରେ ସ୍ମୃତି କଡ଼ ଲେଉଟାଇଲା । ମନେହେଲା ତାକୁ ସେ ଯେମିତି ସ୍ଥିତିର ଶଯ୍ୟା ଧାରରେ ଠିଆ ହୋଇ ରହି ବିସ୍ମିତ କଣ୍ଠରେ କହୁଚି, ତୁ କିଛି ଭୁଲ କରୁନୁ ତ ସ୍ଥିତି ? ନୀରବ-ବିସ୍ମୟରେ ସ୍ଥିତିର ଅବଗୁଣ୍ଠନ ବିହୀନ ନିସ୍ତେଜ ମସ୍ତିଷ୍କ ଦୋହଲି ଯାଇ ନାଇଁର ସୂଚନା ଦେଉଚି । ଦେହରେ ତା’ର ଜଡ଼ି ରହିଚି ପରସ୍ତ ପରସ୍ତ ଲଜ୍ଜାର ପ୍ରଲେପ ।

 

ଶିହରି ଉଠି ସ୍ମୃତି ଚିଠିର ଦ୍ଵିତୀୟ ପୃଷ୍ଠା ପଢ଼ିଲା ।

 

ତୁମ ମନର ଭାବଭଙ୍ଗୀ, ମୋ ମନରେ ଅନେକ କବିତା ସୃଷ୍ଟି କରେ । କବିତା ଲେଖି ମୁଁ କବି ହୋଇପାରିଲି । କିନ୍ତୁ ପ୍ରେମିକ ହୋଇପାରିଲିକି ? ସତ କହିଲ, ରାଣ ପକାଇ କହିଲ, ତମ ମନରେ କ’ଣ କୌଣସି ପ୍ରତିକ୍ରିୟା ସୃଷ୍ଟି ହେଉନି ? ତମେ ତ କିଛି ବ୍ୟକ୍ତ କରନା । ମୁଁ କାହିଁକି ଚିଠି ଲେଖେ, ମୁଁ ନିଜେ ବି ଜାଣିପାରେନା । କିନ୍ତୁ ନ ଲେଖିଲେ ମନ ବୁଝେନା । ମନରେ ଖାଲି କାନ୍ଦ କାନ୍ଦ ଭାବ । ତୁମଠାରୁ ଖବର ନ ପାଇଲେ, କି ଖବର ନ ଦେଲେ ମନଟା ମରି ମରି ଯାଏ । ସୃଷ୍ଟି ଲାଗେ ଶୂନ୍ୟ । ତେଣୁ ତୁମକୁ ଚିଠି ଲେଖି, ମୋ ମନର କ୍ଷୁଧା ମେଣ୍ଟାଏ । ସ୍ମୃତି ! ତମ ମନରେ କ’ଣ କ୍ଷୁଧା ନାଇଁ ? ଏତେ ଚିଠି ପାଇ, ତମେ ସାଗରର ଗୁରୁ ଗମ୍ଭୀରତା ସ୍ୱରୂପ । ସମ୍ପୂର୍ଣ୍ଣ ନୀରବ ଆଉ ନିଷ୍ପଦ । ମୋ ରାଣ ପକାଇଲ, ତମ ବହି ଛୁଇଁ କହିଲ, ସତରେ କ’ଣ ତୁମର ଧାଡ଼ିଟିଏ ଲେଖିବାକୁ ମନ ହୁଏନି ? ତେବେ ମୋର ଏତେ ଚିଠି ଗ୍ରହଣ କର କେମିତି ? କାହିଁକି ବା ଗ୍ରହଣ କର ? ସ୍ମୃତି ! ତମେ ପଢ଼ କି ନା—ଏ ଚିଠି ? ଚିରି ଦିଅ ନାଇଁ ତ ?

 

ଚିଠିଟିକୁ ଛାତିରେ ଚାପିଧରି ସ୍ମୃତି ବିଚଳିତ ହୋଇପଡ଼ିଲା । କେଉଁ ସହପାଠିନୀ ଦରଜାରେ ଆଘାତ କଲା କି ? ଦରଜା ପାଖକୁ ଦଉଡ଼ି ଗଲା ସ୍ମୃତି । ନାଁ—କେହି ନାଇଁ । ଏ ସବୁ ମନର ପ୍ରତିକ୍ରିୟା ମାତ୍ର । ଖଟରେ ପେଟେଇ ପଡ଼ି ପୁନଃ ଚିଠି ପଢ଼ାରେ ମନଦେଲା ସ୍ମୃତି ।

 

ତୁମ ଯିବା ପଥକୁ କାଲି ମୁଁ ଚାହିଁ ରହିଥିଲି ଅପଲକ ନୟନରେ । ତୁମେ କିନ୍ତୁ ମତେ ନ ଚାହିଁ, ନ ଜାଣିଲା ପରି ଉପେକ୍ଷା କରି ଚାଲିଗଲ । ମତେ ମନେ ହେଲା, ତୁମ ନୋଟ ଖାତା ଭିତରୁ ମୋ ହାତ ଲେଖା ଚିଠି ଖଣ୍ଡିକ ଅଭିମାନରେ ଯେମିତି ବିକଳ କ୍ରନ୍ଦନ ଆରମ୍ଭ କରିଦେଲା । ମୋ ଛଳ ଛଳ ଦୁଇ ଆଖି ପତାକୁ ତମେ ଯଦି ଚାହିଁଥାଆନ୍ତ, ସତ କୁହ, ତମେ କ’ଣ ଆଗକୁ ପାଦ ବଢ଼ାଇ ପାରିଥାଆନ୍ତ ?

 

ସ୍ମୃତି ଆଖିରୁ ଲୁହ ପୋଛିଲା ।

 

ଟେବୁଲ ଟାଇମ୍ ପିସ୍ ରାତି ନଅର ସୂଚନା ଦେଉଛି । ଆଉ ପନ୍ଦର କୋଡ଼ିଏ ମିନିଟ୍ ପରେ, ସ୍ଵୟଂ, ସ୍ଥିତି, ସୃଜନୀ ଚାଲିଆସିବେ । ଚିଠିଟା ପଢ଼ା ସରିଲାନି । ଆଖିରେ ଆଖିଏ ଲୁହ । ଇସ୍ ସେମାନେ ଯଦି ଦେଖିବେ ସ୍ମୃତିର ଏ ଦୟନୀୟ ଅବସ୍ଥା, କ’ଣ ଭାବିବେ ? ଅବସ୍ଥାଟା ଯେ କେତେ ଗୁରୁତର ହୋଇପଡ଼ିବ । ଆଉ ଭାବି ପାରିଲାନି ସ୍ମୃତି । ସୃଜନୀ ଯୋଉ ଫାଜିଲ ଝିଅଟା ନାଁ–ଏକବାରେ ସ୍ମୃତିକୁ ନେଇ ହସପିଟାଲରେ ଛାଡ଼ି ଦେଇ ଆସିବ । ଆଖିରୁ ଲୁହ ପୋଛି ଚିଠିଟିକୁ ସାରି ଦେବା ପାଇଁ ତର ତର ହେଲା ସ୍ମୃତି ।

 

ଆଜି ଭାରି ଶୀତ । ନାଁ ? ମୁଁ ରେଜେଇ ଭିତରେ ଶୋଇ ଶୋଇ ଖାଲି ତମରି କଥା ଭାବୁଛି । ସ୍ମୃତି ! ତମ କୁଆଁରୀ ହୃଦୟର ଉତ୍ତାପ, ଏତେ ଶୀତରେ ଗୋଟିଏ ରେଜେଇ କ’ଣ ଉତ୍ତାପ ମେଣ୍ଟାଇବା ପାଇଁ ସକ୍ଷମ ? ତରୁଣ ଶୀତ ତା’ର ସମସ୍ତ ଶକ୍ତି ପ୍ରୟୋଗ କରି ଯେଉଁ ପ୍ରକୋପ ପକାଇଚି, ସେଥିରେ ତମେ ଚହଲି ଯାଉନ ସ୍ମୃତି ? ମତେ ଯେମିତି ଲାଗୁଚି ତୁମକୁ ଚହଲାଇବା ତା’ର କାମ୍ୟ । ମୁଁ ଯଦି ତାରି ଉଦ୍ଦେଶ୍ୟ ନେଇ, ଏ ନିରୋଳା ରାତିରେ ତମ ଶୟନ କକ୍ଷର ଦରଜାରେ କରାଘାତ କରନ୍ତି, ମତେ ସ୍ଵାଗତ କରନ୍ତ ନାଇଁ ?

 

ସ୍ମୃତିର ଅଧରରେ ହସର ଝରଣା ଝରିଗଲା । ଇସ୍ ସାରା ଚିଠିଟା ଯେମିତି ଭିଜିଗଲା ହସର ଝରଣାରେ । କି ଗୋଟାଏ ଅବ୍ୟକ୍ତ ଉତ୍ତେଜନାରେ ଚିଠିଟିକୁ ଚିପି ଧରି ବାରମ୍ଵାର ଚୁମ୍ବନ ଦେବାକୁ ଲାଗିଲା ସେ । ଆଃ, ଏଇଟା ଶେଷ ପାରା । ଆଉ ଟିକିଏ ଦୀର୍ଘ ହୋଇନଥାନ୍ତା ? କି ଗୋଟାଏ ଯାଦୁବଳରେ ଚିଠିଟିକୁ ଶେଷହୀନ ଦୀର୍ଘ କରି ଦେବାପାଇଁ ଇଚ୍ଛା ହେଉଥିଲା ସ୍ମୃତିର ।

 

ତୁମର ସାନ୍ନିଧ୍ୟ ପାଇଁ ମୋର ମନ କ’ଣ ହେଉଛି ଜାଣ ? ଶ୍ରୀକୃଷ୍ଣ, ନାପିତୁଣୀ ବେଶ ସାଜି, କାଚରା ବେଶ ସାଜି ଶ୍ରୀରାଧାଙ୍କ ପାଖକୁ ଗଲା ଭଳି, ମୁଁ ତୁମର ସହଚରୀ ସାଜି ଗୋଟିଏ ଦିନ ପାଇଁ ହେଲେ ତୁମ ପାଖେ ଅତିଥି ହୁଅନ୍ତି । ଏ ଶୀତରେ ତମେ ରହିଯାଆନ୍ତ ମୋର ଚିରଦିନ ପାଇଁ ଶୀତସ୍ମୃତି ହୋଇ । ଆଃ, ସତ କହିଲ, ଏ ଚିଠି ପଢ଼ିଲେ ତମ ମନରେ କିଛିଟା ଭାବ ଉଦ୍ରେକ ହୁଏନି ?

ଦୁଇ ହାତ ପାପୁଲିରେ ନିଜର ମୁହଁଟିକୁ ଲୁଚାଇ ଦେଲା ସ୍ମୃତି ।

 

ବାହାରେ କାହାର ମୃଦୁ କରାଘାତ ଶୁଣି, ଅଧୈର୍ଯ୍ୟ ଚିତ୍ତରେ ଦରଜା ଖୋଲିଲା । କିଏ ଆଉ ? ସେଇ ସ୍ଵୟଂ, ସ୍ଥିତି, ଆଉ ସୃଜନୀ । ହସ ହସ ମୁହଁରେ କୋଳାହଳ କରି କହି ଉଠିଲେ, ତୁ ଗଲୁନି ସ୍ମୃତି, ତତେ ଖୋଜୁଥିଲେ ଭୂବନ ମିଶ୍ର । ସାଇକୋଲଜିର ଲେକ୍‍ଚରର୍ । କହିଲେ, ରୁମ୍‍ର ତିନି ବାନ୍ଧବୀ ଚାଲି ଆସି ଜଣଙ୍କୁ ଏକା କରିଦେଇ ଛାଡ଼ି ଆସିଲ କେମିତି ?

 

ସନ୍ଦେହୀ ମନରେ, ସମସ୍ତେ ସମସ୍ୱରରେ ହସିଉଠୁଥିଲେ ରହି ରହି ।

 

ସ୍ମୃତି କିନ୍ତୁ ଅପର ଦିଗକୁ ମୁହଁ ବୁଲାଇ, ଅଶ୍ରୁଳ ଚକ୍ଷୁକୁ ଗୋପନ ରଖିବାକୁ ଆପ୍ରାଣ ଚେଷ୍ଟା କରୁଥିଲା । କିନ୍ତୁ ସେ’ କ’ଣ ପାରିଲା ? ଖଟଟା ସାରା ପୃଷ୍ଠା ପୃଷ୍ଠା ହୋଇ ବିଛାଡ଼ି ହୋଇପଡ଼ିଚି ଚିଠିଟିର ପୃଷ୍ଠାସବୁ । ତିନି ବାନ୍ଧବୀଙ୍କ ପ୍ରଲୁବ୍ଧ ଦୃଷ୍ଟି ସେଇଠି ।

 

(ତା ୨୪-୧-୭୧ ରବିବାର ପ୍ରଜାତନ୍ତ୍ରରେ ପ୍ରକାଶିତ)

Image

 

ଏକାନ୍ତ ଏକାକୀ

 

ମଧ୍ୟନିଶିର ମୁକ୍ତ ବାତାୟନ, ବୈଶାଖର ଧୁ ଧୁ ନାଲି ଖରା, ଆଉ ମୁହଁ ସଞ୍ଜର ମଳିନ ଆଲୋକର ପାର୍ଥକ୍ୟ ଏମାନେ ଖୋଜି ପାଆନ୍ତି ନାଇଁ । ସବୁର ମୂଲ୍ୟ ଏମାନଙ୍କ ପାଇଁ ସମାନ । କେବେ ଦୀର୍ଘ ବେଳାଭୂଇଁ ଉପରେ ଏମାନଙ୍କ ବସତି । ଅବା କେବେ ଯାଯାବର ଭଳି କାନ୍ଧରେ ଗୋଟାଏ ଗୋଟାଏ ବ୍ୟାଗ ଝୁଲାଇ ଚାଲି ଥାଆନ୍ତି ଉଦ୍ଦେଶ୍ୟହୀନ ଭାବେ । ଆଉ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳେ ରାଜପଥ ଧାରରେ ବସି ଘୁମେଇ ପଡ଼ିଥାଆନ୍ତି କ୍ଳାନ୍ତିର ମଦରେ । ଜୀବନର ସର୍ବଶ୍ରେଷ୍ଠ ସୁଖ ଏମାନଙ୍କ ପାଇଁ—‘ଚେତନା ହରାଇ ବସିବା’ । ସୁରା ପାନରେ ଏମାନେ ଏମିତି ମଜ୍ଜି ରହନ୍ତି ଯେ ନିଜେ ବି ଭୁଲି ଯାଆନ୍ତି ନିଜକୁ । ସ୍ତ୍ରୀ ପୁରୁଷର ସଙ୍କୋଚ ଭାବ ଏମାନଙ୍କ ପାଖେ ବିରଳ-। ନିଜ ନିଜ ଭିତରେ ଅବାଧ ମିଳାମିଶା । ସ୍ୱଚ୍ଛନ୍ଦ ଜୀବନଯାପନର ପ୍ରଣାଳୀ ଏମାନେ ନିଜେ ନିଜେ ହିଁ ତିଆରି ଥାଆନ୍ତି ।

କିନ୍ତୁ ରାଜପଥର ଦୁର୍ବିସହ ଦୀନହୀନ ଭିକ୍ଷୁକ ପରି ଏ ଜୀବନକୁ ଏମାନେ କାହିଁକି ବରଣ କରି ନେଇଥାଆନ୍ତି, ବୁଝେ କିଏ ? ଜାଣିବା ପାଇଁ କାହାରି ଆଗ୍ରହ ନାଇଁ । କାହାରି ଯେମିତି ପ୍ରୟୋଜନ ନାଇଁ । ଏମାନଙ୍କୁ ଦେଖିଲେ ମନରେ ବିକାର ଆସେ । ନିଜ ମନର ସାନ୍ତ୍ୱନା ପାଇଁ ଆମେ କେବଳ ଏତିକି ଜାଣୁ, ଏମାନେ ହିପ୍‍ପୀ ।

ସେଦିନ ଏକ ଶାନ୍ତ ସନ୍ଧ୍ୟା......

କୋର୍ଟରୁ ଫେରିବା ସମୟ ମୋର ଅତିକ୍ରାନ୍ତ ହୋଇ ଯାଇଥାଏ ଅନେକ ସମୟ । ସାର୍ଟ ପକେଟ୍, ପ୍ୟାଣ୍ଟ ପକେଟରେ ହାତ ପୁରାଇ ବାରମ୍ବାର ଅନୁଭବ କଲି ଅନେକ ଦିନରୁ ଆଶ୍ରୟ ନେଇଥିବା ଦୁଇଟି ଦଶ ପଇସି ବ୍ୟତୀତ ଅନ୍ୟ କିଛି ନାଇଁ । ଘରଣୀଙ୍କର ବହୁ ଚାହିଦାର ଚିଠିଟା ନୋଟ୍ ବୁକ୍‍ରୁ ବାହାର କରି ମକଚି ମକଚି ଫିଙ୍ଗି ଦେଲି ଅନେକ ଦୂରକୁ । ମନଟାକୁ ହାଲ୍‍କା କରିଦେଇ କିଛି ବାଟ ଆଗେଇ ଗଲି । ନିର୍ଜନ ବେଳା ଭୂଇଁରେ ଭୀରୁ ଚନ୍ଦ୍ରିକାର ଅଭିସାର । ଅନେକ ଦିନରୁ ଖୋଜୁଥିଲି ଯେମିତି ଏ ପରିବେଶ । ପାଖ ରେସ୍ତୋରାଁରୁ ହାପ୍ କପ୍ କଫି ପିଇ ଦେଇ କ୍ଳାନ୍ତ ଶରୀରଟା ଲୋଟାଇ ଦେଲି ଚୂନା ଚୂନା ବାଲୁକା ରାଶି ଉପରେ । ମନ ଭିତରେ ଅନେକ ଭାବନା । କୌଣସି ଗୋଟିକର ଆରମ୍ଭ ନାଇଁ କି ଶେଷ ବି ନାଇଁ । ଠିକ୍ ଏଇ ବିପର୍ଯ୍ୟସ୍ତ ମୁହୂର୍ତ୍ତରେ ମୁଁ ଅନୁଭବ କଲି, କେହି ଜଣେ ସୁଲଳିତ ସ୍ଵରରେ ପ୍ରଶ୍ନ ତୋଳୁଛନ୍ତି, “ଆଛା, ଆପଣ ନିଶ୍ଚୟ ଜଣେ ଓକିଲ ! ଗୋଟାଏ ମୋକଦ୍ଦମାରେ ମୋତେ ଜିତାଇ ଦେଇପାରିବେ” ?

ଚମକି ଦେଖିଲି, ମୋ’ଠାରୁ ସାମାନ୍ୟ ଦୂରରେ ଠିଆ ହୋଇ ସାମାନ୍ୟ ନଇଁ ପଡ଼ିଛନ୍ତି ଜଣେ ତରୁଣୀ । ରଙ୍ଗ ଉକୁଟି ଯାଇଥିବା ଖଣ୍ଡେ ନୀଳ ବେଲ ଉପରେ ପିନ୍ଧିଛନ୍ତି ଖଣ୍ଡେ ଛିଟ କୁର୍ତ୍ତା । ଅସଜଡ଼ା ଅସଞ୍ଜତ ଗୋଛାଏ ବାଳ ମୁଣ୍ଡରେ । ଅଧରରେ ଲିପ୍‍ଷ୍ଟିକର ପ୍ରଲେପ ନ ଥିଲେ ବି ଲାଲିମା ଲିଭିନି । ବୟସ ତିରିଶ୍ ବତିଶ୍ ହେଲେ ବି ମନେହେଉଚି ଆହୁରି କମ୍ ଭଳି । ପାଦର ସ୍ପଞ୍ଜ ଚପଲ ହଳକ ସ୍ପଷ୍ଟ ସୂଚାଇ ଦେଉଚି ଯେ, ଏ ଜଣେ ହିପ୍‍ପୀ ତରୁଣୀ ।

ମନରେ ମୋର ବିସ୍ମୟର କୌତୂହଳୀ । ଏମାନଙ୍କ ବିଷୟରେ ମୁଁ ଅନେକ କଥା ଶୁଣି ବିସ୍ମିତ ହୋଇଚି । କିନ୍ତୁ ଏ ଭଳି ଅବାସ୍ତବ କଥାର ମୁହାଁ ମୁହିଁ ହୋଇ ବିସ୍ମୟର ସୀମାରେଖା ଆହୁରି ଦୀର୍ଘ ହୋଇଗଲା । ୟା’ଙ୍କର ପୁଣି ଗୋଟାଏ ମୋକ୍‍ଦ୍ଦମା ଏବଂ ମୋ’ଭଳି ଏକ ହତଭାଗା ଓକିଲ ପାଖରେ । ଏ ସମସ୍ୟାର ସମାଧାନ ଯେ ହାସ୍ୟାସ୍ପଦ ଏଥିରେ ଭାବିବାର କ’ଣ ଅଛି ? ନୀରବ ବିସ୍ମୟରେ ତରୁଣୀଙ୍କ ପ୍ରଶ୍ନିଳ ନୟନ ଦୁଇଟିକୁ ଚାହିଁ ରହିଲି କେବଳ ।

କଣ୍ଠରେ ତାଙ୍କର ପୁନଃ ସଂଳାପ—ମୁଁ ଆପଣଙ୍କଠାରୁ କିଛି ସାହାଯ୍ୟ ଚାହେଁ । ଦୟାକରି ସାହାଯ୍ୟ କରିପାରିବେ କି ମତେ ?

ମୁଁ ନିଷ୍ପନ୍ଦ । କି ଉତ୍ତର ଦେଇ ଏଥିରୁ ମୁକ୍ତି ମିଳିବ ଚିନ୍ତା କରୁ କରୁ ଅନେକ ସମୟ ହୋଇଯାଉଚି । ହିପ୍‍ପୀଙ୍କ ବିଷୟରେ ମୋର ଧାରଣା ଥିଲା, ସେମାନଙ୍କ ଭାବ ଆଉ ଭାଷାରେ ଆଦାନ ପ୍ରଦାନ କେବଳ ତାଙ୍କରି ଗୋଷ୍ଠୀ ଭିତରେ ହିଁ ସୀମିତ । କିନ୍ତୁ ଏ ହିପ୍‍ପୀ ତରୁଣୀ ଜଣଙ୍କ ମୋର ସେ ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲେ । ତାଙ୍କ ଓଠରେ ମୋ ମାତୃଭାଷାର ବାରମ୍ବାର ଉଚ୍ଚାରଣ ମତେ ସ୍ତବ୍ଧ କରି ପକାଉଥିଲା ।

ମୋ ନୀରବତାରେ ଅସନ୍ତୁଷ୍ଟ ନ ହୋଇ ତରୁଣୀ ଜଣଙ୍କ ଏଥର ଆଣ୍ଠୁମାଡ଼ି ମୋ ପାଖରେ ବସିଗଲେ । “କ’ଣ ହେଲା ମୋ କଥା ଆପଣ କିଛି ବୁଝିଲେ ନାଇଁକି” ? କହି, ପକେଟ ଭିତରୁ କେତୁଟା ଟାବଲେଟ୍ ବାହାର କରି ପାଟିରେ ପକାଇ ଦେଲେ ଓ ସଙ୍ଗେ ସଙ୍ଗେ ପକେଟ ଭିତରେ ପୁଣି ହାତ ପୂରାଇ ବାହାର କରି ଆଣିଲେ ଗୋଟାଏ ଚାବି । ମୋ ଚକ୍ଷୁ ସାମ୍ନାରେ ସେ ଚାବିଟିକୁ ତୋଳି ଧରି କହିଲେ, “ଦେଖନ୍ତୁ, ଏଇଟା ଗୋଟାଏ ଚାବି । ଭାବନ୍ତୁ ନାଇଁ ଯେ ଏହାର ମୂଲ୍ୟ କିଛି ନାଇଁ ।”

ଏଇ ଚାବିର ତାଲାକୁ ଖୋଲି ଦେଲାପରେ ଦେଖିବେ ଗୋଟାଏ ବିରାଟ ଡ୍ରଇଂ ରୁମ୍ । ଡ୍ରଇଂ ରୁମ୍‍କୁ ଲାଗି ଗୋଟାଏ ସୁନ୍ଦର ସୁସଜ୍ଜିତ ଡାଇନିଂ ସ୍ପେସ୍ । କୁକିଂ ରେଞ୍ଜଠାରୁ ଆରମ୍ଭ କରି ଲେମନ ସେଟ୍ ପର୍ଯ୍ୟନ୍ତ ସବୁ ଅଛି । ତିନି ତିନିଟା ଡିନର ସେଟ୍ ବି । ତା’ର ପାର୍ଶ୍ଵ କକ୍ଷଟା ଶୟନ କକ୍ଷ । ଟିକ୍ ଉଡ଼୍‍ର ପାର୍ଟିସନ୍ ଦିଆଯାଇ ସେ ହଲଟା ଦୁଇଟା ଶୟନ କକ୍ଷର କାମ ଦିଏ । ମୋଜାଇକ୍ ଲାଟ୍ରିନ୍, ବାଥରୁମ୍, ସୁନ୍ଦର କୋର୍ଟୟାର୍ଡ଼ । ଆଉ ୟା’ର ଉପର ମହଲାଟା ବି ଠିକ୍ ଏଇ ଢାଞ୍ଚାରେ ଗଢ଼ା । ବେଡ଼୍‍ ରୁମ୍‍ଟା କିନ୍ତୁ ଦୁଇଭାଗରେ ବିଭକ୍ତ କରାଯାଇନି । ବାଲ୍‍କନୀଟାର ଭିଉ ଚମତ୍କାର । ଦେଖନ୍ତୁ ସେଇ ପ୍ରାସାଦର ଚାବି ମୋ ହାତରେ । ଯିଏ ମତେ ଜିତାଇ ଦେଇ ପାରିବ ମୋ ମୋକଦ୍ଦମାରେ, ତା’ର ପ୍ରାପ୍ୟ ହେବ ଏଇ ଚାବି ।

‘‘ବିଶ୍ୱାସ କରନ୍ତୁ ମତେ” ।

ଏ ଦୀନ ଓକିଲ ପକ୍ଷେ ଏ ହୁଏତ ଆଶାତୀତ; ତଥାପି ମିଥ୍ୟାରେ ଆନନ୍ଦ ପାଇବା ବି ମନୁଷ୍ୟର ପ୍ରବୃତ୍ତି । ଗୋଟାଏ ହିପ୍‍ପୀ ମୁଖରେ ଅବଶ୍ୟ ଏହା ନିର୍ମମ ମିଥ୍ୟା ହୋଇପାରେ । ସବୁ ଜାଣି ବି ଲୋଭକୁ ସମ୍ବରଣ କରି ପାରିଲିନି । ମୁଁ ତରୁଣୀଙ୍କୁ କହିଲି, କୁହନ୍ତୁ ତ ଦେଖି ଆଗେ ଆପଣଙ୍କ ମୋକଦ୍ଦମାର ବିଷୟ ବସ୍ତୁଟା ।

“ସୃଷ୍ଟି ବିରୁଦ୍ଧରେ” ।

ଆକାଶରୁ ପଡ଼ିଲି ଯେମିତି । ଆଶାନୁଯାୟୀ ଫଳଟା ଠିକ୍ । ଗୋଟାଏ ଦୁଃସ୍ଥ ଆଇନ୍‍ଜୀବୀ ପକ୍ଷେ ଏ ପ୍ରାସାଦ ଲାଭର କଳ୍ପନା ଦୁଃସ୍ଵପ୍ନ ଭଳି ମିଳେଇ ଗଲା । କ୍ଷମା ମାଗିବାର ବିନୟୀ କଣ୍ଠରେ କହିଲି, ଦେଖନ୍ତୁ ! କେବଳ ମୋ’ପାଇଁ ଏହା ଦୁଃସାଧ୍ୟ ନୁହେଁ । ପ୍ରତ୍ୟେକ ଆଇନ୍‍ଜୀବୀ ପକ୍ଷେ ଏହାର ସମାଧାନ ଅସମ୍ଭବ ।

ସ୍ୱଚ୍ଛ ଜ୍ୟୋତ୍ସ୍ନାର କେଇଟି ବିନ୍ଦୁ ଭଳି ଚକ୍ ଚକ୍ ହୋଇଉଠିଲା ତରୁଣୀଙ୍କ ଚକ୍ଷୁରେ ଦୁଇଟି ଅଶ୍ରୁ ବିନ୍ଦୁ । ହତାଶାର କ୍ଳାନ୍ତିରେ ଚକ୍ଷୁ ଦୁଇଟି ମୁଦ୍ରିତ ହୋଇ ଆସିଲା ଆସ୍ତେ ଆସ୍ତେ ।

ସହାନୁଭୂତିର ପ୍ରାଚୁର୍ଯ୍ୟରେ ମୁଁ ବି ଅନୁଭବ କଲି, ମୋ ଆଖି କ୍ରମେ ଓଦା ହୋଇ ଆସୁଚି-। ଉଚ୍ଛ୍ଵସିତ ଅଶ୍ରୁକୁ ରୁମାଲରେ ଚାପି ଦେଇ କହିଲି, ମୋ ଉତ୍ତରରେ ଆପଣ ବ୍ୟଥା ପାଇଲେ ନିଶ୍ଚୟ ।

ବେଦନାର ଭଙ୍ଗା ଭଙ୍ଗା କଣ୍ଠରେ କହିଲେ ସେ, ଆରେ ନା—ବ୍ୟଥା, ବେଦନା ଆମକୁ, ସେ ସବୁକିଛି ସ୍ପର୍ଶ କରେନା—, ସେମାନଙ୍କ ପାଖେ ଆମେ ସବୁ ଅସ୍ପୃଶ୍ୟ । ଗଳିତ କୁଷ୍ଠ ଭଳି ଆମେମାନେ ରାସ୍ତାରେ ବସିଲେ ବି ଶୋଚନା ନାଇଁ ଆମର । ସମାଜ ଆମକୁ କୋଉ ଦୃଷ୍ଟିରେ ଦେଖେ, ତା’ ବି ଜାଣିବା ପାଇଁ ଆମେ କେବେ ଚେଷ୍ଟା କରୁନି । ଆମେ ହୁଏତ ହତଭାଗ୍ୟ, ସେଥିନେଇ ଆମେମାନେ କେବେ ବିଚଳିତ ନୋହୁଁ; କିନ୍ତୁ ଶୁଣନ୍ତୁ—

ନାଁ—ସେ ଆଉ କିଛି କହି ପାରୁନଥିଲେ । ରୁଦ୍ଧ ବେଦନାରେ ସେ ଯେମିତି ଅସ୍ଥିର ହୋଇ ଉଠୁଥିଲେ ମୁର୍ହୂମୁର୍ହୂ

ସେ ମୁହୂର୍ତ୍ତରେ ତାଙ୍କ ନିଶ୍ଚଳ ଆଖି ପତାରୁ ସ୍ପଷ୍ଟ ମନେହେଉଥିଲା ଯେ, ସୃଷ୍ଟି ବିରୁଦ୍ଧରେ ତାଙ୍କର ଦୂରନ୍ତ ଅଭିମାନଟା କ୍ରମେ ହିଂସ୍ର ହୋଇଉଠୁଚି ।

“ଦେଖନ୍ତୁ ! ମନୁଷ୍ୟ ପ୍ରତ୍ୟେକ ଅସାଧ୍ୟ ସାଧନ ପାଇଁ ସକ୍ଷମ ହୋଇପାରୁଚି । ଜହ୍ନ ପାଖକୁ ଯିବାପାଇଁ ଯେତେବେଳେ ଉଡ଼ିଶିଖିଲା ସୃଷ୍ଟି ବିରୁଦ୍ଧରେ ଗୋଟାଏ ମୋକଦ୍ଦମା କରିବା ପାଇଁ ଏମିତି ନାରାଜ ହେଉଛି କାହିଁକି ? ବର୍ଷ ବର୍ଷ ଧରି ଏ ସହରରୁ ସେ ସହର, ସେ ସହରରୁ, ଏ ସହର, ଏ ଗଳିରୁ ସେ ଗଳି, ରାସ୍ତାରେ ରାସ୍ତାରେ ଏଇ ପାଦରେ ଚାଲି ଚାଲି ଖୋଜି ବୁଲୁଚି ଜଣେ ଆଇନ୍‍ଜୀବୀଙ୍କୁ ଯିଏ କି ଅନ୍ତତଃ ଏ ମୋକଦ୍ଦମାଟା କରାଇବା ପାଇଁ ରାଜି ହୋଇଯିବ । ମାତ୍ର ନାଁ–କେହି ନୁହେଁ, ଜଣେ ବି ନୁହେଁ ।

ଏତକ ବ୍ୟକ୍ତ କରୁଥିଲା ବେଳେ ଗଭୀର ଦୁଃଖରେ ଯେ ସେ ଭାଙ୍ଗିପଡ଼ୁଥିଲେ, ବେଶ୍‍ ଉପଲବ୍ଧି କରୁଥିଲି ମୁଁ । ମାତ୍ର କି ସାନ୍ତ୍ୱନା ଦେଇ ତାଙ୍କୁ ବୁଝାଇବି ଜାଣି ପାରୁନଥିଲି । ମୁଁ ତାଙ୍କୁ ଧରି ନେଇଥିଲି, ସେ ଏକ ରକମ୍ ପାଗଳିନୀ ଛଡ଼ା ଅନ୍ୟ କିଛି ନୁହେଁ; କିନ୍ତୁ ତାଙ୍କ ଚକ୍ଷୁର ଧାର ଧାର ଅଶ୍ରୁ ମୋର ସେ ଭାବନାକୁ ଧୋଇ ନେଉଥିଲା ।

କି ଅଦ୍ଭୁତ ଆଶା ନେଇ ସେ ଆସିଛନ୍ତି ମୋ ପାଖକୁ ? ସୃଷ୍ଟି ବିରୁଦ୍ଧରେ ମୋକଦ୍ଦମା...-! ହସ ଲାଗୁଥିଲା, ବିସ୍ମିତ ହେଉଥିଲି ବି । ମନୁଷ୍ୟର ଆସ୍ପର୍ଦ୍ଧା ସତରେ ଗଗନ ଚୁମ୍ବୀ-। କେତେ ଦୀନହୀନ ବ୍ୟାଧି ପ୍ରପିଡ଼ିତ ଏ ସୃଷ୍ଟିରେ ନାହାନ୍ତି; କିନ୍ତୁ କାହାର ପାଟିରୁ ଏଭଳି ଅଭିଯୋଗ ସ୍ୱର ତ ଶୁଣାଯାଇନି । ନିଜ ଅଜାଣତରେ ଭଗବାନଙ୍କ ଉଦ୍ଦେଶ୍ୟରେ ମୋର ଦୁଇ ଯୁକ୍ତହସ୍ତ ଉପରକୁ ଉଠିଯାଇ ବିନମ୍ର କଣ୍ଠରେ କହିଉଠିଲା, ଏ ହିପ୍‍ପୀ ତରୁଣୀଙ୍କ ଔଧତ୍ୟକୁ କ୍ଷମା ଦିଅ ଭଗବାନ-

ରୁଦ୍ଧ ଅଭିମାନର ଆବେଗରେ ତରୁଣୀ ଜଣଙ୍କ ପୁନଃ କହିଉଠିଲେ, ଦେଖନ୍ତୁ ! କେତେ ବା ଶ୍ରମ କରିବାକୁ ପଡ଼ିବ ଆପଣଙ୍କୁ ? ମୁଁ ତ କଥା ଦେଉଛି, ଫ୍ୟାକ୍‍ଟ ଟା ଆପଣଙ୍କୁ ପ୍ରାଞ୍ଜଳଭାବେ ବୁଝାଇ ଦେବି !

ଏଥର ଉଠିଲି । ଧୈର୍ଯ୍ୟର ସହିତ ଆଉ ଶୁଣା ଯାଇପାରେନା । ନମ୍ର ସ୍ୱରରେ କହିଲି, ଦେଖନ୍ତୁ ! ମୋ ଦେଇ ଏ ସମ୍ଭବ ନୁହେଁ । ରାତି ଅନେକ ହେଲାଣି । ଘରକୁ ଯିବା ପାଇଁ ମତେ ପୁଣି ଅନେକ ବାଟ ଯିବାକୁ ପଡ଼ିବ । “ଘର ? ହା ହା ହା.....ଓ ! ଦେଖୁଚି ଘରର ମମତା ଆପଣଙ୍କ ବୁଦ୍ଧିକୁ ଧ୍ୱଂସ କରି ପକାଉଛି । ଆପଣ ଆଇନ୍ ବ୍ୟବସାୟୀ, ଅଥଚ ଗୋଟେ ମୋକଦ୍ଦମା ପାଇଁ ପଛଘୁଞ୍ଚା ଦେଉଛନ୍ତି ?’’

କଥାରେ ତାଙ୍କର ଆଘାତ ପାଇଲି ମୁଁ । ଓଠର ଶୁଷ୍କହସ ଟାଣି କହିଲି; ଯାହାର ଘର ନାହିଁ; ତା’ର ମମତା ଆସିବ କୁଆଡ଼ୁ ? ଘର ଆମ ବୁଦ୍ଧିକୁ ଧ୍ୱଂସ କରିପାରେ, କିନ୍ତୁ ନିଜକୁ ତ ଧ୍ୱଂସ କରୁନି । ଯଦି ଆପଣମାନଙ୍କର ଘର ଥାଆନ୍ତା, ତେବେ ଏ ଅମୃତମୟ ସୃଷ୍ଟି ବିରୁଦ୍ଧରେ ଏତେଟା ଆପଣଙ୍କର ବି ରାଗ ଜନ୍ମି ନ ଥାଆନ୍ତା ।

ଆହତ ଉଚ୍ଚକିତ ସ୍ୱରରେ ସେ କହିଲେ, “ଆପଣମାନେ ବୁଝନ୍ତି ତା’ହେଲେ ଆମେମାନେ ସ୍ୱର୍ଗରୁ ଖସିଚୁ ? ଅଭିଶପ୍ତ କିନ୍ନରପରି ଆମମାନଙ୍କର ସୃଷ୍ଟି । ଧରଣୀ ଉପରେ ଚାଲିବାର ବି ଅଧିକାର ନାହିଁ ଆମମାନଙ୍କର । ଯଦି ଏଭଳି ଆପଣମାନଙ୍କର ଧାରଣା ଥାଏ, ତେବେ ଶୁଣନ୍ତୁ; ମୋର ବି ଘର ଥିଲା... ।

ଅସ୍ଥିର ହୋଇଉଠିଲେ ସେ... । ଆଖିର ଧାର ଧାର ଲୁହକୁ ଚାପି ଦେଇ ଅପର ଦିଗକୁ ମୁହଁ ବୁଲାଇ ଦେଲେ... ।

ଦୁହେଁ ଆମେ ନୀରବ... । କାହାରି ପାଟିରେ ଭାଷା ନାହିଁ..... ବେଳା ଭୂଇଁର କୌଣସି ଏକ ସ୍ୱଳ୍ପ ବ୍ୟବସାୟୀ ଖେଳନା ବେପାରୀର ଆମେ ଯେମିତି ଦୁଇଟି ପ୍ଲାଷ୍ଟିକ୍ କଣ୍ଢେଇ… । କ୍ରେତାଙ୍କୁ ପ୍ରଲୁବ୍ଧ କରାଇବା ପାଇଁ ଆମେ ଦୁହେଁ ବସି ରହିଚୁ ଦୁଇଜଣ ବିପରୀତ ଦିଗକୁ ମୁହଁକରି ।

ତରୁଣୀଙ୍କ କୋମଳ ଭାବପ୍ରବଣ ପ୍ରବୃତ୍ତି ଦେଖି ନିର୍ବାକ ହୋଇଯାଉଥିଲି ମୁଁ... । ସହଜ ସ୍ୱରରେ କହିଲି; ଆପଣ ଏତେ ଭାବପ୍ରବଣ ହୋଇ, ଘରର ମାୟା ମମତାକୁ ଭୁଲି ଏ ଉଚ୍ଛୃଙ୍ଖଳ ଜୀବନକୁ ବାଛି ନେଲେ କାହିଁକି ? ଘର ଥିଲା । ଅଥଚ ଆପଣ......

ଆକୁଳ ଶିଶୁପରି ଦୁଇ ହାତରେ ମୁହଁକୁ ଚାପି ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ ସେ-। ଏ କ୍ରନ୍ଦନର ଉଚ୍ଛ୍ୱାସ ଯେମିତି କମିବାର ନୁହଁ । ଭୟରେ ମୁଁ ମ୍ରିୟମାଣ ହୋଇପଡ଼ିଲି । ନିରୋଳା ବେଳାଭୂଇଁରେ ଜଣେ ହିପ୍‍ପୀ ତରୁଣୀଙ୍କ କଣ୍ଠରେ କ୍ରନ୍ଦନର ଧ୍ୱନି ମୋର ପାଖରେ ବସି କ’ଣ ଯେ ହୋଇପାରେ ଆଉ ଭାବିପାରିଲି ନାହିଁ । ଅନୁଭବ କରୁଥିଲି, ପରିସ୍ଥିତିଟା କ୍ରମସଃ କରୁଣ ହୋଇପଡ଼ୁଚି । କ’ଣ ଯେ ହେବ...

ସେଇ କରୁଣତାର ଆର୍ତ୍ତ ଚିତ୍କାରବେଳେ ଶୁଣିବାକୁ ପାଇଲି ତରୁଣୀ ଜଣଙ୍କ ଛୋଟ ଦୀର୍ଘଶ୍ୱାସଟିଏ ତୋଳି ନେଇ କାହାଣୀଟିଏ କହିବା ପାଇଁ ଆରମ୍ଭ କରି ଦେଇଛନ୍ତି... ।

“ଦିନ, ମାସ, ବର୍ଷ କହିବାର ପ୍ରୟୋଜନ ନାହିଁ । ସ୍ମୃତିର ବୋଝକୁ ନୀରବରେ ବୋହି ଚାଲିବାର କ୍ଷମତା ଯଥେଷ୍ଟ ଥିଲେ ବି ବୋହି ବୋହି କ୍ଳାନ୍ତ ହୋଇ ପଡ଼ୁଚି ପଛେ; ଶାନ୍ତି ପାଇ ପାରୁନି । ହେଉ ପଛକେ ମୁହୂର୍ତ୍ତକ ପାଇଁ, ସେ ବୋଝ ଆପଣଙ୍କ ପାଖେ ଓହ୍ଲାଇ ଦେଲେ ମୁଁ ପାଇବି ପରମ ତୃପ୍ତି । ଯଦିଓ ପୁଣି ବୋହି ନେବାକୁ ପଡ଼ିବ ମତେ ।

କାଆଲି ଭଳି ମନେହେଉଛି, ମୋର ଯେତେବେଳେ ହଠାତ୍ ନିଦ ଭାଙ୍ଗେ, ଅନୁଭବ କରେ ଝିପିଝିପି ବର୍ଷାର ସ୍ଵର ଆଉ ଶୁଣାଯାଉନି । ବିଗତ ରାତ୍ରିଟା ବେଶ୍ ଆମୋଦ ଦାୟକ ହୋଇଥିଲା, କେବଳ ସେଇ ବର୍ଷାର ସଙ୍ଗୀତ ଆଶ୍ଳେଷ ଭିତରେ ଆବଦ୍ଧ ରହି । ସ୍ଵପ୍ନର ତନ୍ଦ୍ରାରେ ଶୋଇ ଶୋଇ ଯେତେବେଳେ କଡ଼ ଲେଉଟାଉଥାଏ ମୁଁ ମନେ ହେଉଥାଏ, ଏଇଟା ନିଶ୍ଚୟ ଗୋଟାଏ ଦାର୍ଜିଲିଂର ହିମଶୀତଳ ରାତ୍ରି ।

 

ବର୍ଷାର ସେହି ମଧୁର ସଙ୍ଗୀତର ଅଭାବରେ ମନଟା ମରି ମରି ଯାଉଥିଲେ ବି ଗୋଟାଏ ଅଳସ ଛନ୍ଦରେ ଶୋଇ ଶୋଇ ଭାବୁଥିଲି, ଯଦି ଏ ବର୍ଷାଟା ଆଉ ଘଣ୍ଟାଏ କି ଦୁଇ ଘଣ୍ଟା ରହି ଯାଇ ଥାଆନ୍ତା, ଆଃ...କି ମଜା ହୋଇ ନ ଥାଆନ୍ତା... । କାଲୁଆ ପବନରେ ଶୋଇରହି କିଛି ସମୟତ ଅର୍ଦ୍ଧଜାଗରଣ ଅବସ୍ଥାରେ ଉପଭୋଗ କରି ହୋଇ ଥାଆନ୍ତା ସମାଗତ ସକାଳଟାକୁ... । ଅବା ପାଗର ବାହାନା ଦେଖାଇ କଲେଜ ଯିବାକୁ ପଡ଼ି ନ ଥାନ୍ତା ଆଉ । ଅବଶ୍ୟ କଲେଜ ବନ୍ଦ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମାତ୍ର ପାଗର ବାହାନା ଦେଖାଇ କଲେଜ ନ ଯିବାଟା ମୋ’ପାଇଁ ଗୋଟାଏ ଆଭିଜାତ୍ୟ ରୁଚି... ।

 

କିନ୍ତୁ ନାଁ—ଗୋଟାଏ ଚୋର କି ତସ୍କର ଭଳି, ନିତ୍ୟାନ୍ତ ଭୀରୁ ଭାବେ ନିର୍ଜନ ରାତ୍ରିରେ ଆସି, ନିଭୃତରେ ପଳାଇ ଯାଇଥିଲା ବର୍ଷାଟା । ବଡ଼ ଅଶ୍ୱସ୍ଥିକର ବୋଧ କରୁଥିଲି ମୁଁ । ମନହେଉଥିଲା, ଫ୍ୟାନର ସୁଇଚଟା ଫୁଲ୍ ସ୍ଵିଚରେ ଅନ୍ କରିଦେଇ ଶୋଇଯାଆନ୍ତି । ସେଇ ଅଶ୍ୱସ୍ତିକର ପରିବେଶରେ ଶୁଣିବାକୁ ପାଇଲି ଝରକାରେ କାହାର ମୃଦୁ କରାଘାତ... । ସକାଳ ହୋଇଗଲା ବୋଧେ... । ପୂଜାରୀ ରାମ ସିଂ (ଧରି ନିଅନ୍ତୁ ପୂଜାରୀ ନାଁ ରାମ ସିଂ) ଉଷ୍ଣ କଫିର ଟ୍ରେ ଧରି ପଶିଆସିବ କକ୍ଷ ଭିତରକୁ...ଆମକୁ ପ୍ରଲୁବ୍ଧ କରିବା ପାଇଁ... । ସକାଳର ଆଳସ୍ୟ ଆମକୁ ଏତେ ଶୀଘ୍ର ମୁକ୍ତି ଦେଇପାରେନା ତା’ ପାଖର । ରାମ ସିଂର କରାଘାତ ଶୁଣି, ବୁଲୁ ଭାଇ (ମୋ ଭାଇର ନାଁ’ଟାକୁ ବି ଧରି ନିଅନ୍ତୁ ବୁଲୁ) ଶୋଇ ଶୋଇ ବିରକ୍ତ କଣ୍ଠରେ କହେ, ଆଜିର କଫିଟା ନ ପିଇଲେ ମୋର ଆଦୌ ମୃତ୍ୟୁ ହୋଇ ଯିବନି ରାମ ସିଂ... ।

 

ମୁଁ କିନ୍ତୁ କଫିର ଲୋଭ ସମ୍ଭାଳି ପାରେନା—। ରାମ ସିଂ ହାତରୁ କଫି ଟ୍ରେ ନେଇ ବୁଲୁ ଭାଇ ଶଯ୍ୟା ପାଖେ ବସିଯାଏ । ଲକ୍ଷ୍ୟ କରି ଦେଖେ, ବୁଲୁ ଭାଇ ଗହନ ନିଦରେ ଶୋଇ କାହାର ସ୍ମୃତିର ରୋମନ୍ଥନରେ ମଗ୍ନଅଛି । ତା’ ଓଠ ଉପରେ ହସ କାନ୍ଦର ଚୂନା ଚୂନା ଭଂଗ୍ନାଶଗୁଡ଼ାକୁ ଦେଖି ମୁଁ ଯେତିକି ବିସ୍ମିତ ହୁଏ, ସେତିକି ଲଜ୍ଜିତ ହୋଇପଡ଼େ । ଧୀର ଗଳାରେ ଡାକେ, “ବୁଲୁ ଭାଇ ! କଫି”... । ମୋ କଣ୍ଠସ୍ଵର ଏତେ ନିକଟରେ ଶୁଣି ଉଠିପଡ଼େ ସେ ଖୁବ୍ ବେଗରେ । କଫି କପ୍‍ଟା ତା’ ହାତକୁ ବଢ଼ାଇ ଦେଇ କୁହେ, ‘‘ତମ କଲେଜରେ କେହି ସରିତା ନାମ୍ନୀ ଝିଅ ଅଛି ବୁଲୁ ଭାଇ... ? ମେଜିକ୍ ଭଳି ବୁଲୁଭାଇର ଆଖିରୁ ନିଦ୍ରା କୁଆଡ଼େ ଉଭେଇ ଯାଏ… ଜଳି ଉଠେ ଅସଂଖ୍ୟ ବିଦ୍ୟୁତ୍ ବଲ୍‍ବର ଆଭା—ଆବେଗ ଜଡ଼ିତ କଣ୍ଠରେ କୁହେ, “ହଁ...ହଁ ତୁ ଜାଣିଲୁ କେମିତି, ଭାରି ସୁନ୍ଦର...ଦେଖିଚୁ ତାକୁ ?”

 

ନାଁ—ନାଆଁଟା କେବଳ ଶୁଣିଚି ତୋରି ପାଟିରୁ । ଆଜି ଶୋଇ ଶୋଇ କେବଳ ତାରି ନାଁଟା ବାରମ୍ବାର ଉଚ୍ଚାରଣ କରୁଥିଲୁ ନାଁ... ?

 

ବେବୀ... (ମୋ ନାଁଟାକୁ ବି ଧରି ନିଅନ୍ତୁ ବେବୀ) ରୁଦ୍ଧ ହୋଇଆସେ ବୁଲୁ ଭାଇର କଣ୍ଠ– । ମୋ’ଭଳି ଗୋଟାଏ ଏତେ ଅଳ୍ପବୟସ୍କା ଝିଅ ପାଖରେ ଏଭଳି ଭାବେ ଧରାପଡ଼ି ଯାଇ ବୁଲୁଭାଇ ଅପମାନରେ ଭାଙ୍ଗି ଭାଙ୍ଗି ପଡ଼େ । ଯୌବନର ପ୍ରତିଟି ଅନୁଭୂତି ନେଇ ସେ ଥିଲା ମାର୍ଜିତ... । ମୁଁ ତ ସ୍ପର୍ଶ କରୁଥିଲି ଏଇ...

 

ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଥିଲି ମୁଁ... । ଖଣ୍ଡେ ଗାଉନ୍ ଲଜ୍ଜା ନିବାରଣ ପାଇଁ, ମୋ’ପାଇଁ ଥିଲା ଯଥେଷ୍ଟ । ଫିଜିକ୍‍ସ ପ୍ରୋବ୍ଲେମ୍ ମୋ ମୁଣ୍ଡରେ ସଦା ଚକ୍‍ର କାଟି ଚାଲୁଥିଲା ବେଳେ, ବୁଲୁଭାଇର ହାତ ମୁଠା ଭିତରେ ଅନବରତ୍ ଚିପି ହୋଇ ରହିଥିଲା, “ହାଉ ଟୁ ବି ହିପ୍‍ପୀ ଦୋ ମ୍ୟାରେଡ୍” ସଚ୍ଚିତ୍ର ବହିଟା...

 

କାଇଁ...ରାମ ସିଂର କଣ୍ଠସ୍ଵର ତ ଶୁଣା ଗଲାନି...ବାହାର ଝରକାରୁ ଆବାଜ ଆସୁଥିଲା ଖୁବ୍ ଜୋରରେ । ସେ ବାହାର ଝରକାଟା ଖୋଲିବା ପାଇଁ ମୁଁ ଆଦୌ ପସନ୍ଦ କରେନି । କୋଉ ବାଳୁଙ୍ଗା କି ଲୋଫରର ଆସ୍ପର୍ଦ୍ଧା ଭାବି ଶୋଇ ପଡ଼ିବାର ଛଳନା କଲି । କିନ୍ତୁ ଇଏ କ’ଣ ? ଗୋଟାଏ ପରିଚିତ, ଅସ୍ପଷ୍ଟ ବ୍ୟସ୍ତତାର ସ୍ୱର ଭାସି ଆସୁଚି...ବେବୀ...ବେବୀ...ବେବୀ... ।

 

କିଏ ବୁଲୁଭାଇ... ? ଦୌଡ଼ି ଯାଇ ଧଡ଼ାସ୍ କିନା ଝରକାଟା ଖୋଲି ଦେଲି । ସକାଳ ତଥାପି ହୋଇ ନ ଥାଏ । ଅଧା ଅନ୍ଧାର ଓ ଅଧା ଆଲୋକ ଭିତରେ ସ୍ପଷ୍ଟ ହୋଇ ଉଠୁଥାଏ ବୁଲୁଭାଇର ପ୍ରତିକୃତି । ଗୋଟାଏ ସ୍କୁଟର ଉପରେ ବୁଲୁଭାଇ ଓ ତା’ କାନ୍ଧରେ ହାତ ରଖି ଜଣେ ସୁନ୍ଦରୀ ତରୁଣୀ । ହିନ୍ଦି ଚିତ୍ର ଜଗତର ନୂଆ କରି ପାଦ ଦେଇଥିବା ଜଣେ ସଦ୍ୟ ନାୟିକାଙ୍କ ଭଳି ଚେହେରା । ଆନନ୍ଦର ପ୍ରାଚୁର୍ଯ୍ୟ ଭିତରେ ବନ୍ଦୀ ନୁହେଁ ।

 

ଝରକା ପାଖକୁ ଦଉଡ଼ି ଆସି, ବୁଲୁଭାଇର ବିବ୍ରତ ସ୍ୱର “କ’ଣ ବୋକୀଙ୍କ ଭଳି ଅନେଇଚୁ... ? ଏ ହେଉଛନ୍ତି ସୌମ୍ୟା ପଟ୍‍ନାୟକ । ପୁଲିସ ଆମ ଦୁହିଁଙ୍କୁ ଫଲୋ କରୁଛି, ଆଉ ସମୟ ନାଇଁ—ଆମେ ଯାଉଚୁ ଭାରି,...ଡାଡୀ ଓ ମାମୀଙ୍କୁ ଏୟା କହି ଦେବୁ...ବାଏ...ବେବୀ ! ବାଏ”

 

ଚକ୍ଷୁରୁ ମୋର ଏକ ଅଜଣା ବିସ୍ମୟ ଓ ଆତଙ୍କର ଅଶ୍ରୁଧାରା ଗଡ଼ିପଡ଼ିଲା । ସେଦିନ ରାତିରେ, ପ୍ରତି ଦିନ ଭଳି ବୁଲୁଭାଇ ଯାଇଥିଲା ବାହାରକୁ ଏଥି ନେଇ ମୁଁ ବା କାହିଁକି ସନ୍ଦେହ କରିବି ? ତା’ ପରଦିନ ସକାଳୁ ଦେଖେ ବୁଲୁଭାଇ ଶଯ୍ୟାରେ... । କେତେ ରାତିରେ ସେ ଫେରେ, ମୁଁ କିନ୍ତୁ ଜାଣେନା– । ରାମ ସିଂ କବାଟ ଖୋଲା ଦାୟିତ୍ୱରେ ଥାଏ... । ତା’ର ଚାଲି ଚଳଣରେ ମୋର ସନ୍ଦେହ ଉପୁଜିଲେ ବି ସେ ଯେ ଘର ଛାଡ଼ି ଚାଲିଯିବ, ମୋର କଳ୍ପନାର ବାହାର । ବୁଲୁଭାଇ ଛଡ଼ା ଘର ଭିତରେ ମୋର ନିଜର ହୋଇ କେହିଥିଲା ଭଳି ମନେହୁଏନା ମୋତେ ।

 

ମହିଳା ସମିତି ନେଇ ମାମୀ ଦିନ ରାତି ବ୍ୟସ୍ତ ଥାଆନ୍ତି । ଆଜି ଏଠାରେ ବକ୍ତୃତା ଦେବାକୁ ପଡ଼ିବ । ସେଠାରେ ନୂତନ ସମିତି ଉଦ୍‍ଘାଟନ ହେବ । ସମ୍ବାଦପତ୍ର ସମ୍ପାଦକଙ୍କ ଝିଅ କିମ୍ବା ବୋହୂଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରାଗଲେ ସମ୍ବାଦ ପ୍ରକାଶରେ କୌଣସି ଅସୁବିଧା ହେବନି । ଏହିଭଳି ରାଜନୀତି, ଅର୍ଥନୀତି ବ୍ୟାପାର ଭିତରେ ବୁଡ଼ିରହି ଥାଆନ୍ତି ସେ । ତାଙ୍କର ଗୋଟିଏ ମୁହୂର୍ତ୍ତର ସାନ୍ନିଧ୍ୟ ମଧ୍ୟ ମତେ ମିଳେ ନାହିଁ । ସବୁ ସୁଖ ଦୁଃଖ ଭଲ ଆଉ ମନ୍ଦର ସାଥୀ ଥାଏ ବୁଲୁଭାଇ । ବୁଲୁଭାଇ ମତେ ଉପେକ୍ଷା କରି ଚଳି ଯାଇପାରେ । ମାତ୍ର ମୁଁ ଆଦୌ ନୁହେଁ । ପ୍ରତି ପଦକ୍ଷେପରେ ବରଂ ମୁଁ ତାଙ୍କୁ ସାହାଯ୍ୟ କରେ । ଅନେକଥର ମାମୀଙ୍କ ଭ୍ୟାନିଟିବ୍ୟାଗ ଭିତରୁ ଟଙ୍କା ଆଣିଦେଇଛି ବୁଲୁଭାଇକୁ । ଏତେ ବଡ଼ ଆନ୍ତରିକତାର ରଜୁଟାକୁ ବୁଲୁଭାଇ ଛିଣ୍ଡାଇ ଦେଇ ଚାଲିଯିବ ବୋଲି ମୁଁ କଳପନା ସୁଦ୍ଧା କରି ନ ଥିଲି । ସେ ଚାଲି ଯିବା ପରେ ମୋର ଦୁଃଖ ଯେ କେତେଦୂର ମର୍ମନ୍ତୁଦ ନିଶ୍ଚୟ ଯେ କେହି ଅନୁମାନ କରି ପାରୁଥିବେ । ଦୁଇ ହାତର ପାପୁଲିରେ ଶକ୍ତଭାବେ ଝରକାର ରେଲିଂକୁ ଚାପିଧରି ସେ ଦୁର୍ବିସହ ମୁହୂର୍ତ୍ତରୁ ରକ୍ଷା ପାଇବା ପାଇଁ କି ଯେ ଚେଷ୍ଟା ନ କରିଚି ମୁଁ ।

 

ଠିକ୍ ସେଇ ଚରମ ମୁହୂର୍ତ୍ତରେ ମହିଳା ସମିତିର ଚାକରାଣୀ ଲୀଳାବତୀ ଆସି ଜଣାଇଲା, ଦେଈ–ମାଆ କାଲି ରାତିରେ ପୁରୀ ଚାଲିଗଲେ, ମିତ୍ରବାବୁଙ୍କ (ସହରର ବିଶିଷ୍ଟ କଣ୍ଟ୍ରାକ୍ଟର ଏବଂ ମହିଳା ସମିତିର ପରିଚାଳକ) ସଙ୍ଗରେ, କେବେ ଫେରିବେ କହି ନାହାନ୍ତି । କହିଥିଲେ ତୁମକୁ ଜଣାଇ ଦେବାପାଇଁ । ରାତିରେ କାଲି ବର୍ଷା ହେବାରୁ ଆସି ପାରିଲିନି । ଲୀଳାବତୀର ଲୀଳାୟିତ ଭଙ୍ଗୀର ପ୍ରସ୍ଥାନପରେ ଗେଟ୍ ସାମ୍ନାରେ ଆସି ଠିଆହେଲା ଗୋଟିଏ କାର୍-

 

ଏ କାର୍‍ ତ ଡାଡୀଙ୍କର । ବୁଡ଼ିଗଲା ନା’ର ଲୋକେ କୁଟା ଖଣ୍ଡେ ପାଇ ନିଜକୁ ବଞ୍ଚାଇ ପାରିବାର ଆନନ୍ଦରେ ବିଭୋର ହୋଇଉଠିଲାଭଳି ମୁଁ ଖୁସିରେ ଦୋହଲି ଗଲି । ଦୁଃଖ, ଅଭିମାନ, ହତାଶା ଆଉ କ୍ଳାନ୍ତିର ସ୍ଵରଟା ଗୋଟାଏ ସ୍ୱଚ୍ଛ ଝରଣାର ସ୍ଵରଭଳି ଉଚକିତ ହୋଇଉଠିଲା ଡା...ଡୀ... । ମାତ୍ର ୟେ କ’ଣ ? ଡାଡୀ ଓହ୍ଲାଉ ନାହାନ୍ତି ଗାଡ଼ିରୁ । ଡ୍ରାଇଭର ଆସି ଜଣାଇଲା, “ସାହାବ ଅର୍ଜେଣ୍ଟ କାମ ନେଇ ବମ୍ବେ ଚାଲି ଯାଉଛନ୍ତି । କାଲି ରାତିରେ କ୍ଲବର ବିଶେଷ କାର୍ଯ୍ୟକ୍ରମ ଥିବାରୁ ଆସିପାରିନଥିଲେ ।”

 

ଡ୍ରାଇଭରର ବକ୍ତବ୍ୟ ପ୍ରତି ମୋର ତିଳେହେଲେ ଆଗ୍ରହ ନ ଥାଏ । ଚକ୍ଷୁର ଡୋଳା ଦୁଇଟି ଅସହାୟଭାବେ ପହଂରି ପହଂରି ଲାଖି ରହିଥାଏ କାର୍‍ ପାଖରେ । ସେ ଏକ ଅପୂର୍ବ ଦୃଶ୍ୟ । ଡାଡୀ ଜଣେ ମହିଳାଙ୍କ ଉପରେ ଘୁମେଇ ପଡ଼ି ଥାଆନ୍ତି କ୍ଳାନ୍ତଭଳି । ଅଦୃଶ୍ୟ ହୋଇପଡ଼ୁଥାଏ ତାଙ୍କ ଛଅଫୁଟ ଦି’ ଇଞ୍ଚର ସୁସ୍ଥ ଗୌର ତନୁଟା । ମାତ୍ର ସ୍ପଷ୍ଟ ହୋଇଉଠୁଥାଏ ମହିଳାଙ୍କ ପ୍ରତିକୃତି । ବର୍ଣ୍ଣ ସଫା, ସ୍ୱାସ୍ଥ୍ୟବତୀ । ବୟସ ପାଖାପାଖି ଛତିସ୍ ସଂଇତିରିଶ୍ ହେଲେ ବି କେଶ ବିନ୍ୟାସରୁ ମନେହେଉଥାଏ ସେ ଯେମିତି ପାଦ ଦେଇଛନ୍ତି ଯୌବନର ପ୍ରଥମ ସୋପାନରେ । ଆଖିର ପରଦା ଉପରୁ ଅଦୃଶ୍ୟ ହୋଇଗଲା ଗାଡ଼ିଟା ସ୍ଵପ୍ନ ପରି ।

 

ଅଶ୍ରୁର ମହାସମୁଦ୍ର ଭିତରେ ଯେମିତି ମୋର ବସତି । ମନହେଉଥିଲା, ଗୋଟିଏ ମାତ୍ର ଦିଆସିଲି କାଠିରେ ସାରା ସୃଷ୍ଟିକୁ ଜାଳି ପୋଡ଼ି ଛାରଖାର କରି ଦିଅନ୍ତି । ରାତ୍ରି ଜାଗ କ୍ଲବରେ ଲିପ୍ତ ରହିବା ଉଦ୍ଦେଶ୍ୟ ଡାଡୀଙ୍କର ମୁଁ ସେଇଦିନ ବୁଝିଲି ମର୍ମେ ମର୍ମେ । ଆଗରୁ ମୋର ଧାରଣା ଥିଲା, ଡାଡୀ ଜଣେ ବିରାଟ ସ୍ମୋଗ୍‍ଲର ଦୃଷ୍ଟିରୁ ସେ କ୍ଲବର ଆର୍ଥିକ ପରିଚାଳନା ଦାଇତ୍ଵରେ ଥାଇ ବେଳେ ବେଳେ ରାତିରେ ଘରକୁ ଫେରିବାପାଇଁ ସମୟ ପାଆନ୍ତି ନାହିଁ । କିନ୍ତୁ...

 

ହତାଶାର ସ୍ଵର ତୋଳି ଡାକିଲି, ରାମ ସିଂ ରାମ ସିଂ । ତା’ଠାରୁ ବି ଉତ୍ତର ପାଇଲିନି । ଷ୍ଟୋର, କିଚିନ୍, ବାଥରୁମ୍ ଖୋଜି ସାରିବା ପରେ, ପ୍ରବଳ କ୍ରୋଧରେ ରାମ ସିଂକୁ ଡାକି ଡାକି ବାହାରି ଆସିଲି ବାହାରର ଫାଟକ ପାଖକୁ ।

 

ମୋର ଚିତ୍କାର ଶୁଣି ରାସ୍ତା କଡ଼ର କୃଷ୍ଣଚୂଡ଼ା ଗଛ ମୂଳୁ ଦଉଡ଼ି ଆସିଲା ଗୋଟାଏ ଅର୍ଦ୍ଧଉଲଗ୍ନ ବାଳକ । ଭଗ୍ନ କଣ୍ଠରେ କହିଲା, ମାଆ କାଲି ରାତି ବର୍ଷାରେ ତମ ରାମ ସିଂ ମୋ ମାଆକୁ ନେଇ କୁଆଡ଼େ ପଳେଇଛି । ରାତିସାରା ମୁଁ ଏଇଠି ଚେଇଁ ବସିଛି । ମୋ ମାଆ କେତେବେଳେ ଆସିବ ? ତମ ରାମ ସିଂର ତ ଦେଖା ନାଇଁ । ତେବେ ମୋ ମାଆ । ପ୍ରଖର ଆଲୋକରେ ସକାଳ ହୋଇ ଆସୁଥିଲା ।

 

ମୋର କିନ୍ତୁ ମନେହେଉଥିଲା, ଅନ୍ଧକାରର ଢେଉ ପରେ ଢେଉ ଆସି ମୋ ସମଗ୍ର ଶରୀରକୁ ଗ୍ରାସ କରିବାରେ ଲାଗିଛି । ଆଃ ! ମୁଁ ଚିତ୍କାର କରିଉଠିଲି, ପ୍ରାସାଦରେ ତାଲା ଦେଇ ଦଉଡ଼ିଲି ରାସ୍ତାକୁ । କ୍ଳାନ୍ତିରେ ଯେତେବେଳେ ଅଣନିଶ୍ୱାସୀ ହୋଇଉଠୁଥିଲି, ମନେହେଉଥିଲା ଏଇ କ’ଣ ସୃଷ୍ଟି, ଏଇ ତା’ର ନିୟମ କାନୁନ୍ । ୟାରି ଲାଗି ମନୁଷ୍ୟ ମମତାନ୍ଧ । ନାଃ...ମନୁଷ୍ୟ ମାତ୍ରେଇ ସ୍ୱାର୍ଥପର । ଯିଏ ଯାହାର ସୁଖପାଇଁ ପାଗଳ । ଘର, ଦ୍ଵାର, ଆତ୍ମୀୟ ପ୍ରତି ସେଦିନ ଯେଉଁ ଘୃଣା ଜନ୍ମିଲା ମନରେ, ତା’ର କୌଣସି ସମାଧାନ ଖୋଜି ପାଇଲିନି । ଧୈର୍ଯ୍ୟର ସୀମା ଲଙ୍ଘନ କରୁଥିଲି ମୁଁ । ଏହାର ନ୍ୟାୟ ବିଚାର ପାଇଁ ମନସ୍ଥ କରିନେଲି ସୃଷ୍ଟି ବିରୁଦ୍ଧରେ ଗୋଟାଏ ମୋକଦ୍ଦମା କରି ନେବା ପାଇଁ ।

 

କୁହନ୍ତୁତ ଦେଖି ମୋ ମନର ସାନ୍ତ୍ଵନା ପାଇଁ ଆଉ କ’ଣ ମୋର ନିଷ୍ପତ୍ତି ହୋଇ ପାରି ଥାଆନ୍ତା ।

 

ଏହାର ନ୍ୟାୟ ବିଚାର ପାଇଁ ଘୂରି ଘୂରି ଏ ବିଶ୍ଵରୁ ବିଦାୟ ନେବା ପୂର୍ବରୁ ଅନୁଭବ କଲି, ଗୋଟାଏ ଶାନ୍ତ ସୌମ୍ୟ ସନ୍ଧ୍ୟାରେ ଜଣେ ହିପ୍‍ପୀ ତରୁଣ ମୋତେ ଆଶ୍ଳେଷି ଧରି କହୁଛନ୍ତି, ବଞ୍ଚିବାର ସ୍ୱାଦୁ ଚାଖି ମରିବାରେ ଆନନ୍ଦ । ଉଠିପଡ଼ ଆଉ ନିଅ, ଧର ୟାକୁ...

 

ଦେଖନ୍ତୁ ତାଙ୍କର ମୋ’ପାଇଁ ଉପହାର ଏଇ ଟାବ୍ଲେଟ “ଏଲ ଏସ୍, ଡି”, ଆପଣମାନଙ୍କ ପାଇଁ ଏହା ଚରମ ବିସ୍ମୟର ବସ୍ତୁ ହୋଇପାରେ । କିନ୍ତୁ ଆମ ପାଇଁ ଏହାର ଚାହିଦା ଖୁବ୍ ବେଶି । ମାନସିକ ଯନ୍ତ୍ରଣାରୁ ଆମକୁ ଏହା ପ୍ରତି ମୁହୂର୍ତ୍ତରେ ରକ୍ଷାକରେ । ବିଚିତ୍ର ଅନୁଭୂତିରେ ଆମେ ଅବଶ ହୋଇପଡ଼ୁ । ଏହାକୁ ଖାଇ ନିଜକୁ ପଙ୍ଗୁ କରାଇବା ଯଦିଓ ଆମର କାମ୍ୟ ନୁହେଁ, ପ୍ରକୃତିକୁ ପଙ୍ଗୁ କରାଇ ବଞ୍ଚି ରହିବାରେ ଆମର ବାହାଦୁରୀ ।

 

ମୁଁ ନିସ୍ପନ୍ଦ ହୋଇପଡ଼ିଥିଲି । ପାଟିରେ ମୋର ଭାଷା ନାହିଁ । ଓଠ ଦୁଇଟିକୁ କି ଗୋଟାଏ ଅଦ୍ଭୁତ ଯାଦୁ ବଳରେ କିଏ ଯେମିତି ଲଗାଇ ଦେଇଥିଲା ।

 

ଉଚ୍ଛ୍ୱସିତ ଅଶ୍ରୁକୁ ଆପ୍ରାଣ ଚେଷ୍ଟାକରି ରୋକୁ ରୋକୁ ଭଗ୍ନ କଣ୍ଠରେ କହିଲେ, “ଶୁଣିଲେ ତ ଆମର କାହାଣୀ । ଏଥିରେ ଆପଣମାନଙ୍କ ଆଖିରେ ଆମେମାନେ ହେଉ ଚରମ ବିସ୍ମୟର ମଣିଷ ଏବଂ ବିଚାରହୀନ ସୃଷ୍ଟିଦ୍ରୋହୀ ଜୀବ । କ’ଣ ଭାବୁଛନ୍ତି ? ଜିତାଇ ଦେଇ ପାରିବେନି ମୋତେ । ସେଇ ମୋର ପ୍ରାସାଦର ଚାବି । ଏତିକି କହୁ କହୁ ଗୁଡ଼ାଏ ଟାବ୍ଲେଟ୍ ପକେଟରୁ ବାହାର କରିଆଣି ଗିଳି ପକାଇଲେ, ମୁଁ ଚାହିଁଚି ।

 

ସେହି ଚାହିଁବାର ଅବସରରେ ସେ ଢଳି ପଡ଼ିଲେ ମୋର ଚକ୍ଷୁର ସାମ୍ନାରେ ସବୁଦିନ ପାଇଁ । ମୋର ସକଳ କରୁଣ ଆର୍ତ୍ତ ଚିତ୍କାର ପ୍ରତିଧ୍ଵନିତ ହୋଇ ଫେରିଆସିଲା ମୋରି ପାଖକୁ ।

 

ମୁଁ ତାଙ୍କୁ ଆଉ ଜଣାଇ ପାରିଲି ନାହିଁ ଯେ, ମୁଁ ହେଉଛି ତା’ର ସେଇ ବିବେକହୀନ ହତଭାଗ୍ୟ ଦୁଃସ୍ଥ ଓକିଲ ବୁଲୁଭାଇ । ଆମର ଅନୁପସ୍ଥିତିରେ ଅନୁତାପରେ ଦଗ୍ଧ ହୋଇ ସେ ପ୍ରାସାଦ ବିକ୍ରି କରିଦେଇ ବର୍ତ୍ତମାନ ଡାଡୀ ଓ ମାମୀ ଆମେରିକା ଅଧିବାସୀ ।

Image

 

ଗ୍ଳାନି

 

ପ୍ରଭାତ ଅନେକ ଆଗରୁ ହୋଇସାରିଥିଲା ।

 

ମୁଁ ଉଠିବାକୁ ଉପକ୍ରମ କରୁ କରୁ, ସଂଲଗ୍ନକକ୍ଷରୁ ପରିଧିର ବ୍ୟସ୍ତ ବହୁଳ କଣ୍ଠସ୍ୱର ଭାଷି ଆସି, ମୋର ଆଳସ୍ୟ ଭଙ୍ଗରେ ଯଥେଷ୍ଟ ସାହାଯ୍ୟ କଲା । ଉଠୁ ଉଠୁ ପୁଣି ପରିଧିର ସ୍ୱର, “ଦେଖିଲୁଣି ବୋଉ ! ବେଳ ଆସି କେତେ ହେଲାଣି...କହିଥିଲୁ ପରା ସକାଳୁ ସକାଳୁ ତାଙ୍କ ବଙ୍ଗଳା ଯିବୁ ବୋଲି... । ମାମୁ ମାଇଁ କାଲିଠାରୁ ଆସି ଥିବେ...” । ନିସ୍ତେଜ ଅବୟବ ମୋର ପରିଧିର ବକ୍ତବ୍ୟରେ ଅତୀତ ସ୍ମୃତିର କବର ଉପରେ ଠିଆ ହୋଇ ସତେ ଯେମିତି ଅଳସ ଭାଙ୍ଗିଲା ।

 

ସଅଳ ସଅଳ କାମ ତୁଟାଇ, ମୁଁ ଡାକବଙ୍ଗଳାକୁ ବାହାରୁଚି ପରିଧି ମତେ ବାଟ ଓଗାଳି ଠିଆ ହେଲା...ନାଁ ବୋଉ, ତୁ ଏ ଶାଢ଼ିଟା ପିନ୍ଧି ଯାଇପାରିବୁନି... । ଛିଃ ମାମୁ ମାଇଁ ଏ ଶାଢ଼ି ଦେଖି କ’ଣ ଭାବିବେ ? ଏ ଗୋଲାପି ଶାଢ଼ିଟା ପିନ୍ଧିକରି ଯାଆ—

 

ଅପ୍ରତିଭ ହୋଇ, ମୁଁ କିଛି କହିବା ପୂର୍ବରୁ ଦେଖିଲି, ପରିଧି ହାତରେ ସେଇ ଘୂଣ ମଖା ଅତୀତର ପାତଳୀ ଗୋଲାପି ଶାଢ଼ି... । ଅତୀତ ସ୍ମୃତିର ରୋମନ୍ଥନରେ ମୁଁ ଅସ୍ଥିର ହୋଇ, ପରିଧି ହାତରୁ ଶାଢ଼ିଟା ଛଡ଼ାଇ ଆଣି ଦୂରକୁ ଫୋପାଡ଼ି ଦେଲି । ତା’ର ତେଜୋଦୀପ୍ତ ମୁଖମଣ୍ଡଳ, ଭୟ ପାଇ ହଠାତ୍ ଗମ୍ଭୀର ହୋଇଉଠିଲା । ମାତ୍ର ଚକ୍ଷୁରେ ତା’ର କାକୁତିର ଚିହ୍ନ...ଯାହା ବହୁ ବର୍ଷ ପୂର୍ବେ ନୀଳିମ ଭାଇଙ୍କ ଆଖିରେ ଦେଖିବାକୁ ପାଇଥିଲି । ସେତେବେଳେ ପରିଧିର ପରିଚୟ ଆମ କଳ୍ପନାରେ ବି ନ ଥିଲା । ନିଷ୍ଠୁର ଭାବେ, ପରିଧିକୁ ଉପେକ୍ଷା କରି ଆଗେଇ ଗଲି ମୁଁ ।

 

ମାତ୍ର ଗୋଟିଏ ଦୁଇଟି ପାହୁଣ୍ଡ ଅତିକ୍ରମ କଲାପରେ, ଅନୁଭବ କଲି, ସଜୋରେ ମୋ ପାଦକୁ କିଏ ଯେମିତି ଅଟକାଇ ରଖୁଚି... । ସାମର୍ଥ୍ୟ ହରାଇ ମୁଁ ପଛକୁ ଫେରି ଚାହିଁ ଦେଖିଲି, ପରିଧି ଶାଢ଼ିଟାକୁ ହାତରେ ଚିପି ଧରି, ନୀଳିମ ଭାଇଙ୍କ ଫଟୋ ତଳେ ଆଣ୍ଠେଇ ପଡ଼ି, କଇଁ କଇଁ କାନ୍ଦି କହୁଚି, ‘‘ବାପା ! ତମେ ଚାଲି ଯାଇ, ବୋଉକୁ କି ଯନ୍ତ୍ରଣା ଭୋଗିବାକୁ ଦେଉଛ”... । ଦୁଃଖ, ଲଜ୍ଜା ଓ ମର୍ମ ବେଦନାରେ ଅସ୍ଥିର ହୋଇ ମୁଁ ପରିଧିକୁ ଆଶ୍ଳେଷି ନେଇ, ବୁଝାଇବା ଗଳାରେ କହିଲି, ଛି ମାଁ । ଯିବାବେଳେ କାନ୍ଦନ୍ତି... ? ଖଦଡ଼ ତ ଆମ ଜାତୀୟ ପୋଷାକ... । ଏ ଶାଢ଼ି ପିନ୍ଧିଲେ କ୍ଷତି କ’ଣ ? ତୁ ଭାବୁଛୁ ଏ ଖଦଡ଼ ଶାଢ଼ି ପିନ୍ଧି କରି ଗଲେ ମତେ ଭାଇ ଚିହ୍ନି ପାରିବେ ନାଇଁ ? ମୁଁ ଯେତେ ଗରିବ ହେଲେ ବି, ତାଙ୍କ ଆଖିରେ ସେଇ ଅଲିଅଳି ଗେହ୍ଲା ଭଉଣୀ ରୀନା ମୁଁ ।

 

ମହା ସମୁଦ୍ରର ଉଚ୍ଛଳ ଜଳୋଚ୍ଛ୍ଵାସ ଭଳି ମୋ ଅଶ୍ରୁର ପ୍ଳାବନକୁ ପିନ୍ଧା ଲୁଗା କାନିରେ ଚାପି ଦେଇ, ପରିଧିର କେଶ ଗୁଚ୍ଛ ଉପରେ ସ୍ନେହର ସ୍ପର୍ଶ ରଖି, ମୁଁ ଆଗେଇ ଆସିବାକୁ ବାଧ୍ୟ ହେଲି । କାରଣ, ଭାଇଙ୍କ ଆସିବା ସମୟ ମତେ ଜଣା ଥିଲେ ବି, ଫେରି ଯିବା ସମୟ ମତେ ଜଣାନଥିଲା । ଡେରି ହେଇ ଗଲେ, ଯଦି ଚାଲି ଯାଇ ଥିବେ, ଯିବା ବୃଥା ହେବ ସିନା...

 

ପଛ ପାଖରୁ, ଚାରୋଟି ମିଳିତ ସ୍ୱରର ଆକୁଳ ଧ୍ଵନି ଭାଷି ଆସୁଥିଲା, ‘‘ବୋଉ ! ମାମୁ ମାଇଁଙ୍କୁ ସାଙ୍ଗରେ ଆଣିବୁ” ।

 

ଚଲା ବାଟରେ ରୌଦ୍ରର ପ୍ରସନ୍ନତା ଅତ୍ୟଧିକ ହେତୁ ଅସହ୍ୟ ଅବସ୍ଥାରେ ମୁଁ ଅତୀତକୁ ଭାବି ଭାବି ବାଟରେ ଥକି ଯାଉଥିଲି । ପରିଧି ମତେ ଯେଉଁ ଭଳି ବାଟ ଓଗାଳି ଠିଆ ହେଉଥିଲା, ଠିକ୍ ସେଇଭଳି, ମୋ ଇଚ୍ଛା ବିରୁଦ୍ଧରେ ବି ଅତୀତର ଛିନ୍ନ ପୃଷ୍ଟା ମୋ ଚକ୍ଷୁ ସାମ୍ନାରେ ଜାଜୁଲ୍ୟମାନ ହୋଇଉଠୁଚି... ।

 

ଆଃ...ସତେ ଯେମିତି ଚାଲି ନ ପାରି ମୁଁ ଏଇଠି ଅଟକି ଯିବି... । ମନର ବେଦନା ମୋ ଦୁଇ ନୟନକୁ ସଂକ୍ରମିତ କରିପକାଉଚି... । ଯିବା ରାସ୍ତାରେ, ଅସହାୟ ଛୋଟ ଶିଶୁଭଳି କାନ୍ଦି କାନ୍ଦି ମୁଁ ବାଟ ଚାଲୁଥିଲି । କାନ୍ଦି, କାନ୍ଦି ମନ ଶାନ୍ତି କରିବାର ସଉକ୍‍ ଅନେକ ଆଗରୁ ସମାଧି ଲିଭିଲାଣି ମନ ରାଜ୍ୟରେ । ଏମିତି ଦିନେ କାନ୍ଦି କାନ୍ଦି, ନୀଳିମ ଭାଇଙ୍କ ବିରୁଦ୍ଧରେ ମୁଁ ଅଭିଯୋଗ ବାଢ଼ିଥିଲି ନୂଆ’ଉଙ୍କ ଆଗେ । ନୂଆ’ଉଙ୍କ ସାନ ଭାଇ; ନୀଳିମଭାଇ ।

 

ତାଙ୍କ ଘର ଓ ଆମ ଘରର ଦୂରତାର ବ୍ୟବଧାନ ସ୍ୱଳ୍ପତା ଯୋଗୁଁ, ସେ ଅନେକ ସମୟରେ ଆସି ଆମ ଘରେ ରହୁଥିଲେ । ସେ’ଦିନ ତାଙ୍କ ଆସିବାର ପ୍ରଧାନ କାରଣ ଥିଲା, କୁମାରପୂର୍ଣ୍ଣମୀ ଲାଗି ନୂଆ’ଉଙ୍କ ଡାକରା । ସକାଳୁ ସକାଳୁ ଆସି, ମତେ ଥଟ୍ଟା କରିବାରେ ଲାଗିପଡ଼ିଲେ । ବାଃ...ଏଭଳି ଥଟ୍ଟା...ହାତର କଚଟିଟାକୁ ମୋର ଏତେ ଜୋରରେ ମକଚି ଦେଲେ ଯେ, ମୁଁ ନୂଆ’ଉଙ୍କୁ ନ କହି ରହିପାରିଲିନି ।

 

ନୂଆ’ଉ ନୀଳିମ ଭାଇଙ୍କ କାନ ଧରି ପଚାରିଲେ, କିରେ ! ଛୋଟ ପିଲାଙ୍କଭଳି, କଳି କରିବାକୁ ଏଠିକି ଦଉଡ଼ି ଆସୁଛୁ ନିଇତି... ।

 

ନୂଆ’ଉଙ୍କ କୃତ୍ରିମ କ୍ରୋଧମିଶ୍ରିତ ସ୍ୱରକୁ ଶୁଣୁ ନ ଶୁଣୁ, ନୀଳିମ ଭାଇ ଆରମ୍ଭ କରି ଦେଲେ ମୋ ବିରୁଦ୍ଧରେ ଗୁଡ଼ାଏ ଅଭିଯୋଗ । ରୀନାର ଦୋଷକୁ ଘୋଡ଼ାଇବାର ଅପଚେଷ୍ଟା କରନି ଅପା...ଜାଣିଛୁ, ମୋ ନାଁରେ କଲେଜ ସାରା ସେ କ’ଣ ରାଷ୍ଟ୍ରକରୁଚି...” ?

 

ନିଳୀମ ଭାଇଙ୍କ ବକ୍ତବ୍ୟରେ ମୁଁ ହତବାକ୍‍ ହୋଇପଡ଼ିଲି । ମିଛ କହିବାର ଗୋଟାଏ ସୀମାଅଛି... । ଇସ୍...ଏମିତି ମିଛ... ? ଏ ମିଥ୍ୟା ବିଦ୍ରୋହ ଯେ ତାଙ୍କ ଦୋଷ ଘୋଡ଼ାଇବା ପାଇଁ ସାମୟିକ ସାନ୍ତ୍ୱନା, ତା’ ନୁହେଁ । ଏ ମୋ ଭବିଷ୍ୟତର ପ୍ରଧାନ ପ୍ରତିବନ୍ଧକ ଘୋଷଣା । ସବୁ ଜାଣି ମଧ୍ୟ ମୁଁ ନୀରବ ରହିବା ପାଇଁ ବାଧ୍ୟ ହୋଇଥିଲି । କାରଣ ନୀଳିମ ଭାଇଙ୍କ କଥାରେ, ନୂଆ’ଉ ନିଆଁ ବାଣ ହୋଇ ସଂଲଗ୍ନ କୋଠରୀରେ ଗର୍ଜନ ଛାଡ଼ୁଥାନ୍ତି । ‘‘ଆସନ୍ତୁ ଆଜି ତାଙ୍କ ଭାଇ, ଏମିତି ଗେହ୍ଲାରେ ବଢ଼ାଇ ଭଉଣୀଙ୍କ ଜୀବନ ତ ଯାହା ନଷ୍ଟ ହେବ, ତା’ଛଡ଼ା ଏ ଘରେ ଯିଏ ଚଳ ପ୍ରଚଳ ହେଉଛନ୍ତି, ତାଙ୍କ ଜୀବନ ମଧ୍ୟ...

 

ଗଦାଏ ପାଉଁଶ ଭିତରେ ନିସ୍ତେଜ ନିଆଁ ଝୁଲଟି ଏ ନିଜର ସତ୍ତା ହରାଇ ପଡ଼ି ରହିଥିଲା ଭଳି, ମୁଁ ଏତେବଡ଼ ନିସ୍ତେଜ ବଙ୍ଗଳାଟାରେ ଜୁଳୁ ଜୁଳୁ ଅନାଇ ଭାଇଙ୍କ ଆସିବା ପଥକୁ ଅପେକ୍ଷା କରି ଚାହିଁ ରହିଥାଏ । ଯେପରି ଅସହ୍ୟ ହୋଇଉଠୁଥିଲା ଏ ଉପାୟହୀନ ଜୀବନ ।

 

ସନ୍ଧ୍ୟା ପୂର୍ବରୁ ଭାଇ ଟୁର୍‍ରୁ ଫେରିଆସିଲେ । ପଢ଼ା ଘରୁ ତାଙ୍କ କାର୍‍ ରହିବାର ଶବ୍ଦ ଶୁଣି ମୁଁ ଏକ ବାରେ ଜଡ଼ ପାଲଟି ଯାଇଥାଏ । ଝାଳରେ ଦେହଟା ଜୁଡ଼ୁ ବୁଡ଼ୁ... । ଆଉ ଛାତି ତଳର ଦୁକୁ ଦୁକିଟାର କି ତୀବ୍ର ଗତି…ସତେ କି ଏଇଲେ ମୃତ୍ୟୁ, ହୋଇଯିବ... ।

 

ଅଳ୍ପ ସମୟ ପରେ ଭାଇ ପଢ଼ା ଘରକୁ ପଶି ଆସି, ହସି ହସି କହିଲେ, ମୁଁ ଜାଣେ ପରା ରୀନାର ପଢ଼ା ସରି ନ ଥିବ । ଗୋଟାଏ ଅଦ୍ଭୁତ ପିଲା...ପଢ଼ାଟା ତା’ର ଜମା ସରି ପାରିଲାନି... । ହଉ ଉଠ୍ ଉଠ୍‍ ଏଥର ବଜାର ଯାଇ ଶାଢ଼ି କିଣିବା । ଭାବିଲି, ଆସିବା ବାଟରେ କିଣିଆଣିବି, ପରେ ମନକୁ ପାଇଲାନି... । ରୀନା ଯେ ମୋ’ଠାରୁ ଭଲ ଚଏସ୍ କରିବ ।

 

ମୋର ସେ ବିପନ୍ନ ମୁହୂର୍ତ୍ତରେ, ଭାଇଙ୍କ ବକ୍ତବ୍ୟ, କେତେ ଯେ ଆନନ୍ଦ ଦେଲା, ଏବେ ସେ କଥା ଭାବିଲେ ମୁଁ, ମୋ ଆଖିରେ ଆନନ୍ଦରେ ଅଶ୍ରୁ ଚାଲିଆସେ । ଯିବା ପାଇଁ ଉଦ୍ୟତ ହେଉ ହେଉ, ଝରକା ଫାଙ୍କରେ ଦେଖିଲି, ନୂଆ’ଉ ଶାଢ଼ି ପିନ୍ଧି କାର୍‍ର ସାମ୍ନା ଦରଜା ଖୋଲୁଛନ୍ତି । ନୀଳିମ ଭାଇ ପଛ ସିଟରେ । ଅଗତ୍ୟା ଭାଇଙ୍କ ପଛେ ପଛେ ଯାଇ ମୁଁ ବି ପଛ ସିଟରେ ବସିବା ପାଇଁ ବାଧ୍ୟ ହେଲି । ଏତେ ଏକାନ୍ତରେ ଏବଂ ନିକଟ ସଂଲଗ୍ନା ହୋଇ ନୀଳିମ ଭାଇଙ୍କ ପାଖେ ବସିଲା ବେଳେ, ମତେ ଲାଗୁଥାଏ, ଏକ ନିର୍ବାସିତ ଦ୍ଵିପରେ ମୁଁ ଜଣେ ନିପଟ ଅପରାଧିନୀ ଯେପରି ।

 

ଗାଡ଼ି ଯାଇ ଅଟକିଲା ଡ୍ରେସ୍‍ଲ୍ୟାଣ୍ଡ ସାମ୍ନାରେ, ଶାଢ଼ି କିଣିବାକୁ ଯାଇ, ଡ୍ରେସ୍‍ଲ୍ୟାଣ୍ଡ ସାମ୍ନାରେ ଗାଡ଼ି ରହିବା ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିବା ବେଳେ, ନୂଆ’ଉ ପାଟିକରି କହିଲେ, କିରେ-! ଆସୁନୁ...ତୋ’ପାଇଁ ଆଗ ପ୍ୟାଣ୍ଟ ସାର୍ଟ କିଣା ହେବ...ତା’ପରେ ଯାଇ ଆଉ ଯାହାର ।

 

ଭାଇ ଦରଜା ମୋର ଖୋଲି ଦେଇ କହିଲେ, ଆ ରୀନା–ସେ ଗୋଟାଏ କ’ଣ ବାଛିବ...-? ଭାଇଙ୍କ କହିବା ଅନୁଯାୟୀ ଡ୍ରେସ୍ କିଣା ହେଲା ମୋରି ଚଏସରେ । ତା’ପରେ ଶାଢ଼ି ଦୋକାନକୁ ଯାଇ, ଯେତେବେଳେ ଶାଢ଼ି ଚଏସ୍ ହେଲା, ମୁଁ ଯାହା ବାଛିଲି ନୂଆ’ଉ ନାକ ଟେକିଲେ, ଶେଷରେ ପରିସ୍ଥିତି ଏମିତି ହେଲା, ଭାଇ ବିରକ୍ତ ହେଇ କହିଲେ, ରୀନା ! ନୂଆ’ଉ ଯାହା ବାଛୁଛନ୍ତି ନେଇ ଆ... । ବହୁ କୁଣ୍ଠାରେ ଭାଇ ଟଙ୍କା ଦେଇସାରିବା ପରେ, ଆମେ ସମସ୍ତେ ଆସିଲୁ ମନ୍ଦିର... । ଭୋଗ ସାରି ଘରକୁ ଫେରି ଘରେ ନୂଆ ଲୁଗା ପିନ୍ଧା ପର୍ବ ଆରମ୍ଭ ହେଲା । ହଠାତ୍ ଭାଇ ପାଟିକରି ଉଠିଲେ; ଦେଖିଲ...ଦେଖିଲ...ଶାଢ଼ିର କାନିଟା ଯାକ କେମିତି ଛଉ ଛଉଆ ଦାଗ... । ମୁଁ କଉଁଚି...ରୀନା ଶାଢ଼ି ବାଛୁ...ଜମା ଶୁଣିଲନି...ଏବେ ଜାଣୁଛତ କେମିତି ରଙ୍ଗଛଡ଼ା ଶାଢ଼ି ଏ... । ନିଜକୁ ନିଜେ ଯୋଗ୍ୟବୋଲି ଘୋଷଣା କଲେ, ଯୋଗ୍ୟତା ପରିସ୍ଫୁଟ ହୁଏନା– । କାମରେ ଦେଖାଇଲେ ହୁଏ ସିନା...

 

ନୂଆ’ଉ ଅପମାନରେ ଏକଦମ୍ ଫାଟି ପଡ଼ିଲେ । କହିବା ପାଇଁ ସେ କି ପଛେଇବେ ? ଲାଗିଯାଇ, ବଢ଼ା ହୋଇଥିବା ଭୋଗ ତକ ଏକାଠି କରିଦେଇ, କହିଲେ, କହିବ ତ ରୀନା ବାଛିଥିବା ଶାଢ଼ିଟା ଭଲ । କୋଉଠି କାନିଟା ସାରା ଛଉ ଛଉଆ ଦାଗଗୁଡ଼ିକ ଦିଶିଯାଉଛି ? ଏ ଦୁନିଆଁ ଭିତରେ କେବଳ ଜଣେ ମାତ୍ର ଯୋଗ୍ୟ ରୀନା—

 

ପ୍ରତି କଥାରେ ରୀନା । ବ୍ୟାଡ୍‍ମିଣ୍ଟନ୍‍ କୋର୍ଟ କଟା ହେଲେ ରୀନା । ପର୍ଦ୍ଦା କନା କିଣା ହେଲେ ରୀନା । ଘର ସଜାଇବ ରୀନା । ରୀନା କହିବ ଘରର ପ୍ଲାନ୍ । ଡବଲ ଷ୍ଟୋରିଡ୍ ବିଲିଡ଼ିଂ ହେଲେ ପ୍ଲିନ୍ଥ୍ କେତେ ଓ କିପରି ପଡ଼ିବ ରୀନା କହିବ । ଗାଡ଼ି ଖରାପ ହେଲେ ରୀନାକୁ ଡାକ । ରେଡ଼ିଓ ଷ୍ଟେସନ୍ କାହିଁକି ମିଶ୍ କଲା ରୀନା ଜାଣିଛି । ଏ ସୃଷ୍ଟି ଯେପରି ରୀନାର କନ୍ତବ୍ୟ ଉପରେ ନିର୍ଭର କରୁଚି । ପୁଣି କ’ଣ ନା,ବଗିଚା ହେବ ରୀନାର ପ୍ଲାନରେ । କେଉଁଠି କୋଉ ଗଛ ପୋତା ଯିବ ରୀନା ପୋତିବ । ଏଇଠି ଡାଲିଆ ରହିବ । ଡାଇମନ୍ କଟ୍ ପ୍ୟାଚରେ ଡାୟାନ୍‍ଥସ ଲାଗିବ । ପେଟୁନିଆ ଗଛଗୁଡ଼ାକ ପୁରୁଣା ଦିଶିଲାଣି...ରୀନା ଓପାଡ଼ି ଦେବ । ଲନ୍ ମଝିରେ ବୃତ୍ତାକାର ପ୍ଲକ୍‍ସ ଲଗାଇବ ରୀନା । କେଉଁ ସିନେମା ଯିବା ରୀନାଠୁଁ ବୁଝ— । ତରକାରୀ କ’ଣ ହେବ ରୀନା କହିବ-। ଖଳିରୁ ଖଡ଼ିକା ଯାଏଁ ରୀନା କଲେ ଯାଇଁ ମନରେ ଶାନ୍ତି... । ଯେତେ ଛୋଟିଆ ଜିନିଷ ହେଉ ପଛେକେ ଆଉ କିଏ କଲେ ଖରାପ—

 

ଛି...ଛି...ଏ ଅଶାନ୍ତି ଭିତରେ ମଣିଷ ନିଜର ସତ୍ତା ହରାଇ ସବୁବେଳେ ପର ଉପରେ ନିର୍ଭର କରି ଚଳିଲା । ଏଭଳି ନିକୃଷ୍ଟ ଅବସ୍ଥାରେ ଏଠି ବଞ୍ଚି ରହିବା ଅପେକ୍ଷା ମରିଗଲେ କ୍ଷତି କ’ଣ– ? ପ୍ରତି କଥାରେ ତମେ ଯଦି ଏଭଳି ରୀନାଙ୍କୁ ଖାତିର କରି ବସନା, ସେ ନଷ୍ଟ ହେବନି ତ ହେବ କିଏ ? ମୁଁ ପ୍ରମାଣ ଦେଇ କହିବି, ତମରି ବହପ ପାଇ, ରୀନା ତିନି ପାଞ୍ଜିରୁ ଗଲେଣି, କହିବୁଟି ନୀଲୁ...ତୋ ନାଁରେ ସେ କ’ଣ କଲେଜ ସାରା ଗାଇ ବୁଲୁଛନ୍ତି...ମୋ ଭାଇ ପୁଣି... (କାନ୍ଦିବାକୁ ଆରମ୍ଭ କରି ଦେଲେ ନୂଆ’ଉ) । ତାଙ୍କର କଥାର ସୁଅ ତଥାପି ବନ୍ଦ ହେଉନି...

 

ସହାନୁଭୂତି ଆଉ କ୍ରୋଧର ଉତ୍ତେଜନାରେ ଅଦ୍ଭୁତ ଶୁଣାଗଲା ଭାଇଙ୍କ କଣ୍ଠସ୍ୱର । “କ’ଣ ! ଏକଥା ସତ... ? ସାନଭଉଣୀଙ୍କୁ ଆଦର କରି ମୁଣ୍ଡରେ ମୁଣ୍ଡାଇ ବେଶ୍‍ ସୁନାମ ପାଇଲି ମୁଁ-। ଏତେ ବୁଦ୍ଧି ଥାଇ ସବୁବେଳେ ପିଲାଳିଆମି ଢଙ୍ଗ । କିଏ ଆଉ ପିଲାଶୁଣେ...ତୁ, ନା, ନୀଲୁ ? ଜଣଙ୍କର ଫାଇନାଲ ଇୟର ବି.ଏସ.ସି. । ଆଉ ଜଣଙ୍କର ଫାଷ୍ଟ ଇୟର ଡିଗ୍ରୀ... । ଦୁହେଁ ଯାକ ପିଲା... । ନୁହେଁ”– ?

 

ଆଉ କି ରହେ ସେଠି...କୋହ ଉପରେ କୋହ... । ଆଖିରୁ ବୋହୁଥାଏ ଅଜସ୍ର ଲୁହର ଧାର । ଅପମାନରେ ମୋଡ଼ି ହୋଇ ଦୁଲ୍‍କିନା ଆସି ଶୋଇପଡ଼ିଲି ମୋ ବିଛଣାରେ । ସେଇମିତି କାନ୍ଦି, କାନ୍ଦି, ସେ ନୂଆ ଶାଢ଼ି ଖୋଲି ଦେଲି । ପ୍ରତିଜ୍ଞା କରିଥିଲି ସେ’ ଶାଢ଼ି ଆଉ ପିନ୍ଧିବି ନାଇଁ ବୋଲି... (ଆଜି ସେଇ ଶାଢ଼ି ପରିଧି ମତେ ଦେଇଛି ପିନ୍ଧିବା ପାଇଁ)

 

ବହୁ ଅପରାଧରେ ଅଭିଯୁକ୍ତ ଆସାମୀକୁ ନିଦ ନ ହେଲା ଭଳି ମୁଁ ସାରାରାତ୍ରି ଅନିଦ୍ରା ରହି ଆଖିରୁ ଲୁହ ଝରାଇଚି । ଶେଷରାତିର ମୃଦୁ ଶୀତଳତାରେ, ଯେତେବେଳେ ମୋ ଆଖିପତା ଆପଣାଛାଏଁ ମୁଦି ହୋଇ ଆସୁଥିଲା, ହଠାତ୍ କାହାର ହାଲ୍‍କା ସ୍ପର୍ଶରେ ଚମକି ଉଠିଲି ମୁଁ । ଏଁ...ଏ ଯେ ନୀଳିମ ଭାଇ ।

 

ମୋ ସମ୍ବୋଧନରେ ନୀଳିମ ଭାଇ, ସମବେଦନା କଣ୍ଠରେ କ’ଣ କହିବା ପାଇଁ ଉପକ୍ରମ କରୁ କରୁ ଝିଅଙ୍କ ଭଳି କାନ୍ଦି ଉଠିଲେ, କହିଲେ, ମୁଁ ଯାଉଚି ରୀନା —ସାରା ରାତି ମୁଁ କାଉଚ ଉପରେ ବସି ବସି ଅନୁତାପ କରୁଚି, ତତେ ଥଟ୍ଟା କରିବାକୁ ଯାଇ କେତେ ବଡ଼ ଭୁଲ କରି ପକାଇଲି... । ତୋ’ଠାରୁ କ୍ଷମା ମାଗି ନେବାକୁ ସାରା ରାତି ତୋତେ ଅପେକ୍ଷା କରି ବସିଚି । କିନ୍ତୁ ତୁ ଆଉ କି ବିଛଣାରୁ ଉଠିଚୁ... ? ଦରଜା ଆର ପାଖେ ରହି ବହୁ ଥର ଶୁଣିବାକୁ ପାଇଚି ରୁଦ୍ଧ କାନ୍ଦଣାର ସ୍ୱର, ମୋ’ରାଣ ତୁ ଆଉ କାନ୍ଦନା ରୀନା— । ମୁଁ ଆଉ ଏଠିକି ଆସିବିନି । ଅପା ଉଠିଲେ କହିବୁ, ଏ ଜନ୍ମରେ ଆଉ ନୀଲୁର ସେ ଦେଖା ପାଇବନି । (ନୀଳିମ ଭାଇ କାନ୍ଦୁଥିଲେ... । ଖାଲି କାନ୍ଦୁଥିଲେ...-। ମୋ ମନର ସୂକ୍ଷ୍ମ ତନ୍ତ୍ରୀରେ ସୃଷ୍ଟିହେଲା ଏକ ଅପୂର୍ବ ଝଙ୍କାର ଝିଅଙ୍କ ମନରେ ବା ଦମ୍ଭ କେତେ... ?)

 

ଆରେ ! ଏ କ’ଣ କହୁଚ ତମେ ନୀଲୁ ଭାଇ... ? ମୋ ଲାଗି ତମେ କାହିଁକି ଘର ଛାଡ଼ି ଚାଲିଯିବ– ? ସବୁ ଦୋଷ ମୋର... । ମୁଁ ଓଲି କିଆଁ ନୂଆ’ଉଙ୍କୁ କହନ୍ତି ହାତ ରଗଡ଼ିବା କଥା...ମୋ ଲାଗି ସିନା ଏତେ ଅଶାନ୍ତି...ଛି, ନୀଲୁ ଭାଇ ତମେ କାନ୍ଦନି କି ଏ କଥା ପାଟିରେ ଧରନି...ଛି, ତାଙ୍କ ପାଟିରେ ହାତଦେଇ ଦେଲି ।

 

ମୋ ସ୍ପର୍ଶରେ ତାଙ୍କର କି ପ୍ରତିକ୍ରିୟା ସୃଷ୍ଟି ହେଲା କେଜାଣି ଗୋଟାଏ ଉତ୍ତେଜନାରେ ମୋତେ ଟାଣି ନେଇ ଆଶ୍ଳେଷି ଧରିଲେ ସେ । ସହାନୁଭୂତିରେ ଦୁହିଙ୍କ ଚକ୍ଷୁ ଆର୍ଦ୍ର... । ଦୁହେଁ ଦୁହିଁଙ୍କ ସ୍ପର୍ଶରେ ଆବଦ୍ଧ... । ମନରେ ମୋର ଗୋଟାଏ ବିରାଟ ପରିବର୍ତ୍ତନ । ସେ ଯେମିତି କାହାକୁ କହିବାର ନୁହେଁ । ବିରକ୍ତି ପ୍ରକାଶ କରିବା ଦୂରେ ଥାଉ, (ଯେତେବେଳେ, ସେ ମୋ କୋମଳ ଶୁଭ୍ର ତ୍ୱକ୍ ଉପରେ, ବାରମ୍ବାର ସ୍ପର୍ଶ ରଖି, ଆତ୍ମତୃପ୍ତି ପାଉଥାଆନ୍ତି) ମୁଁ ବାରଣ ବି କରିପାରୁନଥାଏ । କିନ୍ତୁ ସେ ଅବଚେତନ ମନରେ, ମୁଁ ଜାଣି ପାରୁଥାଏ ଯେ, ଏ କାର୍ଯ୍ୟ ଆଦୌ ନ୍ୟାୟ ସଂଗତ ନୁହେଁ-

 

ଅନ୍ୟାୟ ହେଲେ ବି, ଆମେ ସେଥିରୁ ଆଉ ବିଚ୍ୟୁତ ହୋଇପାରିଲୁନି । ବିଚିତ୍ର ସେ ବୟସ...ବିଚିତ୍ର ସେ ମନ...ସେଇ ଅନ୍ୟାୟ ସଂଗତ କାର୍ଯ୍ୟରେ ଲିପ୍ତ ରହି, ଶେଷକୁ ଆମେ ଜିଦ୍ କଲୁ ବିବାହ ନିମିତ୍ତ ।

 

ଜିଦ୍ ସିନା ରହିଲା, ଗୁଡ଼ାଏ ଆତ୍ମୀୟଙ୍କ ସ୍ନେହରୁ ବଞ୍ଚିତ ହେବାକୁ ପଡ଼ିଲା ଆମକୁ । ତା’ ଭିତରୁ ଭାଇ ଓ ନୁଆ’ଉ ପ୍ରଥମ, ଯାହାଙ୍କୁ ଛାଡ଼ି ମିନିଟିଏ ଚଳି ପାରୁ ନ ଥିଲୁ...ତାଙ୍କୁଇ ଚିରଦିନ ଛାଡ଼ି ରହିବାକୁ ପଡ଼ିଲା । ସେମାନେ ଟିକିଏ ଚାହିଁଲେନି...ଟିକିଏ ପଚାରିଲେନି... । ନୀଳିମ ଭାଇଙ୍କ ଶିକ୍ଷକତାର ସ୍ୱଳ୍ପ ଦରମାରେ ମତେ ଚଳିବାକୁ ପଡ଼ିଲା । ବଡ଼ ଘର, ବଡ଼ ବଗିଚା, ବଡ଼ ହୋଇ ନିଜେ ବଞ୍ଚି ରହିବାର ସଉକ୍ ଉଭେଇ ଗଲା ମନରୁ କୁଆଡ଼େ ଦୁଃସ୍ଵପ୍ନଭଳି ।

 

ବିବାହର ବର୍ଷ ନ ପୁରୁଣୁ, ପରିଧିର ଜନ୍ମ, ତା’ପରେ ସ୍ପର୍ଶା, ପୁଣି ପ୍ରୀତି ଓ ଶେଷରେ ଇତି... । ଚାରୋଟିଯାକ ଝିଅ । ଦୁଖର ସ୍ରୋତ, କ୍ରମଶଃ ଖରସ୍ରୋତା ନଦୀଭଳି ଆଗେଇ ଚାଲିଲା । ବିରାଟ କର୍ତ୍ତବ୍ୟର ଆହ୍ୱାନରେ, ଜୀବନ ତିଳ ତିଳ ଦଗ୍ଧ ହେଲା । ପରିସ୍ଥିତି ମୋ ଇଚ୍ଛାର ଅନୁକୂଳ ହେଲା । ଚତୁପାର୍ଶ୍ୱଃ ମୋର, ଅଭାବ ଅନାଟନ ଆଉ ଦାରିଦ୍ର୍ୟର ବିକଟ ଚିତ୍କାର... । ଓଃ କି କଷ୍ଟ...ଯେମିତି ନିଶ୍ୱାସ ବି ନେଇ ହୁଏନି । ଆଖି ଦୁଇଟାକୁ ହାତ ପାପୁଲିରେ ମଳି ଦେଇ, ମନକୁ ସୁଦୃଢ଼ କରି ଆଣେ— । ନାଁ—ଜୀବନ ତରଣୀ ବାହିବା ପାଇଁ ଆହୁରି ଶକ୍ତି ଲୋଡ଼ା—ଆହୁରି ଦାରିଦ୍ର୍ୟର ସମ୍ମୁଖିନ ହେବାକୁ ପଡ଼ିବ...

 

କିନ୍ତୁ ସେ ମନର ଦମ୍ଭ ସ୍ଵପ୍ନପରି କୁଆଡ଼େ ଉଭେଇ ଗଲା...ବାହାଘରର ଛଅ ବର୍ଷ ପରେ, ଅର୍ଥାତ୍‍ ସାନ ଝିଅର ବୟସ ଯେତେବେଳେ ମାତ୍ର ଛଅ ମାସ, ସେତିକି ବେଳେ ହସ୍ତଗତ କଲି ନୀଳିମ ଭାଇଙ୍କ ଛାଡ଼ପତ୍ରର ଘୋଷଣା କାଗଜ । ଜଣେ ସୁନ୍ଦରୀ ଶିକ୍ଷୟତ୍ରୀଙ୍କ ପ୍ରରୋଚନାରେ ଲିପ୍ତରହିବା କଥା ମୁଁ ଅନେକ ଆଗରୁ ସନ୍ଦେହ କରି କରି ଶୁଣିବାକୁ ବି ପାଇଥିଲି । ମାତ୍ର କିଏ ଜାଣିଥିଲା, ଶେଷକୁ ଏ’ କଥା ହେବ ବୋଲି, ଚାହିଁଥିଲେ ଅନେକ କିଛି କ୍ଷତି କରିପାରିଥାଆନ୍ତି ନୀଳିମ ଭାଇଙ୍କର । କିନ୍ତୁ କୋର୍ଟର ଆଶ୍ରୟ ନେଇ ଅଭିଯୋଗ ବାଢ଼ିବାର ଉତ୍କଣ୍ଠା ଲାଗି ମନରେ ଆଉ ବଳ ନଥିଲା । ମୁଁ ନୀରବ ରହିଯାଇଥିଲି...

 

ଆଖି ଆଗରେ ମୋର ବିସ୍ତାରିତ ପ୍ରଚୁର ଭବିଷ୍ୟତ । ଅନେକ ଦୁଃଖ ଅନେକ ଦାୟିତ୍ୱ । ଅଶ୍ରୁପାତ ସାରିବା ପରେ, ଉପାୟ ଶୂନ୍ୟ ହୋଇ ଶେଷକୁ ମୁଁ ବି ଶିକ୍ଷକତା କଲି । (ଯୋଉଟା କି ମୋର ପିଲାଦିନୁ ରୁଚି ବିରୁଦ୍ଧ ଥିଲା, ଯାହା କଥା ଭାବିଲେ, ଦୁଃଖରେ ମୋ ଆଖିରୁ ଅଶ୍ରୁ ଗଡ଼ି ପଡ଼େ,) ରାତ୍ରିର ଦୁଃସ୍ଵପ୍ନପରି ମିଳେଇ ଯାଏ ଅତୀତ । ସ୍ୱପ୍ନୋତ୍‍ଥିତା ପରି ଅନେଇ ରହେ ଚାରୋଟି ଝିଅଙ୍କୁ ।

 

ପରିଧି ଅନେକ ଦିନୁ ଫ୍ରକ ଛାଡ଼ି ଶାଢ଼ି ପିନ୍ଧିଲାଣି । କଲେଜକୁ ଯାଉଚି ନୂଆ, ନୂଆ । ଭାବିଲି ପରିଧିର ବିବାହ କରି ଦେଲେ, ଅନେକାଂଶରେ ଚିନ୍ତାରୁ ରକ୍ଷା ପାଇଯିବି । ମାତ୍ର ଟଙ୍କା– ? ସେ’ତ ମୋ’ପାଇଁ ସ୍ଵପ୍ନ । ଶୁଣିଲି ଯେତେବେଳେ ଭାଇ ଆସୁଛନ୍ତି ଏ ଗାଁକୁ ଗୋଟାଏ ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ହୋଇ, ଇଚ୍ଛା କଲି ଯାଇ ପରିଧିର ପ୍ରସ୍ତାବ ବାଢ଼ିବି ଭାଇଙ୍କ ଆଗେ । ବିବାହ ପରେ, ଭାଇଙ୍କ ପାଖକୁ ଯିବା ଏଇ ମୋର ପ୍ରଥମ । ହେଉ ପଛେ ଏହା ମୋର ନିର୍ଲଜ୍ଜତା...ଅନେକ ଆଗରୁ ତ ନିର୍ଲଜ୍ଜତାର ମୁଖା ପିନ୍ଧି ବଞ୍ଚି ରହିଚି... ।

 

ଅତୀତ ସ୍ମୃତିରୁ ଓହ୍ଲାଇ ପଡ଼ି ଗୋଡ଼ ଥାପିଲା ବେଳକୁ ମୁଁ ଡାକବଙ୍ଗଳାରେ । ପରଦା ଫାଙ୍କରେ ଦେଖିଲି, ଭାଇ ଆଉ ନୂଆ’ଉ ଡାଇନିଂ ଟେବୁଲରେ ବସି ଲଞ୍ଚ ଖାଉଛନ୍ତି... । ଇସ୍...ଏତେ ସମୟ ହୋଇଗଲାଣି... । କିଛି କମ୍ ରାସ୍ତା ନୁହେଁ ତ ତା’ହେଲେ ।

 

ମନରେ ଯେଉଁ ଦମ୍ଭ ଧରି ଆସିଥିଲି, ଭାଇ ଓ ନୂଆ’ଉଙ୍କୁ ଦେଖି, ସେ ଦମ୍ଭ କୁଆଡ଼େ ଭାଙ୍ଗିଗଲା... । ସାରା ଶରୀର ଭୟରେ ଥରିବାକୁ ଲାଗିଲା । ଭିତରକୁ ନ ଯାଇ, ବାରଣ୍ଡାଟାରେ ସେମିତି ଠିଆ ହୋଇ ସ୍ଥାଣୁ ପାଲଟି ଯାଇଚି, ଡାକବଙ୍ଗଳାର ଓ୍ୟାଚର ଆସି କହିଲା, ଦିଦି ! ସାହେବଙ୍କ ସଙ୍ଗେ ଦେଖା କରିବାକୁ ଆସିଛ କି– ? ସେତ ଏଇଲେ ବିଶ୍ରାମ ନେବେ । ହେବ ଯଦି ଉପରଓଳିକି ଆସ...କ’ଣ ବଦଳି ବୁଦୁଳା କଥା କହି ଥାଆନ୍ତ... ? ମୋ ଅଜଣାରେ ମସ୍ତକ ମୋର ଦୋହଲି ଯାଇ ‘ନାଇଁ’ର ସୂଚନା ଦେଲା । ହସିଲା ଟିକେ ଓ୍ୟାଚର... । ବୋଧେ ମୋର ନାଇଁ ତାକୁ ଅବିଶ୍ଵାସ ମନେହେଲା... । ନିମ୍ନ ପ୍ରାଇମେରୀ ସ୍କୁଲ ଶିକ୍ଷୟତ୍ରୀ କାହିଁକି ଆସିଛନ୍ତି କଲେକ୍ଟର ସାହାବଙ୍କ ସଙ୍ଗେ ଦେଖା କରିବାକୁ, ଆଃ...ସେ’ କ’ଣ ଜାଣିଚି, ତା’ ବଙ୍ଗଳାର ଦେବତା ତୁଲ୍ୟ କଲେକ୍ଟର ସାହେବଙ୍କ ସଙ୍ଗେ ମୋର ଏତେ ବଡ଼ ସମ୍ପର୍କ ଅଛି ବୋଲି... ?

 

ଟାଇଫଏର୍ଡ଼ ରୋଗୀ ଭଳି, ମୁଁ ଦୁର୍ବଳ ଅବସ୍ଥାରେ ଲେଉଟି ଆସୁଚି, ଡାଇନିଂ ହଲରୁ ଭାଇ ପାଟିକରି ଉଠିଲେ...ଆରେ ! ଆରେ ରୀନା ଯେ...କୁଆଡ଼େ ପଳାଇ ଯାଉଚୁ– ? ଭିତରକୁ ଆ...

 

ପରଦା ଆଡ଼େଇ ଭିତରେ ପଶିଲି । ଭାଇଙ୍କ ଗୋଡ଼ ଧୂଳି ନେଇ ମୁଣ୍ଡରେ ଲଗାଉ ଲଗାଉ ଭାଇ ମତେ ତଳୁ ଉଠାଇ ନେଇ ଆଶ୍ଳେଷି ଧରିଲେ । ମୋ ଦୁଃଖର ଭାରାକ୍ରାନ୍ତ ମଥାକୁ ତାଙ୍କ ବକ୍ଷରେ ଗୁଞ୍ଜି ଦେଇ, ମୁଁ ଅନୁଭବ କଲି, ଯେମିତି ମୋ ହୃଦୟର ଗଭୀର କ୍ଷତର ବ୍ୟଥା ଅଶ୍ରୁ ହୋଇ ଭାଷି ଯାଉଛି ଭାଇଙ୍କ ବକ୍ଷ ଉପର ଦେଇ...

 

ପ୍ରକମ୍ପିତ ଅଧର ଯୁଗଳରେ, କୃତ୍ରିମ ହସରୁ ଧାରେ ଉକୁଟାଇ, ଭାଇ କହିଲେ, ରୀନା ପାଇଁ ଖାଇବାକୁ ବାଢ଼ ନିର୍ମଳା...

 

ନୂଆ’ଉ କିନ୍ତୁ ନଇଁ ଯିବାର ନୁହଁନ୍ତି... । ସେ ବିଦ୍ରୂପ ଗଳାରେ ଅହନ୍ତା ସାଧିଲେ, “ସେ’ ପରା ପିଲାଦିନୁ ଚାଲାକ୍...ନ ଖାଇ କ’ଣ ଘରୁ ଆସିଛନ୍ତି... ? ତମେ ସିନା ଡେରିରେ ଖାଇଲ, ଲଞ୍ଚ ଆଓ୍ୟାର ତ ଓଭର ହୋଇଗଲାଣି” ।

 

ପ୍ରବଳ କ୍ଷୁଧାରେ, ଅର୍ଦ୍ଧମୃତ ଭଳି ମନେହେଉଥିଲେ ବି ଖାଇବିନି ବୋଲି ମନା କରିଦେଲି ମୁଁ । ମାତ୍ର ସହ୍ୟ କରିବାର ଗୋଟେ ସୀମା ଅଛି, ଅଶ୍ୱସ୍ତିରେ ମୋ ଅନ୍ତର କ୍ଷତ ବିକ୍ଷତ ହୋଇପଡ଼ୁଥିଲା । ବିପରୀତ ପଟକୁ ମୁହଁ ବୁଲାଇ ନେଇ ଦି’ଧାରେ ଅଶ୍ରୁ ଝରାଇ ଦେଲି, ସେଇ ବୋଧହୁଏ ମୋ’ପାଇଁ ଚରମ ସାନ୍ତ୍ଵନା ।

 

ଆଃ, ଏ ପରିସ୍ଥିତିରେ ମୁଁ ଅଯଥା ପରିଧିର ପ୍ରସ୍ତାବ ଆଗତ କରିବି ? ହାସ୍ୟାସ୍ପଦ ହୋଇ ଆହୁରି ଦୁଃଖିତ ହେବି ସିନା– । ଲିଖିତ ନାଟକ ନଭେଲପରି, ଜୀବନଟା ଯାହା ଓଲଟ ପାଲଟ ହୋଇଗଲା । ମୋ ଭବିଷ୍ୟତ ଚଲା ପଥରେ ଯେଉଁ ସୁକୋମଳ ଲହୁଣୀ ପରି ଫୁଲ ଫୁଟିବାର ଆରମ୍ଭ କରିଥିଲା, ତାକୁ ମୁଁ ମୋରି ହାତରେ ଦଳି ମକଚି ଦେଇ, ତାରି ସ୍ଥାନରେ ରଖିଦେଲି ଗୋଟାଏ ବିରାଟ ପଥର । ସେଇ ପଥରର ଆଘାତ ମୁଁ ସହିବି ନାଇଁ ତ ଆଉ ସହିବ କିଏ– ?

 

ନିରୀହ ଶୃଗାଳପରି ମୁଁ କେବଳ ଜୁଳୁ ଜୁଳୁ ଅନାଇ, କୃତ୍ରିମ ହସ ଫୁଟାଇଲି ଅଧରରେ । କାରଣ, ଏଭଳି ଅପମାନକୁ ଗତାୟୁ ଦୁଃଖଭଳି ଟୁକୁରା ଟୁକୁରା କରି ଉଡ଼େଇ ନ ଦେଲେ, ବଞ୍ଚିବାର ଅନ୍ୟ ଉପାୟ ନାଇଁ ।

 

ହୃଦୟର ସମସ୍ତ ଉତ୍ତାପକୁ ଚାପି ରଖି, ମନ ସ୍ଥିର କରି, ପିଲାଙ୍କ କହିବା ମୁତାବକ ନୂଆ’ଉଙ୍କୁ ଅନୁରୋଧ କଲି ଘରକୁ ଆସିବା ପାଇଁ । ନୂଆ’ଉ ମୋ ଅନୁରୋଧ ଶୁଣିବା ଦୂରେ ଥାଉ, ମୋ କଥା ଶୁଣୁ ନ ଶୁଣୁ ହସି ହସି ଗଡ଼ି ଗଲେ । କହିଲେ, ସତରେ ରୀନା ତମର ଆଜିକାଲି ବୁଦ୍ଧିବୃତ୍ତି ଲୋପ ପାଇଗଲାଣି । ତମେ ତ ଜାଣ, ଲଞ୍ଚ ପରେ ପରେ ଭାଇ ଟିକେ ବିଶ୍ରାମ ନିଅନ୍ତି । ତା’ପରେ ପରେ ଫ୍ରେସପ୍ ହୋଇ ଜିନିଷ ସଜାଡ଼ି ବାହାରିଲା ବେଳକୁ ଅନେକ ଡେରି । ଦଶଟା ପୂର୍ବରୁ ଯେମିତି ହେଲେ ହେଡ଼୍‍କ୍ୱାର୍ଟରରେ ପହଞ୍ଚିବା ଦରକାର । ତମ ଘରକୁ ଯାଇ ଡେରି କଲେ ଚଳିବ ?

 

ଏଭଳି ପୁନଃ ପୁନଃ ମର୍ମଦାହର ଜ୍ୱାଳା ସମ୍ଭାଳିବା ପାଇଁ ମୋର ଧୈର୍ଯ୍ୟଚ୍ୟୁତି ଘଟିଲା । ସେଠା ପରିତ୍ୟାଗ କରିବା ପୂର୍ବରୁ କେଇ ମୁହୂର୍ତ୍ତ ଅଟକି ଯାଇ ମନେ ମନେ ଭାବିଲି, ମୋର ପୁଣି ବୁଦ୍ଧି ଲୋପ ପାଇ ଗଲାଣି, ଏଇ ବୁଦ୍ଧିରେ ଦିନେ ତାଙ୍କ ଘର ଚଳୁଥିଲା । ଘରର ପ୍ରତ୍ୟେକ ବ୍ୟକ୍ତି ବୁଦ୍ଧିକୁ ମୋର ବାରମ୍ବାର ତାରିଫ୍ କରୁଥିଲେ । ମୋର ପୁଣି ବୁଦ୍ଧି ନାଇଁ ? ପରିଧି ବରଂ ବିବାହ ନ କରୁ, କିନ୍ତୁ ମୁଁ ଆଉ,

 

ଜଣେ ସୁସ୍ଥ ମନର ଲୋକକୁ ନେଇ, ପାଗଳା ଖାନାରେ ରଖିଲେ ସେ ଯେପରି ପାଗଳ ହେବାକୁ ବାଧ୍ୟ ହୁଏ, ଠିକ୍ ସେ’ପରି ନୂଆ’ଉଙ୍କ ନିର୍ବୁଦ୍ଧିଆ ବକ୍ତବ୍ୟଟା ମୋ ବୁଦ୍ଧିକୁ ଧ୍ୱଂସ କରିପକାଇଲା । ଆଉ କୌଣସି ପ୍ରସଙ୍ଗ ନ ଉଠାଇ ମୁଁ ଲେଉଟି ଆସିଲି ।

 

ଆସିବା ସମୟରେ ଭାଇଙ୍କ କଣ୍ଠସ୍ଵର ବେଡ଼୍‍ରୁମ୍‍ରୁ ସ୍ପଷ୍ଟ ନ ହେଲେ ବି ଅସ୍ପଷ୍ଟ ଭାବେ ଶୁଣାଗଲା, ତମେ ରୀନାକୁ ଏକା ଛାଡ଼ିଦେଲ ? ପଦେ ଭଲ କରି କଥା କହିଲନି, ଖାଇବାକୁ ଦେଲନି, ଘରକୁ ଡାକିଲା ଗଲନି, କ’ଣ ବା ତା’ର ଦୋଷ ? ଛିଃ ଛିଃ ଏଭଳି ବ୍ୟବହାର ।

 

ବ୍ୟବହାର, (ନୂଆ’ଉଙ୍କ ତାଚ୍ଛଲ୍ୟ କଣ୍ଠସ୍ଵର) କ’ଣ ବ୍ୟବହାରଟା ଖରାପ ହୋଇଗଲା ଶୁଣେ ? ଏକା ତ ଆସିଥିଲେ, ଏକା ଯାଆନ୍ତେ ନାଇଁ, ଆଉ ସଙ୍ଗରେ ଯାଆନ୍ତା କିଏ– ? ଇଚ୍ଛା ହେଉଥିଲା ଯଦି ଗଲନି... । ଘରକୁ ଡାକୁଥିଲେ, ଯାଉନ... । ଭଉଣୀ ବୋଲି କ’ଣ ନିଜର ଷ୍ଟାଟସ୍ ନାଇଁ— ? କ’ଣ କହିବେ ଏ ଗାଁ’ଲୋକେ... ? ତା’ପରେ ସମୟ କାଇଁ ଯେ— ? କହି କରିତ ଆସିଛ ନୀଲୁ ଘରକୁ ଯିବ ବୋଲି । ସେ ସିଆଡ଼େ ଅପେକ୍ଷା କରି ବସିଥିବ ।

 

ଆଃ...ମୁଁ ଆଉ ଶୁଣି ପାରିଲିନି । ଆଖିରୁ ଲୁହ ନ ଗଡ଼ାଇ ଈଶ୍ୱରଙ୍କୁ ପ୍ରାର୍ଥନା କଲି, ଠାକୁରେ ମୋତେ ନିଷ୍ପନ୍ଦ କର ଅଥର୍ବ କରିଦିଅ ମତେ ।

 

କଚେରୀ ଘଣ୍ଟାରେ ବାଜିଲା ଚାରି ।

 

ମୁଁ ଚାଲିଚି... । ସାହାରାରେ ଓଟର ପଦାର୍ପଣ ଭଳି, ରାସ୍ତା ଉପରେ ମୋର ପଦକ୍ଷେପ... । ଆଉ କେତୋଟି ମୁହୂର୍ତ୍ତ ପରେ ଯେମିତି ନିଶ୍ୱାସ ବନ୍ଦ ହୋଇଯିବ ମୋର... ।

 

ମୋ ଘରର ରାସ୍ତା ଉପରେ ଠିଆ ହୋଇ, ମୁଁ ଘରକୁ ଯିବା ପାଇଁ ଗେଟ୍ ଖୋଲୁଚି, ଭାଇଙ୍କ ଗାଡ଼ି ମୋ ଦେହରେ ଘସି ହୋଇ ଚାଲିଗଲା... । କାର୍‍ର ଶବ୍ଦ ଶୁଣି, ଘର ଭିତରୁ ବାହାରି ଆସିଲେ ଚାରୋଟି ଯାକ ଝିଅ । ଆଠୋଟି ଆଖିର କରୁଣ ଚାହାଣି ସଙ୍ଗେ ଗୋଟିଏ ମିଳିତ କଣ୍ଠସ୍ଵର ଭାଷି ଆସିଲା, “ମାମୁଁଙ୍କ ଗାଡ଼ିଟା ଭାରି ସୁନ୍ଦର ବୋଉ, ତୁ ଗାଡ଼ିରୁ ଓହ୍ଲାଇଲୁ, ସେମାନେ ଓହ୍ଲାଇଲେ ନାଇଁ...ତୁ ଡାକିଲୁ ନାଇଁ କି... ?’’

 

ବେଦନା-ବତୁରା ଅଶ୍ରୁଳ କଣ୍ଠରୁ ମୋର ବାହାରି ଆସିଲା...ମୁଁ ତ ଗାଡ଼ିରୁ ଓହ୍ଲାଇନି...

 

(ଅଗଷ୍ଟ ସତୁରୀ ପଞ୍ଚମ ସଂଖ୍ୟା ଝଙ୍କାରରେ ପ୍ରକାଶିତ ।)

Image

 

ଅସ୍ତଲଗ୍ନ

 

ସକାଳ ନଅଟା ବାଜିଗଲାଣି । ଅଫିସ ଯିବାପାଇଁ ଆଉ ମାତ୍ର ଚାଳିଶ୍ ମିନିଟ ସମୟ ହାତରେ, ଅଥଚ ଏ ଯାଏଁ ଫାଇଲ୍ ଦେଖା ସରି ପାରିନି ଭବତୋଷ ବାବୁଙ୍କର । ଫାଇଲ୍ ପକେଇ ରଖି ଅଫିସ୍ ଚାଲିଯିବା ଯଦିଓ ଭବତୋଷଙ୍କର ମତ ବିରୁଦ୍ଧ, ତଥାପି ଆଜିର ସମୟାଭାବରୁ ଏକଥା କରିବା ପାଇଁ ବାଧ୍ୟ ହୋଇ ଥାଆନ୍ତେ । ମାତ୍ର ଆଜି ପାଇଁ ଏହା ଆଦୌ ସମ୍ଭବ ନୁହେଁ । ଅଫିସ୍‍କୁ ଆଜି ସେକ୍ରେଟେରୀଙ୍କର ଆଗମନ, ସେ ପୁଣି ଏ ସଂସ୍ଥା ପାଇଁ ଏକବାରେ ନୂତନ । ଯାହା କିଛି ଫାଇଲ୍ ପତ୍ର ତାକୁ ପକେଇ ରଖିଲେ, ଚାକିରି ଖଣ୍ଡ ଚାଲିଯିବା କିଛି ଅସମ୍ଭବ ନୁହେଁ । ଯୁଗ ଆସି ଯେଉଁଠି ପହୁଞ୍ଚିଲାଣି, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କର ନିରାପତ୍ତା କାଇଁ ଚାକିରିରେ ? ଶାସ୍ତିଟା ମଧ୍ୟ ସେମିତି କିଛି ସାଧାରଣ ନୁହେଁ, ଏକବାରେ ଅବସର । ଅବଶ୍ୟ ଏ ପାପ ଚିନ୍ତା ଭବତୋଷଙ୍କୁ କେବେ ସ୍ପର୍ଶ କରିନି । କାରଣ, ସହରରେ ତାଙ୍କର ଉତ୍କୋଚ ଟଙ୍କାରେ ଦ୍ଵିତଳ ପ୍ରାସାଦ ଗଢ଼ି ଉଠିନି, କି ଖରାପ ଅଫିସର ଭାବେ ତାଙ୍କର ଦୁର୍ନାମ ନାଇଁ । ଜଣେ ସଚ୍ଚୋଟ ଅଫିସର ଭାବେ ନିଜ ପ୍ରତି ତାଙ୍କର ବିଶ୍ଵାସ ଅଛି । ଏଥି ନେଇ ସେ କେବେ ଭୟଭୀତ ହୋଇ ନାହାନ୍ତି, ଯଦିଓ ଏଇ ଦି’ଚାରି ଦିନ ହେଲା ସେ ପଚାଶରେ ପଦାର୍ପଣ କରି ସାରିଲେଣି ।

 

ତର ତର ହୋଇ ଫାଇଲଗୁଡ଼ା ସଜାଡ଼ି ରଖୁ ରଖୁ ନିଜର ନିତ୍ୟକର୍ମ ବିଷୟରେ ସଚେତନ ହୋଇଉଠିଲେ । ଛଅଟା ପୂର୍ବରୁ କ୍ଷୌର କର୍ମଟି ଯାହା ସରିଯାଇଛି । ସ୍ନାନ ଭୋଜନାଦି ପାଇଁ ଅନ୍ୟୁନ ଅଧଘଣ୍ଟାଏ ଲାଗିବତ । ତା’ପରେ କାରରେ ଗଲେ ବି ରାସ୍ତାର ଗହଳି କାଟି କାଟି ଅଫିସରେ ପହୁଞ୍ଚିବା ପାଇଁ ଆଉ ଅଧଘଣ୍ଟାଏ ସମୟ ଦରକାର । ଏତେ ସମୟ ଆଉ କାଇଁ ? ଏଇ ଜରୁରୀକାଳିନ ପରିସ୍ଥିତି ଘୋଷଣା ପରେ ସାରା ବିଶ୍ଵଟା ତାଙ୍କୁ ନୂଆ ନୂଆ ଲାଗୁଚି । ଠିକ୍ ଟାଇମରେ ଅଫିସରେ ପହଞ୍ଚିବା ଦେଖି ତଳ କର୍ମଚାରୀମାନେ ଆଦୌ ସହ୍ୟ କରିପାରୁନାହାନ୍ତି ଭବତୋଷବାବୁଙ୍କର ଏ ସମୟାନୁବର୍ତ୍ତୀତାର ସୁଗୁଣକୁ । ସମସ୍ତଙ୍କର ବିଷଦୃଷ୍ଟି ତାଙ୍କ ଉପରେ । ଯୋଉ ଅଫିସରେ ଗୋଟିଏ କିରାଣୀଙ୍କ ମୁଖ ଦେଖିବା ଛଡ଼ା ଅନ୍ୟ ମୁଖର ସାମାନ୍ୟ ପରିଚିତ ବି ନ ଥିଲା, ଏବେ ସେ ସବୁ ଦଶ୍ ବାଜୁ ବାଜୁ ଆସି ହାଜର । ଷ୍ଟେନୋ ମିସ୍ ନିଶି ଗୁପ୍ତାଙ୍କର ଆସିବା ସମୟତ ସର୍ବଦା ବାରଟାରୁ ଊର୍ଦ୍ଧ୍ଵ ଥାଏ । ପଚାରିଲେ ଉତ୍ତର ନାଇଁ, ଓଠରେ ଗୋଟାଏ ବିଶ୍ଵବିନୟା ହସର ଧାରା ଛୁଟାଇ ସଙ୍କୁଚି ଯାଆନ୍ତି ଟିକେ । ଏବେ ଆଉ ସେ ହସ ନାଇଁ, କି ଆସିବା ସମୟ ଆଉ ଦଶଟାରୁ ଊର୍ଦ୍ଧ୍ଵ ହେଉନି ।

 

ଭାବନାର ଅନ୍ୟମନସ୍କତା କାଟି ତର ତର ହୋଇ ସ୍ନାନାଗାରରେ ପ୍ରବେଶ କଲେ ଭବତୋଷ ବାବୁ । ସ୍ନାନ ସାରି ବ୍ୟସ୍ତତାର ସହିତ ପଦଚାରଣା କରୁ କରୁ ଚକ୍ଷୁ ଦୁଇଟି ସ୍ଥିର ହୋଇଗଲା ପୁଅ ଭବାନୀ ଉପରେ । ଖାଇବା ଟେବୁଲ ପରିଷ୍କାର କରି ପ୍ଲେଟ ସଜାଡ଼ି ରଖୁଚି ସେ । ଆଉ ଅନ୍ୟମାନେ କୁଆଡେ଼ ଗଲେ ପଚାରିବା ପାଇଁ ସମୟ ନାଇଁ ଭବତୋଷଙ୍କର । ଖୁବ୍ ଶୀଘ୍ର ରୁଟି ଖଣ୍ଡେ ପାଟିରେ ପୁରାଉ ପୁରାଉ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଲେ ଭବାନୀକୁ । ଏତେ ଦିନ ପରେ ସେ ଗରମ ରୁଟି ଖାଇବାକୁ ପାଇଲେ ନଚେତ୍ ରୁଟିର ଅବସ୍ଥାତ ତାଙ୍କ ପାଇଁ ସର୍ବଦା ବରଫ-। ସକାଳ ବ୍ରେକ୍‍ଫାଷ୍ଟ ପାଇଁ ରୁଟି ଫ୍ରିଜ୍‍ରୁ ବାହାରେ । ଆଉ ରାତିର ଡିନର ପାଇଁ ରୁଟି ଚାରିଟା ବେଳୁ ସେକା ହୋଇଥାଏ । ତେଣୁ ବିସ୍ମିତ କଣ୍ଠରେ ଭବାନୀକୁ ପ୍ରଶ୍ନ କଲେ, ଆଜି ରୁଟି ଗରମ ଅଛି କେମିତି ?

 

ଟିକିଏ ଭଜା ପ୍ଲେଟରେ ପରଶି ଦେଉ ଦେଉ ଭବାନୀ ଉତ୍ତର ଦେଲା, ଏଇ ସେକୁଚି ତ ବାବା...ଭଜାଟା ବି ଗରମ... ।

 

ଭବାନୀ ରୁଟି ସେକୁଚି ଭଜା ଭାଜୁଚି...ତେବେ ଭବମୟୀ ଫେରି ନାହାନ୍ତି ଏଯାଏଁ... । ଆଉ ଭଦ୍ରା... ?

 

—ଯାଇଚି ରିହର୍ସାଲକୁ...ଆଜି ଗୋଟାଏ ସାଂସ୍କୃତିକ ଅନୁଷ୍ଠାନରେ ତା’ର ଗୀତ ନାଚ ଏବଂ ଗୋଟାଏ ସିନ୍ କମିକ୍ ବି ଅଛି ।

 

ଭବତୋଷବାବୁଙ୍କର ଦୟନୀୟ କଣ୍ଠରୁ କ୍ଷୀଣା ‘ହୁଁ’ଟିଏ ବାହାରିଗଲା... । ଦି’ଗ୍ଲାସ୍ ପାଣି ଢକ ଢକ କରି ପିଇ ଦେଇ ଅଫିସ ଯିବା ପାଇଁ ଉଦ୍ୟତ ହେଲେ ସେ... । ଜୋତା ଦୁଇଟା ବ୍ରସ୍‍କରି ଭବାନୀ ତାଙ୍କ ଗୋଡ଼ ପାଖେ ରଖି ଦେଇ ବିହ୍ଵଳିତ ସ୍ଵରରେ ଗୋଟାଏ ଶୁଭ ସମ୍ବାଦ ଜଣାଇଲା...ବାବା ! ଭଦ୍ରାର ଚାକିରି ପାଇଁ ଇଣ୍ଟରଭିଉକୁ କଲ୍ ଆସିଚି... । ସାମାନ୍ୟ ଖୁସି ହୋଇ ଗଲେ ବି ଏଥର ଭବତୋଷଙ୍କର କ୍ଷୀଣ ହୁଁଟି କର୍କଶ ଶୁଣାଗଲା । ହୁଁ, ଆଉ ତୋ ଚାକିରି କ’ଣ ହେଲା ?

 

ହେଲାନି ବାବା...ଭାବିଚି ଗୋଟାଏ କ୍ଲର୍କ ପୋଷ୍ଟରେ ରହିଯିବି ।

 

କାହିଁକି ଲେକ୍‍ଚରର ପୋଷ୍ଟ... ?

 

ଆଶା ନାଇଁ । ସବୁଠାରେ ତ ସେଇ ଏକା କଥା...ଆଗେ ଝିଅମାନେ ରହି ଯାଆନ୍ତୁ...ପରେ ତମମାନଙ୍କୁ ବିଚାରକୁ ନିଆଯିବ... ।

 

ହତାଶରେ ଗୋଟାଏ ଛୋଟ ଦୀର୍ଘଶ୍ୱାସ ବାହାରି ଯାଇ ଭବତୋଷବାବୁଙ୍କର ସମଗ୍ର ଶରୀରଟାକୁ ଦୋହଲାଇ ଦେଲା ଯେମିତି... । ବା ହାତଟା କପାଳ ଉପରକୁ ଉଠିଯାଇ ଆଉ ଫେରିଲାନି ଜମା ତଳକୁ । ଭଦ୍ରା ଚାକିରି କରିବ...ଅଥଚ ଭବାନୀ ଘରେ ବସି ବସି ରୁଟି ସେକିବ, ଭଜା ଭାଜିବ, ଟେବୁଲ ସଫା କରିବ, ଭାବିଲା ବେଳକୁ ଭବତୋଷବାବୁଙ୍କୁ ଅନୁଭବ ହେଉଥିଲା, ପ୍ରତି କ୍ଷଣେ କ୍ଷଣେ ତାଙ୍କର ଯେମିତି ଓଜନ କମି କମି ଯାଉଚି କୋଡ଼ିଏ କୋଡ଼ିଏ ପାଉଣ୍ଡ...

 

ବି.ଏ.ରେ ଡିସଟିଙ୍କସନ...ଏମ୍.ଏ.ରେ ଫାଷ୍ଟକ୍ଲାସ, କିଛିଟା ହେଲେ କାର୍ଯ୍ୟକାରୀ ହୋଇପାରିଲାନି ଭବାନୀର । ଅଥଚ ଭଦ୍ରା ଅତି ସାଧାରଣ ଭାବେ ଏମ୍.ଏ.ରେ ସେକେଣ୍ଡ କ୍ଲାସ ପାଇ ଚାକିରିତ ପାଇଗଲା । ମାତ୍ର ଭବାନୀ ତିନି ତିନି ଥର କମ୍ପିଟେଟିଭ ଦେଇ ହତାଶ ହୋଇଚି । ଏହାର କାରଣ ବୁଝିବା ପାଇଁ ଅନେକ ବୁଦ୍ଧିଜିବୀଙ୍କୁ ପଚାରି ଅତି ସାଧାରଣ ଉତ୍ତର ପାଇଛନ୍ତି “ଆଜ୍ଞା ଭାଗ୍ୟ” ।

 

ଇଡ଼ିଏଟ୍‍ଗୁଡ଼ା, ତେବେ ପିଲାଏ ପଢ଼ିବେ କାହିଁକି ? ପରିଶ୍ରମ କରି କ୍ୟାରିୟର ଗଢ଼ୁଥିବା ପିଲାଏ ଯଦି ହତଭାଗ୍ୟ ହେବେ, ତେବେ ଭାଗ୍ୟବାନ୍ ହେବେ ଫୁର୍ତ୍ତି ଫାଜିଲାମି କରୁଥିବା ପିଲାଏ-? ଆଃ ଭବାନୀଟା ପୁଅ ନ ହୋଇ ଝିଅ ହୋଇ ଥାଆନ୍ତା ହେଲେ ।

 

ଭାବ ଗମ୍ଭୀର ହୋଇ ଅଫିସ ଯିବାପାଇଁ ଉଦ୍ୟତ ହେଲେ ଭବତୋଷବାବୁ... । ମାତ୍ର ଗାଡ଼ି କାଇଁ... ? ସକାଳ ସାତଟାରୁ ଗାଡ଼ି ନେଇ ଯାଇଛନ୍ତି ଭବମୟୀ... । କ’ଣ ବା କାମ... ? ଲେଖିକା ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଉଥିବା ଦି’ତିନିଜଣ ମହିଳାଙ୍କୁ ଷ୍ଟେସନରେ ବିଦାୟ ସମ୍ବର୍ଦ୍ଧନା ଜଣାଇବା କଥା... । ଟ୍ରେନ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ସାରିବଣି...ଅଥଚ ଭବମୟୀଙ୍କୁ ଘରେ ପହୁଞ୍ଚିବା ପାଇଁ ସମୟ ହୋଇନି । ଛିଃ...ଅଫିସରେ ଜରୁରୀକାଳିନ ପରିସ୍ଥିତି ଘୋଷଣା ନ କରାଇ ଏଇ ଘରେ ଘରେ ଘୋଷଣା କରାଇଥିଲେ ହୋଇଥାଆନ୍ତା...ଯେତେ ଚେଷ୍ଟା କରୁଛନ୍ତି ଭବତୋଷବାବୁ ଶୀଘ୍ର ଅଫିସ ଯିବା ପାଇଁ, ଆଜିର ପରିସ୍ଥିତି ଆଦୌ ଅନୁକୂଳ ହୋଇପାରୁନି ।

 

ଆସ୍ତେ ଆସ୍ତେ ଭବତୋଷଙ୍କର ଧୈର୍ଯ୍ୟଲୁପ୍ତ ହେଉଥିବା ବେଳେ, ଗୋଟାଏ ଅଶ୍ଳୀଳ ହର୍ଣ୍ଣ ଦେଇ ଟ୍ୟାକ୍‍ସିଟେ ଆସି ଛାଡ଼ି ଦେଇଗଲା ଭବମୟୀଙ୍କୁ...

 

ବୀରଦର୍ପରେ ପ୍ରଶ୍ନ ପଚାରିବା ପାଇଁ ଠିଆ ହୋଇପଡ଼ିଲେ ଭବତୋଷବାବୁ । ମାତ୍ର ଭବମୟୀଙ୍କ କ୍ରୋଧଦୀପ୍ତ ମୁଖକୁ ଚାହିଁ ଏକବାରେ ସଂକୁଚି ଗଲେ ସେ... । କାହିଁକି ଏତେ ଡେରି ହେଲା, ଗାଡ଼ି କ’ଣ ଖରାପ ହେଲାକି, ରିକ୍ସାରେ ନ ଆସି ଟ୍ୟାକ୍ସିରେ ଆସିଲ କାହିଁକି, ଡ୍ରାଇଭର ଗାଡ଼ି ନେଇ କୁଆଡ଼େ ଗଲା, ଏତେ ସବୁ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଥିଲେ ବି ପଚାରିବା ପାଇଁ ସାହାସ ପାଉନାହାନ୍ତି ଭବତୋଷବାବୁ । ତାଙ୍କ ପାଇଁ ସବୁ ଦୁର୍ଭେଦ୍ୟ ଗୋଲକ ଧନ୍ଦା ।

 

ଘର୍ମାକ୍ତ ମୁଖମଣ୍ଡଳରୁ ଶାଢ଼ିର ଅଞ୍ଚଳରେ ସ୍ଵେଦଗୁଡ଼ାକ ପୋଛି ଦେଉ ଦେଉ ଚେୟାର ଟାଣି ନେଇ ଫ୍ୟାନ ତଳେ ବସିଗଲେ ଭବମୟୀ । ବିରକ୍ତିର ସୀମା ଟପି ଆରମ୍ଭ କଲେ, ବୁଝିଲ ଏ ଜୀବନ ଚାଲିଯିବ ସିନା, ତମ ଡ୍ରାଇଭରଙ୍କୁ ନେଇ କୁଆଡ଼େ ଯିବିନି । ରାସ୍ତାଟାରେ ଗାଡ଼ିଟା ଠିଆ କରାଇ ଗପି ଚାଲିଚି । ଚତୁଃପାର୍ଶ୍ଵ ତାର ଲୋକାରଣ୍ୟ । ହର୍ଣ୍ଣ ଦେଇ ଡାକିବାରୁ ଆସ କହିଲା ମୋର ବି ମା’ ତମ ଭଳି ଅନେକ କାମ । ୟୁନିୟନ୍ ପ୍ରେସିଡ଼େଣ୍ଟ ହୋଇଛି । କାଲି ଛାଡ଼ି ପଅର ଦିନ ଆମର ଧର୍ମଘଟ । ସ୍ଳୋଗାନ ପ୍ରସ୍ତୁତ ହେବ । କାର୍ଯ୍ୟସୂଚୀ ପାଇଁ ଅଡ଼ି ବସିଲେଣି, ମତେ ଆଉ ଛାଡ଼ିବେ ? ଏ’ ଟ୍ୟାକ୍ସିଟାରେ ଆପଣ ଚାଲି ଯାଆନ୍ତୁ ମୁଁ ପଛରେ ଗାଡ଼ି ନେଇ ଯାଉଛି । ଛିଃ, ଛିଃ, ଲୋକଟାର ଶିଷ୍ଟାଚାର ନାଇଁ, ଯେତେ କହିଲି, ମତେ ନେଇ ଛାଡ଼ି ଦେଇ ଆସ, ଜମା ଶୁଣିଲାନି । ଶୁଣ ! ଏଥର ଆମ ସମିତି ତରଫରୁ ଗୋଟାଏ ଡ୍ରାଇଭର ରଖିବାର ବନ୍ଦୋବସ୍ତ କରିବ ।

 

ମୁହଁରୁ ଅଶ୍ୱସ୍ତିଭାବକୁ ଘୋଡ଼ାଇ ଦେଇ ଦ୍ରୁତ ପଦକ୍ଷେପରେ ବାହାରି ଗଲେ ଭବତୋଷବାବୁ... । ମୁଠା ମୁଠା ନିଆଁ ତାଙ୍କ ମୁଣ୍ଡରେ କିଏ ଯେମିତି ଛିଞ୍ଚି ଦେଇ ଯାଉଛି... । ଏପ୍ରିଲ ମାସ... । ଦିନ ଦଶଟା... । ସେଥିରେ ପୁଣି ଡେରି ହୋଇଯିବା ଭୟରେ ଏକାଲୟରେ ଧାଇଁଚନ୍ତି ସେ । ତରଳ ଲାଭାପରି ଲିପିହୋଇ ଯାଉଚି ଚାଇଁ...ଚାଇଁ ଖରା ।

 

ଅଫିସ କକ୍ଷରେ ପହୁଞ୍ଚି, ନିଜ ଟେବୁଲର ବିପରୀତ ପାର୍ଶ୍ଵରେ ସହପାଠୀ ଅମୀୟକୁ ଦେଖି ଆନନ୍ଦ ଗଦ୍‍ ଗଦ୍‍ ସ୍ୱରରେ ପାଟି କରି ଉଠିଲେ...ଆରେ ଅମୀୟ ତୁ ସେକ୍ରେଟେରୀ ? ଅମୀୟଙ୍କର ସମ୍ମତି ସୂଚକ ଇଙ୍ଗିତ ପାଇ, ମନରୁ ସବୁତକ ଭୟ ତୁଟିଗଲା ସେଇ ମୁହୂର୍ତ୍ତରେ ଭବତୋଷଙ୍କର... । ଆନନ୍ଦର ଅତିଶଯ୍ୟାରେ ମୁହୂର୍ତ୍ତ କେତୋଟି କଟି ଯିବାପରେ, ଅମୀୟ ଗୋଟାଏ ଦସ୍ତଖତ ଭବତୋଷଙ୍କଠାରୁ ନେଇ, ବାଷ୍ପାକୁଳ କଣ୍ଠରେ କହିଲେ, ମୁଁ ବଡ଼ ହତଭାଗ୍ୟ ଭବତୋଷ । ତୋତେ ଏଭଳି ଚିଠି ଦେବା ପାଇଁ ମତେ ଯାହା ବରାଦ୍ କଲେ ଭଗବାନ୍...

 

ସ୍ପନ୍ଦିତ ହୃଦୟ ନେଇ ଭବତୋଷବାବୁ ଚିଠିଟି ଖୋଲି ଯାହା ପଢ଼ିଲେ, ସେ’ ଇଂରାଜୀର ଶୁଦ୍ଧ ଓଡ଼ିଆ ହେଲା, “ଆପଣଙ୍କ ଚାକିରିର କାର୍ଯ୍ୟକଳାପ ତନଖି ସରକାର ଉପଲବ୍ଧି କରୁଛନ୍ତି ଯେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆପଣଙ୍କ ସେବାର ଆଉ ଅଧିକ ଆବଶ୍ୟକତା ନାଇଁ । ତେଣୁ ତିନି ମାସର ଅଗ୍ରୀମ ଦରମା ଦେଇ ଆଜିଠାରୁ ସରକାରୀ କାର୍ଯ୍ୟରୁ ଅବସର ଦେବାପାଇଁ ବାଧ୍ୟ ହେଉଛୁ”... ।

 

ନିଜର ଅଜଣାରେ ନିଗିଡ଼ି ପଡ଼ୁଥିବା ଧାର ଧାର ଅଶ୍ରୁକୁ ବଡ଼ ନିଷ୍ଠୁର ଭାବେ ପୋଛି ପକାଉଥିଲେ ଭବତୋଷବାବୁ... ।

 

(ଜୀବନରଙ୍ଗ ମହିଳା ବିଶେଷାଙ୍କ ୧୯୭୫ ଡିସେମ୍ବର)

Image

 

Unknown

ମଧ୍ୟାହ୍ନର ଉପକଥା

 

ସକାଳର ଆଲୁଅରେ ସୁକାନ୍ତର ନିଦ୍ରା ଭଙ୍ଗ ହେଲା । ବିଗତ ରାତ୍ରିର ମନସ୍ତାପକୁ ପ୍ରଚ୍ଛନ୍ନ ରଖି, ଅସହାୟ ଭାବେ ରେଜେଇ ଭିତରୁ ନିଜକୁ ମୁକ୍ତ କଲା ସୁକାନ୍ତ । ଅନ୍ତରର ଆକୁଳତାକୁ, କୃତ୍ରିମତାର ଆବରଣ ଦେଇ ଏଭଳି ଭାବେ ରୁଦ୍ଧ କରିବାକୁ ହୁଏ, ସୁକାନ୍ତର ଏ ଥିଲା ସର୍ବଶ୍ରେଷ୍ଠ ଅନୁଭୂତି ତା’ ବିବାହିତ ଜୀବନରେ ।

 

ବିରକ୍ତିମିଶା ଅଭିମାନପୂର୍ଣ୍ଣ ଭାବନାର ମାର୍ଗଟାକୁ ବିପରୀତମୁଖୀ କରେଇ ଦେବାଲାଗି, ଝରକା ଭିତର ଦେଇ ବାହାରକୁ ଚାହିଁଲା ସୁକାନ୍ତ । ବାହାରେ ବର୍ଷା ଅଦ୍ୟାପି ନୃତ୍ୟରତା । ଅସ୍ପଷ୍ଟ କୁହୁଡ଼ି ଭିତରୁ ବର୍ଷାର ଚଞ୍ଚଳ ବେଗ ବେଶ୍ ବାରି ହୋଇଯାଉଚି । ରାତ୍ରିର ମଧ୍ୟଭାଗରେ ଏ ନୃଶଂସ ବର୍ଷାଟା ବଡ଼ ଅହେତୁକୀଭାବେ ଧରଣୀ ଉପରେ ଦାଉ ସାଧିଲା । ଏଯାଏ ବି ସେ ଦମ୍‍ କମିନି । ଶେଷ ନଭେମ୍ବରରେ ବି ରାକ୍ଷସୀ ଶୀତଟାର ଭୟଙ୍କର ପ୍ରକୋପ... ।

 

ଶୀତର ଅଧିକ ମାତ୍ରାଟାକୁ ସାମାନ୍ୟ ଦବେଇ ଦେବା ଲାଗି ଖଟ ବାଡ଼ରୁ ଟାଓ୍ୟାଲଟାକୁ ଟାଣି ଆଣି ଦୁଇ ସ୍କନ୍ଧକୁ ଆବୃତ କରି ଦେଲା ସୁକାନ୍ତ । ଦରଆଉଜା ଗବାକ୍ଷକୁ ଖୋଲି ଦେବାପାଇଁ ଉଦ୍ୟତ ହେଉଥିଲାବେଳେ, କେଇ ମୁହୂର୍ତ୍ତ ଅପେକ୍ଷା କରିବା ପାଇଁ ମନସ୍ଥ କରିଦେଲା... । ସୁଚିତ୍ରା ତ ଏଇକ୍ଷଣି ପ୍ରବେଶ କରିବ କକ୍ଷରେ । ଅନେକ ବେଳୁ ନିଦ ଭାଙ୍ଗି ଯାଉଥିଲେ ବି, ସୁଚିତ୍ରାର ଆଗମନ ଯାଏଁ ସୁକାନ୍ତ ଅପେକ୍ଷା କରେ ବାହାରକୁ ନ ଯାଇ । ଏଇଟା ସୁକାନ୍ତର ଗୋଟାଏ ବହୁ ଆକାଂକ୍ଷିତ ଅଭିଳାଷ...

 

ମାତ୍ର ସୁଚିତ୍ରାର ଏହା ଅନାକାଂକ୍ଷିତ... । ସେ ବିପକ୍ଷବାଦୀ... । ସେ ବିରକ୍ତିମିଶା ଗଳାରେ ବେଳେବେଳେ କହି ଦେବାର ସୁକାନ୍ତ ଶୁଣି ସାରିଛି ...‘‘ଯାଃ...ଏଭଳି ନିର୍ଲଜ୍ଜଙ୍କ ଭଳି ଚାହିଁ ରହିଲେ ମୁଁ ଏଣିକି ବାରଣ୍ଡାରେ ଲୁଗା ବଦଳି ଘରେ ପଶିବି”...ସୁଚିତ୍ରାର ବକ୍ତବ୍ୟରେ, ଏକ ଚପଳ ଶିଶୁଭଳି, ସୁକାନ୍ତ ଆସ୍ତେ ନୟନ ମୁଦ୍ରିତ କରିଦିଏ... । ତା’ର ଇଚ୍ଛା ହୁଏ କହିଦେବା ପାଇଁ, ଚିତ୍ରା ! ତମ ଦେହର ସିକ୍ତ ବସନ, ମୋ ଦେହରେ ସୃଷ୍ଟି କରୁଚି ଅଜସ୍ର କମ୍ପନ... । ମାତ୍ର କେବେ କହିନି ସୁକାନ୍ତ । ସେ ଭାବେ ମନର ବାସନାଟା କଥାରେ କହି ମଣିଷ ଶାନ୍ତି ପାଏନି ।

 

କକ୍ଷର ପ୍ରତ୍ୟେକ ବସ୍ତୁ ଉପରେ, ଏକ ଅସ୍ପଷ୍ଟ ସ୍ପର୍ଶ ଦେଇ ଦମକାଏ ଥଣ୍ଡା ପବନ ବହି ଚାଲିଗଲା... । ଯିବା ବାଟରେ ସୁକାନ୍ତର ସାର୍ଟଟାକୁ ହାତ ମାରି ଖସେଇ ଦେଇ ଚାଲିଗଲା ଯେମିତି ହ୍ୟାଙ୍ଗରରୁ... । ପକେଟ ଭିତରୁ କେତୁଟା ଚଉତା କାଗଜ ଅତି ଅସହାୟଭାବେ ତଳେ ଖସିପଡ଼ିଲା...ତଳୁ ଉଠାଇ ନଉ ନଉ ସୁକାନ୍ତ ଦେଖିଲା, ତା’ ଇଞ୍ଜିନିୟରିଂ ସାର୍ଟିଫିକେଟଟା... । ସାର୍ଟର ପକେଟରେ ଆବଦ୍ଧ ରହି ରହି ପୁରୁଣା ହୋଇଗଲାଣି । ପୁରୁଣା ସାର୍ଟଗୁଡ଼ା ଯେମିତି କାଳକ୍ରମେ ପୁରୁଣା ଫେସନ ହୋଇ, ଆଉ ପିନ୍ଧିବା ଉପଯୋଗୀ ହୋଇପାରୁନି...ଏ ସାର୍ଟିଫିକେଟଟା ପୁରୁଣା ସ୍ୱଭାବରେ ବୋଧେ ସେଇଭଳି ଅଚଳ ଅବସ୍ଥାକୁ ଚାଲି ଆସିଲାଣି । ଖାଲି ଇଣ୍ଟରଭିଉ ଇଣ୍ଟରଭିଉ...ନୋ ଭେକାନ୍ସି କ’ଣ ଦରକାର ଏ ସାର୍ଟିଫିକେଟ୍‍ର... ?

 

ଗୋଟାଏ ପ୍ରବଳ ଦାବାଗ୍ନି ସୁକାନ୍ତର ସମଗ୍ର ଶରୀରକୁ ଯେମିତି ଗ୍ରାସ କରିବାରେ ଲାଗିଚି...ଓଃ ! ନିଃଶ୍ଵାସ ନେଇ ପାରୁନି ସେ...କି କଷ୍ଟ...କି ଯନ୍ତ୍ରଣା ।

 

ଅବସାଦରେ କ୍ଳାନ୍ତ ହୋଇ, ସୁକାନ୍ତର ଇଚ୍ଛା ହେଉଥିଲା, ଦମେ ସିଗାରେଟ ଟାଣି କ୍ଳାନ୍ତିର ଝିଅଟାକୁ ଖିନ୍ ଭିନ୍ କରି ଉଡ଼େଇ ଦେବାଲାଗି । କିନ୍ତୁ ସିଗାରେଟ ଲାଗି ଅର୍ଥ– ? ଅର୍ଥର ଶୂନ୍ୟ ମନ୍ଦିରରେ ସେ ଯେ ଚଳନ୍ତି ଈଶ୍ୱର ସିଗାରେଟ ଖଣ୍ଡେ ବଳିବାପାଇଁ ଅର୍ଥ-ଶୂନ୍ୟ ପକେଟ...ଟେବୁଲ-ଡ୍ରୟାର–ସୁଚିତ୍ରାର ହାତ ବାକ୍ସ ଖୋପ ସମୂହ...

 

ଆଃ...ଏମିତି ଏକ ଅଭାବିତ ଜୀବନରେ ସୁଚିତ୍ରାର ଉପସ୍ଥିତି କାହିଁକି... ? ଅଦୂର ଅତୀତରେ ଅଶୋକ୍‍ର ଏ ବକ୍ତବ୍ୟ ସୁକାନ୍ତର କଳିଜାରେ ଛୁରିଚଳାଇ ଥିଲା । ମାତ୍ର ଆଜି, ତା’ର ସେଇ ନିର୍ଭୁଲ ବକ୍ତବ୍ୟ ସୁକାନ୍ତକୁ ଅମୃତବାଣୀ ଭଳି ମନେହେଉଚି... ।

 

ସୁକାନ୍ତର ଚକ୍ଷୁର ଅନ୍ତରାଳରେ କେଇ ବୁନ୍ଦା ଅଶ୍ରୁ ଅତି ଅସହାୟଭାବେ ଟଳମଳ ହେବାକୁ ଲାଗିଲା । ପୋଛି ଲିଭାଇ ଦେବାରେ ଶାନ୍ତି ନାଇଁ... । କାନ୍ଦି କାନ୍ଦି ଅଶ୍ରୁର ବନ୍ୟା ସୃଷ୍ଟି କଲେ ବି ଲାଭ ନାଇଁ । କେବଳ ଗୋଟାଏ କ୍ଷଣିକ ଉତ୍ତେଜନାର ସାମାନ୍ୟ ହ୍ରାସ ମାତ୍ର...ଯେଉଁଥିରେ ସାମାନ୍ୟ ଟିକିଏ ବି ସମାଧାନ ନାଇଁ...ତୃପ୍ତି ନାଇଁ... ।

 

ଅଶୋକ କଲେଜ ଜୀବନରେ ଏକ ସାଧାରଣ ଛାତ୍ର ଥାଇ, ଏ ଅସାଧାରଣ ଅନୁଭୂତି ସଂଗ୍ରହ କଲା କେଉଁଠୁ— ? ଏକ ଗଭୀର ରାତ୍ରିରେ ସୁଚିତ୍ରା ଯେତେବେଳେ ନିଜର ହୋଇ ସର୍ବସ୍ୱ ସୁଖ-ଦୁଃଖରେ ଭାଗୀ ହେବା ପାଇଁ ସୁକାନ୍ତକୁ ନିଜର ଶପଥ ଜଣାଇ ଆଶ୍ୱାସନା ଦେଇଥିଲା, ସେଇ ଆଶ୍ୱାସନାମୂଳକ ରାତ୍ରିର ଅବସାନ ପରେ ଅଶୋକ ତାକୁ କଣେଇ କଣେଇ ନମ୍ର ଗଳାରେ କହିଥିଲା, “ତା’ପରେ ତୁ କ’ଣ ଚିନ୍ତାକରୁଚୁ ସୁକାନ୍ତ ? ଏକ ଅଜଣା ବୟସରେ ତୁ ବିବାହ କରି ଭୁଲ୍ କରିନୁ ? କାରଣ, ଶ୍ୱଶୁରଙ୍କ ଅର୍ଥ ବିନିମୟରେ ତୁ ତୋର ଭବିଷ୍ୟତ ଗଢ଼ିଚୁ, କିନ୍ତୁ ଉପାର୍ଜନକ୍ଷମ ନ ହେବା ଆଗରୁ ସୁଚିତ୍ରାର ଉପସ୍ଥିତିର ଆବଶ୍ୟକତା କ’ଣ ?

 

କ’ଣ ? ଚିତ୍କାର କରି ଉଠିଥିଲା ସୁକାନ୍ତ । ବେଶ୍ ତୁ ବୁଝି ପାରୁଚୁ । କାରଣଟା ମତେ କହି ବିଗତ ଦୁଇବର୍ଷ ଧରି ରୂପଲେଖାକୁ ପ୍ରଣୟିନୀ ସଜାଇବାରେ କ’ଣ ଆବଶ୍ୟକତା ତୋର ? ଅଶୋକର ସାର୍ଟ କଲାରଟାକୁ ଟାଣିଦେଇ ପୁରୁଷର ଔଦ୍ଧତ୍ୟରେ ସୁକାନ୍ତ କହିଥିଲା ମୁଁ ପ୍ରଣୟିନୀ ଗ୍ରହଣ କରୁନି ଅଶୋକ, ମୁଁ, ମୁଁ, ରୁଦ୍ଧ କ୍ରୋଧରେ ସେ ଅଟକି ଯାଇଥିଲା କିଛି କହି ନ ପାରି । ମାତ୍ର ସ୍ଥିର ଅଶୋକ ଗୋଟାଏ ସ୍ମିତ ହାସ୍ୟ ଦେଇ ସୁକାନ୍ତଠାରୁ ବିଦାୟ ନେଇଥିଲା ।

 

ଅଶୋକ ସେ କଥା ହୁଏତ ଭୁଲି ଯିବଣି । ଭାରତୀୟ ରୂପଲେଖାକୁ ପ୍ରଣୟିନୀ ସଜାଇବାରେ ଆଉ ଅଭିଳାଷ ନାଇଁ ଅଶୋକର । ଶ୍ଵେତାଙ୍ଗୀ ମେରୀନାକୁ ସେ ଧର୍ମପତ୍ନୀ ରୂପେ ପାଇବା ପାଇଁ ବଦ୍ଧପରିକର । ଆଃ, କାଠଚମ୍ପା ଗଛ ଆଢ଼ୁଆଳରୁ ରୂପଲେଖାର ଦୁଇଟି ଅଶ୍ରୁଳ ନୟନ ଯେମିତି ଦେଖାଦେଇ ନିମିଷକେ ଅଦୃଶ୍ୟ ହୋଇଯାଉଚି ସୁକାନ୍ତର ଚକ୍ଷୁ ସାମ୍ନାରୁ । କାନରେ ବାଜୁଚି କେଇପଦ କରୁଣ ସ୍ୱରର ମମତାମଧୁର ଭାଷା “ଅଶୋକ ବି ତମ ପାଖକୁ ଚିଠି ଦେଉନି ସୁକାନ୍ତ ଭାଇ ? କେବେ ସେ ଆସିବ ବୋଲି ଲେଖିଚି”... ? ଆଃ, ଝିଅଗୁଡ଼ା କି ସରଳ କି ଚପଳ, କି ଆଶାୟୀ !

 

ଶଯ୍ୟା ଧାରରେ ଘୁମେଇ ପଡ଼ି ସୁକାନ୍ତ ଭାବୁଥିଲା, ଏ ବିରାଟ ବିଶ୍ୱରେ କ’ଣ ତା’ର ପରିଚୟ ? “ଏକ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଅଭିଶପ୍ତ ଯୁବକ ମାତ୍ର । କୋଠରୀ ଉପରେ ଜମିରହିଥିବା ଠିକ୍‍ ଏଇ ଧୂଳି ମଇଳାର ଅଳନ୍ଧୁପରି” ।

 

ବାହାରୁ ବର୍ଷାର ଅଳ୍ପ ଅଳ୍ପ ଛିଟା ସୁକାନ୍ତକୁ ସିକ୍ତ କରିବାରେ ଲାଗି ପଡ଼ିଚି ସୁକାନ୍ତର ଆଲୁଳାୟିତ କେଶଗୁଚ୍ଛ ଭିଜି ଆସିଲାଣି । ଆଃ, ଏ ବର୍ଷାଟା ଆଜି ନ ହୋଇ ଯଦି ବୈଶାଖର ମଧ୍ୟାହ୍ନରେ ହୋଇଥାଆନ୍ତା ସୁକାନ୍ତ ତା’ ଶରୀରକୁ ସିକ୍ତ କରାଇ ଦେଇଥାଆନ୍ତା ବର୍ଷାରେ ଭିଜି ଭିଜି, ଆଉ ତା’ରି ସାଥିରେ ଭିଜାଇ ଦେଇଥାନ୍ତା ସୁଚିତ୍ରାକୁ—ବାହାର ଦରଜା ଓ ବାରିପାଖ ଦରଜା ବନ୍ଦ କରି ଦେଇ ।

 

ଅଟକି ଗଲା ସେ ଅସଜଡ଼ା ଚିନ୍ତା ଧାରାରୁ, ସୁଚିତ୍ରା । କାଇଁ ? କାଇଁ ସେ ?

 

ଉଷୁମ କଫିର ଟ୍ରେ ଧରି ସୁଚିତ୍ରା ବୋଧହୁଏ ରୋଷଘରୁ ଆସୁଥିବା ଅଭିନୟର ଛନ୍ଦ ତୋଳି, ଠିକ୍ ଏଇ ବର୍ଷାର ଅପରୂପ ଛନ୍ଦଭଳି । ସୁଚିତ୍ରାର ଦେହର ଗଠନ ଏକ ନର୍ତ୍ତକୀ ଭଳି, କିନ୍ତୁ ତା’ ଅଧର ଏକ ଗ୍ରାମ୍ୟ ବଧୂଭଳି କିଛି ଲଜ୍ଜା ଆଉ ହାସ୍ୟମିଶି ସର୍ବଦା ନିମୀଳିତ । ଆଉ ସୁଚିତ୍ରାକୁ ଅଧିକ ସୁନ୍ଦର କରି ତୋଳେ ତା’ର କେଶବିନ୍ୟାସ । ସୁଚିତ୍ରା ପିଲାଦିନେ ନାଚୁଥିଲା ନା ? କଲେଜରେ ବି ?

 

ବାରମ୍ବାର ଏଇ ପ୍ରଶ୍ନବାଚୀ ସୁକାନ୍ତ ମନରୁ ଦିନେ ପୋଛି ପୋଛି ହୋଇଯାଇଥିଲା । ଗତାୟୁ ବସନ୍ତର ଏକ ମଧ୍ୟାହ୍ନରେ ସୁକାନ୍ତର ଅନୁରୋଧକ୍ରମେ ସୁଚିତ୍ରା ଅଳ୍ପ କେତୋଟି ମିନିଟ୍ ଲାଗି ନର୍ତ୍ତକୀ ସାଜିଥିଲା ତା’ ରୁଦ୍ଧ ଶୟନ କକ୍ଷରେ...ନୃତ୍ୟାବଶେଷରେ ବିଭୋର ସୁକାନ୍ତ, ସୁଚିତ୍ରାକୁ କୋଳାଗ୍ରତ କରି ଆବେଗ ମଧୁର କଣ୍ଠରେ କହିଥିଲା, “ଚିତ୍ରା ! ତୁମ ନାମର ତମେ ଏକ ସାର୍ଥକ ଅଭିବ୍ୟକ୍ତି... । ଏମିତି ପ୍ରତିଟି ମଧ୍ୟାହ୍ନ ତମେ ମତେ ଏଇ ଆନନ୍ଦରେ ବିଭୋର କରାନ୍ତ ନାଇଁ ? ସୁକାନ୍ତର ବକ୍ତବ୍ୟରେ ସୁଚିତ୍ରା ଗୋଟାଏ ଖିୟାଲରେ ସମ୍ମତିର ସୂଚନା ଦେଉ ଦେଉ, ବ୍ୟାକୁଳଭାବେ ସୁଚିତ୍ରାର ସାନ୍ନିଧ୍ୟ ଭିକ୍ଷାକରି, ଶେଷରେ ମଧ୍ୟାହ୍ନକୁ ରାତ୍ରିରେ ପରିଣତ କରାଇ ଦେଇଥିଲା ସୁକାନ୍ତ...-

 

ଶଯ୍ୟାର ମଧ୍ୟଭାଗରେ କରସ୍ପର୍ଶ ଦେଇ ଅନୁଭବ କଲା ସୁକାନ୍ତ, ଏବେ ବି ଯେମିତି ସେ ସ୍ଥାନରେ ଉଷ୍ଣତା ଭରିରହିଛି... ।

 

ସ୍ୱପ୍ନୋତ୍‍ଥିତ ପରି ସୁକାନ୍ତ ବ୍ୟାକୁଳ ନୟନରେ ଖୋଜି ବୁଲୁଚି ସୁଚିତ୍ରାର ଉପସ୍ଥିତିକୁ... ।

 

କାଇଁ ସୁଚିତ୍ରା... ?

 

ପ୍ରତୀକ୍ଷାରେ କ୍ଳାନ୍ତି ଆସିଲା ସୁକାନ୍ତର । କିନ୍ତୁ ବର୍ଷା-ପବନର ଶିତ୍କାରରେ ସେ ରୋଷ ଘରକୁ ଯିବାପାଇଁ ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡ଼ିଛି... । ଗୋଟାଏ ଅଦୃଶ୍ୟ ମୁଣିରେ ତାକୁ ବାନ୍ଧିବୁନ୍ଧି ଦେଇ କିଏ ଯେମିତି ଶଯ୍ୟା ଉପରେ ବସାଇ ଦେଇଛି ମାଟିର ମୁର୍ଦ୍ଦାର ପରି...ମାତ୍ର କଥା କହିବାର ଶକ୍ତିକୁ ତ ସୁକାନ୍ତ ହରାଇନି... । ଖୁବ୍ ସହଜରେ ସେ ସୁଚିତ୍ରାକୁ ଡାକି ପାରନ୍ତା...ଅବା ଧମକ ଦେଇ କୁହନ୍ତା କଫି କାଇଁ ଚିତ୍ରା... ?

 

ନାଁ—ସେ ପାରୁନି ।

 

ସୁକାନ୍ତ ଗତ ରାତ୍ରିର ଭାବନାରେ ପହଁରି ଗଲା ଆପଣା ଛାଏଁ । ବର୍ଷା ଓ ପବନରେ ପାଗଟା ଥିଲା ଏକ ଉପଭୋଗର ସାମଗ୍ରୀ, । ପାଖ ଶଯ୍ୟାରେ ସୁଚିତ୍ରା ଶୋଇରହିଥିଲା ଏକ ଅପରିଚିତା ତରୁଣୀଭଳି, । ଅନ୍ଧକାର ନିବିଡ଼ ଥିଲେ ବି ଝରକା ଭେଦି ବିଜୁଳିର ଝଲକରେ ସୁଚିତ୍ରା ଦିଶୁଥିଲା ଏକ ଆଶ୍ରୟପ୍ରାର୍ଥିନୀ ରୋଗଣୀଭଳି, । ଆଃ, ସେ କି କରୁଣଦୃଶ୍ୟ ସୁକାନ୍ତ ପକ୍ଷେ, । ସକଳ ଉତ୍ତେଜନାକୁ ଚପାଇ ରଖିବା ପାଇଁ ସୁକାନ୍ତ ଅସମର୍ଥ ହୋଇପଡ଼ିଲା । ଅତି ସନ୍ତର୍ପଣରେ ସେ ନିଜର ଉଷ୍ଣ ରେଜେଇଟାକୁ ସୁଚିତ୍ରା ଦେହରେ ଢାଙ୍କି ଦେଉ ଦେଉ ସୁଚିତ୍ରା ବିରକ୍ତ ଗଳାରେ କହିଲା, “ପୁରୁଷ ଯେତେ ଅଭାବରେ ପଡ଼ିଲେ ବି ତା’ର ସହଜାତ ପ୍ରବୃତ୍ତିକୁ ଆଦୌ ରୋକି ପାରେନା, ବର୍ଷା ଦିନ, ବର୍ଷା ତ ଏମିତି ହେବ, ଛି, ଛି, ।”

 

ମୃତ୍ୟୁ ଲାଗି ବିଷପାନ କରି ମୃତ୍ୟୁ ନ ହେଲାବେଳେ ମନୁଷ୍ୟକୁ ଯେଉଁ ଲାଜ ଗ୍ରାସ କରେ—ସୁକାନ୍ତକୁ ଗ୍ରାସ କରିଥିଲା ତା’ଠାରୁ ଉତ୍କଟ ଲଜ୍ଜା— ।

 

ସେଇ ଉତ୍କଟ ଲଜ୍ଜା ବୋଧେ ସୁକାନ୍ତର ଅଧରକୁ ଅଠା ଦେଇ ଲଗାଇ ଦେଇଚି— ।

 

ପୁରୁଷ ହୋଇ କଥା କହିବାକୁ ଲାଗି ସେ ଏତେ ଦୁର୍ବଳ...ଆଜି ସେ ନୂଆ କରି ଉପଲବ୍ଧି କରୁଚି— । କିନ୍ତୁ ଏକ ନୂତନ ତଥ୍ୟର ସନ୍ଧାନ ପାଇଚି— ‘‘ପୁରୁଷର ଦୁର୍ବଳତା ନିଜ ସ୍ତ୍ରୀ ଆଗରେ ପ୍ରକାଶ ପାଇଲେ ଲଜ୍ଜା ବଦଳରେ ଆନନ୍ଦ ମିଳୁଚି” ଇସ୍‍—କି ବିଚିତ୍ର ଏ ସୁଷ୍ଟି— ? ତମେ ବି ଏକ ବିଚିତ୍ର ଧାତୁରେ ଗଢ଼ା ସୁଚିତ୍ରା—ତମ ପାଖରେ ପଳ ପଳ ଦଗ୍ଧ ହେବାରେ ବି ମୁଁ ଆନନ୍ଦ ପାଉଛିତମେ ମୋତେ ହରାଇବାର ଆନନ୍ଦରେ ବିଭୋର ହୋଇଉଠିଲାବେଳେ, ମୁଁ ହାରିବାର ଆନନ୍ଦରେ ସ୍ଵର୍ଗ ସୁଖ ଲାଭ କରୁଚି—

 

ବାହାରେ ତଥାପି ବର୍ଷା । ଝରୁଚି ଅବିରାମ— । ହଠାତ୍ କକ୍ଷର ପରଦା ଆଢ଼ୁଆଳରେ ଜଣେ କେହି ନିର୍ଲିପ୍ତଭାବେ ଠିଆହୋଇ ରହିଥିବାର ଲକ୍ଷ୍ୟ କଲା ସୁକାନ୍ତ... । କିଏ— ? ସୁଚିତ୍ରା ? ଗତ ରାତ୍ରିର ଘଟଣାରେ ଚିତ୍ରା ନିଶ୍ଚୟ ବ୍ୟଥିତ...ଅନୁତପ୍ତ... । ସୁକାନ୍ତର ସାମନାକୁ ଆସିବାକୁ ବୋଧେ ଡରୁଚି ସୁଚିତ୍ରା ।

 

ଆଶ୍ଚର୍ଯ୍ୟ...

 

ଆଶ୍ଚର୍ଯ୍ୟ ହେଲା ସୁକାନ୍ତ... । ଯେଉଁ ହୃଦୟରେ ପ୍ରେମ ଉଦ୍‍ଗୀରଣ ହୁଏ, ସେଇ ହୁଦୟରେ ଭୟ ସଞ୍ଚାରିତ ହୁଏ କେମିତି... ? ପୁରାଣ ଯୁଗରୁ ପ୍ରତ୍ୟେକଟି ମହିୟସୀ ମହିଳାଙ୍କୁ ଅନୁଧ୍ୟାନ କଲା ସୁକାନ୍ତ... । ସମସ୍ତେ ପ୍ରେମକାତର...ପତିଭକ୍ତ... । ଭକ୍ତିର ସୃଷ୍ଟି ଭୟରୁ ନା... ? ତେଣୁ ସୁଚିତ୍ରାର ଭୟଟା ନିଜସ୍ଵ ନୁହେଁ... । ଉପଯୁକ୍ତ ସିଦ୍ଧାନ୍ତରେ ପହଞ୍ଚି କୋମଳ କଣ୍ଠରେ ସୁକାନ୍ତ ଡାକିଲା, ଆସ ଚିତ୍ରା...

 

ଅତି ଧୀର କଣ୍ଠରେ, ପରଦା ଆଢ଼ୁଆଳରେ ରହି ଠିକା ଚାକରାଣୀ ମୁକ୍ତା କହୁଚି, “ରୋଷ ଘରେ ମାଆ ବେହୋସ୍ ହୋଇପଡ଼ିଚି । ବାବୁ”...

 

ମେରୁଦଣ୍ଡ ଦେଇ ଗୋଟାଏ ଶୀତଳ ଶିତ୍‍କାର ବହି ଚାଲିଗଲା ଯେମିତି ସୁକାନ୍ତର... । କ୍ଷିପ୍ର ପଦତୋଳି ଯନ୍ତ୍ରବତ ଆଗେଇ ଗଲା ସୁକାନ୍ତ... ।

 

ସୁଚିତ୍ରା ଅଜ୍ଞାନ ହୋଇ ରୋଷଘରେ କାନ୍ଥକୁ ଆଉଜି ପଡ଼ି ରହିଚି... । ଚୁଲିରେ କଫି ପାଇଁ ପାଣି ଫୁଟି ଫୁଟି ମଲାଣି... । କଫି ଡବା ଚିନି ଡବା ଢାଙ୍କୁଣିବିହୀନ ଶୂନ୍ୟଗର୍ଭ... ।

 

ସୁକାନ୍ତର ଚକ୍ଷୁରେ ଅକାରଣ ଲୁହର ଆଗମନ ଲକ୍ଷ୍ୟ କରି ମୁକ୍ତା ଅସ୍ପଷ୍ଟ ସ୍ଵରରେ କହୁଚି, ମାଆର କିଛି ଛୁଆ ପିଲା ହେବ ବାବୁ...ସେଇଥି ଲାଗି ମୁଣ୍ଡଟା ଟିକେ ଝାମ ଦେଇଚି... ।

 

ମୁକ୍ତାର ବକ୍ତବ୍ୟରେ ସୁକାନ୍ତ ସମ୍ପୂର୍ଣ୍ଣ ନିର୍ବାକ୍‍ ହୋଇ ଭାବୁଥଲା, ନା—ଈଶ୍ଵର ତା’ପ୍ରତି ଏତେ ନିର୍ଦ୍ଦୟ ହେବେନି... । ଏ ଅଭାବର ପୀଡ଼ନରେ, ଆଉ ଗୋଟିଏ ନିର୍ବୋଧ ଶିଶୁକୁ ପୀଡ଼ିତ ହେବାକୁ ଦେବେନି ଈଶ୍ଵର... ।

 

ନୟନ ମୁଦ୍ରିତ କଲା ସୁକାନ୍ତ... । ଓଃ...ସାରା ବିଶ୍ଵଟା ଯେମିତି ଶୂନ୍ୟରେ ଝୁଲୁଚି...ଆହୁରି ଶୂନ୍ୟରେ ଝୁଲୁଚି ଗୋଟିଏ କ୍ଷୁଧାତୁର କ୍ରନ୍ଦନରତ ଶିଶୁ... । କି ସତୃଷ୍ଣ ପ୍ରଲୁବ୍ଧ ଦୃଷ୍ଟି ସୁକାନ୍ତ ଉପରେ ତା’ର... । ଚଟାଣ ଉପରେ ଗଡ଼ୁଚି କେତୁଟା ଶୂନ୍ୟ ଅମୂଲ ଡବା...ଠିକ୍‍ ରୋଷଘର ଚିନି ଓ କଫିର ଶୂନ୍ୟ ଡବାଭଳି... । ଚଳଚ୍ଚିତ୍ର ପରି କେତେ କ’ଣ ତା’ ଚକ୍ଷୁର ପରଦାରେ ନାଚି ନାଚି ଅଦୃଶ୍ୟ ହୋଇଯାଉଛନ୍ତି... ।

 

ଏ ବିରାଟ ବିଶ୍ୱରେ ବଞ୍ଚିବା ପାଇଁ ସେ ଯେମିତି ଅନୁପଯୁକ୍ତ...ଆଃ...ଚାକିରି ଲାଗି କି ଆପ୍ରାଣ ଚେଷ୍ଟା...ସୁଚିତ୍ରାକୁ ପାଖରେ ରଖିବାରେ କି ଅଦମ୍ୟ ଲାଳସା... !

 

ସବୁଗୁଡ଼ାକ ଗୋଟାଏ ଦୁଃସ୍ଵପ ଭଳି ଲିଭି ଲିଭି ଗଲେ ସୁକାନ୍ତର ମନପରଦାରୁ... । ଚଳଚ୍ଚିତ୍ର ପରି ଚହଲି ଗଲେ ସବୁ...

 

ସୁକାନ୍ତର ଅନ୍ତରରେ ଆହତ ସୈନିକର ଗ୍ଳାନି– । ବେଦନାସିକ୍ତ ଅଶ୍ରୁ ନିଗିଡ଼ି ପଡ଼ୁଚି ଚକ୍ଷୁର କେଉଁ ନିଭୃତ କୋଣରୁ । କେଉଁ ଏକ ଅଦୃଶ୍ୟ ଦେବତାଙ୍କ ପ୍ରତି ସେ ବିନମ୍ର ପ୍ରଣତି ଜଣାଇ କରୁଣ ଭିକ୍ଷା କରୁଚି “ବାର୍ଦ୍ଧକ୍ୟ ପ୍ରାପ୍ତି”— ସେ ଯଯାତିଙ୍କଭଳି ଯୌବନ ଭିକ୍ଷାମାଗୁନି —ସେ ବିକଳରେ ଭିକ୍ଷା ମାଗୁଚି ବାର୍ଦ୍ଧକ୍ୟ— ।

 

ବାହାରେ ବର୍ଷାର ନୃତ୍ୟ ଛନ୍ଦ ବନ୍ଦ୍ ହୋଇ ଆସିଲାଣି । ବର୍ଷା ଧୌତ ଧରଣୀ ଉପରେ ସୁକାନ୍ତର ଚକ୍ଷୁସ୍ଥିର–ସେଇ ସିକ୍ତ ଧରଣୀ, ଚଳଚିତ୍ରର ଏକ ସାଦା ପରଦାଭଳି ମନେହେଉଚି ସୁକାନ୍ତକୁ ଆଉ ତା’ରି ଉପରେ ସେଦିନ ମଧ୍ୟାହ୍ନର ଶେଷଦୃଶ୍ୟ ଯେମିତି ସେ ପରଦା ଉପରେ ଛବିଳ ହୋଇ ଲାଖିରହିଚି—

 

କ୍ଳାନ୍ତା ସୁଚିତ୍ରାର ଶୀର୍ଣ୍ଣ ଓଠରେ କ୍ଷୀଣ ହସର ସଙ୍କେତ ଚେତାଶୂନ୍ୟ ଅବସ୍ଥାରେ ବି ସେ ଯେମିତି ସ୍ଵପ୍ନ ଦେଖୁଚି; ତା’ର ଚିରବାଞ୍ଛିତ ମାତୃତ୍ୱର—ସ୍ଵପ୍ନ— ।

Image

 

ପିପାସା

 

ଆଜି ଗ୍ୟାସ ନାଇଁ, କାଲି ଇଲେକ୍‍ଟ୍ରିକ ବିଲ୍ ବାବଦ ପଞ୍ଚଶଠି ଟଙ୍କା ଦେବାକୁ ହେବ, ପଅର ଦିନଠାରୁ ପିଆଜ କିଲୋ ଅଢ଼େଇ ଟଙ୍କା ହେଲାଣି, ଏ ସବୁର ଘୂର୍ଣ୍ଣନ ଭିତରେ ଘୂରି ଘୂରି ଯେତେବେଳେ ଅଟକି ଯାଆନ୍ତି ଭଜମନବାବୁ, ଆଉ ଏକ ଦୁଶ୍ଚିନ୍ତା ତାଙ୍କୁ ଏକାବେଳକେ ଅଣନିଶ୍ୱାସୀ କରି ପକାଏ । ସବୁର ଦୁଶ୍ଚିନ୍ତାଠାରୁ ଏ ଦୁଶ୍ଚିନ୍ତା ତାଙ୍କ ପାଇଁ ଅତିମାତ୍ରାରେ ବିପଦ୍‍ଜନକ । ଡାକ୍ତର ଅନେକ ଥର ସତର୍କବାଣୀ ଶୁଣାଇଲେଣି, ଆପଣ ଏତେ ଚିନ୍ତିତ ହୁଅନ୍ତୁ ନାହିଁ । ଚିନ୍ତା କଲେ ବ୍ଲଡ଼ପ୍ରେସର ଭଲ ତ ହେବନି, କମିବାର ବି ସମ୍ଭାବନା ନାଇଁ । ଗତ ମାସ ହାର୍ଟଆଟାକ୍ ହେଲା ବେଳେ ମଧ୍ୟ ଡାକ୍ତର ଶର୍ମା ମତ ଦେଇଥିଲେ, ଏତେ ଭାବନ୍ତୁ ନାଇଁ, ଆପଣଙ୍କ ଯୁଗତ ଚାଲିଗଲା, ଏଣିକି ଆପଣଙ୍କ ପିଲାଙ୍କ ଯୁଗ ଏ । ସେମାନେ ନିଜକୁ ଭାଙ୍ଗନ୍ତୁ ବା ଗଢ଼ନ୍ତୁ, ଆପଣଙ୍କର ଯାଏ କେତେ...ଆସେ କେତେ... ? ଏସବୁ ଆଶ୍ୱାସନା ବାଣୀ ଶୁଣିଲାବେଳେ, ଭଜମନବାବୁଙ୍କ ଦେହଟା ପୂରା ଭଲହୋଇଯାଏ । ହସହସ ବଦନରେ ହସ୍ପିଟାଲରୁ ଲେଉଟନ୍ତି ସେ ଗୋଟାଏ ଶୁଭ୍ର ସକାଳର ସତେଜ ରଜନୀଗନ୍ଧାର କେଣ୍ଡାଭଳି... । କିନ୍ତୁ ଘରେ ପଶି ଯାଇ, ଯେତେବେଳେ ଦେଖନ୍ତି, ଦିନ ନଅଟା ଯାଏଁ ବି ଦୀପୁ ଶଯ୍ୟା ଛାଡ଼ିନି...ପୁଣି ବାହାରି ପଡ଼େ ଛାତିର ସେ ଯନ୍ତ୍ରଣାଟା... । ରୋଷେଇ ଘରୁ ସ୍ତ୍ରୀ ସୌଦାମିନୀ ଦଉଡ଼ି ଆସି ବିକଳରେ ଚିତ୍କାର କରନ୍ତି ଆରେ ଦୀପୁ...ଦଉଡ଼ି ଯାଆରେ ଡାକ୍ତରଙ୍କ ପାଖକୁ... । ଦୀପୁ କଡ଼ ଲେଉଟାଇ ଗୋଟାଏ ଦୁଇଟା ହୁଁ ହାଁ କରିଦେଇ ଶୋଇଯାଏ ପୁଣି ଗଭୀର ନିଦ୍ରାରେ ।

 

ଛାତିଟାକୁ ଚାପିଧରି ଉଠି ଠିଆହୁଅନ୍ତି ଭଜମନବାବୁ । ଧୀରେ ଧୀରେ ଯାଇ ଦୀପୁର ମଶାରୀ ଖୋଲି ତା’ର ଶଯ୍ୟା ପାଖେ ଠିଆ ହୋଇ ହୋଇ ଭାବନ୍ତି, କିଏ ଜାଣିଥିଲା, ଦୀପୁ ଯେ ତାଙ୍କ ରୋଗର ଉପାଦାନ ହେବ । ଦୀପୁର ଶେଷ ଇଞ୍ଜିନିୟରିଂ ପରୀକ୍ଷା ବେଳେ ଉପସ୍ଥିତ ଥିଲେ ଭଜମନବାବୁ ଦୀପୁ ପାଖରେ । ପରୀକ୍ଷା ପାଇଁ ଯିବା ବେଳେ ଦୀପୁ ଭଜମନବାବୁଙ୍କଠାରୁ ଆଶୀର୍ବାଦ ଭିକ୍ଷାକରିବା ଆଗରୁ ଭଜମନବାବୁ ଶାସନ ଶୃଙ୍ଖଳିତ ଗଳାରେ କହିଥିଲେ, ଯାହା ଆସିବ ତା’ ଲେଖିବୁ । ଦେଖୁନୁ ଆଜିକାଲି କେମିତି କପି କରୁଛନ୍ତି । ଯଦି ଧରା ପଡ଼େ, ବଡ଼ ଲଜ୍ଜାର କଥା ବାପ ।

 

ଦୀପୁ ତା’ ସରଳ ଓଠ ଧାରେ ହସର ଗୋଟିଏ ଛୋଟ ଲହରୀ ଖେଳାଇ ନୀରବ ରହିଯାଇଥିଲା । ସେଇ ହସର ପ୍ରଭାବ ତାଙ୍କୁ ଏମିତି ସଂକ୍ରମିତ କରି ପକାଇ ଥିଲା ଯେ, ସେ ନିଜକୁ ବଡ଼ ଦୋଷୀ ସାବ୍ୟସ୍ତ କରାଇଥିଲେ ଦୀପୁ ପାଖରେ ।

 

ଘରେ ପହଞ୍ଚି, ଦୀପୁର ସ୍ଵଭାବ ସୁଲଭତା ବିଷୟରେ ଯାହା ସବୁ ଗପି ଥିଲେ ସୌଦାମିନୀଙ୍କ ପାଖେ, ଏବେ ସେ କଥା ଭାବିଲେ, ଲଜ୍ଜାରେ ମୁଣ୍ଡ ଟେକି ପାରନ୍ତି ନାଇଁ ଭଜମନବାବୁ... । ସବୁ ଗୁଡ଼ା ସ୍ୱପ୍ନଭଳି ମନେହୁଏ ତାଙ୍କୁ... । ଦୀପୁ ଚାକିରି କଲେ ଲାଇନ୍ ମ୍ୟାନ ଡାକି ଆଗ ଦେଖିବ ମେନ୍ ସୁଇଚଟାକୁ । ପାଞ୍ଚ ମାସ ହେଲା ସେ ଇଲେକ୍‍ଟ୍ରିକ୍ ବାଲାଙ୍କୁ ପଞ୍ଚଶଠି ଟଙ୍କା ଲେଖାଏଁ ଗଣୁଛନ୍ତି । ଯେତେ କାକୁତି ସ୍ଵରରେ କହୁଛନ୍ତି, ପଚିଶ୍ ପଇଁତିରିଶ୍ ଟଙ୍କାତ ହେଉଥିଲା, ଏବେ ପଞ୍ଚଶଠି ଟଙ୍କା ହେଉଚି କେମିତି ? କେହି ଶୁଣୁ ନାହାନ୍ତି, ଅଧିକ କହିଲେ କାଳେ ଲାଇନ୍ କାଟି ଦେବେ, ସେଇ ଭୟରେ ଟଙ୍କା ଗଣି ଦେଇ, ପୁଅ ଚାକିରି କଲା ଯାଏ ଅପେକ୍ଷା କରି ବସିଥିଲେ ଭଜମନବାବୁ । ଏବେ ସେ ମେନ୍ ସୁଇଚଟାକୁ ଦେଖିଲେ ମୃତ ପୁତ୍ରକୁ ଦେଖି କୋହ ଉଠିଲା ଭଳି କାନ୍ଦି ପକାଉଛନ୍ତି ଭଜମନବାବୁ... । ଉପାୟ କ’ଣ ? ମନ ବିଚାରେ ଆନ—କର୍ମ ବିଚାରେ ଆନ... । ଦୀପୁର ଭବିଷ୍ୟତ ଉପରେ ଦୃଢ଼ ବିଶ୍ୱାସ ରଖି, ଘନ ଘନ ଏଇ ବିଶ୍ଵାସର ନିଶ୍ୱାସ ଏ ଘର ଭିତରେ ସଞ୍ଚରି ସଞ୍ଚରି ହଠାତ୍ ଅଟକି ଗଲା, ରେଜଲ୍‍ଟ ବାହାରିବାର ଅଳ୍ପଦିନ ଆଗରୁ । ଯେଉଁଆଡ଼େ ଗଲେ, ଭଜମନବାବୁ ଏକା କଥା ଶୁଣିବାକୁ ପାଇଲେ “ନାଁ ନାଁ ଆଉ ହେବନି...ହେବନି...ପିଲାଗୁଡ଼ାକ ଏକାବେଳେ ବାଳୁଙ୍ଗା ହୋଇଗଲେ । କପି କରି ସବୁ ପିଲାଏ ଫାଷ୍ଟ ଡିଭିଜନ । ଏ କଥାତ ସଂସାରେ ଶୁଣା ନ ଥିଲା ଆଉ ପିଲାଏ ପରୀକ୍ଷା ଦେବେ ନା ରେଜଲ୍‍ଟ ବାହାରିବ” । ହୁଏତ ମଜା ଗପ ପାଇଁ ଏ ଉପଯୁକ୍ତ ଆଲୋଚନା । କିନ୍ତୁ ବାସ୍ତବ ପାଇଁ ଏ ଯେ କେତେଦୂର ମର୍ମନ୍ତୁଦ, ଭଜମନବାବୁଙ୍କ ପରି କେତେ ପିତୃପ୍ରତୀମ ଏହାକୁ ହୃଦୟଙ୍ଗମ କରି ଧୈର୍ଯ୍ୟ ଧରିବେ ? ଦୀପୁକୁ ଦେଖିଲେ ଅନ୍ତର ଥରାଇ ଝରି ଆସିଚି ଦୀର୍ଘଶ୍ୱାସ... ।

 

ଦିନ କେତୁଟା ପରେ ବେଡ଼ିଂ ଟ୍ରଙ୍କ ସଜାଡ଼ି ଦୀପୁ ବାହାରିଲା ତା’ର ପଠନ ସ୍ଥଳକୁ । କରଜ କରି ଆଣିଥିବା ମଳିଛିଆ ନୋଟ ବିଡ଼ାକ ବଢ଼େଇ ଦେଇ ଭଜମନବାବୁ ଶୋକାତୁର କଣ୍ଠରେ କହିଥିଲେ, ଦୁଃଖ କରନା ବାପ... ହତୋତ୍ସାହ ହୁଅନା ଜମା— । ଦୋଷ ତ ତୋର ଏକା ନୁହେଁ... ଏ, ଦୋଷ ସମଗ୍ର ମାନବ ଜାତିର... । ଏଥିପାଇଁ ବିଚଳିତ ନ ହୋଇ ପୁଣି ଉତ୍ତରୋତ୍ତର ଉନ୍ନତିର ଆଶା ରଖିବୁ । ମ୍ଳାନ ବଦନରେ ଦୀପୁକୁ ବିଦାୟ ଦେଇ ଷ୍ଟେସନରୁ ଲେଉଟି ଆସି ଭଜମନବାବୁ କହିଲେ ସୌଦାମିନୀଙ୍କୁ, “ଆଦୌ ବ୍ୟସ୍ତ ହୁଅନି ତମେ...ଦୀପୁତ ଖରାପ ଛାତ୍ର ନୁହେଁ । ତା’ପାଇଁ ଆମେ ଆଶା ହରାଇ ଶୋଚନା କରିବା ଆମର ବୋକାମୀ” । ଭଜମନବାବୁଙ୍କର ଏତାଦୃଶ ବକ୍ତବ୍ୟରେ ସୌଦାମିନୀ ବିମୋହିତ ହୋଇପଡ଼ୁଥିଲେ ବି ସେ ଜାଣି ପାରୁଥିଲେ ଯେ ଏହା ମନବୁଝା କଥା, ସୌଦାମିନୀଙ୍କ ପାଇଁ ନୁହଁ...ତାଙ୍କ ନିଜ ପାଇଁ । ଦୀପୁ ପାଇଁ ଆଦୌ ବିଚଳିତ ହୁଅନ୍ତି ନାଇଁ ସୌଦାମିନୀ । ଗୋଟିଏ ବୋଲି ପୁଅ, ସେ ଅଯୋଗ୍ୟ ହେଲେ ବି କାହା ଘରେ ଅଇଁଠା ବାସନ ମାଜି ସେ ଦୀପୁକୁ ବଞ୍ଚାଇ ପାରିବାର ମନୋବଳ ଅଛି ସୌଦାମିନୀଙ୍କର । କିନ୍ତୁ ଭଜମନବାବୁଙ୍କର କ’ଣ ଏଥିରେ ଶାନ୍ତି ? ଦୀପୁର ପଢ଼ା ନେଇ ସାମାନ୍ୟ ବ୍ୟତିକ୍ରମ ହେଲେ, ଉଛୁଳି ଯାଏ ଲୁହ...

 

ସୌଦାମିନୀ ସବୁ ଶୁଣି ନ ଶୁଣିବାର ଛଳନା କରି ଗୋଟାଏ କଡ଼ା ଚା’ ବଢ଼ାଇ ଦେଲେ ଭଜମନବାବୁଙ୍କୁ । ଦୁଃଖରେ ଅଧିର ହେଉଥିଲା ବେଳେ, ସୌଦାମିନୀଙ୍କ ହାତ ତିଆରି ଚା’ର ଚୁମକ୍ ଭାରି ଆନନ୍ଦ ଦିଏ ଭଜମନବାବୁଙ୍କୁ । ଆଉ ମଧ୍ୟ କ୍ରୋଧ ମୁହୂର୍ତ୍ତରେ ଗୁଡ଼ାଖୁ ଡବାଟା ହାତକୁ ବଢ଼ାଇ ଦେଇ ଅଶେଷ ତୃପ୍ତି ଦିଅନ୍ତି ସୌଦାମିନୀ ।

 

ବ୍ୟସ୍ତ ବହୁଳ ସଂସାର ଭିତରେ ରେଡ଼ିଓ ସଙ୍ଗୀତ ଶୁଣିବା ପାଇଁ ଆଗ୍ରହ ନ ଥାଏ ଭଜମନବାବୁଙ୍କର । କିନ୍ତୁ ସକାଳର ଚା’ ପିଆର ସାମାନ୍ୟ ଅବସରରେ ରେଡ଼ିଓରୁ ସମ୍ବାଦଟା ଶୁଣି ନିଅନ୍ତି ଭଜମନବାବୁ । ସେଦିନ ଗୋଟାଏ ଦୁଃସମ୍ବାଦ ଶୁଣି ଏକବାରେ ଅନ୍ୟମନସ୍କ ହୋଇପଡ଼ିଲେ ଭଜମନବାବୁ...ସମ୍ବାଦଟା ହେଲା, ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ତୀବ୍ର ଆନ୍ଦୋଳନ ଫଳରେ କଲେଜ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହୁଚି । ଗୋଟାଏ ଲଞ୍ଜାତାରା ଯେମିତି ଭଜମନବାବୁଙ୍କ ଆଖି ଆଗରେ ଖସି ପଡ଼ି ଦପ୍ କରି ଲିଭିଗଲା । ଦିନ ଦୁଇଟା ପରେ ଦୀପୁ ଆସି ପହଞ୍ଚିଗଲା ଘରେ ।

 

ଦିନ ଗଲା, ମାସ ଗଲା । ବର୍ଷଟାଏ କଟି ଗଲାଣି କଲେଜ ବନ୍ଦ ହେବାର । ଭଜମନବାବୁ ପ୍ରତିଦିନ ସମ୍ବାଦ ଗ୍ରହଣ କରନ୍ତି, ନାଁ ଆଉ କଲେଜ ଖୋଲିବାର ଆଶା ନାଇଁ ।

 

ଦିନେ ରବିବାରର ଗୋଟାଏ ସ୍ନିଗ୍ଧ ସନ୍ଧ୍ୟାରେ ଭଜମନବାବୁ ମାସିକିଆ ବଜାର ସଉଦାର ଲମ୍ବା ତାଲିକା ଧରି ବଜାରକୁ ବାହାରିଲା ବେଳେ ସୌଦାମିନୀ, ଭଜମନବାବୁଙ୍କ ପାଖକୁ ଲାଗି ଯାଇ କ୍ଷୀଣ ସ୍ଵରରେ କହିଲେ ଗୋଟେ କଥା କୁହନ୍ତି ଯେ, ତମେ ଏଇନେ ଏଢ଼େପାଟିଟାଏ କରିବ... ।

 

ଭଜମନବାବୁ ହସି ଦେଲେ ଅଳ୍ପ । ତାଙ୍କୁ କିଛି ଆକ୍ଷେପପୂର୍ଣ୍ଣ କଥା କହିଲେ, ସେ ନ ରାଗି ହସି ଦିଅନ୍ତି ଟିକେ । ଶାନ୍ତ ସ୍ୱରରେ କହିଲେ, କହୁନ...ମୋର ଯଦି ପାଟି ବଡ଼ ହେଲା, ତେବେ ମୁଁ ବନ୍ଦ କରି ରଖୁଛି । ତମେ କୁହ...କହିବା ପରେ ବି ମୋ ପାଟି ଶୁଣିବ ନାଇଁ...ମନଦେଇ ଶୁଣିବି...-। କିନ୍ତୁ...

 

କ’ଣ କିନ୍ତୁ... (ଆଶ୍ଚର୍ଯ୍ୟରେ ଆଖି ଦୁଇଟି ସ୍ଥିର ହୋଇଗଲା ସୌଦାମିନୀଙ୍କର)

 

କିନ୍ତୁ କ’ଣ କି... (କହି ନ ପାରି ଅଟକି ଯାଉଛନ୍ତି ଭଜମନବାବୁ)

 

ଆରେ କିଛି ନ କହି, କହି ଚାଲିଚ ଖାଲି କିନ୍ତୁ...କ’ଣ...କିନ୍ତୁ...

 

ଓହ—କ’ଣ କହିବି ମୁଁ, କ’ଣ କହିବ ବା ତମେ ? କଥାଟାତ ଦାଣ୍ଡରେ ପଡ଼ି ହାଟରେ ଗଡ଼ ଗଡ଼େଇଲାଣି ଛିଃ ଛିଃ ଲଜ୍ଜାରେ ଆଉ ମୁଣ୍ଡ ଟେକି ହେଉଛି ? ମୁଁ ଟିକିଏ ଟିକିଏ ସନ୍ଦେହ କରୁଥିଲି—ଏତେ ରାତିରେ ଦୀପୁ ପ୍ରତିଦିନ କାହିଁକି ଫେରୁଛି । ମନକୁ ସ୍ଥିର କରି ରାତି ରାତି ଭାବିଛି କାରଣଟା କ’ଣ ହୋଇପାରେ ? କିନ୍ତୁ ଯେଉଁ କାରଣ ମୋ ଆଖିରେ ଝଲମଲ ହୋଇଉଠେ, ତା’ଲାଗି ମୋ ଅନ୍ତର ପ୍ରବଳ ପ୍ରତିବାଦ କରେ । ନାଁ ନାଁ ଦୀପୁ ଏତେ ନୀଚ୍ଚ କାମ କରିପାରେନା । କିନ୍ତୁ...କିନ୍ତୁ ମୁଁ ଶୁଣୁଚି ସେ ଝିଅଟି କୁଆଡ଼େ ଭାରି ସୁନ୍ଦର...

 

ସୌଦାମିନୀଙ୍କ ମତାମତ ଶୁଣି ଭଜମନବାବୁଙ୍କର କ୍ରୋଧ ନିଆଁ ଝୁଲ ପରି ବୁଣି ହେଇଗଲା ସୌଦାମିନୀଙ୍କ ଉପରେ । ହାତରେ ଧରିଥିବା ବ୍ୟାଗ ଦି’ତିନିଟା ଆଉ ଲମ୍ବା ତାଲିକାଟାକୁ କୋଚା ମୋଚା କରି ଫିଙ୍ଗିଦେଲେ ସୌଦାମିନୀଙ୍କ ଉପରକୁ ଉଚ୍ଚକିତ ସ୍ୱରରେ କହିଉଠିଲେ ଲଜ୍ଜା ଲାଗୁନି ତମକୁ— କହୁଚ କ’ଣ ନାଁ ସୁନ୍ଦର...କିଏ ତୁମକୁ ପଚାରୁଛି ? ପୁଅକୁ ଆକଟ ନ କରି ତ ଏତେ ଦୂର ହେଲାଣି, ଆଉ କିଛି ନ କହି ଏଥର ବନ୍ଦାପନା କରି ଘରକୁ ଆଣ ଭାରି ଛିଃ ଛିଃ ତମେ ମାଆ ହୋଇ ଯଦି ଏୟା ଭାବିବ— ଏଇ ତମର ନିଷ୍ପତ୍ତି ?

 

ଭଜମନବାବୁ ଆଉ କି ବଜାର ଯାଆନ୍ତି... ସାରା ବିଶ୍ୱଟା ତାଙ୍କୁ ଅନ୍ଧକାର ଦେଖାଗଲା । ଏ ନିନ୍ଦା ଶୁଣି ବଞ୍ଚିବା ଅପେକ୍ଷା ମରିଗଲେ କ୍ଷତି କ’ଣ ? ମୁଣ୍ଡ ଝାଳ ତୁଣ୍ଡରେ ମାରି ସଞ୍ଚିତ ଧନକୁ ପୁଅ ପିଛା ଖର୍ଚ୍ଚ କରି ଶେଷରେ ଏଇ ଅବସ୍ଥା... ? ନାଁ—ଆଉ ସହ୍ୟ କରାଯାଇ ପାରେନା । ଏହାର କିଛି ଗୋଟେ ସମାଧାନ କରିବେ ସେ ।

 

ନିର୍ବାକ ସୌଦାମିନୀ ଚକ୍ଷୁରୁ ଝରି ଯାଉଥିବା ଅଶ୍ରୁକୁ ପଣତକାନିରେ ପୋଛି ଦେଇ ଭାବୁଥିଲେ ଏଥି ନେଇ ସେ କି ଆକଟ କରନ୍ତେ ଦୀପୁକୁ... ? ସ୍ୱୟଂ ସୃଷ୍ଟିକର୍ତ୍ତା ତ ଆକଟ କରିବା ପାଇଁ ସକ୍ଷମ ହୋଇପାରିବେନି । ଏ ତ ବୟସର ଧର୍ମ । ପ୍ରାଣର ପ୍ରଭଞ୍ଜନକୁ ଏଡ଼ି ଦେବା ପାଇଁ କାହାର ଶକ୍ତି ଅଛି ?

 

ଅତୀତର ଗୋଟାଏ ଅସ୍ପଷ୍ଟ ଛାଇ ତାଙ୍କ ଆଖି ଆଗରେ ଭାସି ବୁଲିଲା ଭାସମାନ ବାଦଲପରି — ଦୀପୁର ଠିକ୍ ଏଇ ବୟସରେ ଭଜମନବାବୁ ଯେତେବେଳେ ପାଦ ଦେଇଥିଲେ, ସେତେବେଳେ ଦୀପୁର ବୟସ ତିନିବର୍ଷ ଟପି ଗଲାଣି । ଚାକିରି ନାଇଁ... ବଞ୍ଚିବା ପାଇଁ ସାମାନ୍ୟ ଆର୍ଥିକ ସ୍ୱଚ୍ଛଳତା ବି ନାହିଁ... ତଥାପି ତାଙ୍କ ବାପା ମାଆ ପୁଅକୁ ବୟସ ହୋଇ ଯାଉଥିବା ଅନୁଭବ କରି ବିବାହ ଦେଇଥିଲେ । କିନ୍ତୁ ସେ କ’ଣ ଦୀପୁର ଏ ଦାୟିତ୍ଵ ବହନ କରିବା ପାଇଁ ସାମାନ୍ୟ ସୁଦ୍ଧା ଚିନ୍ତା କରୁଛନ୍ତି ? ଆଜିକାଲି ସନ୍ତାନମାନେ ଯେ କେବଳ କୁପଥଗାମୀ ତା’ ନୁହେଁ । ପିତା ମାତାମାନେ ଭୀଷଣ ସ୍ୱାର୍ଥପର । ପୁଅକୁ ଯେତେ ବର୍ଷ ହେଉନା କାହିଁକି ରୋଜଗାରକ୍ଷମ ନ ହେଲେ ବିବାହ କଥା ଚିନ୍ତାବି କରୁନାହାନ୍ତି । କଲେଜ ବନ୍ଦ...ଚାକିରି ନାଇଁ...ସମାଜର ଶାସନ ଶୃଙ୍ଖଳାରେ କଟକଣା ନାହିଁ...ଏଥିରେ ସନ୍ତାନ ଯଦି କୁପଥଗାମୀ ହେଲା, ମାଆର ହେଲା ଦୋଷ ।

 

ନିଜ କାମରେ ନିଜେ ଲାଗି ପଡ଼ିଲେ ସୌଦାମିନୀ । ଅଟାତକ ଦଳି ଦେଇ ରଖିଛନ୍ତି, ସେତକ ବେଲା ହୋଇ ସେକା ହେବ । ପରିବା ଅଭାବରେ ଶୁଖିଲା ମଟର ଗଣ୍ଡେ ଭିଜା ଯାଇଚି... ଘୁଗୁନି ହେବ । ତା’ଛଡ଼ା ଭଜମନବାବୁଙ୍କର ବରାଦ୍ ଅନୁଯାୟୀ ଚାଉଳ ଖିରୀ ଟିକେ ବି ହେବ । କେତେବେଳେ ଏତେ କଥା ହେବ ଆଉ ? ରାତିତ ଆସି ଅନେକ ହେଲାଣି... ଏ’ ଥ୍ରିଆର ଫ୍ଲାଟ୍‍ର କାହାର ଆଉ ଶୋର ଶବ୍ଦ ନାହିଁ । ଅଳ୍ପ ବୟସୀ ରାତ୍ରିର କୋଳରେ ସମସ୍ତେ ନିଦ୍ରିତ । ମନସ୍ତାପର ନିଆଁରେ ଦଗ୍ଧ ହୋଇ ସୌଦାମିନୀ ସ୍ୱାମୀଙ୍କୁ ଲୁଚାଇ ଲୁଚାଇ ଧାର ଧାର ଲୁଣି ଲୁହକୁ ଓଠ ତଳେ ଚାପି ନେଉଥିଲେ ।

 

ଅଶ୍ରୁ ଆଚ୍ଛନ୍ନ ଆଖିରେ ଭଜମନବାବୁ ବି କନା ଆର୍ମ ଚେୟାରଟାରେ ଝୁଲି ପଡ଼ିଛନ୍ତି ଟିକେ... । ସେଇ ଅର୍ଦ୍ଧ ସୁଷୁପ୍ତିରେ ବି ସେ ଦେଖିବାକୁ ପାଉଥିଲେ, ଦୀପୁର ଗୋଟାଏ ବିଭତ୍ସ ଅଶ୍ଳୀଳ ଛାଇ ତାଙ୍କୁ ଆଁ କରି ଗିଳିବା ପାଇଁ ଉପକ୍ରମ କରୁଚି । ଚମକି ପଡ଼ି ଦେଖିଲେ ଅଧା ଖୋଲା ଦରଜା ଫାଙ୍କ ଦେଇ ବାହାରି ଆସୁଛି ଦୀପୁ । ଭଜମନବାବୁଙ୍କ ବ୍ୟକ୍ତିତ୍ୱ ଉପରେ ଏ ଚରମ ଆଘାତକୁ ଉପଲବ୍ଧି କରି ନିଶା ରାତ୍ରିର ପ୍ରେତ ପୁରୁଷଭଳି ଗମ୍ଭୀର ସ୍ୱରରେ ପ୍ରଶ୍ନ ତୋଳିଲେ, କୁଆଡ଼େ ଯାଇଥିଲୁ... ?

 

ଉତ୍ତରଟା ଦୀପୁର ଅତି ସାଧାରଣ– “ବାହାରକୁ”...

 

ଭଜମନବାବୁଙ୍କ କଣ୍ଠସ୍ୱର ଘୃଣାରେ ଆଚ୍ଛନ୍ନ— ‘ବାହାରକୁ...

 

ଏତେ ରାତି ଯାଏଁ ପ୍ରତିଦିନ ବାହାରେ ରହିବା କ’ଣ ତୋର ପ୍ରୟୋଜନ ? କଲେଜ ଖୋଲିନି ବୋଲି ପାଠପଢ଼ାରେ କ’ଣ ଡୋର ବନ୍ଧା ହୋଇଯିବ । ଛିଃ ଛିଃ... ଜାଣି ପାରୁନୁ ତୁ ଆଜିକାଲି କେତେ ତଳକୁ ଖସି ଗଲୁଣି । ଫୁର୍ତ୍ତି କରିବ ଫାଜଲାମି କରିବ... ଆଗ ପାଠପଢ଼ା ସରୁ... କର ଯେତେ ଇଚ୍ଛା ପାର... । କିନ୍ତୁ ଏବେ ? ଛିଃ ଛିଃ କ’ଣ କହୁଛନ୍ତି ସମସ୍ତେ ?

 

ଦୀପୁର କଣ୍ଠସ୍ୱର କରୁଣ ଶୁଣାଗଲା, “କିଏ କ’ଣ କହୁଛନ୍ତି ତାକୁ ଧରି ବସିଲେ ହେବନି ତ ବାପା, ନିଜର ପୁଣି ଗୋଟାଏ ମନ ତ ଅଛି...

 

ମନ... ? ରୋଜଗାରକ୍ଷମ ନ ହୋଇ ମନକୁ ଏମିତି ଲଗାମଛଡ଼ା ଘୋଡ଼ାଭଳି ବ୍ୟବହାର କଲେ ତ ହେବନି... । ଯେଉଁ ଝିଅଟି ସହିତ ମିଶୁଛୁ; ତାକୁ ବଞ୍ଚାଇ ପାରିବାର କ୍ଷମତା ଅଛି ତୋର ?

 

ସେ କ୍ଷମତା ତା’ର ଅଛି ବାପା...

 

ଦୀପୁ...ଚିତ୍କାର କରି ଉଠିଲେ ଭଜମନବାବୁ, ଛିଃ ଛିଃ ଲଜ୍ଜା ଲାଗୁନି ତତେ ଏ କଥା କହିବା ପାଇଁ... ଗୋଟେ ଝିଅର ଅର୍ଥରେ ପ୍ରତିପାଳିତ ହେବାକୁ ପୌରୁଷ ମଣୁଚୁ... କୁଣ୍ଠା ଲାଗୁନି ତତେ... ?

 

କୁଣ୍ଠା ଲାଗିଲେ ବି ଉପାୟ କ’ଣ ? ମହିଳା କଲେଜ ତ ବନ୍ଦ ହେଉନି ବାପା... ତା’ଛଡ଼ା ଝିଅମାନଙ୍କ ପାଇଁ ଆମ ଦେଶରେ ଅଧିକ ସମବେଦନା । ସେମାନଙ୍କ ଚାକିରି ଆଗ ବିଚାରକୁ ନିଆ ଯାଉଚି । ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକ—ପୁଅ ରୋଜଗାର କରୁ ନ ହେଲେ ବା ଝିଅ—ସେଥିରେ କ୍ଷତି କ’ଣ ?

 

ଲାଭ ହେଉଚି ଏୟା... ଗୁଡ଼ାଏ ଦୁର୍ନାମ ମୁଣ୍ଡେଇ ବୁଲୁଛୁ ।

 

ବାପା... (ଦୁଃଖ ଆଉ ଅଭିମାନରେ କଣ୍ଠରୁଦ୍ଧ ହୋଇଆସିଲା ଦୀପୁର)

 

ଛିଃ ଛିଃ ମତେ ଆଉ ତୁ ବାପା ବୋଲି ଡାକନା—

 

ଏଥର ଦୀପୁର ଆଖିରୁ ଧାର ଧାର ହୋଇ ଲୁହ ଝରିଗଲା । ପିତା ମାତାମାନେ ସନ୍ତାନକୁ ଗାଳିଗୁଲଜ କଲେ ସେମାନେ ଯୁକ୍ତିରେ ଖଣ୍ଡନ କରନ୍ତି, ଅବା ବେଶି ଜିଦଖୋର ହୁଅନ୍ତି, କିନ୍ତୁ ଥରେ ଅଭିମାନ କରି ବସିଲେ ସନ୍ତାନର ବରଫ ଭଳି ଜମାଟ ବାନ୍ଧି ଥିବା ମନ ବିଗଳିତ ମହମ ତରଳି ପଡ଼େ ଖୁବ୍ ବେଗି । ଦୀପୁ ତା’ର କ୍ରନ୍ଦନର ଆବେଗକୁ ରୋକି ରୋକି ଭଙ୍ଗା ଭଙ୍ଗା କଣ୍ଠରେ କହିଲା, ସମାଜର ଆଇନକୁ ମାନିନେବା ପରେ ବି ଦୁର୍ନାମ । ଏଇ ଦୁର୍ନାମରୁ ମୁକ୍ତି ନେବା ପାଇଁ ତ ମୁଁ ରେଜିଷ୍ଟ୍ରି ମ୍ୟାରେଜ କରିସାରିଚି । ରୋଜଗାରକ୍ଷମ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିଥାଆନ୍ତି ?

 

ଦୀପୁ– ସହାନୁଭୂତିର ପ୍ରାଚୁର୍ଯ୍ୟରେ ଉଜମନବାବୁଙ୍କ ଚକ୍ଷୁ ଆର୍ଦ୍ର ହୋଇଆସିଲା । ନିଜ ଅଜଣାରେ ସେ ସ୍ଥାନ ପରିତ୍ୟାଗ କରି ଆକୁଳ ଶିଶୁପରି ଶଯ୍ୟାରେ ଗଡ଼ିଗଲେ ସେ... ।

 

ସୌଦାମିନୀ ନିଶ୍ଚଳ ହୋଇଯାଇଥିଲେ ରନ୍ଧନଶାଳାରେ ।

 

କେତେବେଳେ ଖଣ୍ଡେ ରୁଟି ଚୁଲା ଭିତରେ ଖସିପଡ଼ି କୁହୁଳି ନିଆଁ ଧରିଲାଣି ଜଣା ନାଇଁ ତାଙ୍କୁ ।

Image

 

କାହାଣୀ ଏକ ଝରା ପତ୍ରର

 

ଆଜି ଅନେକ ରାତିରେ ଘରକୁ ଫେରିଛି ଇନ୍ଦିରା । ଭୟଙ୍କର କ୍ଳାନ୍ତି ଆଉ ଅବସାଦରେ ସମଗ୍ର ଶରୀରଟା ତା’ର ବଡ଼ ଅସହାୟ ଭାବେ ଅବଶ ହୋଇପଡ଼ିଛି... । କରୁଣ ଲାଗୁଚି ଏ ଗଭୀର ରାତ୍ରିର ଆଲିଙ୍ଗନ... । ଏତେ ରାତିଯାଏଁ ଅନିଦ୍ରା ରହି ସେପରି ଏକ ଉଗ୍ର ଆମୋଦ ଗ୍ରହଣ କରିବାର ମନୋବୃତ୍ତି ଇନ୍ଦିରାର ଜୀବନରେ ଆଜି ପ୍ରଥମ... । ଗୋଟାଏ ରୁଟିନ୍‍ ବନ୍ଧା ଜୀବନ ଭିତରେ ଆଜକୁ ସେ ଅନେକ ଦିନ ହେଲା ବଞ୍ଚାଇ ଆଣିଛି ନିଜକୁ । ନିଜ କର୍ତ୍ତବ୍ୟ ପଥରୁ କେବେହେଲେ ବିଚ୍ୟୁତ ହୋଇନି ସେ... । ପ୍ରତିଦିନ ନିଜର ଅଫିସ୍ ଯାଇ ନିଜର କର୍ତ୍ତବ୍ୟ ସାଧନ କରିବା ଛଡ଼ା ଅନୁମତି ମୁତାବକ ଉପର ଅଫିସରଙ୍କର ଅନେକ ଘରୋଇ କାର୍ଯ୍ୟ କରି ବି ପ୍ରୀତିଭାଜନ ହୋଇପାରିଚି ସେ... । କାହିଁକି ତେବେ ଆଜି ସେ ଏତେ ରାତ୍ରି ଯାଏଁ ଅନିଦ୍ରା ରହି କ୍ଳାନ୍ତିକୁ ହାତଧରି ଡାକି ଆଣିଚି ? ଗୋଟାଏ ଦୀର୍ଘଶ୍ୱାସ ବାହାରି ଯାଇ ଇନ୍ଦିରାକୁ ଦୋହଲାଇ ଦେଲା ଅଚାନକ ଭାବେ । ଓଃ କି କ୍ଳାନ୍ତି... ଦେହର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଅତି ମାତ୍ରାରେ ନିସ୍ତେଜ...-। ନା—ଆଉ ଜାଗ୍ରତ ରହିବା ଇନ୍ଦିରା ପକ୍ଷେ ଆଦୌ ସମ୍ଭବ ନୁହେଁ । ଶୋଇବା ଘରେ ପ୍ରବେଶ କରି ଝରକାଟାକୁ ଆଉଯାଇ ଆଣିଲା ଇନ୍ଦିରା... । ଲୁଗା ନ ବଦଳାଇ ଗୋଡ଼ରୁ ଚଟି ନ ହୁଗୁଳାଇ ବିଛଣାଉପରେ ଗଡ଼ିଗଲା ସେ ସେଇମିତି...

 

ରାତ୍ରି ଆହୁରି ଗଭୀର ହୋଇଆସିଲାଣି... । ଇନ୍ଦିରା ମନର ଭାବନା ବି ଗଭୀର ହୋଇଆସୁଚି ଆହୁରି... । ମନର ସାମାନ୍ୟ ଉତ୍ତେଜନାମୟ ପରିବର୍ତ୍ତନକୁ କ’ଣ ଆମୋଦ କୁହାଯାଏ... । ବଞ୍ଚିବାପାଇଁ ଖାଦ୍ୟ ଗ୍ରହଣ ଭଳି, ସୁସ୍ଥ ମନପାଇଁ ମନର ତ ପରିବର୍ତ୍ତନ ଦରକାର । ସେଇ କେବଳ ଟିକିଏ ପରିବର୍ତ୍ତନପାଇଁ ତ ଇନ୍ଦିରା କ୍ଲବରେ ପାଦ ଦେଇଥିଲା । କ’ଣ ବା ପରିବର୍ତ୍ତନ ହେଲା ମନର... ? ସବୁଗୁଡ଼ା ତାକୁ ମନେହେଲା, କେବଳ ମାୟା... ମୋହ ଆଉ ଛଳନା...

 

ଘରକୁ ଫେରିଆସି ବି ଶାନ୍ତି କାହିଁ... ? ବରଂ କ୍ଳାନ୍ତି ବଢ଼ି ଉଠୁଚି ଅଧିକରୁ ଅଧିକ ତା’ ସହିତ ଅଶେଷ ଅବସାନ... । ଦୁହେଁ ଯେମିତି ପରସ୍ପରର ନିବିଡ଼ ବନ୍ଧୁ... ।

 

ଆଶ୍ଚର୍ଯ୍ୟ...ଏତେ ଅବସନ୍ନତା ସତ୍ତ୍ୱେ ଆଖିରେ ନିଦ୍ରା କାହିଁ... ? ଏଇ ବାକି କେଇ ଘଣ୍ଟା ସମୟ ତାକୁ ନିଶ୍ଚିନ୍ତରେ ନିଦ୍ରା ଯିବାକୁ ହେବ... । ନଚେତ୍ ଏହି ଅବସାଦ କ୍ଳାନ୍ତି ଭିତରେ ଆଗତ ଦିନଟି ତିଳେ ତିଳେ ଦଗ୍ଧ ହେବ ସିନା... ।

 

ଏଥର ତକିଆ ଦୁଇଟାକୁ ଏକାଠି କରି ମୁଣ୍ଡ ତଳେ ଦେଇ ଆରାମରେ ଶୋଇଯିବା ପାଇଁ ଉପକ୍ରମ କଲା ଇନ୍ଦିରା... । ମାତ୍ର ନିଦ୍ରା...କାଇଁ ? ବଡ଼ ଅସହାୟ ଲାଗୁଚି ଏ ପରିସ୍ଥିତି । ବଡ଼ ଏକାକୀ ଲାଗୁଚି ଏ ରାତି ।

 

ମାତ୍ର ଏଇ, କ୍ଷୁଦ୍ର ବଙ୍ଗଳାଟି ମଧ୍ୟରେ ଅନେକ ଦିନ କଟାଇଛି ଇନ୍ଦିରା... । କାଇଁ କେବେ ହେଲେ ତ ସେ ଉପଲବ୍ଧି କରିନି ଆଜିର ଏଇ ଏକୁଟିଆ ଏକୁଟିଆ ଭାବ... । ମନର ପରିବର୍ତ୍ତନ ପାଇଁ କେବେ ତ ସେ ବ୍ୟାକୁଳ ହୋଇନି ଆଜି ଭଳି... । କେବେ ତ ସେ ଇଚ୍ଛା କରିନି ଏ କ୍ଲବ୍ ଭିତରକୁ ପଶିଯିବା ପାଇଁ... । କେତେ ଅବା ବାଟ...ରାସ୍ତା ଡେଇଁଲେ ଛୋଟ ସୁନ୍ଦର କ୍ଲବଟି... । ଯୁଗଳ ଦମ୍ପତିଙ୍କର ମଧୁ ସେବନପାଇଁ ଯେମିତି ମର୍ତ୍ତ୍ୟର ସ୍ଵର୍ଗ ଏ । ଅନେକ ଅବିବାହିତ ଅବିବାହିତା ବି ଏଠି ବେଶ୍ ଭିଡ଼ ଜମାନ୍ତି... । ପାଖାପାଖି ରାତି ନଅଟା ବେଳକୁ ଏହାର ପ୍ରତି କୋଣ ଅନୁକୋଣରେ ଆନନ୍ଦର ଗୋଟାଏ ଉଚ୍ଛଳ ତରଙ୍ଗ ଖେଳି ବୁଲେ । ଅସ୍ପଷ୍ଟ ଆଲୋକରେ ସ୍ପଷ୍ଟ ହୋଇଉଠେ କେତେଗୁଡ଼ାଏ ମୂକ ଇଙ୍ଗିତ... । ଯାହାକୁ ଆଜିର ସମାଜ କୁହେ ସଭ୍ୟତା । କିଛି ବର୍ଷ ଆଗେ ଆମର ପୂର୍ବ ପୁରୁଷ ଏହାକୁ ଅଶ୍ଳୀଳ ବୋଲି ମତ ପୋଷଣ କରୁଥିଲେ ।

 

ଇନ୍ଦିରା ଉପରକୁ ମୁହଁ ଟେକି ଆଖି ବୁଜିବୁଜି ଦେଖୁଥିଲା ସେ ଦୃଶ୍ୟ...ଆଃ କି ନିବିଡ଼ ଆଶ୍ଳେଷ । ଅସହ୍ୟ ହୋଇଉଠିଥିଲା ଇନ୍ଦିରାପାଇଁ ସେ ପରିସ୍ଥିତି... । ଇନ୍ଦିରା ଆସ୍ତେ ଆସ୍ତେ ତଳକୁ ଓହ୍ଲାଇ ଆସୁଥିଲା ସିଡ଼ିରେ...ଅନୁଭବ କଲା, ତା’ ପଛେ ପଛେ କିଏ ଯେମିତି ସତର୍କ ପହରା ଦେଇ ଧାଇଁଚି । ଫେରି ଚାହିଁଲା ଇନ୍ଦିରା...ସହକର୍ମୀ ମି: ସେନ୍‍ଗୁପ୍ତଙ୍କର ଗୋଟାଏ ପ୍ରଲୁବ୍ଧ ଦୃଷ୍ଟି ଇନ୍ଦିରାକୁ ଇତସ୍ତତଃ କରି ପକାଉଚି... । ବିଗତ କେତେଦିନ ଧରି କାହିଁକି ମି: ସେନ୍‍ଗୁପ୍ତ ଇନ୍ଦିରା ପ୍ରତି ଏମିତି ତୀକ୍ଷ୍ଣ ଦୃଷ୍ଟି ହାଣି ବିଚଳିତ କରାଉଛନ୍ତି ?

 

ଘୃଣାରେ ଇନ୍ଦିରାର ନାସିକା କୁଞ୍ଚିତ ହୋଇଉଠୁଥିଲା । କିନ୍ତୁ ସୌଜନ୍ୟର ସୀମାରେ ମି: ସେନ୍‍ଗୁପ୍ତଙ୍କର ଚକ୍ଷୁ ଆନତ ହୋଇଆସୁଥିଲା ଆପେ...ଆପେ... । ଇନ୍ଦିରା ନିତ୍ୟାନ୍ତ ଅସହାୟଭାବେ ଠିଆ ହୋଇରହି ଭାବୁଥିଲା, ନାଁ—ଏ ଗୁଡ଼ାଙ୍କୁ ବିଶ୍ଵାସ କରାଯାଏନା— । ମୁହୂର୍ତ୍ତ କେତୋଟି ପୂର୍ବରୁ ଏଇତ ପ୍ରଶ୍ନ ତୋଳିଥିଲେ, ସତରେ କ’ଣ ଇନ୍ଦିରା ଦେବୀ ? ଆପଣ ସ୍ଵାମୀ ପରିତ୍ୟକ୍ତା... ?

 

ଗୋଟାଏ ବିଷଧର ସର୍ପ ସତେ ଯେପରି ଦଂଶନ କରି ଚାଲିଗଲା ଇନ୍ଦିରାକୁ... । ଚେତନା ଫେରି ପାଇଲା ପରେ ସେ ଦେଖିଲା, ଆଉ ଅଫିସ୍ କକ୍ଷରେ ସେ ନାଇଁ... । ଅଛି ତା’ର ନିଜ ଶୟନ କକ୍ଷରେ । ସାମ୍ନାରେ ବସିଚି ସୋନାଲି । ତା’ର ତଳ କର୍ମଚାରୀ ମିସ୍ ସୋନାଲି ରାଏ...-। ସ୍ଵାମୀ ସଂସାର ନେଇ ସୁନ୍ଦର ସ୍ୱପ୍ନରେ ସେ ପ୍ରତିଟି ରାତ୍ରି ବିଭୋରା...ପୂର୍ଣ୍ଣକାମା । ପ୍ରତିକ୍ଷୀତା ସେ, ସେଇ ଚିର ଆକାଂକ୍ଷିତ ରାତ୍ରିଟି ପାଇଁ । ତାକୁ ଏ ତିକ୍ତ ଅନୁଭୂତି ଜଣାଇ ତା’ ସୁଖ ସ୍ୱପ୍ନରେ ଦୁଃଖର ପ୍ରଲେପ ଦେବ କାହିଁକି ଇନ୍ଦିରା... ? କୃତ୍ରିମ ଭାବେ ମନର ସ୍ଵାଭାବିକ୍ ଅବସ୍ଥାକୁ ଫେରାଇ ଆଣି, ସୋନାଲିକୁ କିଛି ବାଟ ଆଗେଇ ଦେଇ ଆସିଲା... ।

 

ସୋନାଲି ଚାଲି ଯିବା ପରେ, ଯେଉଁ ଅସହାୟତା ଇନ୍ଦିରାକୁ ଗ୍ରାସ କରିବାକୁ ଲାଗିଲା, ତା’ର ତ ଆଉ ଶେଷ ହେଲାନି ଜମା... । କାନ୍ଥକୁ ଆଉଜି ଗୋଟାଏ ଶିଳା ମୂର୍ତ୍ତିଭଳି କିଛି ସମୟ ଠିଆ ହୋଇ ରହିଲା ସେ... । ଏଇ ଅବସରରେ କ୍ଲବ ଘରୁ ଭାସି ଆସିଲା ଗୁଡ଼ାଏ ଆନନ୍ଦସୂଚକ ଧ୍ଵନି... । ଇନ୍ଦିରାର ଦେହ ଆଉ ମନ ମୁହୂର୍ତ୍ତକ ପାଇଁ ଉଲ୍ଲସିତ ହୋଇପଡ଼େ... । ଗୋଟାଏ ଆବେଗରେ ମନର ସ୍ଵାଭାବିକ୍ ଅବସ୍ଥା ଫେରାଇ ଆଣିବାର ବ୍ୟାକୁଳ ପ୍ରୟାସ ଘେନି କ୍ଲବ କକ୍ଷରେ ପଶେ ଇନ୍ଦିରା...

 

ମାତ୍ର କିଏ ଜାଣେ ସେଇ ଦହନର ଜ୍ଵାଳା ନେଇ ଫେରିବ ବୋଲି ସେ... । ମି: ସେନ୍‍ଗୁପ୍ତଙ୍କର ପୁଣି ସେଠାରେ ଉପସ୍ଥିତି... । ବାଧ୍ୟ ହୋଇ ଇନ୍ଦିରା ପ୍ରତ୍ୟାବର୍ତ୍ତନ କରେ ଖୁବ୍ ବେଗି-

 

ରାତ୍ରି ତ ଅନେକ ହେଲାଣି... । ବଡ଼ କ୍ଳାନ୍ତ ଲାଗିଲାଣି ଇନ୍ଦିରାକୁ... । କ୍ଳାନ୍ତିରେ ଆଖି ପତା ମାଡ଼ିପଡ଼ୁଛି... । ଅଥଚ ନିଦ୍ରା କାଇଁ... ? ହୁଏତ ମନଟାକୁ ଟିକିଏ ହିଂସ୍ର କରିଦେଲେ, ଏ କ୍ଳାନ୍ତି ଆପଣା ଛାଏଁ ଦୂରେଇ ଯାଆନ୍ତା... । କିନ୍ତୁ ପାରୁନି ଇନ୍ଦିରା... । ଦୁଃଖକୁ ବରଣ କରିନେବା ବୋଧହୁଏ ନାରୀ ଜାତିର ପ୍ରବୃତ୍ତି... । ତଥାପି ପୁରୁଷ ୟାକୁ ବୁଝେନା— । ସମାଜ ୟାକୁ ଗ୍ରହଣ କରେନା— । ଯେତେ ସବୁ ଦୁଃଖ ଦୁର୍ଦ୍ଦଶାକୁ ନାରୀ ମୁଣ୍ଡରେ ଲଦି ଦେଇ ପୁରୁଷ ସୁଖ ଖୋଜେ ଆହୁରି... । ଆଉ ଏଣେ ପୁରୁଷଚାଳିତ ରହି ଜରଦ୍‍ଗବ ସମାଜ ନିଜକୁ ଶୁଦ୍ଧ, ପରିଶୁଦ୍ଧ, ପୂତ ଆଉ ପବିତ୍ର କରି ଚାଲିଥାଏ ଆପଣା ମନେ ମନେ—

 

ତନ୍ଦ୍ରାଜଡ଼ିତ ଆଖିରୁ ଅଜସ୍ର ଲୁହ ବୋହି ଚାଲିଛି ଇନ୍ଦିରାର । ଧୈର୍ଯ୍ୟଚ୍ୟୁତି ଘଟିଚି ନିଶ୍ଚୟ । ନାଁ ଆଉ ସହ୍ୟ କରାଯାଇପାରେନା— । ଏଇ ମୁହୂର୍ତ୍ତରେ ଇନ୍ଦିରା ଯାଇ ମି: ସେନ୍‍ଗୁପ୍ତଙ୍କ ପାଖରେ ପ୍ରକୃତ ସତ୍ୟଟାକୁ ଉନ୍ମୋଚନ କରିଦେଇ ଆସିବ, କହିବ ସେ, ମିଷ୍ଟର ସେନ୍‍ଗୁପ୍ତ ମୋର ସ୍ଵାମୀ ମତେ ପରିତ୍ୟାଗ କରି ନାହାଁନ୍ତି ବରଂ ମୁଁ—ମୁଁ ସେହି କାପୁରୁଷଟାକୁ ପରିତ୍ୟାଗ କରିଛି ?

 

ଏ ସିଦ୍ଧାନ୍ତରେ ଉପନୀତ ହୋଇ ପ୍ରକୃତିସ୍ଥ ହୋଇପଡ଼ିଲା ଇନ୍ଦିରା... । ନିକଟ ଅତୀତଟାକୁ ମନେ ମନେ ରୋମନ୍ଥନ କରିନେଲା ସେ... । ତା’ର ଅତୀତ ଗୋଟାଏ ଦୁର୍ବୋଧ୍ୟ ଜ୍ଵାଳା ଓ ଗୋଟାଏ ଦୁର୍ବୋଧ୍ୟ ଯନ୍ତ୍ରଣାର ଅତୀତ—ଯାହାଠାରୁ ଏତେ ସହଜରେ ମୁକ୍ତିପାଇ ହୁଏନା ! ଆଃ ! ଇନ୍ଦିରାର ହୃଦୟ ପୁଣି ଜଳିଉଠିଲା ଅନୁଶୋଚନାର ନିଆଁଦହନ ଭିତରେ ।

 

ମହିଳା କଲେଜର କୃତୀ ବିଞ୍ଜାନ ଛାତ୍ରୀ ଥିଲା ଇନ୍ଦିରା... । ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସେ ଯେତେବେଳେ ଆଇ.ଏସ. ସି. ପାସ୍‍ କରେ, ପରିବାର ଭିତରେ ଆନନ୍ଦର ଗୋଟାଏ ବାତ୍ୟା, ଖେଳିଯାଏ ସବୁରି ମନରେ । ଇନ୍ଦିରାର ପରିବାର ବୋଇଲେ ତା’ର ବଡ଼ ଭାଇ ଓ ମା... । ୟା’କୁଇ ନେଇ ଇନ୍ଦିରାର ଛୋଟ, ସ୍ନେହସିକ୍ତ ପରିବାରଟି । ଇନ୍ଦିରାକୁ ମାତ୍ର ସାତ ଆଠ ବର୍ଷ ବୟସରେ ତା’ର ବାପାଙ୍କ ପରଲୋକ ହୋଇଯାଏ ରକ୍ତଚାପରେ... । ସେଇ ସ୍ଵଳ୍ପ ସମୟରେ ସଞ୍ଚିତ ଅର୍ଥରେ ଦୁହେଁ କିପରି ଭବିଷ୍ୟତ ଗଢ଼ିବେ, ମା’ଙ୍କର ଥାଏ ଚରମ ଚିନ୍ତା... । ଆଉ ଇନ୍ଦିରାର ବିବାହ ସେ ଆଉ ଏକ ଦୂରାଶିତ ସ୍ୱପ୍ନ । ମାତ୍ର ଇନ୍ଦିରାର ଏଇ କୃତକାର୍ଯ୍ୟତାରେ ମା’, ଏବଂ ଭାଇ ତା’ର ବିବାହ ଦାୟିତ୍ଵ ପୂରା ଭୁଲିଗଲେ । ଆଜିର ବିବାହ ବଜାରରେ, ପ୍ରତ୍ୟେକ ଝିଅ ଯେ ପରିବାର ପାଇଁ ଗୋଟିଏ ଗୋଟିଏ ସମସ୍ୟା...ଏବଂ ଇନ୍ଦିରା ଯେ ଏ ସମସ୍ୟାଠାରୁ ବହୁ ଦୂରରେ, ଦୁହେଁ ଉପଲବ୍ଧି କଲେ ନିବିଡ଼ ଭାବରେ... ।

 

ଦିନ ଦିନ ଧରି ଭାଇ ଓ ଭଉଣୀଙ୍କ ଭିତରେ ଭବିଷ୍ୟତ ଯୋଜନା ଚାଲେ । ଇନ୍ଦିରା ମେଡ଼ିସିନ୍‍ଟା ପାସ୍‍ କରିଗଲା ପରେ, ଏଇ ପଡ଼ାରେ ଖୋଲିବ ଗୋଟିଏ କ୍ଲିନିକ୍ । କିଛି ଦିନର ଅଯାଚିତ ସେବାରେ ଇନ୍ଦିରା ଯେତେବେଳେ ସବୁରି ମନର ଆତ୍ମୀୟ ହୋଇପଡ଼ିବ, ଏ’ ଘର ବଦଳି ଯାଇ, ତା’ରି ସ୍ଥାନରେ ଗଢ଼ିଉଠିବ ଗୋଟିଏ ଛୋଟ ସୁନ୍ଦର ଡବଲ୍ ଷ୍ଟୋରିଡ୍... । ମାର୍ବଲ ପଥରରେ ନାମଫଳକଟା ଲେଖାଯିବ ଆଧୁନିକ ରୁଚିରେ... । ଆଉ ଗୋଟିଏ ଛୋଟ ଆଲସିସିଆନ୍ ଇନ୍ଦିରାର ଗୋଡ଼ ତଳେ ଲେପେଟି ପଡ଼ି ଘୁମନ୍ତଭାବେ ତା’ ଚଟି ହଳକ ଶୁଙ୍ଘି ଶୁଙ୍ଘି ନୀରବ କ୍ରୀଡ଼ା କରୁଥିବ...-। ଆଉ ଷ୍ଟେଥିସ୍କୋପ୍‍ଟା ବେକରେ ଝୁଲାଇ ଇନ୍ଦିରା ଦେଖି ଚାଲୁଥିବ ଗୋଟାଏ ପରେ ଗୋଟାଏ ରୋଗୀ । ଇସ୍...ରୋଗଗ୍ରସ୍ତ ମନୁଷ୍ୟର ଯନ୍ତ୍ରଣା କିନ୍ତୁ ଆଦୌ ସହ୍ୟ କରିପାରନ୍ତି ନାଇଁ ଭାଇ । କଳ୍ପନାର ରୂପ ବଦଳି ଯାଏ...ନାଃ ଇନ୍ଦିରା ବରଂ ରିସର୍ଚ୍ଚ କରିବ । ଡକ୍ଟରେଟ ଉପାଧି ପାଇବ । ପ୍ରଫେସର ହେବ ଇନ୍ଦିରା... ।

 

କିଛିଦିନ ପରେ ଗୋଟିଏ ଧୂମକେତୁ ପରି ଆସି ପହଞ୍ଚେ ଗୋଟିଏ ଦୁର୍ଦ୍ଦିନ । ମା’ଙ୍କର ବେପରୁଆ ମନ ଭିତରେ କିଏ ଆସି ଦୁଃଶ୍ଚିନ୍ତାର ବୀଜ ବୁଣି ଦିଏ... । “ଝିଅ ଯେତେ ପାଠ ପଢ଼ିଲେ ବି ବିବାହ କରିବ । ତା’ର ପଢ଼ା ବାବଦରେ ଏତେ ଅର୍ଥ ବ୍ୟୟ କରି ଲାଭ କ’ଣ ? ବରଂ ସେଇ ଅର୍ଥର ବିନିମୟରେ ଝିଅକୁ ବିବାହ ଦେଇଦେଲେ ନିଶ୍ଚିନ୍ତ”... । ଭାଇଙ୍କର ଶତ ଚେଷ୍ଟା ସତ୍ତ୍ଵେ ମା’ ତାଙ୍କର ମତ ପରିବର୍ତ୍ତନ କଲେନି... । ଆନନ୍ଦର ଅତିଶଯ୍ୟାରେ ସେ ଅସ୍ଥିର ହୋଇଉଠିଲେ... । ସେ ଆନନ୍ଦର ହିଲ୍ଲୋଳ କେବଳ, ସେ ବିନା ଯୌତୁକରେ ଝିଅକୁ ବିବାହ ଦେଇ ପାରୁଛନ୍ତି । ଆଜିର ସମାଜରେ ଅବଶ୍ୟ ମା’ଙ୍କପାଇଁ ତାହା ପରମ ସୌଭାଗ୍ୟ ଥିଲା । ପାଞ୍ଚ ଲୋକଙ୍କ ଆଗରେ ଛାତି ଫୁଲାଇ କହିବୁଲିଲା ମାଆ—ଜୋଇଁ ଯୌତୁକ ନବାକୁ ମନାକଲା—ଆରେ ମୋର ଏକା ଇନ୍ଦିରା ତ ଲକ୍ଷେଟଙ୍କା ।

 

ବିବାହର ଆୟୋଜନ ଚାଲିଲା... । ସଦ୍ୟ କଲେଜ ଫେରନ୍ତା ବର... । ଆଉ ବା କ’ଣ ଅଧିକ ପ୍ରୟୋଜନ ମଧ୍ୟବିତ୍ତ ପରିବାର ପାଇଁ... ? ସୁଦର୍ଶନ ବି...ତା’ଛଡ଼ା ସ୍ୱଚ୍ଛଳ ପରିବାର ବି ।

 

କିନ୍ତୁ କିଏ ଜାଣିଥିଲା ଯେ, ବରାନୁଗମନର ମାତ୍ର ଘଣ୍ଟାଏ ପୂର୍ବରୁ ଆସି ପହଞ୍ଚିବେ ବରର ବଡ଼ଭାଇ ମୋଟା ଅଙ୍କର ଟଙ୍କା ନେବାପାଇଁ... ? ନିମିଷକରେ ଦୁଃଖର ଗୋଟାଏ କଳା ଛାଇ ଖେଳିଗଲା ଘରର କୋଣ ଅନୁକୋଣରେ । ସମସ୍ତଙ୍କ ଆଖିରେ ଅଶ୍ରୁ... । ଉପେକ୍ଷା କରିବାର ଉପାୟ ନାଇଁ । ପବିତ୍ର ସ୍ନାନ ସାରି କନ୍ୟା ପ୍ରତିକ୍ଷିତା ବିବାହପାଇଁ । ରୁଦ୍ଧ କ୍ରନ୍ଦନରେ ଆବେଗରେ ଅସ୍ଥିର ସେ... । ଯଦି ଏଇ ମୁହୂର୍ତ୍ତରେ ଜୀବନର ବିନିମୟ ଘଟନ୍ତା, ତେବେ ବି ତ କେହି ପଶ୍ଚାତ୍‍ପଦ ହୁଅନ୍ତେ ନାଇଁ । ଏ’ତ ମାତ୍ର ଅର୍ଥ... । ମା’ଙ୍କର ସବୁ ଗହଣା ନେଇ ଦଉଡ଼ିଥିଲେ ଭାଇ ବଜାରକୁ । କେତେ ବା ଟଙ୍କା...ମାତ୍ର ଦଶ ହଜାର । ଯୌତୁକ ବଜାରରେ ଏହାର ମୂଲ୍ୟ ସର୍ବନିମ୍ନ... । ଭାଇ ଜବାବ ଦେଇଥିଲେ, ବାକିତକ ଟଙ୍କା ସେ ଦେଇ ଦେବେ ବିବାହ ପରେ...

 

ଶ୍ୱଶୁରାଳୟର ରହଣି କାଳ ଭିତରେ ଇନ୍ଦିରା ଅନୁଭବ କଲା ସେ କେବଳ ବଞ୍ଚିବାପାଇଁ ନିଜର ନିଜସ୍ଵକୁ ବଳିଦେବାରେ ଲାଗିଛି... । ସକାଳୁ ରାତ୍ରି ଯାଏଁ ମେସିନ୍ ପରି, ଘରର ସମସ୍ତ କାର୍ଯ୍ୟ ତୁଟାଇ ଯେତେବେଳେ ଶୋଇବାକୁ ଯାଏଁ, ଶୁଣେ, ଶାଶୁଙ୍କର ବିକଳ କୁନ୍ଥନ ସହ ଖୁଁ ଖୁଁ କାଶ ଶବ୍ଦ । ଏତେଦୂର ନିଷ୍ଠୁର ହୋଇ ପାରେନା ସେ... । ରାତ୍ରିର ଅର୍ଦ୍ଧେକ ସମୟ ଅଧିକାଂଶ ଦିନ କଟେଇବାକୁ ପଡ଼େ ଶାଶୁଙ୍କର ଶଯ୍ୟା ପାଖେ... । ଶ୍ଵଶୁର ଉପର ଖଞ୍ଜାରେ କାହା କାହା ସହିତ ଆଳାପରତ... । ରାତ୍ରିର ନିବିଡ଼ ପ୍ରହରରେ ସେ ଏକ ଚାକରାଣୀ ସହିତ ଉପରେ ଶୟନ କରନ୍ତି । ଇସ୍...ଏ’ ଭଳି ଏକ ସଂସ୍କାରବିହୀନ ପରିବାର ଭିତରେ ପଶିଯାଇ ଅଣନିଶ୍ୱାସୀ ହୋଇପଡ଼େ ଇନ୍ଦିରା... । ଏ ପରିବାରରେ କିଏ କାହାର ନୁହେଁ । ସମସ୍ତେ ଆପଣା ଆପଣା ସୁଖ ସମ୍ଭୋଗରେ ରତ—କେବଳ ଟଙ୍କାଇ ଏମାନଙ୍କର ସବୁ ।

 

ପଲଙ୍କ ଉପରେ ଶୋଇ ଶୋଇ ବହଳା ଚା’ର ବରାଦ୍ କରନ୍ତି ବଡ଼ ଯାଆ... । ମନା କରିବାର ‘ଜୁ’ ନାଇଁ । ଘରର ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାତିର କରନ୍ତି ତାଙ୍କୁ... । ମାନ୍ୟ ପାଇବାପାଇଁ ଯୋଗ୍ୟତା ତାଙ୍କର, ସେ ଯୌତୁକ ଆଣିଛନ୍ତି ବହୁତ ବେଶି... । ଯାହା ଇନ୍ଦିରାର କଳ୍ପନାନୀତ... । ଯାହା କିଛି ଘରର ଭଲ ମନ୍ଦ ସବୁର ମୀମାଂସା କରନ୍ତି ସେଇ । ସମସ୍ତେ ତାଙ୍କର ଆଜ୍ଞାଧୀନ... । ବଧୂ ଜୀବନର ଚରମ ବିସ୍ମୟ ଇନ୍ଦିରାପାଇଁ, ଝିଅର ଯୋଗ୍ୟତା, ସୌନ୍ଦର୍ଯ୍ୟ ଆଉ ଭଲ ଗୁଣର ମାପକାଠି ହେଲା ‘ଯୌତୁକ’ । ଯୌତୁକ ଆଣିଥିବା ଝିଅର ଓଜନ ବେଶି ଶ୍ୱଶୁରାଳୟରେ । ଶଶୁର ବି କହନ୍ତି ବେଳେ ବେଳେ—ମୋର ବଡ଼ ବୋହୂକୁ ସୁନା ଖୋଳ ଭିତରେ ପୂରାଇ ପଠାଇଥିଲା ଏ ଘରକୁ ତା’ର ବାପା !!

 

ମାସ ଦୁଇଟା ଯାଇଚି କି ନାଇଁ, ଘରର ପ୍ରତ୍ୟେକଙ୍କ ଆଖିରେ କ୍ରୂର ପ୍ରଶ୍ନବାଚକ ଦୃଷ୍ଟି...କାଇଁ ଆଉ ଟଙ୍କା... ? ଟଙ୍କା କାଇଁ... ? ଟଙ୍କା... ? ଟଙ୍କା... ?

 

ଅପରାଧିନୀ ପରି ଆଖି ତଳକୁ କରି ଆଣେ ଇନ୍ଦିରା... । ଯୌତୁକର ବିନିମୟରେ ସେ ତା’ର ସମସ୍ତ ଶକ୍ତି ଖଟାଇ ସମସ୍ତ କାର୍ଯ୍ୟ କରି ଚାଲେ ଅବାଧରେ... । କିନ୍ତୁ କିଏ ବୁଝେ ତା’ର ସେଇ ମହନୀୟତାକୁ... ? ଓଲଟି ସମସ୍ତଙ୍କ ପାଟିରୁ ବର୍ଷା ଭଳି ଗାଳି ବର୍ଷଣ ହୁଏ... । ଶେଷରେ ସ୍ଵାମୀଙ୍କର ହାତଶାର ସ୍ୱର ଶୁଣାଯାଏ, ‘ଜୀବନଟା ବରବାଦ୍ ହୋଇଗଲା’ ମୋର ।

 

କିନ୍ତୁ କାହିଁକି— ? ପ୍ରଶ୍ନ କରି ପାରେନା ଇନ୍ଦିରା ! ୟା’ର ଉତ୍ତର ତ ଅତି ସାଧାରଣ... । “ଯୌତୁକ ନାଇଁ”... । ଗୋଟିଏ ସ୍ଥାଣୁଭଳି ଠିଆ ହୋଇଯାଏ ଇନ୍ଦିରା ରନ୍ଧନଶାଳରେ । ଅନ୍ତର ମନ୍ଥିତ କରି ଝରିପଡ଼େ ବେଦନାସିକ୍ତ ଗୁଡ଼ାଏ ଅଶ୍ରୁ... ।

 

ରୁଗ୍‍ଣା ହେଲେ ବି ଶାଶୁଙ୍କର ଅନେକ ଶକ୍ତି ବାରମ୍ବାର ଏ ପ୍ରଶ୍ନ କରିବାରେ...‘ ବୋହୂ ଘର ବାକୀ ଟଙ୍କାତକ ଦେଲେଣି... ?’ ଯାଆଙ୍କ ସ୍ୱର ପଞ୍ଚମକୁ ଉଠିଯାଏ — ନାଇଁ ବୋଉ ! ଆଉ କ’ଣ ଟଙ୍କା ଦେବେ... ? କ’ଣ ବା ଦେଇଛନ୍ତି... ? ଫ୍ରିଜ୍‍ଟାଏତ ନାଇଁ । ରେଡ଼ିଓଟେ ଟ୍ରଙ୍କ ସୁଟକେଶ ଦି’ଖଣ୍ଡ କିଏ ନ ଆଣୁଚି ଆଜି କାଲି... ? ଯୋଉ ପୁଅର ସାମାନ୍ୟ ସୁଦ୍ଧା ଯୋଗ୍ୟତା ନାଇ’, ତା’ଘରେ ତ ବାଜୁଚି ବୋହୂ ଆଣିଥିବା ରେଡ଼ିଓ— ସଙ୍ଗୀତର ସ୍ୱର... । ଟଙ୍କା କେତୁଟା ହାତରେ ଗୁଞ୍ଜି ଦେଇ ଆଉ ଦେଖା ସାକ୍ଷାତ୍‍ ନାଇଁ କାହାର...

 

ଅକ୍ଷିରେ ଲୁଗାକାନିକୁ ଚାପି ଧରି ଶାଶୁ ଲୁହ ଗଡ଼ାନ୍ତି । (ସତ କି ମିଛ, ଜାଣିବାର ଉପାୟ ନାଇଁ ଇନ୍ଦିରା) ଯାଆ, ଶାଶୁଙ୍କ ଦୁଃଖରେ ଅଧିର ହୋଇ ରୋଷେଇ ଘରେ ଆସି ହାଜର ହୋଇ ଯାଆନ୍ତି, କ’ଣ ଜାଣିପାରୁନୁ... ? କେତେ ଦିନ ଆଉ ଯିବ ଶୁଣେ... ? ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିବ । ଭାବିଚୁ, ଘରକାମ କରି ମନନେଇ ଚଳିଯିବୁ ଏଠି । ଆମକୁ ବି କାମ ଆସେ । ଆମେ ବେଶ୍ କରିପାରିବୁ । କିନ୍ତୁ ଟଙ୍କା କାଇଁ ? ପାଠ ତ ପଢ଼ିଚୁ, ଲେଖିବୁ ଚିଠି...ଭାଇ ନେଇ ଆସିବେ । ନାଁ, ତୋର ସେ ପାଠଗୁଡ଼ାକ ଚିଠି ଲେଖିବା ପାଇଁ ଯଥେଷ୍ଟ ନୁହେଁ... । ଭଲ ପଢ଼ୁଥିଲୁ ବୋଲି ରାଜ୍ୟ ହୁରି ପଡ଼ୁଥିଲା...ଦି ଧାଡ଼ି ଲେଖିବାକୁ ବିଦ୍ୟା ପାଉନୁ ?

 

ବିଷାକ୍ତ ହୋଇଉଠେ ଇନ୍ଦିରାର ମନ । ସେ କ’ଣ ମେଧାବୀ ଛାତ୍ରୀ ଥିଲା, ଏଭଳି ଚିଠି ଲେଖାର ଭାର ବହନ କରିବାପାଇଁ— ? କ’ଣ ଭାବିବେ ଭାଇ ? ଆଉ ମାଁ... ? ଘରେ ଝିଅ ହୋଇ ଜନ୍ମ ପାଇଥିଲା କ’ଣ ସେମାନଙ୍କୁ ବଞ୍ଚିବା ଅଧିକାର ଟିକକରୁ ବଞ୍ଚିତ କରାଇବାପାଇଁ— ?

 

ଭାବନାରେ କ୍ଳାନ୍ତି ଆସେ । ଘନେଇ ଆସେ ଦୁଃଖ, ଅବସାଦ, ଆତ୍ମଦହନର ଜ୍ଵାଳା... । ମନେ ମନେ ସ୍ଥିର କରେ ସେ ଭ୍ରଷ୍ଟ ବର୍ତ୍ତମାନପାଇଁ ଶାସ୍ତି କେବଳ ଆତ୍ମହତ୍ୟା... । ପରମୁହୂର୍ତ୍ତରେ ବାଟ ଓଗାଳି ଠିଆ ହୁଏ, ମହାତ୍ମା ଗାନ୍ଧିଙ୍କ ବାଣୀ “ଆତ୍ମହତ୍ୟା ମହାପାପ”... । ଓହରି ଆସେ ଇନ୍ଦିରା ମନର ସଂକଳ୍ପରୁ... । ପ୍ରତିଟି ମୁହୂର୍ତ୍ତ ତାକୁ କଟେଇବାକୁ ପଡ଼େ, ବ୍ୟାଧଭୀତା-ହରିଣୀ ପରି-। ଇସ୍...ଏଇ ସଂସାର... ? ଆଉ ଏଇ ତା’ର ସୁଖ—ଆନନ୍ଦ ?

 

ଶ୍ରୀକାନ୍ତଠାରୁ ଅଳ୍ପ ଦୂରରେ ଶୋଇ ରହେ ଇନ୍ଦିରା, ଗୋଟିଏ ଶଯ୍ୟା... । ଅଥଚ, କେହି ଯେମିତି କାହାକୁ ଚିହ୍ନନ୍ତି ନାଇଁ...ଜାଣନ୍ତି ନାଇଁ କେହି କାହାକୁ... । ଅବଶ୍ୟ ଏଇ ଉଦାସୀନତା ପ୍ରତି ପ୍ରଥମରୁହିଁ ଇନ୍ଦିରା ଅଭ୍ୟସ୍ତ... । ଅକ୍ଳାନ୍ତ ପରିଶ୍ରମ କରି ଶଯ୍ୟା ଧରୁ ଧରୁ ନିଘୋଡ଼ ନିଦରେ ଶୋଇଯାଏ ଇନ୍ଦିରା । ତେଣୁ ଏଇ ଉଦାସୀନତାର ଗୁରୁତ୍ଵ ଦେବାକୁ ସମୟ ନ ଥାଏ ତା’ର... ।

 

ମାତ୍ର ସେଦିନ...ଝରକା ଦେଇ ପଶିଥାଏ ଅଜସ୍ର ଜ୍ୟୋତ୍ସ୍ନା...ଶ୍ରୀକାନ୍ତର ସୁପ୍ତ ଶରୀରଟା ଲୋଭନୀୟ ହୋଇଉଠେ ଇନ୍ଦିରା ଆଖିରେ... । ମୁଗ୍ଧ ଦୃଷ୍ଟିରେ ଚାହେଁ ଇନ୍ଦିରା...ଆଃ...ଏ କିଏ ? ଏଇ କ’ଣ ତା’ର ସ୍ଵାମୀ... ? ପ୍ରାଣ କ୍ଷୁଧାର ଆହାର ଏଇ... ? ଅଥଚ ତାକୁ ସ୍ପର୍ଶ କରିବାପାଇଁ ଇନ୍ଦିରାର ସାମାନ୍ୟ ସୁଦ୍ଧା ସାହାସ ନାଇଁ । ଇସ୍...ଏ ଲୋକଟା ସତରେ କେଡ଼େ ନିଷ୍ଠୁର...କେତେ ଅତ୍ୟାଚାରିତ ଏ... । ସାମାନ୍ୟ କିଛି ଅର୍ଥର ପ୍ରଲୋଭନରେ କି ଅମନୁଷ୍ୟତା... । ନାଁ ନାଁ ଏ ତା’ର କେହି ନୁହେଁ । ଏ ହେଉଛନ୍ତି କେବଳ ସେଇ କାମିନୀ କାଞ୍ଚନ ଦା—ପୁତ୍ର ଶ୍ରୀକାନ୍ତ ଦାସ୍...ସଦ୍ୟ କଲେଜ ଫେରନ୍ତା ତରୁଣ ସେ... ।

 

ଶଯ୍ୟା ଉପରେ ଶୋଇ ଶୋଇ ଛଟପଟ ହେବାକୁ ଲାଗେ ଇନ୍ଦିରା... । ଉତ୍ତପ୍ତ ସ୍ନାୟୁ ପୁଣି ଶିଥିଳ ହୋଇ ଆସେ ଆପେ ଆପେ... । ନିସ୍ତେଜ ହୋଇ ଆସେ ଆଖି ପତା ଦୁଇଟି । ଗୋଟାଏ ମୁର୍ଦ୍ଦାର ପରି ପଡ଼ି ରହେ ।

 

ମୁହୂର୍ତ୍ତ କେତୋଟି ପରେ, ଝରକା ଖୋଲିବାର ମୃଦୁ ଆଘାତ ଶୁଣି ଆସ୍ତେ ଆଖିପତା ଖୋଲେ ଇନ୍ଦିରା... । ଶ୍ରୀକାନ୍ତ ଚାଲି ଯାଉଚି ବାହାରକୁ... । ଏତେ ରାତିରେ ସେ ବାହାରକୁ ଯାଉଚି କାହିଁକି ? ଗୋଡ଼ରେ ସ୍ଲିପର ଗଳାଇ ଦେହରେ ପଞ୍ଜାବୀ ପିନ୍ଧି । ଅସହାୟ ଭାବେ ଆଖି ଦୁଇଟି ପୁଣି ବୁଜି ହୋଇ ଆସେ ଇନ୍ଦିରାର ।

 

ରାତ୍ରିରେ ଅବଶିଷ୍ଟାଂଶ ଆଉ ମାତ୍ର ଦି’ଘଣ୍ଟା ବାକି... । ରାତ୍ରିର ଅଭିସାର ସାରି ଏଇ ବୋଧେ ଫେରି ଆସିବ ଶ୍ରୀକାନ୍ତ... । ଇନ୍ଦିରା ଲୁହ ପୋଛି ଧୀରେ ଧୀରେ ଆଖି ଖୋଲିଲା...ଏଇତ ଘର ଭିତରେ ପ୍ରବେଶ କରୁଛି ଶ୍ରୀକାନ୍ତ...ଗୋଟାଏ ଉତ୍କଟ ଭାରି ଭାରି ଗନ୍ଧରେ ଘର ଭିତରଟା ବିଷାକ୍ତ ହୋଇଉଠୁଚି... । ଅସମ୍ଭବ ଭାବେ ଉତ୍ତେଜିତ ହୋଇପଡ଼େ ଇନ୍ଦିରା... । କିଛି କରି ନ ପାରିବାର ଆତ୍ମଗ୍ଳାନିରେ ଅସ୍ଥିର ହୋଇଉଠେ ସେ... । ଶେଷରେ ଏଇ ତା’ର ପରିଣତି ?

 

ଇନ୍ଦିରା କଣ୍ଠରେ କି ବ୍ୟାକୁଳ ମିନତି... “କୁହ...କୁହ ଶ୍ରୀକାନ୍ତ କୁଆଡ଼େ ଯାଇଥିଲ ତମେ”... ? ଅତି ସହଜ ଭାବେ ନିଜ କାନ୍ଧ ଉପରୁ ଇନ୍ଦିରାର ଅସ୍ଥିର ହାତ ଦୁଇଟି ଖସାଇ ଦେଇ ଶଯ୍ୟା ଉପରେ ବସିପଡ଼େ ଶ୍ରୀକାନ୍ତ... । ପୁଣି ଇନ୍ଦିରା ସେଇ ବ୍ୟାକୁଳ ସ୍ୱର...କୁହ...କୁହ... । କ’ଣ କହିବି ଶ୍ରୀକାନ୍ତ... ?

 

ଇନ୍ଦିରା ଆଖିରେ ନୀରବ-ଅଶ୍ରୁ ଗଡ଼ି ଚାଲିଥାଏ । ତା’ର ଯେମିତି ସମାପ୍ତି ନାଇଁ... । ସମବେଦନାରେ ଭାବବିହ୍ୱଳ ହୋଇ ଲୋତକଗ୍ରନ୍ଥି କେତେ ଯେ ଅଶ୍ରୁ ଦେଇ ଚାଲିଚି...ତା’ର ହିସାବ ନାହିଁ... । କିଛିକ୍ଷଣ ପରେ ଇନ୍ଦିରା ଓଠ ଖୋଲେ, “ମୁଁ ଜାଣି ନ ଥିଲି ଶ୍ରୀକାନ୍ତ ! ନାରୀର ନିଜସ୍ଵ ପୁରୁଷର ଆଦିମ କ୍ଷୁଧାକୁ ନିମନ୍ତ୍ରଣ କରି ପାରେନା, କରେ ଅର୍ଥ...ଏଇ ନିର୍ଯ୍ୟାତିତ ପୁରୁଷ ପାଖରେ, ସ୍ତ୍ରୀ ତା’ର ସକଳ ମମତା ତୁଟାଇ ଖୋଜେ ନିରାପତ୍ତା... । ନୁହେଁ... ? କେତେଟା ଟଙ୍କାର ପ୍ରଲୋଭନକୁ ଏଡ଼ାଇ ନପାରି ଗୋଟିଏ ଜୀବନକୁ ତମେ ନିତ୍ୟ ଦଂଶନ କରିବାରେ ଲଗିଚ । ମୋ ପାଖରେ କ’ଣ ବା ତମର ସ୍ଵାର୍ଥ... ? ମୁଁ ଯାଉଚି... । ଯେତେଦିନ ଲାଗି ଏ ଘରେ ତମେ ମତେ ଆଶ୍ରୟ ଦେଇଥିଲ, ତା’ର ପ୍ରାପ୍ୟ ଲାଗି ଯେ ଦିନେ ମତେ ଘୃଣା କରିବ, କିମ୍ବା ମୋ ଭାଇ ଏବଂ ମା’ଙ୍କୁ ଦୋଷାରୋପ କରିବ ସେଇଥିଲାଗି ତମପାଇଁ ମୋର ଏ ଯତ୍‍କିଞ୍ଚିତ୍ ପାରିତୋଷିକ—ବେକର ମାତ୍ର ଗୋଟିଏ ହାର...ହାତର କେଇ ପଟ ଚୁଡ଼ି...କାନର ରିଂ ଦୁଇଟା,...ରଖ ୟା’କୁ । ଯାଉଚି ମୁଁ... । କ’ଣ ଭାବୁଚ... ? ଭାବୁଚ ବୋଧେ, ମୁଁ ଚାଲିଯିବା ତମପାଇଁ ମଙ୍ଗଳ...ଆଉ ଥରେ ବିବାହ କରି ପ୍ରଚୁର ଯୌତୁକ ପାଇବ ଜୀବନ ସାର୍ଥକ ହେବ” । ନାରୀ କଣ୍ଠର ସେ ମମତାସିକ୍ତ ଭାଷାକୁ କର୍ଣ୍ଣପାତ କରିନଥିଲା ଶ୍ରୀକାନ୍ତ... । କ୍ଷୀଣ ପଦକ୍ଷେପ ତୋଳି ବାହାରି ଆସିଥିଲା ଇନ୍ଦିରା ସବୁଦିନ ପାଇଁ... । ଶ୍ରୀକାନ୍ତର ପ୍ରତିବାଦ ନାଇଁ... । ନାଇଁ ଦୁଃଖ, ନାଇଁ ଶୋଚନା—ବରଂ ଗୋଟାଏ ଧକ୍‍କାରେ ଚଞ୍ଚଳ ବାହାରି ଯିବାପାଇଁ ସାହାଯ୍ୟ କରିଥିଲେ ସେ ।

 

ରାତ୍ରିର ଗୋଟାଏ ଦୁଃସ୍ଵପ୍ନ ପରି ଇନ୍ଦିରାର ସେ ଜୀବନ । କିଏ କାହାର ପରିତ୍ୟକ୍ତ, ବୁଝି ବୁଝେଇବାପାଇଁ କ’ଣ ବା ପ୍ରୟୋଜନ ଇନ୍ଦିରାର... ? ସେ ଜାଣେ, ସମାଜ, ତାକୁ ଘୃଣା କରିବ...ମଣିଷ ତାକୁ ଦୋଷାରୋପ କରିବ... । ଯେଉଁଦିନ ଯାଏ ମଣିଷ ଚିହ୍ନି ଶିଖିନି, ଜୀବନର ମୂଲ୍ୟ କ’ଣ...ଆଉ ଅର୍ଥର ମୂଲ୍ୟ କ’ଣ ସେ ପର୍ଯ୍ୟନ୍ତ ତ ମଣିଷ ଆଖିରେ ସବୁ ତୁଚ୍ଛ... । ବଡ଼ କେବଳ ଅର୍ଥ... । ସତେ କ’ଣ କେବଳ ଅର୍ଥ ହିଁ ଦିଏ ଜୀବନର ମର୍ଯ୍ୟାଦା ଆତ୍ମା ନୁହଁ ? ପ୍ରେମ ନୁହଁ-?

 

ନିଜକୁ ବଞ୍ଚାଇ ପାରିବାର ଯୋଗ୍ୟତା ଟିକକ ହାତମୁଠାରେ ଚିପି ରଖି, ନାରୀ ଏତେ ତଳକୁ ଖସିଯାଏ କାହିଁକି ? କେବଳ ଏଇ ପୁରୁଷକୁ ଉଚ୍ଚାସନ ଦେବା ଲାଗି ତ ? କିନ୍ତୁ ପୁରୁଷ ଚାହେଁ ଆହୁରି...ଆଶା ତା’ର ଗଗନଚୁମ୍ବୀ... । ସମାଜର ସେଥିପ୍ରତି ନଜର ନାଇଁ । ବଜାର ଦର ବଢ଼ି ଚାଲିଲା ପରି ଆଜି ବଢ଼ି ଚାଲିଛି ଯୌତୁକର ଦର... । ଛିଃ...ଛିଃ...ଏଇ ସମାଜ... ? ମଣିଷ ତା’ର ଏଇ— ? ଏଇ ତା’ର ନିୟମକାନୁନ... ?...

 

ସକାଳର ଆଲୁଅରେ ନିଦ୍ରା ଭାଙ୍ଗିଲା ଇନ୍ଦିରାର । ବୋଧହୁଏ ଅନେକ ବେଳ ହୋଇଗଲାଣି । ଝରକାର ଅସ୍ପଷ୍ଟ ଫାଙ୍କରେ ସୂର୍ଯ୍ୟଙ୍କର ଲାଲିଚିଆ ରଶ୍ମି ଶଯ୍ୟା ଉପରେ ଚକ୍ ଚକ୍ କରୁଚି... । ତରତର ହୋଇ ଝରକାର ପରଦାଟି ଖୋଲି ଦେଲା ଇନ୍ଦିରା... । ଠିକା ଚାକରାଣୀ ଆସି ଅପେକ୍ଷା କରିଥିବ... । ମୁହଁ ଫେରାଇ ଆଣିଲା ଇନ୍ଦିରା... । ଚାକରାଣୀ କାଇଁ... ? ମି: ସେନ୍‍ଗୁପ୍ତ ଠିଆ ହୋଇ ରହିଛନ୍ତି । ମୁକୁଳା ଦରଜା ଭିତରେ ସକାଳର ଆଲୋକ ସଙ୍ଗେ ମି: ସେନ୍‍ଗୁପ୍ତ ପଶି ଆସୁଛନ୍ତି ପ୍ରକୋଷ୍ଠ ଭିତରକୁ ବହୁ ଦିନର ଆତ୍ମୀୟ ପରି ।

 

ଇନ୍ଦିରା କିନ୍ତୁ ମୁହଁରେ ହାତ ଘୋଡ଼ାଇ ଅଧୀରଭାବେ କାନ୍ଦି ଉଠୁଥିଲା ।

 

ସଙ୍କୁଚିତ ଗଳାରେ ମି: ସେନ୍‍ଗୁପ୍ତ ଆବୃତ୍ତି କରିବାରେ ଲାଗିଛନ୍ତି...କାଲିର ପରିସ୍ଥିତି ପାଇଁ ମୁଁ ଦାୟୀ, ଦୋଷୀ ମୁଁ... । ଆଶା, ମତେ ନିଶ୍ଚୟ କ୍ଷମା ଦେବେ ଇନ୍ଦିରା ଦେବୀ... । କ୍ଲବରୁ ଫେରିବା ବାଟରେ ସବୁ ଶୁଣିଛି ମିସ୍ ସୋନାଲି ରାଏଙ୍କଠାରୁ...ଆପଣଙ୍କ ଅତୀତ । କାଲି ଆପଣଙ୍କୁ ସେ ନିଷ୍ଠୁର ପ୍ରଶ୍ନ ପଚାରି ଯାହା ଦୁଃଖ ଦେଲି, ତାକୁ ଆପଣଙ୍କ ପାଖରୁ ଫେରାଇ ନେବାକୁ ସବୁ ଦିନ ପାଇଁ, ସକାଳୁ ସକାଳୁ ମୋର ଏ ଉପସ୍ଥିତି ଆପଣଙ୍କ ପାଖରେ ! ଆପଣ କହିପାରନ୍ତି ମୁଁ ଅଭଦ୍ର...ମୁଁ ଲମ୍ପଟ...ସହିବାପାଇଁ ତିଆର ମୁଁ । କିନ୍ତୁ ସୃଷ୍ଟିର ନିୟମ ବିରୁଦ୍ଧରେ ଏତେଟା ଅତ୍ୟାଚାରକୁ ମୁଁ ଆଦୌ ବରଦାସ୍ତ କରିପାରିବିନି । ଗୋଟାଏ କାପୁରୁଷର ଆଘାତ ପାଇ ଆପଣ ଏ ଜୀବନକୁ ତିଳ ତିଳ ଦଗ୍ଧ କରିଯିବେ... ? ମୁଁ ଆପଣଙ୍କ ରୂପ ଭିକ୍ଷା କରୁନି ଇନ୍ଦିରା ଦେବୀ । କରୁଚି ଆପଣଙ୍କ ଜୀବନ ଭିକ୍ଷା... ।

 

ସ୍ୱପ୍ନରୁ ଉଠିଲାପରି ଚାହିଁ ରହିଚି ଇନ୍ଦିରା ମି: ସେନ୍‍ଗୁପ୍ତଙ୍କ ଆଡ଼େ...ତା’ର ନୀରବତା ଯେମିତି କହୁଚି, ଏ ସୃଷ୍ଟିରେ ତମେ ବି ତ ଜଣେ ପୁରୁଷ...ତମେ କେମିତି ନାରୀର ଜୀବନ ଚାହୁଁଚ, ଅର୍ଥକୁ ନୁହଁ... ? ତୁମେ କ’ଣ ତୁମର ସମସ୍ତ ପୌରୁଷର ପ୍ରେମ ଦେଇ ଗୋଟିଏ ନାରୀର ହୃତମର୍ଯ୍ୟାଦା ଫେରାଇ ଆଣି ପାରିବ ? ପାରିବ ? ପାରିବ ତୁମେ ?

Image

 

ପଦୋନ୍ନତି

 

ବୋଧ ହୁଏ ରାତି ଅନେକ ହେଲାଣି ।

 

ଶୁଭକାନ୍ତଙ୍କ ନିସ୍ତେଜ ହାତ ମୁଠାରୁ ମୋଟା ଇଂରାଜୀ ନଭେଲଟା ଖସି ପଡ଼ିଲା । କ୍ଳାନ୍ତି ଆସୁ ବା ନିଦ୍ରା ଆସୁ, ସମୟ କଟାଇବା ପାଇଁ ସେ ଶୋଇବା ପୂର୍ବରୁ ପ୍ରତ୍ୟହ ଦୁଇ ତିନି ଘଣ୍ଟା ବହି ପଢ଼ନ୍ତି । ଏଇ ଅଭ୍ୟାସଟା ତାଙ୍କର ପୁରାତନ ନୁହେଁ । ନୂତନ । ପାଟି ନ ଫିଟାଇ ଅଫିସରେ ଫାଇଲ କାମ କରିବା ଯେମିତି ଏକ ରୁଚି ବିରୁଦ୍ଧ ଅଭ୍ୟାସ, ଘରେ କଥାବାର୍ତ୍ତା ନକରି ବହି ଉପରେ ଆଖି ଚଳାଇବାଟା ସେଇମିତି ଗୋଟାଏ ରୁଚି ବିରୁଦ୍ଧ ଅଭ୍ୟାସରେ ପଡ଼ି ଆସିଲାଣି ।

 

ନଭେଲ୍ ଉପରୁ ଆଖି ଫେରାଇ ନର୍ମଦାଙ୍କ ଉପରେ ଦୃଷ୍ଟି ନିକ୍ଷେପ କଲେ ଶୁଭକାନ୍ତ—

 

ନାଁ—ଏ’ ବୁଣା ତାଙ୍କ ହାତରୁ ଜମା ସରିବନି । ଅଥଚ ରାତି ‘ଦଶ’କୁ ସୂଚାଇ ଦେବାର ‘ପୁଙ୍ଗା’ଟା ଅନେକ ବେଳୁ ବାଜି ସାରିଲାଣି । ଚାହୁଁ ଚାହୁଁ ଅତିକ୍ରାନ୍ତ ହୋଇଯିବ ଏଗାର...ତା’ପରେ, ବାର... । ତଥାପି ନର୍ମଦା ବିଛଣା ଉପରକୁ କିଞ୍ଚିତ ଦୃଷ୍ଟି ଢାଳିବେ ନାଇଁ । ଇଏ ବି ତାଙ୍କର ଗୋଟାଏ ଚିର ନୂତନ ଅଭ୍ୟାସର କ୍ରମାନ୍ଵୟ ।

 

କାନ୍ଥକୁ ଲାଗି ତକିଆଟେ କୁଣ୍ଢାଇ ଧରି, ସାନପୁଅ ବାପି ଅସ୍ପଷ୍ଟ ସ୍ଵରରେ ଗଣିବାରେ ଲାଗିଛି, ଏକ୍, ଦୁଇ, ତିନ୍...ଉଆନ୍, ଟୁ, ଥ୍ରୀ...

 

ମୁଣ୍ଡ ଉପରେ ଚାରି ଫୁଟିଆ ବାର୍ ଲାଇଟ୍‍ଟା ତା’ର ସମସ୍ତ ଆଲୋକ ଅଜାଡ଼ି ଦେଇଛି ଅକାତରେ... । ଏତେ ଲାଇଟରେ କି ଆଖିକୁ ନିଦ ଆସେ— ? କିନ୍ତୁ ଦେହରେ ଅସମାପ୍ତ କ୍ଳାନ୍ତି...ଆଖି ପତାରେ ଅମାପ ଓଜନ...

 

ଉହୁଁ...ବୁଣା ସରିଲା— ? ଶୋଇବା ଏଥର...

 

ଶୁଭକାନ୍ତଙ୍କର ବିନମ୍ର କଣ୍ଠସ୍ୱର...

 

କୁଣ୍ଢାଇ ଧରି ଥିବା ତକିଆଟା ଉପରେ ବାପି ବସିପଡ଼ି କହିଲା, ବାପା ! ବୋଉ ଯୋଉ ସ୍ଵେଟର୍‍ଟା ବୁଣୁନି...ସେଇଟା ତମର, ମୋର ନୁହେଁ ମ...

 

ନିଦରେ ଓଜନ ହୋଇଉଠିଥିବା ଆଖିପତା ଦୁଇଟା, ବାପିର କଥା ଶୁଣି ଅସମ୍ଭବ ହାଲୁକା ହୋଇଗଲା ଶୁଭକାନ୍ତଙ୍କର... । ‘ସଟ୍ ଅପ୍’...ଏତେ ରାତି ହେଲାଣି ନିଦ ହଉନି— ? କଅଁଳେଇ କହୁଛି କ’ଣ ନାଁ...ସ୍ଵେଟର୍‍ଟା ମୋର ନୁହେଁ...ତମର...

 

ବାପି ଉପରେ ରାଗି, ଘୋଡ଼ାଇ ହୋଇଥିବା ରେଜଇଟାକୁ ବିରକ୍ତିରେ ନିଜ ଉପରୁ ଫିଙ୍ଗିଦେଲେ ଶୁଭକାନ୍ତ... । ସେ ଅନୁଭବ କରୁଥିଲେ ଦେହଟା ଅସମ୍ଭବ ଭାବେ ଉତ୍ତପ୍ତ...ପ୍ରତି ଲୋମ କୂପେ କୂପେ ଯେମିତି ଭରି ଯାଉଛି ବିନ୍ଦୁ ବିନ୍ଦୁ ସ୍ଵେଦ... । ଅଥଚ ଡିସେମ୍ବରର ଶେଷ ତାରିଖଟା ଆଜି ।

 

ସାମାନ୍ୟ ନିରବତା ପରେ ଶୁଭକାନ୍ତଙ୍କର ମନେପଡ଼ିଗଲା, ପାଖରେ ନର୍ମଦା...ଖୁବ୍ ନିକଟରେ... । ଏତେ ରାତିରେ ବାପିକୁ ବିରକ୍ତ ହେଲେ ସେ ସହିପାରିବେ ନାଇଁ । କାରଣ, ବର୍ଷ ବର୍ଷ ଧରି ସେ ଲୁହର ଚଷମା ପିନ୍ଧି ବାପିର ନିଟୋଳ ମୁହଁକୁ ଦେଖିପାରିଛନ୍ତି... । ପରମ ତୃପ୍ତି ଅନୁଭବ କରିଛନ୍ତି ତାଙ୍କ ମାତୃତ୍ଵରେ....

 

ଶୁଭକାନ୍ତ ଭାବିଥିଲେ, ନର୍ମଦା ବିରକ୍ତିରେ ପାଟି କରି ଉଠିବେ, କିମ୍ବା ଅଧାବୁଣା ସ୍ୱେଟରଟା ଟେବୁଲ ଉପରେ ବିକ୍ଷିପ୍ତ କରାଇ ଶଯ୍ୟା ଆଦରିବେ... । ଅଥବା, ବିନା ଅଭିଯୋଗରେ, ଆଖି କୋଣରୁ ତାଙ୍କର ନିଗିଡ଼ି ପଡ଼ିବ ଅଳ୍ପକେ ଲୋତକର ସ୍ରୋତ...

 

ମାତ୍ର କି ବ୍ୟତିକ୍ରମ... ? ନର୍ମଦା ହସୁଛନ୍ତି... । ସେ ହସ ନିର୍ଲିପ୍ତ ନୁହେଁ... । ରୁଚିକର ନୁହେଁ... । ଅସ୍ଵାଭାବିକ । ଅନ୍ତର ବିଦାରକ ।

 

ଆଃ...କି ଅନ୍ତର୍ଦାହୀ ଏ ହସର କୋରକ... । ସତେ ଅବା କରକାରେ ଛୁରି ଚାଲିଗଲା ଶୁଭକାନ୍ତଙ୍କର... । ଅନ୍ୟ ସମୟ ହୋଇଥିଲେ, ସେ ଚିତ୍କାର ଛାଡ଼ି ଥାଆନ୍ତେ, ଷ୍ଟପ୍...ଷ୍ଟପ୍...ନମି...ପ୍ଲିଜ୍ ଷ୍ଟପ୍... ।

 

କିନ୍ତୁ... ? ପରିସ୍ଥିତିକୁ ଗୁରୁତର ନକରାଇ, ଏ’ ନିର୍ଜନ ରାତ୍ରିକୁ ବ୍ୟର୍ଥତାରେ କଟାଇ ନ ଦେବା ପାଇଁ ଅଭ୍ୟସ୍ତ ପ୍ରତୀକ୍ଷାପର ସେ ପ୍ରତିକ୍ଷିତ ରହିଲେ ନର୍ମଦାଙ୍କ ବାକ୍ୟ ସଂଯୋଜନାକୁ...

 

ବେଦନା ବିମୂଢ଼ କଣ୍ଠରେ ନର୍ମଦା କହିଲେ, ପିଲାଙ୍କ ଦାୟିତ୍ଵଗୁଡ଼ାକ ଆମ ଉପରେ ପଡ଼ୁଛି ବୋଲି ଆମେ ସେମାନଙ୍କ ଉପରେ ରାଗୁଛେ ସିନା, ଥରେ ଦେଖି ଗଭୀରଭାବେ ଚିନ୍ତା କଲ, ରାତି ବାର ବାଜିଲେ ବି ବାପି ଆଖିକୁ ନିଦ ଆସୁନି କାହିଁକି— ? କେତେବଳେ ହେଲେ ଟିକେ ସେ ଖେଳି ପାରିଲାନି । ବୁଲି ପାରିଲାନି । ଯାହା ପାଖକୁ ଗଲା, ଯାହାକୁ ପଦେ କଥା କହିଲା ସମସ୍ତେ ତାକୁ ଧିକ୍ ଧିକ୍ ମାର୍ ମାର୍ କଲେ । ଘରେ ବସି ରିତିମତ୍ ଗାଳି ଖାଇଲେ ଆଖିକୁ ନିଦ ଆସେନି । ଯେଉଁ ପିଲା ପ୍ରତି ସ୍ନେହ ନାଇଁ, ମମତା ନାଇଁ ଆନ୍ତରିକତା ନାଇଁ ତା’ ନିଦ୍ରା ପ୍ରତି ସଜାଗ ରହିବା ଦରକାର କ’ଣ... ?

 

ଅଶେଷ ବିରକ୍ତି ଓ ମର୍ମ ବେଦନାରେ, ଶୁଭକାନ୍ତଙ୍କର ମୁହଁ ଅସମ୍ଭବ ଭାବେ ଗମ୍ଭୀର ହୋଇଉଠିଲା । ସେ ଦେଖିଲେ, ପ୍ରବଳ କ୍ରୋଧରେ ଜର୍ଜରିତା ନର୍ମଦାଙ୍କ ହାତରେ ସ୍ଵେଟର କଣ୍ଟା ଦୁଇଟା ଯେତିକି ଶୀଘ୍ର ଗତି କରୁଛି ତା’ଠାରୁ ଅଧିକ ଗତିରେ ଗତି କରୁଛି, ନିଜର ନିଶ୍ୱାସ...ପ୍ରଶ୍ଵାସ... । ଶୁଭକାନ୍ତଙ୍କର ଗୋରା ଚିକ୍‍କଣିଆ ମୁହଁରେ କିଏ ଯେମିତି ଛିଞ୍ଚି ଦେଇ ଯାଉଛି ଅପରିଷ୍କୃତ ଅନ୍ଧାର ଅବିର... । ରାତ୍ରିର ବିଦ୍ୟୁତ୍ ଆଲୋକରେ ସ୍ପଷ୍ଟ ବାରିହୋଇ ଯାଉଥିଲା ଲାଲିଆ କଳାର ମିଶ୍ରିତ ରଙ୍ଗଟା... । ବିରକ୍ତି କଣ୍ଠରେ, ବିଛଣା ଉପରେ ବସିପଡ଼ି ନର୍ମଦାଙ୍କୁ ସେ ପ୍ରଶ୍ନ କଲେ, ଖେଳିବା ପାଇଁ ବୁଲିଯିବା ପାଇଁ କିଏ ମନାକରୁଛି... ? ମୁଁ... ?

 

ତମେ ମନାକରିନା...ମାନୁଚି ମୁଁ... । କିନ୍ତୁ କେବେହେଲେ ଥରେ ତା’ପାଇଁ ଭାବିଛ, ସେ ଖେଳିବ କେମିତି— ? ବୁଲିଯିବ କାହା ସହିତ— ? କିଏ ତାକୁ ସାଙ୍ଗରେ ନେବ... ?

 

ନର୍ମଦାଙ୍କ ଆହତ କଣ୍ଠସ୍ୱର; ଶୁଭକାନ୍ତଙ୍କ ଚିନ୍ତା ଧାରାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଲା-। ସେ ପରିବର୍ତ୍ତନର ଗତି ଅତି ବାସ୍ତବ...ନିରାଟ ସତ୍ୟର ମାର୍ଗ...

 

ଶୁଭକାନ୍ତ ଆଶା କରିଥିଲେ... । ଆଶା କରି ଆଶାର ପ୍ରାପ୍ତି ଫଳକୁ ବିକଳରେ ସାଉଁଟି ନେଇଥିଲେ । ପ୍ରମୋଶନ୍ ଅର୍ଡ଼ରଟା ତାଙ୍କ ମନରେ ଭରିଦେଇଥିଲା ସୁଖର ଫଲଗୁ...

 

ମାତ୍ର ସେ ଆଶାର, ବହୁ ଆକାଂକ୍ଷାର ଫଳଟା ଯେ ମହାକାଳ ଫଳ, ସେ’କଥା ଶୁଭକାନ୍ତ କଳ୍ପନା କରିନଥିଲେ ।

 

ଚାକିରିରେ ପଦୋନ୍ନତି ଘଟିଛି ସତ । କିନ୍ତୁ ଅବନ୍ନତି ଯେ ଶୁଭକାନ୍ତଙ୍କର ପ୍ରତି କ୍ଷେତ୍ରରେ... । ଏ’ ଦୁଃଖର କରୁଣ ଅବଦାନ ଏ’ କ୍ଷୁଦ୍ର ପ୍ରକୋଷ୍ଠରେ ସର୍ବଦା ଜାଗ୍ରତ...ପ୍ରତି ମୁହୂର୍ତ୍ତରେ ପ୍ରତିଧ୍ଵନିତ ହେଉଛି... । ଏ’ ଦୁଃଖର ଯନ୍ତ୍ରଣା ଭୋଗିବା ପାଇଁ ଘରର ପ୍ରତ୍ୟେକ ସଭ୍ୟଙ୍କୁ ସାଥୀ କରି ନେଇଛନ୍ତି ସେ । ଉନ୍ନତିର ସୋପାନ ତାଙ୍କ ପାଇଁ । ଅଚଳ ଗହର...

 

ଅଭିଜ୍ଞତା, ଚାକିରି ଜୀବନର କାର୍ଯ୍ୟ ଦକ୍ଷତା, ଆଉ କଲେଜ ଜୀବନର ଅସାଧ୍ୟ ପରିଶ୍ରମ କରି ମାଥମେଟିକ୍‍ସ ପେପରରେ ଶହେରୁ ଅଠାନବେ ରଖିଥିବା ଦାମୀ ନମ୍ବରଗୁଡ଼ା ଶୁଭକାନ୍ତଙ୍କର କିଛି ଦରକାରରେ ଆସିଲାନି... । ପ୍ରମୋସନ୍ ପାଇଁ ସାହାଯ୍ୟ କଲାନି ।

 

ଚାକିରି ଏଗାର ବର୍ଷ ହେଲେ ବି, ଠିକ୍‍ ଗୋଟିଏ ବର୍ଷ ପୂର୍ବରୁ ସେ ଦଶ ବର୍ଷ ଧରି କ୍ଲାସ୍‍ ଟୁ ଅଫିସର, ଆସିଷ୍ଟାଣ୍ଟ ଇଞ୍ଜିନିୟରଭାବେ, ଜୀବନ ଉପଭୋଗର ପ୍ରଥମ ସ୍ଵାଦକୁ ନଷ୍ଟ କରି ଦେଇଛନ୍ତି ଜଙ୍ଗଲରେ ବୁଲି ବୁଲି । ଘରକୁ ଫେରିଲା ବେଳକୁ, ପ୍ରତ୍ୟେହ ରାତି ଏଗାର...ବାର । ସେତେବେଳେ ନର୍ମଦାଙ୍କ ବୟସ ଉଣେଇଶି–କୋଡ଼ିଏ... । ଏତେ ରାତିରେ ଫେରିବାର ଦେଖି ଶୁଭକାନ୍ତଙ୍କୁ ସେ ତାଙ୍କ ପିଲାଳିଆ ଚପଳ ଛାତିରେ ଛେପ ପକାନ୍ତି । ଡରି ଡରି ଭୟଭୀତ କଣ୍ଠରେ କୁହନ୍ତି, ଏତେ ରାତି ପର୍ଯ୍ୟନ୍ତ ତମେ ଜଙ୍ଗଲରେ ରହୁଚ... ?

 

ଶୁଭକାନ୍ତଙ୍କର ବ୍ୟସ୍ତବହୁଳ ଗମ୍ଭୀର ମୁଖ ମଣ୍ଡଳରୁ ହସ ଟିକେ ଉକୁଟି ଉଠେ... । ରାତ୍ରିର ନିର୍ଜନତାକୁ ଥରାଇ ଦିଏ ତାଙ୍କ କରୁଣ କଣ୍ଠସ୍ଵର...ଟ୍ରାନ୍‍ସ୍‍ମିଶନ ଲାଇନ୍ କାମ—ଜଙ୍ଗଲରେ ନ ବୁଲିଲେ ହେବ— ?

 

ସେ’ ପରିଶ୍ରମ, ସେ କାର୍ଯ୍ୟ ଦକ୍ଷତାର ଫଳ ଆଜି କ’ଣ... ?

 

ଭଲ ଜାଗାରେ ପୋଷ୍ଟିଂ ହେବା ପାଇଁ, କାର୍ଯ୍ୟଦକ୍ଷତା ପରିଶ୍ରମ, ଭଲ ଛାତ୍ରର ପ୍ରୟୋଜନ ନାହିଁ । ନିଜର କ୍ଲାସମେଟ୍ କିଏ ହେଲେ ଆଇ.ଏ.ଏସ୍ ଅଫିସର ହୋଇ ପୋଷ୍ଟିଂ ବେଳେ ସାହାଯ୍ୟ କରୁଥିବ... । ନିଜର ଆତ୍ମୀୟ ବା ବନ୍ଧୁ ଉପର ସ୍ତରରେ ହାକିମ ଥିବେ ।

 

ଶୁଭକାନ୍ତଙ୍କର ଆତ୍ମୀୟ ନାହାନ୍ତି । ହେଉଁ କେତୋଟି କ୍ଲାସମେଟ୍ ଓ ରୁମମେଟ୍ ଅଛନ୍ତି, ସେମାନଙ୍କ ଉପରେପଡ଼ି ଚିହ୍ନା ଦେଲେ ବି, ସେମାନେ ଚିହ୍ନିବା ପାଇଁ ଆଗ୍ରହୀ ନୁହନ୍ତି । ନିଜର କାମ ହାସଲ ପାଇଁ ଜୋର୍ ଦେଇ ଚିହ୍ନା ଦେଲେ ବି, ଭଙ୍ଗା ଭଙ୍ଗା କଣ୍ଠରେ କୁହନ୍ତି, କଲେଜରେ ଏତେ ପିଲା...ସମସ୍ତଙ୍କୁ ମନେରଖିବା କ’ଣ ସହଜ କଥା— ?

 

ଶୁଭକାନ୍ତ କିନ୍ତୁ ଠିକ୍ ମନେରଖିଛନ୍ତି ସମସ୍ତଙ୍କୁ... I କାରଣ, ଛୁଟି ଦିନର ଗୋଟା ଗୋଟା ଦ୍ୱିପ୍ରହର ଅଙ୍କ ବୁଝାଇ ଯାହାଙ୍କୁ ସବୁ ମ୍ୟାଟ୍ରିକ୍ ପରୀକ୍ଷାରେ ଖସାଇ ଦେଇଛନ୍ତି, ସେଇମାନେ ଆଜି ଆଇ.ଏ.ଏସ୍ ଅଫିସର...ସେମାନଙ୍କ ଭିତରୁ ଜଣେ ଦୁଇ ଜଣ ଆଇ.ପି.ଏସ୍. ମଧ୍ୟ... ।

 

ଶୁଭକାନ୍ତ ଇଞ୍ଜିନିୟରିଂ ପଢ଼ିଗଲାବେଳେ, ତାଙ୍କ ରୁମମେଟ୍ ବସନ୍ତ ଭୟରେ ଶିହିରି ଉଠିଥିଲା । ପକେଟ୍ ଭିତରେ ହାତ ପୂରାଇ ଗଳା ଝାଡ଼ି ଆତଙ୍କରେ କହି ଥିଲା, ଭାଇ ତୁ ତ ଯାଉଛୁ...ମୁଁ ଆଉ ସାଇନ୍‍ସ୍‍ ପଢ଼ିପାରିବିନି । ପଢ଼ିବା ପାଇଁ ଏତେ ଟିକେ ଆଉ ସାହାସ ନାଇଁ ମୋର... I ଚେଞ୍ଜ୍‍ କରି ଆର୍ଟସ୍ ପଢ଼ିବି ବାଧ୍ୟହୋଇ ।

 

ହସି ହସି ମନରେ ଦରଦ ଜଣାଇ ଶୁଭକାନ୍ତ କହିଥିଲେ, ଆର୍ଟସ୍ ପଢ଼ି କ’ଣ କରିବୁ–-? ଲେକ୍‍ଚରରଟିଏ ହେବୁ ସିନା... । ବି.ଏସ୍.ସି ପଢ଼ି ନେକ୍‍ଷ୍ଟ ଚାନ୍ସକୁ ହେଲେ ଇଞ୍ଜିନିୟରିଂରେ ସିଟ୍ ମିଳିଯିବ ।

 

ବସନ୍ତ ବଧାଇ ଜଣାଇ ମନାକରିଦେଇଥିଲା । “ନାଁ ଭାଇ ହେବନି ମୋ ଦେଇ ସେ ପାଠ... I ଲେକ୍‍ଚରରରେ ଭେକାନ୍ସି ନଥିଲେ, ଶେଷକୁ ମାଷ୍ଟ୍ର ଚାକିରି ପଛେ...ଇଞ୍ଜିନିୟରିଂ ପାଠ...-? ଆରେ ବାବା”.....

 

ସେଇ ବସନ୍ତ ଆଜି ଆଇ.ପି.ଏସ୍ ଅଫିସର । କାଣ୍ଟନମେଣ୍ଟ ରୋଡ଼ରେ ପାଇଛି ଅଠରବଖରାର ଏକ ବିରାଟ ବଙ୍ଗଳା ।

 

ଆଉ ଶୁଭକାନ୍ତଙ୍କର... ?

 

ପୁରୁଣା ମଡ଼େଲର ନାଲିଆ ରଙ୍ଗଛଡ଼ା ଥ୍ରୀଆର କ୍ଵାଟରଟିଏ । ସେଇ ଖଣ୍ଡିକ ବି ବହୁ ଧରା ଧରି ଖୋସାମତରେ ମିଳିଛି ।

 

ନର୍ମଦାଙ୍କ କଣ୍ଠରେ ଆଜି ପର୍ଯ୍ୟନ୍ତ ସେଇ ଏକା ପ୍ରକାରର ହୃଦୟ ବିଦାରକ ଅଭିବ୍ୟକ୍ତ...‘ଚାଙ୍ଗୁଡ଼ି ଭଳି ତିନୋଟି ବଖରା ଘର ଲଗାଲଗି ହୋଇ । କେମିତି ତାକୁ କେଉଁ ଉପାୟରେ ପରିଷ୍କାର ରଖିବ— ? ସଜାଡ଼ି ସଜେଇବ... ? ଛି...ଏ’ ଭଳି ଏକ କ୍ଷୁଦ୍ର ପରିସର ମଧ୍ୟରେ ଆବଦ୍ଧ ରହି ରହି ମଣିଷର ଦେହ, ମନ, ଆଶା ଆକାଂକ୍ଷା ସବୁ କ୍ଷୁଦ୍ର ହୋଇଗଲାଣି’ I

 

ଶୁଭକାନ୍ତ ଜୁନିୟର୍ ଇଞ୍ଜିନିୟର ଥିଲାବେଳେ, ଠିକ୍ ଏଇ ଭଳି ଏକ ଘରେ ଗୋଡ଼ ଦେଇ ଅଣନିଶ୍ୱାସୀ ହୋଇପଡ଼ିଥିଲେ ନର୍ମଦା... I

 

ଆଉ ଏବେ... ?

 

ଚଳିବା ପାଇଁ ଘରେ ଛଅ ଜଣ ସଭ୍ୟ । ଚାରୋଟି ପିଲାଙ୍କ ସହ ସେ ଦୁହେଁ । ଚାକିରି ଏଗାର ବର୍ଷରେ, ଘରର ଆସବାବପତ୍ର ବି ଅତ୍ୟଧିକ । ଘରର ସଭ୍ୟ ଅନୁପାତରେ ଲୁଗାପଟା ସଜାଡ଼ି ରଖିବା ପାଇଁ କକ୍ଷର ଅଭାବ ତୀବ୍ର... । ମଇଳା ଲୁଗାପଟା ଜାମା ପ୍ୟାଣ୍ଟରେ ଘରର ଚତୁଃପାର୍ଶ୍ଵ ଅସ୍ତବ୍ୟସ୍ତ...

 

ଏକ୍‍ଜିକ୍ୟୁଟିଭ୍ ଇଞ୍ଜିନିୟର ବୋଲି କାହାକୁ ପରିଚୟ ଦେବାପାଇଁ ଲାଜ ଲାଗେ ଶୁଭକାନ୍ତଙ୍କୁ । ଖ୍ୟାକି ପ୍ୟାଣ୍ଟ ଖଣ୍ଡେ ପିନ୍ଧି ପୁଲ୍‍ରୁ ମାଗି ଆଣିଥିବା ଧଧଡ଼ା ଜିପରେ ବସି ରାସ୍ତା ଅତିକ୍ରମ କଲାବେଳେ, ସେ ରାସ୍ତାକୁ ନ ଚାହିଁ, ଚାହାନ୍ତି ଗାଡ଼ିର ଗତିକୁ... I ଇସ୍...ଏ’ ଭଳି ମ୍ଳେଚ୍ଛାବତାର ବେଶକୁ ଦେଖିବେ ଯଦି ବିୟୋତ୍ କି ବସନ୍ତ... ? କ’ଣ ଭାବିବେ ସେମାନେ... ? ବିୟୋତ୍ ରୁମମେଟ୍ ନ ଥିଲେ ବି କଲେଜମେଟ୍ ଥିଲା । ଶୁଭକାନ୍ତଙ୍କ ପାଠ ପଢ଼ାକୁ ସେ ଦୂରୁ ଦଣ୍ଡବତ କରୁଥିଲା । କିନ୍ତୁ ବନ୍ଧୁତା ଥିଲା ନିବିଡ଼... I ସେ’ ବି ଆଜି କଲେକ୍ଟର ନାଁ କରା ଆଇ.ଏ.ଏସ୍ ଅଫିସର୍... ।

 

ଚଷୁ ପାଛୁଡ଼ିଲା ଭଳି ଧୁସ୍ ଧୁସ୍ ହୋଇ ଧୂଳିର ପରସ୍ତ ଜିପ୍ ଭିତରକୁ ପଶିଯାଇ ଲେସି ହୋଇଯାଏ ଶୁଭକାନ୍ତଙ୍କ ଅଙ୍ଗ ଅବୟବରେ— । ନିର୍ବିକାର ଅଭ୍ୟସ୍ତ ହାତ ଦୁଇଟା ତାଙ୍କର ଘୂରିଯାଇ ଧୂଳିଗୁଡ଼ାକୁ ଝାଡ଼ି ଦେବା ପାଇଁ ଆପ୍ରାଣ ଚେଷ୍ଟା କରେ... । ମାତ୍ର ଘରେ ଆସି ସେ’ ଆଇନା ସାମନାରେ ଠିଆ ହୋଇ, ଦୁଃଖ କରନ୍ତି ନିଜର ଅବହେଳିତ ଶରୀରକୁ ଦେଖି । କିନ୍ତୁ ମୁହଁ ଖୋଲି ସେ ଜଣାଇ ପାରନ୍ତିନି ନିଜର ଅନୁଭୂତିକୁ କାହା ପାଖରେ ।

 

ନର୍ମଦା କୁହନ୍ତି, ଜିପରେ ଚଢ଼ି ଚଢ଼ି ତମ ତମ୍ବାପରା ଦେହକୁ ନଷ୍ଟ କରି ଦେଲ । ଇଞ୍ଜିନିୟରିଂ ନ ପଢ଼ି ବି.ଏ. ଏମ.ଏ. ପଢ଼ିଥିଲେ, ପ୍ରତିଯୋଗିତା ମୂଳକ ପରୀକ୍ଷାରେ ତମେ ନିଶ୍ଚୟ ଫାଷ୍ଟ ହୋଇଥାଆନ୍ତ । ଏତେ କଷ୍ଟ ପାଠ ପଢ଼ି ଚାକିରିରେ ଅବସ୍ଥା କି ହୀନସ୍ତା ।

 

ଶୁଭକାନ୍ତ ନିର୍ଲିପ୍ତ ଭାବେ କୁହନ୍ତି, କିଏ ଜାଣି ଥିଲା— ? ଭଲ ଷ୍ଟୁଡ଼େଣ୍ଟମାନେ ତ ସେତେବେଳେ ଇଞ୍ଜିନିୟରିଂ ପଢ଼ୁଥିଲେ । ମୁଁ ତ ସାଧାରଣ ଷ୍ଟୁଡ଼େଣ୍ଟ ନଥିଲି, ଯାହାକି ବି.ଏ. ଏମ.ଏ ପଢ଼ି ଅଧମ ତାରଣ ପନ୍ଥା ଧରିଥାଆନ୍ତି ।

 

ବନ୍ଧୁ ନିଶିକାନ୍ତ ସେ’ଦିନ କି’ବିକଳରେ ଜିପ୍ ଭିତରେ ହାତ ପୁରାଇ ଶୁଭକାନ୍ତଙ୍କ କେଶ ଉପରୁ ଆଉ ସାର୍ଟ କଲର୍‍ରୁ ଧୂଳିଗୁଡ଼ା ଝାଡ଼ିଦେଇ କହିଥିଲା, ଇସ୍...ଶୁଭ ତୁ କ’ଣ ଦିଶିଲୁଣି— ? ଜିପ୍ ଭିତରେ ସିଝି ସିଝି ଆପଲ ଭଳି ଗାଲ ଦୁଇଟା ତୋର କଇଁଥା ବାଇଗଣ ପାଲଟି ଗଲାଣି । ତୁ ଏଥର ଗୋଟେ ଗାଡ଼ି କିଣି ପକା... । କ’ଣ ଆସି ଚାକିରି ଦଶ ବାର ବର୍ଷ ହେଲା...ଆଉ ଗୋଟେ ଜିପରେ ବୁଲିବା...

 

ଅଧର ନ ଖୋଲି ଶୁଭକାନ୍ତ ହସି ଥିଲେ । ଆଉ ଦୁଃଖରେ ବିଦିର୍ଣ୍ଣ ହୋଇ କହିଥିଲେ, ଗାଡ଼ି...ଗାଡ଼ି ପୁଣି ଆମମାନଙ୍କ ଭାଗ୍ୟରେ ଅଛି— ? ଚାରି ବର୍ଷ ହେଲା ଆମ୍ବାସାଡ଼ର ବୁକ୍ କରି ଏଇ ବର୍ଷ କ୍ୟାନ୍ସେଲ୍ କରି ଦେଲି ।

 

କାହିଁକି... ? ବିସ୍ମୟବିମୂଢ଼ କଣ୍ଠରେ ପ୍ରଶ୍ନ ତୋଳିଥିଲେ ନିଶିକାନ୍ତ ।

 

“ପ୍ରମୋଶନ୍ ହେଲେ, ଗାଡ଼ି କିଣିବାର ଯେଉଁ ଅଭିପ୍ରାୟ ଥିଲା, ସେ’ ଆଜି ଦୁଃସ୍ଵପ୍ନ ଭଳି ମୋ ମନରେ... । ପ୍ରୋଜେକ୍ଟ ଏରିଆ...ଟୁର୍ କାଇଁ ?”

 

ନିଶିକାନ୍ତଙ୍କ ଆଶ୍ଚର୍ଯ୍ୟ ଭାବଭଙ୍ଗୀ ନିମିଷକେ ଦୂରେଇ ଯାଇଥିଲା ଶୁଭକାନ୍ତଙ୍କ ଉତ୍ତର ଶୁଣି । ହୋ...ହୋ...ହୋଇ ହସି ଉଠି କହିଥିଲେ, ଡିଭିଜନ୍ ଫିଭିଜନ୍ କିଛି ମିଳି ପାରିଲା ନାଇଁ କି ତୋତେ— ? କ’ଣ ତାହା-ହେଲେ ସିଫ୍ଟ... ?

 

ନାଁ—ଭାଇ ଅଫିସରେ...କିରାଣୀ ଚାକିରି ତ.......

 

ଶୁଭକାନ୍ତଙ୍କ ହାତ ଭିତରେ ହାତ ପୂରାଇ, ନିଶିକାନ୍ତ ସେ’ ଦିନ ଆଶ୍ଵାସନା ବାଣୀ ଶୁଣାଇ ଥିଲେ, ହଉ...ହଉ...ଆ’କେବେ ସେକ୍ରେଟେରିଏଟ୍...ତୋ’ ଖବର ବୁଝି ଦେବା...

 

ଥରେ ନୁହେଁ, ଦୁଇ ଥର ନୁହେଁ, ଅନେକ ଥର ଆଶାୟୀ ହୋଇ, ନିଶିବାବୁଙ୍କ ଚେୟାର ପାଖରେ ଗୋଡ଼ ଭାଙ୍ଗି ଠିଆ ହୋଇ ହୋଇ ନିରାଶରେ ଫେରିଛନ୍ତି ଶୁଭକାନ୍ତ... । ପ୍ରତିଥର ସେଇ ଏକା ଭଳି ମନ୍ତବ୍ୟ, କରିବା...କରିବା...ଏମିତି ବ୍ୟସ୍ତ ହେଲେ ଚଳିବ... ?

 

ଅଭିଜ୍ଞତା ମଣିଷକୁ ବୟସ୍କ କରାଏ । କିନ୍ତୁ ବୟସ୍କ କରାଇଛି ଶୁଭକାନ୍ତକୁ, ତାଙ୍କ ଅଭାବିତ ମୁହୂର୍ତ୍ତ...ହତାଶ ମନୋଭାବ ।

 

କାଇଁ ପିଅନ—? କାହିଁ ଖଲାସୀ ।

 

ଅନୁନୟ ହୋଇ ବଡ଼ବାବୁଙ୍କୁ କହିଲା ପରେ, ବଡ଼ବାବୁ ଉତ୍ତର ଦେଇଛନ୍ତି । ଆଜ୍ଞା ! ପିଅନ୍ ଗୋଟେ ହେଲେ ଅଧିକା ଥିଲେ, ମୁଁ ପଠାଇ ଦିଅନ୍ତି ନାଇଁ ଆପଣଙ୍କ ପାଖକୁ ? ଅଫିସ୍‍ଟା ଯାକରେ ଜମା ଚାରିଟା ପିଅନ୍ । କିଏ କୁଆଡେ଼ ବାଣ୍ଟି ହୋଇ ଯାଇଛନ୍ତି ଯେ, ମୁଁ ତାଙ୍କ ପତ୍ତା ପାଉନି । ଅଫିସରେ ତ ଗୋଟିଏ ପିଅନ୍...ଯୋଉ ଦୁଃଖରେ ମୁଁ ଅଫିସ୍ ଚଳାଉଚି...ଆପଣ ଜାଣୁ ଥିବେ ନିଶ୍ଚୟ ।

 

ଶୁଭକାନ୍ତ ସବୁ ଜାଣି ମଧ୍ୟ, କହିବା ପାଇଁ ବାଧ୍ୟ ହୋଇଥିଲେ । ଘରେ ବାରମ୍ଵାର ଅସୁବିଧାରେ ପଡ଼ି ବିରକ୍ତ ହୋଇ ପଡ଼ନ୍ତି ସେ... । ପିଲାଙ୍କ ପାଇଁ ଟିଫିନ୍ ଟିକେ ନେଇ ଯିବା ପାଇଁ କିଏ ଅଛି—? ସାଢ଼େ ନଅଟା ବେଳେ କ’ଣ ଗଣ୍ଡେ ନାକରେ କାନରେ ଗୁଞ୍ଜି ଦେଇ ଯାଇଥିବେ ଯେ, ଫେରିଲା ବେଳକୁ ପାଞ୍ଚ... । ଆସୁ, ଆସୁ ସ୍କୁଲ ଡ୍ରେସ୍ କାଚିବା, ଟେବୁଲ ଝାଡ଼ି ପଢ଼ା ଆରମ୍ଭ କଲାବେଳକୁ ସମୟ ଯାଏ । ବାପି ସହିତ ଖେଳିବ କିଏ ? ତାକୁ ବୁଲାଇ ନେବ କିଏ — ?

 

ନର୍ମଦାଙ୍କ ସାମାନ୍ୟ ସୁବିଧା ପାଇଁ, ଶୁଭକାନ୍ତ ଗ୍ୟାସ୍ ଚୁଲିଟିଏ ଆଣି ଦେଇଛନ୍ତି । ମାତ୍ର ଠିକ୍ ସମୟରେ ଗ୍ୟାସ୍ ଯୋଗାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ । କଟକରୁ ଗ୍ୟାସ୍ ଆଣି ଦେବା ପାଇଁ, ଜୁରିସ୍ଡ଼ିକ୍‍ସନ୍ ଥିବା ଡିଭିଜନ୍ ଇଞ୍ଜିନିୟରମାନଙ୍କୁ ଖୋସାମତ୍ କରି କରି ନିରାଶ ହୁଅନ୍ତି... । କେହି କର୍ଣ୍ଣପାତ କରନ୍ତି ନାଇଁ । ମନ ନ ଥିଲା ଭଳି ସମସ୍ତଙ୍କଠାରୁ ଗୋଟିଏ ଉତ୍ତର, ସୁବିଧା ହେଲେତ...-?

 

ସେମାନେ ଭାବନ୍ତି, ଡିଭିଜନ ପାଇଥିବା ପୌରୁଷଟା ଯେମିତି ତାଙ୍କର ଜନ୍ମଗତ ଦାବି...-। ଆଉ ଯୋଗ୍ୟତା ହିସାବରେ କେବଳ ସେଇମାନେହିଁ ହକଦାର... । ଅନ୍ୟ ଇଞ୍ଜିନିୟରମାନଙ୍କଠାରୁ ସେମାନେ ପୃଥକ୍... । ଅସମ୍ଭବ ଆତ୍ମବଡ଼ିମା ତାଙ୍କର । ଟୁର୍ ପାଇଁ କାର୍ ଓ ପ୍ରୋଜେକ୍ଟ ପରିକ୍ରମା ପାଇଁ ଜିପ୍ ସେମାନଙ୍କ ପାଇଁ ।

 

ଗମ୍ଭୀର ମୁଖ ମଣ୍ଡଳରେ ଉପହାସ, ଉକୁଟି ଉଠେ ଶୁଭକାନ୍ତଙ୍କର । ଏ’ ପ୍ରୋଜେକ୍ଟର ପ୍ରତ୍ୟେକ ଡିଭିଜନକୁ କଣ୍ଟ୍ରୋଲ କରି କାର୍ଯ୍ୟ ଚଳାଇବାର ଯଥେଷ୍ଟ ଯୋଗ୍ୟତା ଅଛି ଶୁଭକାନ୍ତଙ୍କର ।

 

କିନ୍ତୁ କାଇଁ ସେ ସୁଯୋଗ... ?

 

ବର୍ଷ ବର୍ଷ ଧରି ଡିଭିଜନ୍ ଭେକାନ୍‍ସି ପଡ଼ୁନି । ଗୋଟିଏ ଗୋଟିଏ ଡିଭିଜନରେ ପ୍ରୋଜେକ୍ଟ ଆରମ୍ଭରୁ ଶେଷ ଯାଏଁ ଜଣେ ଜଣେ ଇଞ୍ଜିନିୟର ମାଡ଼ି ବସିଛନ୍ତି । ସେ ସବୁ ଡିଭିଜନ ନ ଉଠିବା ପର୍ଯ୍ୟନ୍ତ ସେମାନେ ସେଠାରୁ ସ୍ଥାନଚ୍ୟୁତ ହେବେ ନାଇଁ । କାହାର ଚାରି ବର୍ଷ ପୂର୍ଣ୍ଣ ହୋଇଗଲାଣି...ଆଉ କାହାର ସାଢ଼େପାଞ୍ଚ ବର୍ଷ ଚାଲୁଛି...ଆଉ କାହାର ମାସେ ଦେଢ଼ ମାସ ପରେ ହେବ ଛଅ ।

 

ସେମାନଙ୍କ ଦୃଢ଼ ଆସନର ଆତ୍ମ ବଡ଼ିମାରେ ନିଜର ସତ୍ତା ହରାଇ ବସନ୍ତି ଶୁଭକାନ୍ତ... ।

 

ନର୍ମଦା କହୁଥିଲେ, ମିସେସ୍ ପଟ୍ଟନାୟକ ଏଣିକି ନିୟମିତ ଖୋସାରେ ଖୋସୁଛନ୍ତି ଗୋଲାପ । ପଚାରିଲେ କିଏ, ସେ କହୁଛନ୍ତି, ବାଡ଼ିରେ ଏତେ ଗୋଲାପ ଅଜାଡ଼ି ହୋଇ ପଡ଼ୁଛି ଯେ ମୁଣ୍ଡରେ ଗୋଟେ ନ ଦେଲେ ମନ ଜମା ବୁଝୁନି ।

 

ଶୁଭକାନ୍ତ ମିଷ୍ଟର ପଟ୍ଟନାୟକଙ୍କ ବାଡ଼ିର ଗୋଲାପ ଦେଖି ନାହାନ୍ତି । ଦେଖିଛନ୍ତି କୋବି, ମୂଳା, ଗାଜର୍, ମଟର ଛୁଇଁ ଆଉ ଚାଖଣ୍ଡେ ପରିସୀମାର ନିଖୁଣ ଟମାଟୋ... । ରବିବାରର ଏକ ଅଳସ ମଧ୍ୟାହ୍ନରେ ମିସେସ୍ ପଟ୍ଟନାୟକ ପଠାଇ ଦେଇଥିଲେ ତାଙ୍କ ବଗିଚାର ଫଳ ପରିବା ।

 

ନର୍ମଦା ସେ ଲୋଭନୀୟ ଫଳକୁ ଦେଖି କହିଥିଲେ, ଆମ ବାଡ଼ିରେ ଏମିତି ହୁଅନ୍ତା ନାଇଁ... ?

 

ହୁଅନ୍ତା— । କିନ୍ତୁ ପ୍ରତ୍ୟେକ ହେବା ମୂଳରେ କାହାରି ସାହାଯ୍ୟ ଆବଶ୍ୟକ । ଆମର ଲୋକ କାହାନ୍ତି... ? ଏତେ ବାଡ଼ ବାଡ଼ି କାଇଁ ବଗିଚା କରିବାକୁ— ? ଶୁଭକାନ୍ତ ବୁଝାଇବା ଢଙ୍ଗରେ ନର୍ମଦାକୁ ଉତ୍ତର ଦେଇ ଥିଲେ ଗଭୀର ଦୁଃଖରେ ମର୍ମାହତ ହୋଇ ।

 

ନର୍ମଦା ମୁହଁ ଫେରାଇ ନିରୁତ୍ତର ରହିଥିଲେ । କଥା କହିବାର ପ୍ରତ୍ୟେକ ଶୈଳୀ ତାଙ୍କୁ ଅଜଣା ନୁହେଁ । ବରଂ କଥା କହିବାର ଶୈଳୀ ସେ ଶିଖାଇଛନ୍ତି ଶୁଭକାନ୍ତଙ୍କୁ । କାରଣ, ନର୍ମଦା ସାହିତ୍ୟିକା । “ହବି” ତାଙ୍କର ସାହିତ୍ୟ ପଢ଼ିବା ଓ ଆଲୋଚନା କରିବା ।

 

ତଥାପି ଶୁଭକାନ୍ତ ଏ’ ଭଳି କଥା କୁହନ୍ତୁ ନର୍ମଦାଙ୍କୁ ଖୁସି କରାଇବା ପାଇଁ । ଦୈନନ୍ଦିନ କର୍ତ୍ତବ୍ୟ ଭଳି, ନର୍ମଦାଙ୍କୁ ଖୁସି କରାଇବା ପାଇଁ କେତୁଟା ଫରମୁଲାର ଆଶ୍ରୟ ନେଇ ସେ ସଦା ଚେଷ୍ଟିତ । ନାରୀର ପ୍ରତ୍ୟେକ ମର୍ଯ୍ୟଦା ସେ ଦେଇ ଆସିଛନ୍ତି ନର୍ମଦାଙ୍କୁ ।

 

କିନ୍ତୁ କ’ଣ ଦେଇ ପାରି ନାହାନ୍ତି ସେ— ??? ଯେଉଁଥିପାଇଁ ନର୍ମଦାଙ୍କ ହସୁରା ମୁହଁରେ ବେଳେବେଳେ ବିରକ୍ତ ଭାବର ସୂଚନା ଉକୁଟେ— ?

 

ଶୁଭକାନ୍ତ ଡରି ଯାଆନ୍ତି...ନିଜକୁ ଦୋଷୀ ସାବ୍ୟସ୍ତ କରାଇ ଇଚ୍ଛା ବିରୁଦ୍ଧରେ, ନର୍ମଦାଙ୍କଠାରୁ ଦୂରେଇ ଯିବାକୁ ବାଧ୍ୟ ହୁଅନ୍ତି ସେ ।

 

ନର୍ମଦା କହୁଥିଲେ, ତାଙ୍କ ତରୁଣୀ ଜୀବନରେ ରଙ୍ଗିନ ସ୍ଵପ୍ନର ନିଶା ଥିଲା; ଘର ସଜାଇବା, ଗାଡ଼ି ସଫା ରଖିବା, ଆଜି ବଗିଚାକୁ ଯଥା ସମ୍ଭବ ରୁଚିକର କରି ଗଢ଼ିବା...‘‘କସମସ ଫୁଲର ଗଛଗୁଡ଼ା ବଗିଚା ମଝିରେ ଜଙ୍ଗଲ ନକରି, ଚାରି ପାଖରେ ବାଡ଼ ରହିବ...ଲନ୍ ମଝିରେ ରଜନୀ ଗନ୍ଧାର ତୋଡ଼ା ରହିବ । ପିଟୁନିଆ ଗଛଗୁଡ଼ା ବାର୍ଦ୍ଧକ୍ୟ ପାଇବା ପୂର୍ବରୁ ଉଜଡ଼ା ହୋଇ ସେଠାରେ ଲାଗିବ ସେବତୀ । କିମ୍ବା ବିଭିନ୍ନ ରଙ୍ଗ ସମଷ୍ଟିର ସିଜନ୍ ଫ୍ଲାଓ୍ୟାର୍...

 

କିନ୍ତୁ କାଇଁ ବଗିଚା— ?

 

ଘରର ସାମନାକୁ ଯେଉଁ ଚାଖଣ୍ଡେ ଚଉଡ଼ାର ରଙ୍ଗ ମାଟିଆ ଜମି ଟିକକ, ସେଥିରେ ଲାଗିଛି, କେତୁଟା ବାଇଗଣ ଗଛ ଧନିଆ କିଆରୀଟେ...ଖଡ଼ା ଗଛରୁ ଦୁଇ ତିନିଟା... । ସବୁଗୁଡ଼ା ଅଶୋଭନୀୟ ରୋଗାକ୍ରାନ୍ତ... । ପ୍ରକୃତ ଯତ୍ନ ଅଭାବରୁ ପିଲାଗୁଡ଼ାକ ମଫସଲରେ ଅଯତ୍ନରେ ବଢ଼ି ରୁଚିସମ୍ପନ୍ନ ହୋଇ ନ ପାରିଲା ଭଳି, ବିନା ଯତ୍ନରେ ଗଛଗୁଡ଼ାକ କି ବିକଳାଙ୍ଗ... ? ଚାରା ଲଗାଉ ଲଗାଉ କେତୁଟା ବାଇଗଣ ଗଛର ଅପମୃତ୍ୟୁ...ଭୂଇଁରୁ ଉଠି ନପାରି ଧନିଆ ଗଛରେ ଫୁଲ...ଆଉ ମୂଳା ଉପାଡ଼ିଲା ବେଳକୁ କିଆ ଦାନ୍ତକାଠୀ ଭଳି ଖାଲି ଧଳା ଚେର... । ତଥାପି ସେଇତକ ନକରି ଚୁପ୍ ରହିବାକୁ ମନ ବୁଝେନି । ଅନ୍ୟମାନଙ୍କ ବଗିଚାରେ ଗଛ ରୋଇଲା ବେଳେ ନିଜ ଜାଗା ଖଣ୍ଡକ ଅପନ୍ତରା ଭୂଇଁ ସଜେଇବାକୁ ମନହୁଏନା ।

 

ଆଉ ଗାଡ଼ି— ?

 

ସେ’ତ ସ୍ଵପ୍ନର ସମାଧି ଲଭିଛି...ଦଶବର୍ଷର ବୁଜା ଆଖି ପତା ଭିତରେ...

 

ଆଶାର ମୃତ୍ୟୁ ଘଟିବା ପରେ, ପଦୋନ୍ନତି ହୋଇପାରିଛି, ସେଇ ବୋଧେ ଯଥେଷ୍ଟ ଶୁଭକାନ୍ତଙ୍କ ଲାଗି— । ଭଲ କ୍ଵାଟର...ଗାଡ଼ି ଆମ୍ବାସାଡ଼ର ସେ ସବୁ ଅତୀତତ ବୃଥା କଳ୍ପନା ଥିଲା । କ୍ଲାସ୍ ଟୁ ଅଫିସର (Asst. Engineer) ଥିଲାବେଳେ ଅନ୍ୟ କିଛି ସୁବିଧା ପାଇ ପାରି ନ ଥିଲେ ବି, ପାଇଥିଲେ ଦୁଇ ଦୁଇଟା ଲୋକ... । ଏବେ ନିଜ ପକେଟରୁ ଟଙ୍କା ଦେଇ ଚାକରର ସୁବିଧା ଦେଖିବା ଧରାବନ୍ଧା କର୍ତ୍ତବ୍ୟ ଶୁଭକାନ୍ତଙ୍କର । ଘରର ସଭ୍ୟଙ୍କ ଅପେକ୍ଷା ସେ ବେଶି ଗେହ୍ଲା । ତାକୁ କାମ ବତାଇ ତା’ଠାରୁ କାମ ଆଦାୟ କରିବା ଅସମ୍ଭବ । ସେ କିଛି କାମ ନ କରି ମଧ୍ୟ ଯିବା ପାଇଁ ବାରମ୍ବାର ଧମକ ଦିଏ... ।

 

ବାପିକୁ ବୁଲାଇ ନେବ କିଏ— ?

 

ସେ’ କଥା ଶୁଭକାନ୍ତ ଚିନ୍ତାକଲେ ବି, ତା’ର ସମାଧାନ ପାଇଁ ସେ ସମ୍ପୂର୍ଣ୍ଣ ଅସମର୍ଥ ।

 

ପ୍ରାୟ ଦେଢ଼ ବର୍ଷ ହେଲା, ସେ ବୋଧେ ନିଜେ ବୁଲି ଯାଇ ନାହାନ୍ତି । ଅନ୍ୟର ବୁଲିବା, ଖାଇବା ପିଇବାର ସେ ସୁବିଧା ଦେଖିବେ କିପରି ?

 

ଚାକିରିର ପଦୋନ୍ନତି...

 

ଶୁଭକାନ୍ତଙ୍କ ଆଖି କୋଣରେ ବ୍ୟଥାୟିତ ଲୋତକର ସ୍ୱଳ୍ପାଭାଷ...ନିରେଖି ଚାହିଁଲେ ସେ, ବାପିଟା ଶୋଇପଡ଼ିଲାଣି ।

 

ନର୍ମଦାଙ୍କ ବେଦନାବତୁରା ଅନ୍ତର ଭିତରୁ ଉଛୁଳି ପଡ଼ୁଛି ଦୀର୍ଘଶ୍ୱାସ...ସୁଇଚଟା ଅଫ୍ କରିବାକୁ ଉଦ୍ୟତ ହେଉଛନ୍ତି...ବୋଧହୁଏ ଏଥର ବିଛଣାକୁ ଆସିବେ...

 

ଶୁଭକାନ୍ତଙ୍କ ରୁଦ୍ଧ କଣ୍ଠରୁ ବାହାରି ଆସିଲା, “ମୁଁ ଏଥର ପ୍ରତ୍ୟହ ସନ୍ଧ୍ୟାରେ ବାପିକୁ ବୁଲାଇ ନେବି...

 

“ରାତ୍ର ଅନେକ ହେଲାଣି...ଆସ ଶୋଇବା”... ।

Image

 

ପ୍ରତିଧାବନ

 

ଅଶିଣର ଏକ ଶାନ୍ତ ସନ୍ଧ୍ୟା ।

 

ମୁଁ ସ୍ନାନ ସାରି ଶୟନ କକ୍ଷରେ ପ୍ରବେଶ କରୁଚି...ଲକ୍ଷ କଲି ଟେବୁଲ ଘଣ୍ଟାରେ ପାଞ୍ଚଟା ବାଜି ପନ୍ଦର ମିନିଟ । ସୁନନ୍ଦା ଏ ଯାଏଁ ଫେରି ନାହାନ୍ତି ବଜାରରୁ ? ମୋର ଦୁଇଟା ଅନିସନ୍ଦିତ୍ସୁ ଆଖି ଘରର ଚତୁପାର୍ଶ୍ଵ ଘୂରି ଯାଇ ଯଥା ସ୍ଥାନକୁ ଫେରି ଆସିଲା । ନା–ଏ ଯାଏଁ ଆସିନାହାଁନ୍ତି ସେ । ସାଢ଼େ ଦୁଇଟାରୁ ବଜାର ଯାଇଛନ୍ତି ଶାଢ଼ି କିଣିବା ପାଇଁ । ଆସନ୍ତା ମାସରେ ଦଶହରା । ଏତିକି ବେଳୁ ଶାଢ଼ି ନ କିଣିଲେ କୁଆଡ଼େ ଚଏସ୍ ଅନୁଯାୟୀ ଆଉ ଶାଢ଼ି ମିଳିବନି– । ସବୁ ବାଛିଆରି ହୋଇଯିବ । କେତେ ସମୟ ଏମିତି ଦରକାର ଶାଢ଼ି ଚଏସ୍ କରିବା ପାଇଁ ? ଅଢ଼େଇ ଘଣ୍ଟା ତ ଆସି ହେଲା... । କେତେ ବା ଏମିତି ଶାଢ଼ି କିଣା ଯିବ । ସୁନନ୍ଦାଙ୍କ ଭ୍ୟାନିଟି ପାଖା ପାଖି ପ୍ରାୟ ତିନି ଶହ ଟଙ୍କା ଥିଲା । ସେତିକି ଟଙ୍କାରେ ତ ହେବାର କଥା ନୁହେଁ । ଆଉ ଟଙ୍କା ନେଇ କିପରି ଯାଇ ନାହାନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗୁଚି । ସୁନନ୍ଦାଙ୍କ ଅଭ୍ୟାସରେ ଏଭଳି ବ୍ୟତିକ୍ରମ ଘଟିଲା କେମିତି-?

 

ଭାବାବେଗ ହୋଇ ବାହାରକୁ ଚାଲି ଆସିଲି ଟିକେ । ସାମ୍ନା ଲନରେ ପଡ଼ିଚି ସବୁଜ ରଙ୍ଗର ଗାର୍ଡ଼ନ ଚେୟାର । ସୁନନ୍ଦାଙ୍କ ସବୁଜ ରଙ୍ଗର ଶାଢ଼ିଟା ଓ୍ୟାର୍ଡ଼ରୋବରେ ଝୁଲୁଚି । ସେ ଲନରେ ବସିଲା ବେଳେ ଏ ଶାଢ଼ି ପିନ୍ଧି ବସନ୍ତି । ଗୋଡ଼ରେ ବି ଥାଏ ତାଙ୍କର ସବୁଜ ରଙ୍ଗର ଚଟି । ମୋର ହାଓ୍ୟାଇନ୍ ରଙ୍ଗ ବି ସବୁଜ... । ପ୍ରକୃତିର ରଙ୍ଗରେ ନିଜକୁ ରଙ୍ଗାୟିତ କରିବା ପାଇଁ ସୁନନ୍ଦାଙ୍କର ଅସମ୍ଭବ ଝୁଙ୍କ୍ ।

 

ଇଚ୍ଛାହେଲା ଟିକେ ଲନରେ ବସି ଯିବା ପାଇଁ । ପାଗଟା ଚମତ୍କାର... । ସୂର୍ଯ୍ୟଙ୍କର ଶେଷ ଛିଟା ଧରଣୀଙ୍କୁ ସୁନ୍ଦର କରି ତୋଳିଛି । ଏତେ ସଫା ରଙ୍ଗ ଧରଣୀର ଆଗରୁ କେବେ ଦେଖି ନ ଥଲି ମୁଁ । ବିଭୋର ହୋଇ ପାଦ ବଢ଼ାଇଲା ବେଳେ, ମନେପଡ଼ିଗଲା ମୋର, ସୁନନ୍ଦା ନାହାଁନ୍ତି...-। ତାଙ୍କର ଅନୁପସ୍ଥିତିରେ ଏକାକୀ ଆନନ୍ଦ ପାଇବା ପାଇଁ ମୋର ସତ୍‍ସାହସ ନାଇଁ । ବିବାହ ପରେ, ମୋର ସବୁ ଇଚ୍ଛା, ଆଗ୍ରହ ଆକାଂକ୍ଷାକୁ ସମାଧି ଦେଇଚି । କୈଶୋର ବୟସର ସେ ଆନନ୍ଦ ଉତ୍‍ଫୁଲ୍ଲ ମନ, ବେଳେ ବେଳେ ମନେପଡ଼ିଯାଏ ଗୋଟାଏ ଦୁଃସ୍ଵପ୍ନ ଭଳି... ।

 

ମୁଁ ବିବାହ କଲାବେଳେ, ବୋଉ ମୋର କାନ୍ଦୁଥିଲା, ତା’ର ଧଳା ପାତଳା ଲୁଗା କାନିରେ ମୋ ମୁହଁଟାକୁ ସାଉଁଳେଇ ଦେଇ କହୁଥିଲେ, ମୋ ଯୋଗ୍ୟ ପୁଅକୁ ସେ ଯେମିତି ପୋଷା ବିଲେଇ ନ କରୁ... । ତା’ ବକ୍ତବ୍ୟର ପ୍ରକୃତ ମର୍ମ ସେତେବେଳେ ମୁଁ ବୁଝି ନ ପାରି ମୁଚୁ ମୁଚୁ-ହସି ଉଠୁଥିଲି ତା’ ଶାଢ଼ିର ଅଞ୍ଚଳରେ ମୁହଁକୁ ଲୁଚାଇ ଦେଇ । ବୋଉ କିନ୍ତୁ ଦୁଃଖରେ ଲୁହ ଝରୁଥିଲା ରହି...ରହି...-। ମୁଁ ତା’ ଆଖିରୁ ନ ଜାଣିଲାପରି ଲୁହ ପୋଛି ପକାଉ ଥିଲା ବେଳେ, ଇଚ୍ଛା ହେଉଥିଲା କହି ଦେବା ପାଇଁ, ଯୋଗ୍ୟ ପୁଅକୁ କିଏ କ’ଣ କେବେ ପୋଷା ବିଲେଇ କରି ପାରେ...-? ନାଁ—କିଛି କହି ପାରି ନ ଥିଲି । ଲଜ୍ଜା ବୋଲି କିଛି ଗୋଟେ ଭାବ ମତେ ଆଚ୍ଛନ୍ନ କରି ରଖିଥିଲା ।

 

ମୁଁ ମୋ କ୍ୱାର୍ଟରର ଉପର ମହଲାରେ ଠିଆ ହେଲେ ମୋ କିରାଣୀ ରସାନନ୍ଦକୁ ଦେଖିବାକୁ ପାଏ । ସ୍ତ୍ରୀ ତା’ର ମୋ ଝିଅର ସ୍କୁଲ ଶିକ୍ଷୟିତ୍ରୀ । ଘର, ବାହାର, ସବୁ କାମ କରି ବି ସେ ଖୁସି । ମୁହଁ ତା’ର ସଦାପ୍ରସନ୍ନ । ଅଧରରେ ପ୍ରକମ୍ପିତ ଲଜ୍ଜାର ଅରୁଣିମା– । ସେ ଦୁହେଁ ବଜାର କରି ଫେରୁଥିବା ବେଳେ, ଆମ କାର୍ ତାଙ୍କୁ ଅତିକ୍ରମ କରେ– । ପଛକୁ ମୁହଁ ବୁଲାଇ ଦେଇ ବୋଉ ତାକୁ ବୁଲି ବୁଲି ଚାହେଁ । ରସାନନ୍ଦର ସ୍ତ୍ରୀକୁ ବୋଉ ଭାରି ଭଲପାଏ... । ଦିନେ ତାକୁ ଖାଇବା ପାଇଁ ଡାକିଥିଲା ରସାନନ୍ଦର ସ୍ତ୍ରୀ... । ହାତ ତିଆରି ଅନେକ କିସମର ରାନ୍ଧି ଖୁଆଇ ଥିଲା ବୋଉକୁ... । ସେ ଆଜି କି ଉତ୍କଣ୍ଠିତ ରସାନନ୍ଦ ସ୍ତ୍ରୀ ଭଳି ବୋହୂଟିଏ କରିବା ପାଇଁ । ଆମ ଗାଁ ଉପର ସାହିର ଝିଅ ରସାନନ୍ଦର ସ୍ତ୍ରୀ ।

 

ମୋ ମନର ଭୂତ ମତେ ଯେମିତି ଅସହାୟ ଭାବେ, ଦୁର୍ବଳ କରି ପକାଉ ଥିବାର ଅନୁଭବ କଲି । କ୍ଷିପ୍ର ପଦ ତୋଳି ଆଗେଇ ଗଲି ଡ୍ରେସିଂ ଟେବୁଲର ବିରାଟ ମିରର ସାମ୍ନାକୁ । ପ୍ରତିବିମ୍ବିତ ମୁହଁ ମୋର ଉଦାସ...ଅବଶ...କ୍ଳାନ୍ତ... । କାହିଁକି ଉଦାସ– ? କାହିଁକି ଅବଶ– ? କାହିଁକି– ? ଏହାର କାରଣ କେବଳ ମତେ ହିଁ ଜଣା । ବୋଉ କଥା ମନେପଡ଼ିଲେ; ମତେ ଏଇଭଳି ମନେହୁଏ... ।

 

ଏଥିରୁ ମୁକ୍ତି ପାଇବା ପାଇଁ ପୁଣି ଥରେ ବାହାର ବାରଣ୍ଡାରେ ପାଦ ଦେଲି । ସାମ୍ନା ଗାର୍ଡ଼ନର ଶୋଭା ପ୍ରକୃତରେ ଅବର୍ଣ୍ଣନୀୟ... । ତା’ର ପ୍ରତିଟି ଧୂଳିକଣା ମତେ ଆକର୍ଷଣ କରୁଥିଲା ରହି...ରହି... । ଗାର୍ଡ଼ନର ଶେଷ ଭାଗରେ, କକ୍ସକୋମ୍ଡ଼ ଫୁଲଗୁଡ଼ା ଗଛ ସାରା ଭର୍ତ୍ତି । ନିଜ ହାତରେ ପୋତିଥିବା ପାସିପ୍ଳୋଭା ଲତାଟା ଅନେକ ଉପରକୁ ଉଠିଆସିଲାଣି । ମାଳି ହାତରେ ଏ ଲତାଟାକୁ ବୋଉ ଗାଁରୁ ପଠେଇ ଥିଲା । ବୋଉ କୁହେ ଏ ଲତାକୁ, “ରାଧାତମାଳ” । ମୁଁ ବି ପିଲା ଦିନେ କହୁଥିଲି । କିନ୍ତୁ ବିବାହ ପରେ, ସୁନଦାଙ୍କ ରୁଚିକୁ ଆଉରି ଘନ କରିବା ପାଇଁ ପ୍ରତ୍ୟେକ ଫୁଲର ଇଂରାଜୀ ନାଁଟା ମୁଖସ୍ତ କରି ପକାଇଲି । ପ୍ରଥମେ ପ୍ରଥମେ ଏହାର ରୂପାନ୍ତରରେ ସୁନନ୍ଦା ଆନନ୍ଦ ପାଉଥିଲା ବେଳେ, ମୁଁ ଭୟରେ ସଂକୁଚି ଯାଉଥିଲି । ମନେ ମନେ ପ୍ରମାଦ ଗଣୁଥିଲି, କିଛି ଭୁଲ ହୋଇ ଯାଉନି ତ ? କିନ୍ତୁ ଏବେ ଆଉ ସେ ଓଡ଼ିଆ ନାଁ ଗୁଡ଼ାକ ମନେବି ପଡ଼ୁନି... । ଧଳା ଆଉ ହଳଦିଆର ଅପର୍ଯ୍ୟାପ୍ତ ମିଷ୍ଟ ରୋଜ୍ ଲନ୍ ସାରା... । ସମାନ ସମାନ୍ ସାଇଜ୍‍ର ବାଲସାମ୍ ଫୁଲର ଭରା ଗଛଗୁଡ଼ିକ ଦେଖା ଯାଉଛନ୍ତି ଯେମିତି; ଗାର୍ଡ଼ନର ଧାରେ ଧାରେ ଛୋଟ ଶିଶୁ ଗୁଡ଼ିଏ ନାଲି ଜାମା ପିନ୍ଧି, ମୃଦୁ ହସି ଠିଆ ହୋଇଛନ୍ତି... ।

 

ଏ ଅପରୂପ ଶୋଭା ଦେଖି ମୁଁ ମୁଗ୍ଧ ହେବା ସ୍ଵାଭାବିକ୍ । କିନ୍ତୁ ବିବ୍ରତ ହେଉଥିଲି ବୋଉ ଲାଗି । ବୋଉର ପୂଜା ପାଇଁ ଫୁଲ ଗଣ୍ଡିଏ ଆଣି ଦେବା ପାଇଁ କେତେ କଷ୍ଟରେ ପାଚିରି ଡେଇଁ ମଠ ବାଡ଼ିରେ ପଶୁଥିଲି । ପାଦ ସାରା ବାଲି ଜିନ୍ଦା ଦି ସନର ଉତ୍କଟ ଜ୍ଵାଳା, ନେଇ ଘରକୁ ଫେରୁଥିବା ବେଳେ ଭାବୁଥିଲି ଆଉ ଯମା ଫୁଲ ପାଇଁ ଯିବିନି । କିନ୍ତୁ ବୋଉର ଫୁଲ ଦେଖି ମନ ଖୁସି ହେବାରେ ଯେଉଁ ଆନନ୍ଦ ପାଉଥିଲି, ସକାଳ ହେବା ପୂର୍ବରୁ ପୁଣି ମନ ଧାଉଁଥିଲା ଫୁଲ ଆଣିବା ପାଇଁ । ଏବେ ଆଉ ସେ ମନ ନାଇଁ । ବଗିଚାରେ ମୋର ଏତେ ଫୁଲ ଅଥଚ ବୋଉ କାଇଁ ? ବୋଉ ବୋଉ ଆସେନି ମୋ ପାଖକୁ । ବୋଉ ଗାଁରେ ଏକାନ୍ତ, ଏକାକୀ ହୋଇ ପଡ଼ିରହିଚି ସେ...-। ଉପାୟ କ’ଣ— ?

 

ମୋ ବାହାଘର ପରେ ସେ ଆସି ଥିଲା ଏଠାକୁ ବୋହୂକୁ ତା’ର ସଙ୍ଗରେ ଧରି । କିଛି ଦିନ ଚଳେଇ ଦେବ ବୋଲି । କିନ୍ତୁ ଫଳ ହେଲା ଓଲଟା... । ସୁନନ୍ଦା ବୋଉକୁ ବେଶ୍ ଚଳେଇ ନେଲେ । ସକାଳୁ ବୋଉ ଠାକୁର ପୂଜା ସାରି ଟିକେ ମିଶ୍ରି ସରବତ୍ ପିଏ । ସୁନନ୍ଦା ତାକୁ ଦେଲେ କଣ୍ଡେନସକ୍‍ ମିଲକ୍‍ର ପାଣିଚିଆ ଚା’... । ଇକୋନମିକ୍ସରେ ସୁନନ୍ଦା ଏମ୍.ଏ. । ଇକୋନମିକାଲି ସେ ବୋଉକୁ ବୁଝାଇ ଦେଲେ ଯେ, ମିଶ୍ରି ସରବତ୍ ଅପେକ୍ଷା ଏଥିରେ ଖର୍ଚ୍ଚ ଯଥେଷ୍ଟ କମ । ଏଗାରଟାରେ ବୋଉ ଭାତ ଖାଏ । କିନ୍ତୁ ସୁନନ୍ଦାଙ୍କର ତାଗିଦ୍, ଲଞ୍ଚ ଆଓ୍ୟାର ନହେଲେ ଭାତ ଖାଇବାକୁ ଦିଆ ଯିବନି । ବୋଉ ଆମ ସହିତ ଭାତ ଖାଇଲା ଦୁଇଟାରେ । ସନ୍ଧ୍ୟା ହେଲେ ବୋଉ ଟିକେ ମନ୍ଦିରକୁ ଯାଇ ଜପ କରେ । ଗାଁରେ ସେ ଚାଲି ଚାଲି ମନ୍ଦିର ଯାଉଥିଲା । ଏଠି ମୁଁ ତାକୁ ରିକ୍ସାରେ ଯିବାକୁ କହିଲି । ସୁନନ୍ଦା କିନ୍ତୁ ଏ ପ୍ରସ୍ତାବରେ ପ୍ରବଳ ପ୍ରତିବାଦ କଲେ । ମୋର ଅନୁପସ୍ଥିତିରେ ବୋଉକୁ ଦିନେ ବୁଝାଇ କହିଲେ, ବୋଉ ! ଆପଣ ତ କହୁଛନ୍ତି, ଠାକୁର ସବୁଠାରେ ଅଛନ୍ତି... ମନ୍ଦିରକୁ ନ ଯାଇ ଏ ଚଉରା ମୂଳେ ପୂଜା କଲେ ହୁଅନ୍ତା ନାଇଁ– ? ସୁନନ୍ଦାଙ୍କ କଥା ମାନି ବୋଉ ଚଉରା ମୂଳେ ଜପ କଲା । ରାତିରେ ବୋଉ ଭାତ ନ ଖାଇ, ରୁଟି ଖାଇ ଶୋଇଲା ବେଳେ, ମୋ ଆଖିରୁ ଲୁହ ଗଡ଼ି ପଡ଼େ... । ବୋଉକୁ ଲୁଚାଇ ସୁନନ୍ଦା ମୋ’ପାଇଁ ଦୁଧ ଗ୍ଲାସ ଧରି କକ୍ଷରେ ପ୍ରବେଶ କଲାବେଳେ ମୋର ଇଚ୍ଛା ହୁଏ, ଗ୍ଲାସ ତାଙ୍କ ହାତରୁ ଛଡ଼ାଇ ନେଇ ବୋଉକୁ ଦେଇ ଦେବାଲାଗି... । ବୋଉ ଏଠାରୁ ଗଲାବେଳେ, ସୁନନ୍ଦା ବୋଉକୁ ପାଞ୍ଚ ଟଙ୍କା ଦେଇ ଥିଲେ ତା’ର ଘର ଖର୍ଚ୍ଚ ଲାଗି... ।

 

ବୋଉ ଆଉ ଏଠିକୁ ଆସୁନି ସେ’ ଦିନୁ, ମୁଁ ମଧ୍ୟ ତା’ ପାଖକୁ ଯାଉନି । ଏଇ କ’ଣ ତା’ପ୍ରତି ମୋର ଚରମ ଆନ୍ତରିକତା... ? ଚାକିରି କଲା ପରେ ମୁଁ କୁଆଡ଼େ ବଦଳି ଯାଇଚି ବୋଲି ବୋଉ କହୁଥିବାର ମୁଁ ଶୁଣିଚି... । କିନ୍ତୁ ବିବାହ ପରେ ନୁହେଁ— ? ଏ ପ୍ରଶ୍ନବାଚୀ ମୋ ଅନ୍ତର ନିୟୁତ କୋଣରେ ଏବେ ବି ସାଇତି ରଖିଚି ବୋଉ ପାଇଁ ।

 

ସୁନନ୍ଦା କୁହନ୍ତି ମତେ କୁଆଡ଼େ ଗାଁ ଆମର ଭଲ ଲାଗେନି । ସତରେ କ’ଣ ଗାଁ ମତେ ଭଲ ଲାଗୁନି... ? ମୁଁ ଯେ କାହିଁକି ଗାଁକୁ ଯାଉନି ସୁନନ୍ଦା ଜାଣିବେ କେମିତି... ? ଯଦି କେବେ ଏହାର କାରଣ ଦର୍ଶାଇବି ଯେ ତମେ ତ ଗାଁକୁ ଯିବାକୁ ରାଜି ହେଉନା ସୁନନ୍ଦା ମୁଁ, ଏକା ଯାଇ ତମେ ନ ଯିବାର କି ଫଇସଲା ଦେବି ବୋଉ ଆଗେ...ଆଉ ଗାଁ ଲୋକଙ୍କ ପାଖେ... ? ନାଁ ଏ କଥା କହିବା ପାଇଁ ମୋର କ୍ଷମତା ନାଇଁ । ଏ କଥା କହିଲେ, ଦୀର୍ଘ ଦିନ ଧରି ତାଙ୍କର ମୁଣ୍ଡ ବିନ୍ଧିବ–ଗୋଡ଼ ଘୋଳି ହେବ...ବ୍ଲଡ୍ ପ୍ରେସର ହେବ... । ଏ ସବୁ ଅସୁବିଧାର ସମ୍ମୁଖୀନ ହେବା ଅପେକ୍ଷା ନୀରବ ରହିଯିବା ଶ୍ରେୟଃ ଭାବି ମୁଁ ଚୁପ୍... । କିନ୍ତୁ ସୁନନ୍ଦା ଭାବନ୍ତି ଓଲଟା... । ଗାଁ କଥା ଭାବିଲା ବେଳେ, ଦୁଃଖରେ ଭାଙ୍ଗିପଡ଼େ ମୁଁ...ଗୋଟି ଗୋଟି ହୋଇ ମନେପଡ଼ିଯାଏ ଶୈଶବର ସ୍ମୃତିବନ୍ଧ । ପୋଖରୀ ନେଳିଆ ପାଣିରେ ବୁଡ଼ି ବୁଡ଼ି କେତେ ପହଁରା ନାଲି କଇଁ ତୋଳା...ରୂକ୍ଷି ପାହାଡ଼ ଚଢ଼ା...ଝୁମ୍ପଡ଼ି ଗାଁର ବଣଭୋଜି...କୁଞ୍ଜ ବିହାରୀ ଦେଉଳ ଭିତରର ମିଳିତ ଜଣାଣ...ଆଉ ରାତିରେ ଖୋଲା ଅଗଣାରେ ଶୋଇ ଶୋଇ ସାଥି ମେଳରେ ପଦ୍ୟାନ୍ତ କରୁ କରୁ ବୋଉର ଖାଇବା ପାଇଁ ଡାକରା— । ଜୀବନ୍ତ ହୋଇଉଠେ ମନ-ପରଦାରେ । ଆଃ...ମତେ ପୁଣି ଗାଁ । ଭଲ ଲାଗେନି... । କଲେଜ ଛୁଟି ହେଉ ହେଉ କିଏ ଯାଇଁ ବସୁଥିଲା ଗାଁରେ— ? ଚକୁଳି ଚିତୋଉ କିଏ ଖାଉଥିଲା ବେଲା ବେଲା ଦୁଧ ଦେଇ । ସୁନନ୍ଦା କହୁଛନ୍ତି, ମତେ କୁଆଡ଼େ ଅଣ୍ଡା ପାଉଁରୁଟି ଛଡ଼ା ଅନ୍ୟ କିଛି ପିଠାପଣା ଭଲ ଲାଗେନି... । ସୁନନ୍ଦାଙ୍କ ଆକ୍ଷେପରେ ହସିଉଠେ ମୁଁ, କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ଅଜଣାରେ । ଜାଣି ଦେଲେ କଥା ସରିଲା । ପ୍ରତିବାଦ କଲେ ଛାଡ଼ପତ୍ର... । ମୁଣ୍ଡରେ ମୁଣ୍ଡେଇବାକୁ ପଡ଼ିବ ଅପବାଦର କଳା ଟୋପି... । ଝିଅଙ୍କର ଆଜିକାଲି କିଛି ଦୋଷ ଦୁର୍ବଳତା ନାଇଁ । ସବୁ ଦୋଷ ପୁଅଙ୍କର । ଝିଅମାନେ ପାଠ ପଢ଼ିଲେ...ପୁଅଗୁଡ଼ାକ ଯେମିତି ମୂର୍ଖ ପାଲଟି ଗଲେ... । ଆଶ୍ଚର୍ଯ୍ୟ ଏ ସମାଜରେ ବୁଝାମଣା... । ତା’ଛଡ଼ା ପଦସ୍ଥ ଅଫିସର ହେଲେ ସ୍ତ୍ରୀମାନଙ୍କର ଆଜ୍ଞାଧୀନ ହେବା ଏକ ଉଚ୍ଚ କୋଟୀର ଫେସନ ।

 

ମୁଁ ସେଥିରୁ ବାଦ୍ ପଡ଼ିଯିବି କେମିତି—? ମୁଁ ତ ସବୁଥିରେ ଭଲ । ମୋ ଭଲ ସ୍ୱଭାବଟା ବେଶ୍ କାର୍ଯ୍ୟକାରୀ ହେଲା । ଏଥିପାଇଁ ମହିଳା ମହଲରେ ମୁଁ ଖୁବ୍ ପ୍ରଶଂସାର୍ହ... । ସତେ ଯେମିତି ମୁଁ ସ୍ଵୟଂ ରାମଚନ୍ଦ୍ର । ଭାରି ଭଦ୍ର...ଭାରି ନମ୍ର ମୁଁ ।

 

ଡ୍ରଇଂ ରୁମରେ ଟେଲିଫୋନ୍ ବାଜିଉଠିଲା...ଏ ଡାକରା ନିଶ୍ଚୟ ସମ୍ପାଦିକା ମିସେସ୍ ଆଚାର୍ଯ୍ୟଙ୍କର କ୍ଲବ୍ ଯିବା ପାଇଁ । କିନ୍ତୁ ଅର୍ଡ଼ରଲି କହୁଚି, ମେମସାହେବ ଫୋନ୍ କରୁଛନ୍ତି... । ରିସିଭର କାନ ପାଖେ ଦେଲି । ସୁନନ୍ଦା କହୁଛନ୍ତି, ମୁଁ କୁନ୍ଦନ୍ ଲାଲ ଦୋକାନରୁ କହୁଚି... । ଶାଢ଼ି ପାଇଁ ତିନି ଶହ ଟଙ୍କା ଅଣ୍ଟିଲାନି...ସାଙ୍ଗରେ ଶିଲା ଅଛି— ତା’ ଶାଢ଼ିଟା ଅନ୍ତତଃ ଦାମିକା ହେବା ଉଚିତ୍‍ ତ...ଆଉ ତିନି ଶହ ଟଙ୍କା ଦେଇ ପଠାଇ ଦିଅ ଡ୍ରାଇଭରକୁ... । ମୁଁ ରିସିଭର ରଖି ‘ହୁଁ’ କଲି । ଶିଲା ସୁନନ୍ଦାଙ୍କ ସାନ ଭଉଣୀ । ସେ ଆସାମରେ ରହେ...ବର ତା’ର କମାଡ଼େଣ୍ଟ...ତା’ ଶାଢ଼ି ନିଶ୍ଚୟ ପାଞ୍ଚଶହ ଟଙ୍କାରୁ ଊର୍ଦ୍ଧ୍ୱ ହେବା ଆବଶ୍ୟକ... । ଶିଲା କୁହେ, ଓଡ଼ିଶାରେ ରହିଲେ ଅବଶ୍ୟ ଏତେ ଟଙ୍କାର ଶାଢ଼ି ଆବଶ୍ୟକ ହୁଏନି... । କିନ୍ତୁ ଓଡ଼ିଶା ବାହାରେ ନିହାତି ଦରକାର । ଦାମିକା ଶାଢ଼ି ପିନ୍ଧିବାର ତତ୍ପର୍ଯ୍ୟ କ’ଣ ମୁଁ ବୁଝି ପାରେନି । ସରୋଜିନୀ ନାଇଡ଼ୁ, କସ୍ତୁରବା ଇତ୍ୟାଦି କି ଦାମିକା ଶାଢ଼ି ପିନ୍ଧୁଥିଲେ... ? ଅଥଚ ସେମାନଙ୍କୁ ନ ଚିହ୍ନୁଥିଲା କିଏ— ?

 

ସୁନନ୍ଦାଙ୍କ ଧାରଣା, ମୁଁ ଫେସନ ବିଷୟରେ ସମ୍ପୂର୍ଣ୍ଣ ଅନ୍ଧ— । ଏକ ନିପଟ ମଫସଲି । ମାତ୍ର ମୋର ଚାକିରିଟା ସହରୀ ।

 

ସୁନନ୍ଦା କୁହନ୍ତି, ସେ ମୋତେ ବିବାହ କରି ନାହାନ୍ତି । କରିଛନ୍ତି ମୋ ଚାକିରିକୁ । ତେଣୁ ଫେସନ ଲାଗି ମୋ ସହଯୋଗିତା ତାଙ୍କର ଦରକାର ପଡ଼େନି । ବଜାର ଗଲାବେଳେ, ତାଙ୍କ ଭାଉଜଙ୍କ ସହିତ ସେ ବଜାର ଯାଆନ୍ତି । ଭାଉଜଙ୍କର ହବି ହେଲା ଶାଢ଼ି କିଣିବା, ବିଭିନ୍ନ କିସମର ସେ ଶାଢ଼ି କିଣି ପ୍ରଚୁର ଆନନ୍ଦ ପାଆନ୍ତି ।

 

କାହାର ହାଲକା ଡାକରେ ମୋର କଳ୍ପନା ଭାଙ୍ଗିଗଲା । ତର ତର ହୋଇ ଟଙ୍କା ଧରି ମୁଁ ସୁନନ୍ଦାଙ୍କ ପାଖକୁ ବାହାରିଚି, ଅର୍ଡ଼ରଲି ମୋ ହାତକୁ ଖଣ୍ଡିଏ ଚିଠି ବଢ଼ାଇ ଦେଲା ! କାହା ଚିଠି...-? ବୋଉ ଦେଇଚି କି— ? ବୋଉକୁ ସ୍ମରଣ କଲାବେଳେ, ତା’ଠାରୁ ଚିଠି ପାଇଲେ ମତେ ତାକୁଇ ଦେଖିଲାପରି ଲାଗେ— । ସତରେ ବୋଉ ଦେଇଚି...ଗଭୀର ଆବେଗରେ ମୁଁ ଚିଠିଟା ଖୋଲି ପଢ଼ିବାକୁ ଆରମ୍ଭ କଲି—“ବାପାରେ” ! ମୁଁ ଆଜି ଯଦି ଦି’ ଧାଡ଼ି ଲେଖି ଜାଣୁ ନ ଥାନ୍ତି, ତେବେ ଖୁବ୍ ଭଲ ହୋଇ ଥାଆନ୍ତା । ଲେଖି ଜାଣିବାରୁ ସିନା ଏ ଚିଠି ଖଣ୍ଡି ତୋ ପାଖକୁ ଲେଖୁଚି...ଏବଂ ତୋ ମନରେ କେତେ ଯେ ଦୁଃଖ ଭରି ଦେଉଚି—ମୁଁ ଅନୁଭବ କରୁଚି । ସବୁ ଜାଣି ବି ମୁଁ ନିରୂପାୟ ବାପା— । ନ ଲେଖି ରହିପାରୁନି । ମୁଁ ଜାଣୁଚି, ତୁ ଆଉ ମୋ ଚିଠିକୁ ଦରକାର କରୁନୁ । କଲେଜରେ ପଢ଼ିଲା ବେଳେ ସିନା ମୋ ଚିଠିପାଇ ତୁ ଖୁସି ହେଉଥିଲୁ—ଏବଂ ଆନନ୍ଦରେ ଗଦ୍ ଗଦ୍ ହୋଇ କହୁଥିଲୁ ମତେ, ବୋଉ ! ତୋ ଛଡ଼ା ଆଉ କାହାରି ବୋଉ ହଷ୍ଟେଲକୁ ଚିଠି ଦେଉ ନାହାନ୍ତି, ତୋ ଚିଠି ପାଇଲା ବେଳେ ମତେ ଭାରି ଭଲଲାଗୁଚି— । ତୁ ଯେ ମୋ ଚିଠିକୁ ଆଉ ଖୋଜୁନୁ ଏବେ, ଜାଣୁଚି ମୁଁ । କିନ୍ତୁ ନ ଲେଖି କ’ଣ ରହିପାରୁଚି ? ଏ’ ବୁଢ଼ୀ ବୟସରେ ପୁଅଠାରୁ ସମ୍ପର୍କ ତୁଟାଇବା ବଡ଼ କଷ୍ଟ ବାପା— । ଯେତେ ଚେଷ୍ଟା କଲେବି ତୁଟାଇ ପାରୁନି ମୁଁ । ତୋତେ ବୋଧେ ଅବିଶ୍ୱାସ ହେଉଥିବ— । ତୁ କ’ଣ ବର୍ତ୍ତମାନ ତାକୁ ଅନୁଭବ କରିପାରିବୁ ? ଏ ଶିଥିଳ ରକ୍ତ ସମ୍ପର୍କ ପାଇଁ ଯେମିତି ବ୍ୟାକୁଳ ହେଉଛି ତୁ କେମିତି ଜାଣିପାରିବୁ— ? ଯେତେହେଲେ, ମାଆ ପୁଅର ସମ୍ପର୍କ–ବଡ଼ ନିବିଡ଼ ବାପା— । ତୁଟି ଯିବା କ’ଣ ସହଜ— ? କେବେ ହେଲେ ସମ୍ଭବ ? ଆଚ୍ଛା ବାପା ସତ କହିଲୁ, ପୁଅ ଯୋଗ୍ୟ ହୋଇ ବଡ଼ ଚାକିରି କଲେ, କ’ଣ ମାଆ ସହିତ ସମ୍ପର୍କ ରଖିବା ନିରାପଦ ନୁହେଁ— । ବିପଦ ହୋଇପାରେ, ସବୁ ଜାଣି ବି ମୁଁ ସମ୍ପର୍କ ନ ରଖି ରହିପାରୁନି–-। ତିନି ମାସ ହେଲା ଚିଠି ନ ଦେଇ ଯେଉଁଭଳି ବଞ୍ଚିଛି...ମରିଯିବା ଭଲ । କିନ୍ତୁ କୋଉ ମରିପାରୁଚି ? ଏ ଅଲୋଡ଼ା ଜୀବନର ଆୟୁଷ ବେଶୀ ବାପା... । ଏକୁଟିଆ ବାପା ଚାଲିଗଲେ... । ସେ ସୁଖୀ ଲୋକ... । ମତେ ଯେମିତି ଲାଗୁଚି, ମୁଁ ବଞ୍ଚିଚି, କେବଳ ତତେ ଦୁଃଖ ଦେବାପାଇଁ । ତୋ ପାଖକୁ ଚିଠି ଲେଖୁଚି, ମୋ ଆଖିରେ ଏତେ ଲୁହ... । ଛିଃ ବାପା...ପୋଛି ଦେଉଚି ମୁଁ । ଭାବେନା ତୋର ଅମଙ୍ଗଳ କାମନା କରି ମୋ ଆଖିରୁ ଏ ଅଶ୍ରୁ ଏ ଝରୁଚି... । ଏ ଅଶ୍ରୁ ଆନନ୍ଦର ବାପା... । ଚିଠି ଲେଖି ତୋ ମନରେ ଦୁଃଖ ଦେବା ମୋର ଅଭିପ୍ରାୟ ନୁହେଁ । ମୁଁ ଚାହେଁ...ତୋର ସୁଖ-ଜୀବନ-। ଏ ଚିଠି ପାଇ ତୁ କାଳେ ମୋ ଲାଗି ଦୁଃଖ କରିବୁ, ସେଥିଲାଗି ଏ ଅଶ୍ରୁ... । ମୋ ଜୀବନ ତ ଆସି ଶେଷ ହେଲା...ମୁଁ କ’ଣ ସୁଖ ଖୋଜୁଚି... ? କିନ୍ତୁ ବାପା ଦୁଃଖରେ ହେଲେ ବି ତ ବଞ୍ଚିବି । ଭୋକ ଉପାସରେ ରହିଲେ କ’ଣ ମଣିଷ ମରିପାରେ... ? ବରଂ ଅଧିକ ଦୁଃଖର ଯନ୍ତ୍ରଣାରେ ଜର୍ଜରିତ ହୁଏ-। ହାତରେ ଗୋଟିଏ ହେଲେ ପଇସା ନାହିଁ । ଚାରି ମାସ ତଳେ ବୋହୂ ଲେଖିଥିଲା, “ଘର ଭଡ଼ାରେ ତ ଚଳିବ...ଆମ ଟଙ୍କାକୁ ଆଶାକଲେ ଆମକୁ କୋଉ ଅଣ୍ଟୁଚି...” ? ସତ କଥା ତୁମକୁ ଅଣ୍ଟୁ ନ ଥିବ, ମାନୁଚି ମୁଁ । ଯେଡ଼େ ବାଉଁଶକୁ ତେଡ଼େ ପୋଲ । କିନ୍ତୁ ଥରେ ଭାବି ଦେଖିଲୁ, ବାପାଙ୍କ ଦେଢ଼ଶହ ଟଙ୍କାରେ ଆମେ କେମିତି ଚଳୁଥିଲେ... ? କେମିତି ଅଣ୍ଟୁଥିଲା ଆମକୁ— ? ତୁ ପୁଣି ପଢ଼ୁଥିଲୁ ବାହାରେ ରହି...-। ଏବେ ତୁମକୁ ଦେଢ଼ ହଜାର ଟଙ୍କା ଅଣ୍ଟୁନି... । ପୁଣି ଟି.ଏ. ମିଳୁଥିବ ଚାରିଶହ ପାଞ୍ଚଶହ... । ବିଶ୍ୱାସ କର ତୋ ଟଙ୍କାରେ ମୋର ଆଦୌ ଆଶା ନାହିଁ । ଭଡ଼ା ଟଙ୍କାରେ ମୋର ଚଳିବା ଅଭ୍ୟାସ-। କିନ୍ତୁ ଛପର ନ ହୋଇ ଚାଳରୁ ପାଣି ଗଳିବାରୁ ଭଡ଼ାଟିଆଟି ତିନିମାସ ହେଲା ଚାଲି ଗଲାଣି-। ଚାଳଟି ସିନା ଛପର ହେଲେ, କିଏ ଗୋଟିଏ ଆସି ଭଡ଼ାଟିଆ ରହିବ... । ଘରଭଡ଼ା ଟଙ୍କା କାଇଁ ଯେ ମୁଁ ଚଳିବି... ?

 

ଏ’ ଅଭାବ, ଏ ଅନାଟନ, ଏ, ଦାରିଦ୍ର୍ୟ ମୋର ଚିର ସାଥି ବାପା । ଏଇ ଦାରିଦ୍ର୍ୟ ଭିତରେ ତୋତେ ମଣିଷ କରି ପରିଚି...ସେଇ ମୋ ମନରେ କ’ଣ କମ୍ ଆତ୍ମସନ୍ତୋଷ... ? କିନ୍ତୁ ମୋର ଦୁଃଖ କ’ଣ ଜାଣୁ, ତୋ’ଭଳି ଯୋଗ୍ୟ ପୁଅର ମାଆହୋଇ... । ଜଣେ ପଦସ୍ଥ ଅଫିସରର ମାଆ ହେବା ଅଭିଶାପ ବୋଲି ଜାଣି ନ ଥିଲି । ଏବେ ହୃଦୟଙ୍ଗମ କରୁଚି... । ତୁ ଯଦି ଗୋଟେ ଉଚ୍ଚ ପଦସ୍ଥ ଅଫିସର ନ ହୋଇ, ହୋଇ ଥାଆନ୍ତୁ ଗୋଟେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ...ତେବେ ଏମିତି ଦୟନୀୟ ଭାବେ ମୋ କଣ୍ଠ ଅବରୁଦ୍ଧ ହୋଇନଥାନ୍ତା... । ମୁଁ ମୁକ୍ତ କଣ୍ଠରେ କହି ପାରନ୍ତି ଯେ, ମୋର ଅଭାବ ଅଛି...ଅନାଟନ ଅଛି । ସେଇ ଅଭାବ ଲାଗି ଚାଳଟା ଛପର ହୋଇପାରୁନି... । ଆଠ ଦିନ ହେଲା ଅଣ୍ଟାଟା ଧରିଚି ଯେ, ଉଠି ପାରୁ ନ ଥିଲେ ବି ଡାକ୍ତର ଡକାଇ ପାରୁନି... । କିନ୍ତୁ ବାପା ମୁଁ ତୋର ମାଆ ହୋଇ ଏ କଥା କାହାକୁ କହିବି– ? ଲୋକେ ହସିବେ । କହିବେ, ପୁଅର ନିନ୍ଦା ଗାଉଚି । ମିଛ କହୁଚି । ସତ କହି, କି ଲାଭ ପାଇବି ମୁଁ ?

 

ସମ୍ବଳହୀନ ହେଲେ ବି ମୁଁ ତୋର ମାଆ । ସମାଜରେ ମୋର ପରିଚୟ ଖୁବ୍ ଉଚ୍ଚରେ । କାରଣ, ମୋ ପୁଅ ହୋଇଚି ପଦସ୍ଥ ଅଫିସର । କ୍ଷମତା ଅଛି, ଅଛି ପ୍ରଚୁର ଅର୍ଥ... । କିନ୍ତୁ ମୁଁ ତା’ର ମାଆ ହୋଇ ନିଃସ୍ୱା... । ଚାରି ଦିନ ହେଲା ଠାକୁର ମନ୍ଦିରରୁ ଭୋଗ ଆଣି ଓଳିଏ ଖାଉଚି । ମନ୍ଦିରର ପୂଝାରି, କାଲି ପ୍ରଶ୍ନ କଲା, ମାଆ ! ଏବେ କାହିଁକି ଭୋଗ ନେଇ ଖାଉଛନ୍ତି... ? ବୁକୁ ତଳର ଉଦ୍‍ଗତ କୋହକୁ ଚାପି ଦେଇ କହିଲି, ଏ ସପ୍ତାହଟା ଠାକୁରଙ୍କ ଭୋଗ ଖାଇବା ପାଇଁ ମାନସିକ ଥିଲା... । ବାପାରେ ! ଏ ସପ୍ତାହ ଶେଷ ହେବା ଆଗରୁ ଯେମିତି ହେଲେ କିଛି ଟଙ୍କା ପଠାନ୍ତୁ... ।

 

ଚକ୍ଷୁରୁ ନିଗିଡ଼ି ପଡ଼ୁଥିବା ଅଶ୍ରୁକୁ ହାତ ପାପୁଲିରେ ପୋଛି ପୋଛି କଲମ ଧରିଲି । ବାଆଁ ହାତରେ ସୁନନ୍ଦାଙ୍କ ଶାଢ଼ି ଲାଗି ଟଙ୍କା ଡାହାଣ ହାତ ଇନ୍‍ଲାଣ୍ଡ ଉପରେ ମୋର ଚଞ୍ଚଳ ହୋଇଉଠିଲା, ପୂର୍ବ ଲେଖାର ପୁନରାବୃତ୍ତି... । “ପାଖରେ ମୋର ଆଉ ଟଙ୍କା ନାଇଁ ବୋଉ...ଚେଷ୍ଟା କରିବି ଆର ମାସକୁ ପଠାଇବା ପାଇଁ”...

 

ସଶବ୍ଦେ ସୁନନ୍ଦା କକ୍ଷ ଭିତରେ ପ୍ରବେଶ କରି, ଅଭିଯୋଗ ସ୍ଵରରେ କହିଲେ, କ’ଣ କରୁଚ ଶୁଣେ ଏଠି ବସି ବସି... ? ଏତେ ସମୟ ଦୋକାନଟାରେ ଅପେକ୍ଷା କରିଲି ଗଲନି...କି ଟଙ୍କାଟା ପଠାଇ ଦେଲନି ଟିକେ...ଡେରି ହେବାରୁ ଚାଲିଆସିଲି । ଡ୍ରାଇଭର ହାତରେ ଟଙ୍କାଟା ପଠାଇ ଦିଅତ...

 

ଆଜ୍ଞାଧୀନ ଛାତ୍ରଭଳି, ମୋ ବାଆଁ ହାତର ଟଙ୍କା ସୁନନ୍ଦାଙ୍କ ଡାହାଣ ହାତକୁ ବଢ଼ାଇ ଦେଲି ମୁଁ ।

 

ଟେବୁଲ ଉପରେ ଦୃଷ୍ଟି ଢାଳି, ସୁନନ୍ଦା ଉଚ୍ଚକିତ ସ୍ୱରରେ କହିଲେ, ଆରେ ! କ’ଣ ହେଲା ତମର... ? କିଛି କହୁନା ଯେ... । ଓ...ଚିଠି ଲେଖୁଚ । କାହା ପାଖକୁ... ?

 

ଚିଠି ପଢ଼ି ସୁନନ୍ଦାଙ୍କ ମନରେ ଗୋଟାଏ ଗଭୀର ଆତ୍ମସନ୍ତୋଷ । ଆଉ ମୋ ମନରେ...-???

 

୧୯୭୧, ପୂଜା ସଂଖ୍ୟା, ‘ଜୀବନ ରଙ୍ଗ’ରେ ପ୍ରକାଶିତ—

Image

 

Unknown

ଅନୁଭୂତିର ସ୍ଵର

 

ମନଟା ଏକ ଜଟିଳ ଚିନ୍ତାରେ ମଗ୍ନ ରହି ମୋ ହାତ ମୁଠାରୁ ସମ୍ବାଦପତ୍ରଟା ତଳେ ଖସିପଡ଼ିଲା । ଉଠାଇବା ପାଇଁ ମନରେ ଟିକେ ହେଲେ ଆଗ୍ରହ ନାହିଁ । ସୁପ୍ରିୟାର ସେକେଣ୍ଡ କ୍ଲାସ୍ ନ ହୋଇ ଯଦି ଫାଷ୍ଟକ୍ଲାସ୍ ହୋଇଥାଆନ୍ତା ? ଆଃ, କି ଆଗ୍ରହ, ...ଖସି ପଡ଼ୁଥିବା ସମ୍ବାଦପତ୍ରଟାକୁ ବିକଳରେ ସାଉଁଟି ନେଇ ଚାପି ଧରି ଥାଆନ୍ତି ଛାତିରେ... ।

ଡିଷ୍ଟିଂକ୍‍ସନ୍ ପାଇ ସୁପ୍ରିୟା ଯେତେବେଳେ ବି.ଏ. ପାଶ୍ କଲା, ସେଇ ସମ୍ବାଦପତ୍ରଟା ଆଜିଯାଏଁ ମୋ ପର୍ଶନାଲ୍ ଫାଇଲ ଭିତରେ ସାଇତା ହୋଇ ରହିଛି । ଅଥଚ ଆଜିର ଏଇ ସମ୍ବାଦପତ୍ର ପାଇଁ ମନରେ ଟିକେ ହେଲେ ଆଗ୍ରହ ନାଇଁ...ମମତା ନାଇଁ... । ତଳେ ପଡ଼ିଗଲା... ? ପଡ଼ୁ ।

 

ହଠାତ୍ କକ୍ଷ ଭିତରୁ ଗୁଞ୍ଜରି ଉଠିଲା ସ୍ୱଚ୍ଛ ହସର ଲହର... । ସୁପ୍ରିୟା ହସୁଛି... । ଆଃ । ହସ ତା’ର କି ଅନାବିଳ... । ଏ ଅନାବିଳ ହସରେ ମୁଁ ମଇଳା ପୂରାଇ ଦେବି କେମିତି... ? ପରୀକ୍ଷା ଫଳ ସେ ଜାଣିନି । ପରୀକ୍ଷା ଦେଇ ଆସିଲା ଦିନ, ଏମିତି ହସି ହସି, ମତେ ଜଣାଇ ଥିଲା ଯେ ଫାଷ୍ଟକ୍ଲାସ୍ ତା’ର ନିଶ୍ଚୟ ହେବ... ।

 

ସୁପ୍ରିୟା ମୋର ଝିଅ । ବୟସ ଏକୋଇଶି । ବର୍ଣ୍ଣ ସଫା । ଉଚ୍ଚତା ପାଞ୍ଚ ଫୁଟ୍ ପାଞ୍ଚ ଇଞ୍ଚ-। ଚେହେରା ବେଶ୍ ରୁଚିସମ୍ପନ୍ନ... । ରେଖାଶୂନ୍ୟ ଗଣ୍ଡ ଦେଶରେ ଦୁଇଟି ଗର୍ତ୍ତ... । ହସିଲେ ଚମତ୍କାର ମାନେ ତା’ ସାଥୀମାନେ ତାକୁ ସୁପ୍ରିୟା ନ ଡାକି ଡାକନ୍ତି ‘ଶର୍ମିଳା’ ।

 

ସୁପ୍ରିୟା ଏମ୍.ଏ.ରେ ସେକେଣ୍ଡ କ୍ଲାସ ପାଇଲା... । ଫାଷ୍ଟକ୍ଲାସ କାହିଁକି ପାଇଲାନି... । ପଚାରିବାର କ୍ଷମତା ନାଇଁ ମୋର... । ପଚାରିଲେ ଦୁଃଖ କରିବ । ସେ ବଡ଼ ହୋଇଗଲାଣି । ସେ ଦିନର ସେ ଆଉ ଟିକି ଝିଅ ହୋଇ ନାଇଁ... । କାନମୋଡ଼ି କ୍ଲାସରେ ଫାଷ୍ଟ ହେବାପାଇଁ ଭୟ ଦେଖାଇବାକୁ । ସକାଳୁ ଉଠି ମୋ ହାତକୁ ବ୍ରସ୍ ପେଷ୍ଟ ଦିଅ ବୋଲି ଖଟରେ କାନ୍ଦି ଗଡ଼ି ଯାଉନି । ସଞ୍ଜବେଳେ ଚିନାବାଦାମ୍ ଖାଇବ ବୋଲି ଅଳି କରୁନି... । କହୁନି ସେ ଆଉ ସୁନିତାଙ୍କୁ ଥାକେ ଥାକେ ଫ୍ରକ୍ ପିନ୍ଧିବା ପାଇଁ । ସୁପ୍ରିୟା ବଡ଼ ହୋଇଗଲାଣି...ଅଙ୍ଗେ ଅଙ୍ଗେ ତା’ର ବ୍ରୀଡ଼ାର ତରଙ୍ଗ । ମୁହଁରେ ତା’ର ଲଜ୍ଜାର ଲାଳିମା... ।

 

ସୁପ୍ରିୟା ଉପରେ ମୁଁ ନ ରାଗି ତା’ ଲାଗି ଦୁଃଖିତ ହେଲି । ଶେଷବର୍ଷଟା ସେ ଏମିତି ଶୋଚନୀୟ ଭାବେ ପରାସ୍ତ ହେବ ବୋଲି ସେ’ କ’ଣ ମୁଁ ବି ଜାଣିନଥିଲି । କଳ୍ପନା କରି ନ ଥିଲି । ଜୀବନରେ ସେ ପ୍ରଥମଛଡ଼ା ଦ୍ୱିତୀୟ ହୋଇନି ଅଥଚ..... ।

 

ସୁପ୍ରିୟା ତା’ର ପରୀକ୍ଷା ଫଳ ଜାଣିନି... । କେମିତି ବା ଜଣାଇବି ତାକୁ... ? ଜାଣିଲେ ନିଶ୍ଚୟ କାନ୍ଦିବ । କାନ୍ଦି କରି ଲାଭ କ’ଣ... ? କାନ୍ଦିବାଟା ମନର ଏକ ସାନ୍ତ୍ୱନା... । କାନ୍ଦି ସାରିଲେ ମନଟା ନିର୍ମଳ ହୋଇଯାଏ... । ସମାଧାନ କାଇଁ... ?

 

ଜୀବନରେ ତା’ର ଗୋଟିଏ ବିରାଟ ପରିବର୍ତ୍ତନ... । ମନଟା ଗୋଟାଏ ଅସ୍ଵସ୍ତିରେ ତିକ୍ତ ହୋଇଉଠିଲା ମୋର । ସୁପ୍ରିୟାକୁ ଏ ସମ୍ବାଦ ଜଣାଇବା ପାଇଁ ମନ ବଳିଲାନି, କିନ୍ତୁ ସୁପ୍ରିୟା ଯେ ଏଇଲେ ହସି ହସି ଚାଲି ଆସି ପ୍ରଶ୍ନ କରିବ, ବାପା । ମୋ ରେଜଲ୍‍ଟ୍ କ’ଣ ହେଲା... ? କି ଉତ୍ତର ଦେବି ମୁଁ— ?

 

ମୁଁ ସେଇମିତି ସ୍ଥାଣୁ ହୋଇ ବସିଛି; ସୁପ୍ରିୟା ମୋ ସାମ୍ନା ଟେବୁଲରେ ଚା’ ରଖିଦେଇ କହିଲା, ବାପା ! ମୁଁ କାହିଁକି ହସୁଥିଲି କହିଲ... ? (ପର ପ୍ରଶ୍ନ ଶୁଣି ଇଚ୍ଛା ହଉଥିଲା ମୋର କହିଦେବାକୁ ତୁ ରେଜଲ୍‍ଟ୍‍ ଜାଣିନୁ ବୋଲି ହସୁଥିଲୁ ମାଆ ।) ତମେ ଏ ଯାଏଁ କାହିଁକି ଆଜି ଚା’ ମାଗିଲନି...ମୋ ରେଜଲ୍‍ଟ୍‍ ଜାଣି ମନଦୁଃଖ କଲ...ନୁହେଁ....... ?

 

ମୁଁ ସ୍ତବ୍ଧ ହୋଇଗଲି... । ସୁପ୍ରିୟା ତା’ହେଲେ ଜାଣିଚି... । କିନ୍ତୁ ସେ ଦୁଃଖ ନ କରି ଏମିତି ନିର୍ବିକାର ଭାବେ ହସୁଛି ଯେ... । ନାଁ— ନାଁ— ସୁପ୍ରିୟା ହସିପାରେନା— । ମୁଁ ସୁପ୍ରିୟାକୁ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ପଚାରିଲି, ତୁ ତୋର ରେଜଲ୍‍ଟ୍‍ ଜାଣିଛୁ ମାଁ... ?

 

ସୁପ୍ରିୟା ହସୁ ହସୁ, ସୁନିତା କହିଉଠିଲେ, ହଁ— ମଁ...ସେକେଣ୍ଡ କ୍ଲାସ୍ ତ ପାଇଥିବ... । ଫାଷ୍ଟକ୍ଲାସ୍ ପାଇଥିବ ସେଇ ଶଶୀ ।

 

ଠିକ୍...ସୁନିତା ବି କେମିତି ଜାଣିଲେ... ? ଖବରକାଗଜ ତ ମୋ ପାଖରେ । ସେ ଦୁହେଁ ଜାଣି ମଧ୍ୟ ମନରେ ତାଙ୍କର ଟିକେ ବି ଦୁଃଖ ନାଇଁ... ? ଯେଉଁ ଦୁଃଖକୁ ଏତେ ଗଭୀର ଭାବରେ ମୁଁ ଅନୁଭବ କରୁଛି, ସେମାନେ ତାକୁ ଏତେ ସହଜରେ ଗ୍ରହଣ କରୁଛନ୍ତି କିପରି... ?

 

ମୁଣ୍ଡ ଭିତରଟା ମତେ ଫାଙ୍କା ଫାଙ୍କା ଲାଗିଲା । କିଛିଟା ହେଲେ ଚିନ୍ତା କରିବାକୁ ଇଚ୍ଛା କରି ମଧ୍ୟ ପାରିଲନି । ଆଜିକାଲି ଏ ସଭ୍ୟ ସମାଜରେ ବଞ୍ଚି ରହିବା ଏକ ମହାପାପ । ମଣିଷର ବୁଦ୍ଧି ଅତ୍ୟଧିକ ହେଲେ ଅଭିଶପ୍ତ ହୁଏ...ନାଁ— ?

 

କେମିତି ଜାଣିଲେ ପଚାରିବା ପାଇଁ ମୋର ଧୈର୍ଯ୍ୟ ରହିଲାନି । ପରିସ୍ଥିତି ଅସହ୍ୟ ହେବା ଆଗରୁ ମୁଁ ସ୍ଥାନ ପରିତ୍ୟାଗ କରିବା ଲାଗି ଉଦ୍ୟତ ହେଉଛି, ଚା’ କପ୍‍ଟା ମୋ ହାତରୁ ଖସିପଡ଼ିଲା... । ସୁନିତା ଶାଢ଼ିଟାକୁ ତାଙ୍କର ଝାଡ଼ିଦେଇ ପାଟିକରି ଉଠିଲେ, “କ’ଣ, ଛୋଟ ପିଲା ହେଇଯାଉଛ ନା କ’ଣ... ? ହାତରୁ ଏମିତି ଚା’କପ୍‍ଟା ତମର ଖସି ପଡ଼ୁଛି... ? ଶାଢ଼ିଟା ଗଲା—ଖଣ୍ଡେ କିଣିଲା ବେଳକୁ ଗଜ ଗଜ ହେବ, ନଷ୍ଟ କଲା ବେଳକୁ ବେଶ୍ ପାରଙ୍ଗମ ଦେଖୁଛି...” ।

 

ଏକ ଅବ୍ୟକ୍ତ ବେଦନାର ଗୁରୁଭାବରେ ମୁଁ ଯେପରି ନିସ୍ପନ୍ଦ । ମୋ ପାଟିରୁ କଥା ବାହାରୁନି... । ନାଁ, ସୁନିତାଙ୍କ ପ୍ରତି...ନାଁ, ସୁପ୍ରିୟା ପ୍ରତି... । ମୁଁ ଯେପରି ଏକ ଯାନ୍ତ୍ରିକ ମଣିଷ ମାତ୍ର ।

 

ସୁନିତାଙ୍କୁ ନେଇ ସଂସାର କରିବା ବଡ଼ କଷ୍ଟସାଧ୍ୟ... । ସ୍ତ୍ରୀମାନେ ଏତେଟା ସ୍ପଷ୍ଟବାଦିନୀ ହେବା ରୁଚିକର ନୁହେଁ । କିନ୍ତୁ ଏ ଆଧୁନିକ ଯୁଗରେ ସ୍ତ୍ରୀମାନଙ୍କର ଔଦ୍ଧତ୍ୟ ତ ଏକ ଫେସନ୍... । ୟାକୁ ଘୃଣା କଲେ ମଣିଷ ଅମଣିଷ ହୋଇଯିବ ସିନା...ବଞ୍ଚିବାର ସ୍ୱାଦୁ ମିଳିବନି । ତା’ହେଲେ ବଞ୍ଚିବାର ସ୍ଵାଦୁ କ’ଣ ଏଇ... ? ସଭ୍ୟତା କ’ଣ ଏଇ... ? ଏଇ କ’ଣ ତା’ର ରୁଚି... ???

 

ବାଇଶ୍ ବର୍ଷ ବିବାହିତ ଜୀବନରେ ଏମିତି ଅନେକ ଘଟଣା ଘଟିଚି...ଯୋଉଟା କି ମୋ ପକ୍ଷେ ଅସହ୍ୟ ହୋଇଉଠିଚି... । ସେଇ ଅସହ୍ୟ ଜ୍ୱାଳାର ଆଲବମ୍‍ଟା, ବେଳେ, ବେଳେ, ପୃଷ୍ଠା ପୃଷ୍ଠା ହୋଇ ଓଲଟି ଯାଏ । ହୁଅନ୍ତା ହେଲେ ଜୀବନର ଏଇଟା ଶେଷ ପୃଷ୍ଠା । ଆଲବମ୍‍ର ବାକିପୃଷ୍ଠାଗୁଡ଼ା ଚିରି ଦେବି କି ମୁଁ... ?

 

ଆଠଟା ବାଜିବାକୁ ପାଞ୍ଚମିନିଟ୍ ବାକି ଅଛି...ମଣ୍ଟୁ ଏ ଯାଏଁ ଉଠିନି । ଉଠି ଥିଲେ ବି ହାତରେ ତା’ର ଫିଲ୍ମ ମାଗାଜିନ୍ ଥିବ... । ସିନେମାର ଅଭିଜ୍ଞତା ମଣ୍ଟୁ ବେଶ୍ ହାସଲ କରିପାରିଛି । ପିଲାଦିନେ ଆମେ ଇତିହାସ-ଭୂଗୋଳ ମୁଖସ୍ଥ କଲାଭଳି, ମଣ୍ଟୁ ସିନେମା ଷ୍ଟାର୍‍ଙ୍କ ଜୀବନ ଇତିହାସ ମୁଖସ୍ଥ କରିଛି । କିଏ କୋଉ ଚିତ୍ରରେ ଭଲ ଅଭିନୟ କରିଛି,...ଏଇଟାତ ମଣ୍ଟୁ ପକ୍ଷରେ ଜାଣିବା ପାଇଁ ଅତି ମାମୁଲି କଥା... । ରାମଚନ୍ଦ୍ରଙ୍କ ପିତା କିଏ ମଣ୍ଟୁ ଜାଣିନି... । କିନ୍ତୁ ପୃଥ୍ୱୀରାଜ କପୁରଙ୍କ ବାପାଙ୍କ ନାଁଟା ମଣ୍ଟୁର ଅତି ଜଣାଶୁଣା । ଏବେ, ସିନେମା ସଙ୍ଗୀତର ସେ ଜଣେ ଶ୍ରେଷ୍ଠ ଗାୟକ ଆଉ ବର୍ଷ ଦୁଇଟା ପରେ ସେ ହବିବ୍ ମହମ୍ମଦ୍ ପାଲଟି ଯିବ ବୋଲି ତା’ ସାଥି ମହଲରେ ଗୁଜବ...-। ସରକାରଙ୍କର ଆଦର୍ଶ ସୁଖୀ ପରିବାର ମୋର ଏଇ... । ସୁପ୍ରିୟା ଗୋଟିଏ ଝିଅ... । ଆଉ ଗୋଟିଏ ପୁଅ ମଣ୍ଟୁ... । ଅଷ୍ଟମ ଶ୍ରେଣୀର ଛାତ୍ର ସେ— ।

 

ମଣ୍ଟୁ କେବେ ପଢ଼ିବାର ମୁଁ ଦେଖିନି । କେବେ ସେ ହୋମ୍‍ଟାସ୍କ କରିବାର ମୁଁ ଜାଣିନି । କିନ୍ତୁ ସେ ନିୟମିତ ସ୍କୁଲ ଯାଏ... । ସେ ସ୍କୁଲ ବାହାରିଲା ବେଳେ ମୋ ରକ୍ତରେ ନିଆଁ ଲାଗେ । ଦିନେ ମୁଁ ପ୍ରଶ୍ନ କଲି, ପଢ଼ା ତ କରୁନୁ, ସ୍କୁଲକୁ ଯାଉଛୁ କାହିଁକି ? ସୁନିତାଙ୍କଠାରୁ ଶକ୍ତ ଏକ ଧକ୍‍କା ଖାଇଲି । “କାହିଁକି ପିଲାଗୁଡ଼ାକୁ ତମେ ବିରକ୍ତ ହୁଅ... ? ତମ କାଳ ଗଲାଣି...ବହିରେ ମୁହଁ ମାଡ଼ି ବସିବା ବେଳ... । ମାସେ ପଢ଼ିଲେ ତ ପରୀକ୍ଷାରେ ପାଶ୍... I ଘରେ ବସି କ’ଣ ତମ ଚାକର କାମ କରିବ... ?’’

 

ଚାକର... ? ମୁଁ ବିସ୍ମିତ ହୁଏ ସୁନିତାଙ୍କ ବକ୍ତବ୍ୟରେ । ପ୍ରତିବାଦ କଲେ, ପଦିଏ କଥାରେ ଦଶପଦ କଥା ଶୁଣିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ... I ନିର୍ଲଜ୍ଜ ମୁହଁରେ ସବୁ ଦୋଷ ମୁଣ୍ଡରେ ପୋଛି ଦେବାକୁ ପଡ଼ିବ... ।

 

ଚାକର କାହାକୁ କହନ୍ତି, ମୋର ଏପର୍ଯ୍ୟନ୍ତ ବି ଧାରଣା ନାଇଁ । ମୁଁ ଭାବେ, ଆମେ କାମ କରି ନ ପାରିଲେ ଅନ୍ୟ ଲୋକ ରଖୁ ଆମ କାମ କରିଦେବା ପାଇଁ... । ସବୁ କାମତ ହାତେ ହାତେ କରିବା ଆମ ପିଲା ଦିନର ସଉକ୍ । କାଇଁ, ବୋଉ ତ ଆମକୁ କେବେ ଚାକର କହିବାର ଆମେ ଶୁଣିନୁ । ବରଂ ବୋଉ ଆମ କାମ ଦେଖି, ଖୁସି ହୋଇ ଗୋପନରେ ମୁହଁ ବୁଲେଇ ହସୁଥିଲା ।

 

ମଣ୍ଟୁ ଘରେ ରହିଲା ଦିନ ମୋର ଚାକର କାମ କରେ... । କି କାମ ବା ମୋର... ? ବେଳେ ବେଳେ ଖବରକାଗଜଟା ମୋ ପାଖକୁ ଆଣି ଦେବା ପାଇଁ କହେ । ଅବା କେଉଁ ଦିନ ବାହାରେ କିଏ ଡାକୁଛି ଦେଖିବା ପାଇଁ ବାହାରକୁ ପଠାଏ । ଏଇ ହେଲା କ’ଣ ଚାକର କାମ... ? ପ୍ରକୃତ ଚାକରର କାମ ହେଲା— ହେୟାର ବଲ୍‍ବକୁ ସର୍ଫରେ ଭିଜାଇ ସଫାକରିବା... । ପ୍ରିତିଦିନ ଘର ଓଳାଇବା ପୂର୍ବରୁ ହେୟାର ପିନ୍ କଲେକ୍ଟ କରି ଡ୍ରେସିଂ ଟେବୁଲ୍‍ର ଛୋଟ ଟ୍ରେରେ ସଜେଇ ରଖିବା... । ପାନିଆଁଗୁଡ଼ାକ ଦିନକୁ ଦୁଇ, ତିନି ଥର ଲେଖାଏଁ ବ୍ରସ୍‍ କରି ରଖିବା...ଅଥଚ ପାଇକାମାଟା ମୋର ଦିନସାରା ଶୁଖି ଶୁଖି ରାତିରେ କାକର ଖାଉ ପଛେ ଶାଢ଼ି–ବ୍ଲାଉଜ୍ ଶୁଖୁ ଶୁଖୁ ଆଲଣାରେ ଆଣି ରଖିବା ଚାକର କାମ... ।

 

ମୋର କଲିଜାରେ ଲାଗେ ତିକ୍ଷ୍ଣ ଛୁରିଭଳି ସୁନିତଙ୍କ ଭାଷା । ଦିନେ ସୁନିତାଙ୍କ ଅନୁପସ୍ଥିତିରେ ମଣ୍ଟୁକୁ ଆସ୍ତେ ଡାକି କହିଲି, ଆଜି ସ୍କୁଲରେ କ’ଣ ପଢ଼ା ହେଲା ବାପା... । ମଣ୍ଟୁ ଗୋଟିଏ ସିନେମା ଗୀତର ସୁର ଧରି ଉଁ...ଉଁ...ହେଉଥିଲା ବେଳେ ମୋ ପ୍ରଶ୍ନ ଶୁଣି ଚମକିପଡ଼ି କହିଲା, “ବାପା ! ଆଜି କିଛି ପଢ଼ା ହୋଇନି... । ରୋଲ୍ କଲ୍‍ ପରେ ଆମେ ସମସ୍ତେ ପଦ୍ୟାନ୍ତର କଲୁ... । ଆଜି ଝିଅ ପିଲାମାନେ ଏକଦମ୍ ହାରିଗଲେ ବାପା... । କାହିଁକି ଜାଣିଛ... ? ରୋଜିର ଗୀତ ଖାତାଟା ମୁଁ ଚୋରେଇ ଆଣିଛି...ସେଥିରେ, ସବୁ ଅକ୍ଷରରୁ ପ୍ରାୟ ଦଶ ବାରଟା ଗୀତ ଲେଖା ହୋଇଛି... । ସେଥିରୁ ଟିକେ ଟିକେ ଦେଖି ଜିତି ଯାଉଥିଲେ— । ଖାତା ଏବେ ମୋ ପାଖରେ ସେମାନେ ଥଣ୍ଡା— ।”

 

କ୍ଷୋଭ ଓ ଉତ୍ତେଜନାରେ ମୁଁ ଅଗ୍ନିଶର୍ମା ପାଲଟି ଗଲି । କାନ ମୋଡ଼ି ଦୁଇଟା ବଜାଇ ଦେବାକୁ ହାତ ଉଠୁଥିଲା, କିନ୍ତୁ ସୁନିତାଙ୍କ ଆକଟ ଯେ ମତେ ବାଟ ଓଗାଳି ଠିଆ ହୋଇଛି— ମୁଁ ବେଶ୍ ହୃଦୟଙ୍ଗମ କରିପାରୁଥିଲି । କିଛି କହି ନ ପାରି କେବଳ ମନସ୍ତାପ କରିବାରେ ଲାଗିଲା । ମଣ୍ଟୁକୁ ଏ ବିଷୟରେ ପ୍ରଶ୍ନ କରୁଥଲି କାହିଁକି... ?

 

ଘରର ମୁରବୀ ହୋଇ କାହାକୁ କିଛି ନ କହି ପରିବା କେତେ ଦୂର ଯନ୍ତ୍ରଣାଦାୟକ...ଅନୁଭବୀ ଛଡ଼ା କିଏ କଳ୍ପନା କରିପାରିବ ? ଆଃ.....ଖାଲି ଦୁଃଖ...କ୍ଳାନ୍ତ...ହତାଶା...ଦୀର୍ଘଶ୍ଵାସ...

 

ସୁନିତା ମୋ ସାମନାରେ ବସି ସ୍ୱେଟରର ଅଣ୍ଟାପଟି ତିଆରୁଛନ୍ତି । ଘୃଣାରେ ମୋ ନାସିକା କୁଞ୍ଚନ ହେଲା... । ଛିଃ ଯାହାଠୁ ମଣିଷ ପଦିଏ କଥା ଭଲରେ ଶୁଣିବାକୁ ପାଉନି...ତା’ ହାତ ତିଆରି ସ୍ଵେଟର ପିନ୍ଧିଲେ କଲିଜାରେ କଣ୍ଟା ଫୋଡ଼ି ହୋଇଯିବ ସିନା... । ମୁଁ ସ୍ତମ୍ଭୀଭୂତ ହୋଇ ବସି ରହିଲି । ଭାବିଲି ନୀରବ ରହିଲେ ପରିସ୍ଥିତ ଟିକେ ଲାଘବ ହୋଇଯିବ... । ଫଳ ହେଲା ଓଲଟା... । ଚା’ କପ୍‍ଟା ଶେଷ କରି ଦେଇ ସୁନିତା କ୍ଷୀଣ ଚିତ୍କାର କରିଉଠିଲେ ।

 

ମର୍ଣ୍ଣଂ ସୋ ଦେଖିଯିବ ବୋଲି ମଣ୍ଟୁ ଟିକେଟ୍‍ କାଟି ଆଣିଲାଣି... । ହାଣ୍ଡିଟାପରି ମୁହଁଟାକୁ କରି ବସି ରହିଲ କାହିଁକି... । ଯିବନି... ? ନଗଲେ ନାଇଁ... । ଟିକେଟ୍‍ କଟା ହେଉଥିଲା କିଆଁ... ? ଉଠୁ ଉଠୁ ମନା କରିଦେଲନି । ସେତେବେଳକୁ ପାଟି ଫିଟିଲାନି... । ଏତେ ବେଳକୁ ମୁହଁ ହାଣ୍ଡି... । ଛିଃ...ଛିଃ...ଛିଃ

 

ସୁନିତାଙ୍କର ବିରକ୍ତ ବିବ୍ରତ ସ୍ଵରରେ ଚାରିବର୍ଷ ତଳକୁ ଚାଲିଗଲି ମୁଁ । ଏମିତି ଦିନେ ମନସ୍ତାପ ବେଳେ ମୁଁ ସୁନିତାଙ୍କୁ ନେଇ ସିନେମା ଯାଇଥିଲି...ତାଙ୍କୁ ସୁଖୀ କରିବା ଲାଗି... । ବଦଳି ଆଦେଶଟା ଛାତି ପକେଟରେ ଗୁଞ୍ଜି ସିନେମା ଦେଖିଲା ବେଳେ ସୁନିତାଙ୍କୁ କହିଲି, ମତେ ବଡ଼ ବ୍ୟସ୍ତ ଲାଗୁଛି ସୁନିତା ଚାଲିଗଲେ ହୁଅନ୍ତା ନାଇଁ...ସୁନିତା ତାଙ୍କ ଅଧରରେ ଏକ ପରିହାସର ହସ ଖେଳାଇ ପ୍ରତିଶୋଧ ନେଲା ଗଳାରେ କହିଲେ, ମୋତେ ବି ବଡ଼ ବ୍ୟସ୍ତ ଲାଗୁଥିଲା, ଯେତେବେଳେ ଘର ଭୁଲି ତମେ ବିଶ୍ଵବିଦ୍ୟାଳୟକୁ ଘର ବୋଲି ଚିହ୍ନି ଥିଲ । ପିଲାଙ୍କ ଉନ୍ନତି ଲାଗି ମନ ପ୍ରାଣ ଢାଳି ମାହାଳିଆ ପଢ଼ାଇଲ...ନାଁ । କଲ— ନିୟମିତ ଖବରକାଗଜରେ ଫଟୋ ବାହାରିଲା— ବକ୍ତୃତା ଦେଲ— କଲେଜରେ କପି ବନ୍ଦ ହେଲା— । ତା’ପରେ ତ ବଦଳି ହେବା ସ୍ଵାଭାବିକ୍‍ । ବ୍ୟସ୍ତ ଲାଗୁଚି କାହିଁକି ?

 

‘କିନ୍ତୁ’— ମୋର ଅବ୍ୟକ୍ତ ସ୍ୱର— ।

 

କିନ୍ତୁ ଆଉ କ’ଣ ? ସରକାରୀ ଚାକିରି କଲେ ଓଲା ଅଧମ ହେଲେ ଭଲ କଥା— । ସମବେଦନାରେ ମୁଣ୍ଡରେ ହାତ ବୋଳି ଆହା— ଚୁ— ଚୁ— କରିବେ । ନାଁ କଲେ ତ ତଳକୁ ଖସାଇଦେବେ । ଗୋଡ଼ ହାତ ଟାଣି କାଦୁଅରେ ପକାଇ ଦେବେ— । ଏବେ ଭୋଗ ସେତେବେଳେ ମୋ କଥା ଶୁଣିଲ ନାଇଁ । ଯାହା ଲାଗି କାମ କରିଥିଲ, ସେମାନେ ବନ୍ଦ କରି ଦେଉ ନାହାନ୍ତି ତମ ବଦଳିଟା—

 

ଯୁକ୍ତି ତର୍କରେ ସିନେମା ଶେଷ ହେଲା— । ମୁଁ ଆଉ ସେଇ ଦିନୁ ସିନେମା ଯିବା ପାଇଁ କେବେ ମନା କରିନି । ବ୍ୟସ୍ତ ଲାଗୁଚି ବୋଲି ଉଚ୍ଚାରଣ କରିନି ।

 

ପ୍ରକୃତରେ ସିନେମା, ଏଇଲେ ଦେଖି ନଗଲେ ମୋର କ୍ଷତି— ପଇସା ମୋର— । କ୍ଷତି ହେବ ଆଉ କାହାର— ? ସିନେମା ଯିବି ବୋଲି ସ୍ଥିର କରି ଅନ୍ୟମନସ୍କ ଗଳାରେ ପଚାରିଲି, ‘ସିନେମାଟା କଣଟି— ?’

 

ମଣ୍ଟୁ ତରତରରେ କହି ପକାଇଲେ, ବାପା ! ଜାଣିନା, “ସମାଜକୋବଦଲ୍‍ଡ଼ାଲୋ” । ମୋ ଘୃଣିତ ଅଧରରେ ହସର ବିଭତ୍ସ ଢେଉ... । ମଣିଷ ଯାହା ଚାହେଁ ପାଏନି । ଯାହା ଦେଖେ ଶିଖେନି... । ଯାହା ଲେଖେ ପଢ଼େନି... । କାହିଁକି ନୀତିଶିକ୍ଷା ପଢ଼ିବ ବହିରୁ... ? କାହିଁକି “ସମାଜକୋବଦଲଡ଼ାଲୋ” ଦେଖି ସମାଜର ଦୁର୍ନୀତିରେ ବୁଡ଼ିବ... ? ସମାଜ, ଧର୍ମ, ନୀତି, ନିୟମକୁ ସ୍ଵଚକ୍ଷୁରେ ଦେଖି, ଆଖି ବୁଜିଦେବ ଭାଗ୍ୟ ଉପରେ ଦୋଷ ଦେଇ... ? ଆର୍ଦ୍ର ଚକ୍ଷୁରେ ମୋର ରୁମାଲଟା ଆପେ ଆପେ ଚାପି ହୋଇଗଲା । ସୁନିତା ବି କାନ୍ଦୁଛନ୍ତି...ଆଃ...ଆଃ...ଝିଅଟାର ଜୀବନ କି କାଲାମିଟି...କଣ୍ଠରେ ତାଙ୍କର ଅସ୍ପଷ୍ଟ ଉଚ୍ଚାରଣ—

 

ସୁପ୍ରିୟା ଆମ ବାସ୍ତବ ଅଭିନୟରେ ନିମଗ୍ନ ରହି କହିଲା, ବାପା ! ତମେ ଆଉ ବୋଉ ତ ସେ ସିନେମାଟା ଦେଖି ଦେଇଛ । ମଣ୍ଟୁ ଆଉ ମୁଁ ଯାଆନ୍ତୁ—

 

ମୋର ଇଚ୍ଛା ହେଉଥିଲା କହି ଦେବାକୁ । ତୋର ବୟସ ହେଇନି ମାଁ– । ସମାଜର ଅଭିଜ୍ଞତା ତୋର କାଇଁ— ? ତୁ କୋଉ ବୁଝିପାରିବୁ— ?

 

ସେ କଥା ନକହି ସୁପ୍ରିୟାର ସଉକ୍‍ ଭାଙ୍ଗିବା ପାଇଁ କହିଲି, ସେକେଣ୍ଡ କ୍ଲାସ ପାଇ ଆହୁରି ସିନେମା ଦେଖିବାକୁ ତୋର ମନହେଉଛି... ? ଜୀବନଟା କ’ଣ ଚଳଚିତ୍ରରେ ସୀମାବଦ୍ଧ ? ସେକେଣ୍ଡ କ୍ଲାସ ହୋଇ କାହିଁକି ଫାଷ୍ଟକ୍ଲାସ ହେଲା ନାଇଁ— ଚିନ୍ତା କଲୁଣି ?

 

କରିଚି— କରିଚି— ବେଶ୍ ଚିନ୍ତା କରିଚି ସିଏ— । ତମଝିଅ ହୋଇ ସେ ଚିନ୍ତା କରିନି ତ କରିଛି କିଏ— ? ନିକୁଞ୍ଜବାବୁ ଘରୁ ଫେରିଲା ବେଳେ, ମୋ ସାଙ୍ଗେ ଜିଦି ପକାଇ ଥିଲନାଁ । –ମୋ ଝିଅ ଭଲ ପଢ଼ୁଛି— ନିଶ୍ଚୟ ଫାଷ୍ଟ ଡିଭିଜନ୍ ପାଇବା ସଙ୍ଗେ ସଙ୍ଗେ ଗୋଟାଏ ଲେକ୍‍ଚରର୍ । ହେଲା–-? ଫାଷ୍ଟ ଡିଭିଜନ୍ ପାଇଲା— ? କହିଲି ଗାଁକୁ ଯାଇ ଜମି ଖଣ୍ଡେ ବିକି ପନ୍ଦର ହଜାର ଟଙ୍କା ଦେଇଦିଅ ନିକୁଞ୍ଜବାବୁଙ୍କୁ— । ପୁଅ ତାଙ୍କର ଆମେରିକାରେ ରହୁଛି... । ଝିଅ ଆମର ରହିବ... । ବୋହୂ କରିବେ ବୋଲି ନିଜେ ସେ ଘରକୁ ଆସିଥିଲେ... । ଏ ସୁଯୋଗ ଛାଡ଼ନ୍ତି... ? ଗାଁର ଜମି କୋଉ ଦିଅଁ ଦେବତା ତମର ଖାଉଛନ୍ତି ? ମୋ କଥାକୁ ଫୁତ୍‍କାରରେ ଉଡ଼ାଇ ଦେଲ । ଶଶୀର ବାପା ରାଜି ହେଲେ... । ଶଶୀ ଫାଷ୍ଟକ୍ଲାସ ପାଇଲା । ତାକୁ ଫାଷ୍ଟକ୍ଲାସ ନ ନେଇ ତମ ଝିଅକୁ ନିଅନ୍ତେ କାହିଁକି ? ଫାଷ୍ଟକ୍ଲାସ ନେଲେ ସିନା, ପୁଅ ସଙ୍ଗେ ଆମେରିକା ପଠାଇବାକୁ ସୁବିଧା ହେବ... । ଏକଥା ସବୁ ବୁଝି ବିଚାରି କହୁଥିଲି ତମକୁ । ଶୁଣିଲ ଟିକେ ? କଥାଗୁଡ଼ାକ ମୋର ଗନ୍ଧାଇଲା । ନିକୁଞ୍ଜବାବୁ ତମଭଳି ଓଲା ହୋଇ ନାହାନ୍ତି ମଁ...ସଚ୍ଚୋଟରେ ଚଳି ଜୀବନଟାକୁ ଏମିତି ବରବାଦ୍ କରିଦେବେ... ।

 

ସୁନିତାଙ୍କ ବ୍ୟକ୍ତବ୍ୟରେ ସୁପ୍ରିୟା କାନ୍ଦୁଥିଲା । ହୁଏତ ଶଶୀ ଆଉ ସୌମେନ୍ଦ୍ରଙ୍କ ବିବାହର ନହବତ ଧ୍ଵନି ତା’ କର୍ଣ୍ଣକୁହରରେ ରହି ରହି ଗୁଞ୍ଜରି ଉଠୁଥିଲା... ।

 

ମଣ୍ଟୁ, ହାତରେ ଫୁଟୁକି ଫୁଟେଇ ଫୁଟେଇ ଘର ଭିତରକୁ ପଶି ଆସି କହିଲା, ବାପା ! ବାପା ! କ୍ଲାସରେ ମୁଁ ଫାଷ୍ଟ ହୋଇଚି... । ଜାଣିଚ କେମିତି ହେଲି ? କପି କରି ସବୁ ବେଳେ ଫାଷ୍ଟ ହେଉଥିବା ପିଲାକୁ ଗୋଟିଏ ହାୱାଇ ସାର୍ଟର ଟେରିଲିନ୍ ଫିସ୍ ଦେଇ ତା’ଠୁ ଶିଖି ନେଲି କପି କରିବା କୌଶଳଟା... । ବାଃ...ବାଃ...ବାପା ଏଥର ତ ମୁଁ କ୍ଲାସରେ ସବୁବେଳେ ଫାଷ୍ଟ...

 

ମୁଁ ଯେ ଗୋଟେ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ...ମୁଁ ମୋ ନିଜକୁ ବିଶ୍ଳେଷଣ କରୁଥିଲି...

 

(“୧୯୭୨ ତ୍ରୈମାସିକ “ଗଳ୍ପ” ସଂକଳନ ଷଷ୍ଠ ସଂଖ୍ୟାରେ ପ୍ରକାଶିତ)

Image

 

କ୍ଷତ

 

ହାତ ଘଣ୍ଟାରେ ରାତି ସାଢ଼େ ଦଶର ସୂଚନା । ଅମୀୟ ଚୌଧୁରୀ ଡିନାର ଡ୍ରେସରେ ସଂଯତ ପଦ ଚାଳନା କରୁଛନ୍ତି ଡ୍ରଇଁ ରୁମରେ । ବନ୍ଧୁ ରଙ୍ଗନାଥର ନିୟନ୍ତ୍ରଣ ରକ୍ଷା କରି ସେ ଆଜି ଅତିଥି ରଙ୍ଗନାଥଙ୍କ ବାସଭବନରେ । ଅନେକ ଦିନ ପରେ, ଗୋଟିଏ କମ୍ପାଟମେଣ୍ଟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା ଅତି ଆଶ୍ଚର୍ଯ୍ୟଜନକ ଭାବେ । ସେଇଠାରେ ଦିନ ଧାର୍ଯ୍ୟ ହୋଇଥିଲା ପ୍ରଥମେ ଅମୀୟ ଅତିଥି ହେବ ରଙ୍ଗନାଥର । କ୍ଲବ ଯାଇଚି ରଙ୍ଗନାଥ । ‘ଆସୁ ଆସୁ ସାମାନ୍ୟ ଡେରି ହେବ’ ବୋଲି ଗଲାବେଳେ କହି ଯାଇଛି ସେ । ମାତ୍ର ଏତେ ଡେରି ? ରଙ୍ଗନାଥ କ୍ଲବ ଚାଲିଯିବା ପରେ, ଅମୀୟ ଏକାକୀ ଏ କ୍ଷୁଦ୍ର ସହରକୁ ପାଦରେ ପରିକ୍ରମା କରି ଫେରି ଆସିଲେଣି । ଅମୀୟଙ୍କ ଚିନ୍ତାଧାରା ହଠାତ୍ କେମିତି ଗୋଳମାଳ ହେଇଗଲା । ଏମିତି ଗୋଟାଏ ବନ୍ଧୁମିଳନର ଆସରରେ ଅମୀୟ ଘରକୁ ଫେରୁ ଫେରୁ ସାମାନ୍ୟ ବିଳମ୍ବ ହୋଇଯାଇଥିଲା ବୋଲି ସ୍ତ୍ରୀ ଅଞ୍ଜନା ସାରା ରାତି ଅମୀୟଙ୍କୁ କଥା ନକହି ଶୋଇରହି ଥିଲେ...କାନ୍ଦି କାନ୍ଦି । ଅମୀୟଙ୍କ ସବୁ ଅନୁନୟ ବିନୟକୁ ବେଖାତିର କରିଥିଲେ ଅଞ୍ଜନା । ରାତ୍ରି ଶେଷରେ ଶୋକାତୁର କଣ୍ଠରେ କହିଥିଲେ, ଘରେ ତମର ସ୍ତ୍ରୀ ନଥିଲା ଭଳି, ବାହାରେ ତମେ ଏତେ ସମୟ କ’ଣ ରହିଯାଉଛ ? ଲୋକେ କ’ଣ କହିବେ ? କହିବେ ସ୍ତ୍ରୀ ସହିତ ମନ ମିଳୁନି ମି: ଚୌଧୁରୀଙ୍କର... । ଅଞ୍ଜନାଙ୍କ କଥାରେ ଚିତ୍କାର କରିଉଠିଥିଲେ ଅମୀୟ— ଆଃ ଷ୍ଟପ୍...ଅଞ୍ଜୁ, ପ୍ଲିଜ୍ ଷ୍ଟପ୍...ଏଭଳି ମନ୍ତ୍ରବ୍ୟ ଯଦି ତମ ପାଟିରୁ ନଶୁଣି, ପ୍ରକୃତରେ ଶୁଣିଥାନ୍ତି ଅନ୍ୟ କାହାରିଠାରୁ...ତଣ୍ଟିଚିପି ହତ୍ୟା କରି ଦେଇ ଥାଆନ୍ତି... I ସେଇଦିନୁ ଅମୀୟ ବୋଧହୁଏ ରାତି ଦଶଟା ପରେ ଘରକୁ ଫେରିବାର ମନେ ନାଇଁ ।

 

କିନ୍ତୁ ରଙ୍ଗନାଥର ସ୍ତ୍ରୀ... ! ଅଟକି ଗଲେ ଭାବନାରୁ ସେ । ଗତ ଚାରିବର୍ଷ ତଳେ ରଙ୍ଗନାଥର ସ୍ତ୍ରୀ ରଶ୍ମୀ ଥିଲେ ଅମୀୟଙ୍କର ବାନ୍ଧବୀ...ଗାର୍ଲ ଫ୍ରେଣ୍ଡ... I ସିନେମା ପୋଷ୍ଟର କାନ୍ଥସାରା ଛପାଗଲା ଭଳି, ଅମୀୟ ଓ ରଶ୍ମିଙ୍କର ଅଙ୍କିତ ଯୁଗଳ ପ୍ରତିକୃତି ତଳେ, ଲେଖା ଯାଉଥିଲା ‘ଅମୀୟ ରଶ୍ମୀ ।’ ଭୀଷଣ ଅପରାଧୀ ପରି ଅମୀୟ ଓ ରଶ୍ମୀ ଯେତିକି ନୀରବ ରହିଲେ, ରାସ୍ତାରେ ଚାଲିଯିବା ଛୁଆର ଓଠରେ ଫୁଟିଲା ଏ ଦୁହିଁଙ୍କୁ କେନ୍ଦ୍ରକରି ସନ୍ଦେହର ସେତିକି ବୀଭତ୍ସ ହସ । ଆକାଶର ଅଷ୍ଟମୀ ଚାନ୍ଦକୁ ଚାହିଁ ଦୀଘା ବେଳା ଭୂମିଉପରେ ବସି ରହି ରଶ୍ମୀକୁ ଅମୀୟ ପ୍ରଶ୍ନ କରିଥଲେ, ଏ ଅଶ୍ଳୀଳ ପାମ୍ପଲେଟ୍‍ର ଅବସାନ କେବେ ଘଟିବ ରଶ୍ମୀ... ? ଚକିତ ହୋଇ ରଶ୍ମୀ ବ୍ୟଥିତ କଣ୍ଠରେ ଉତ୍ତର ଦେଇଥିଲା, ଏ’ ଲେଖା ଅପପ୍ରଚାରର ମୃତ୍ୟୁ ଘଟାଇବେ ଆପଣ... I କୁହନ୍ତୁ ଯାଇ ବାପାଙ୍କୁ...ଆମର ବିବାହର ଦିନ ଧାର୍ଯ୍ୟ କରିବା ପାଇଁ । ରଶ୍ମୀର ଆଖିରୁ ଝରୁଥିଲା ଅସରନ୍ତି ଅଶ୍ରୁ...-I କିନ୍ତୁ ଅମୀୟଙ୍କୁ ମନେହେଉଥିଲା, ବେଳାଭୂମି ଉପରେ ମୁଠା ମୁଠା ବାଲି ପରି ଭବିଷ୍ୟତର ରଙ୍ଗୀନ୍ ସ୍ଵପ୍ନ ସବୁ ତଳେ ଝରି ନିଃଶେଷିତ ହୋଇଯାଉଛି ।

 

ରଶ୍ମୀର ବାପା ନୃପତିବାବୁଙ୍କ ବୈଠକଖାନାରେ ଅମୀୟ ରଙ୍ଗନାଥକୁ ଦେଖି, ସନ୍ଦେହର କଳାଛାଇରେ ନିଜକୁ ଆତ୍ମଗୋପନ କରିଥିଲେ । ତା’ପରଦିନ ସନ୍ଦେହରେ କ୍ଷୁର୍ଣ୍ଣ ହୋଇଥିବା ଜୀର୍ଣ୍ଣ ମନକୁ ଦୋହଲାଇ ଦୋହଲାଇ ଉପସ୍ଥିତ ହେଲେ ନୃପତିବାବୁଙ୍କ ବୈଠକଖାନାରେ । ନୃପତିବାବୁ କିଛି ପ୍ରଶ୍ନ କରିବା ଆଗରୁ ଅମୀୟ ପ୍ରଶ୍ନ କରିଥିଲେ ‘ଶୁଣିଥିଲି, ଇଞ୍ଜିନିୟର ରଙ୍ଗନାଥ ମହାପାତ୍ରଙ୍କୁ ଆପଣ ଜାମାତା କରୁଛନ୍ତି...ସତ କି ?” ଏକ ଖୋଲା ହସରେ ନୃପତିବାବୁ ଥରାଇଦେଲେ ବୈଠକଖାନାକୁ...ତା’ପରେ ସାମାନ୍ୟ ଥମକି ଯାଇ କହିଲେ, “ତମ ମନକୁ କେମିତି ପାଉଚି ବାପା ଏ ପ୍ରସ୍ତାବଟା— ? ଏଥରକ ଯେମିତି ଅମୀୟଙ୍କ ପାଳି ପଡ଼ିଛି ଏ ନିସ୍ତବ୍ଧ କକ୍ଷକୁ ପୁନଃ ଥରାଇବା ପାଇଁ— I ଭୀଷଣ କ୍ରୋଧରେ ଅଗ୍ନିଶର୍ମା ହୋଇ ଚିତ୍କାର କରିଉଠିଲେ ଅମୀୟ— ଆପଣ ବିଶ୍ୱାସର ଅଭଙ୍ଗା ସ୍ତମ୍ଭକୁ, ହାତମାରି ଭାଙ୍ଗି ଚୂରମାର କରିଦେବା ପାଇଁ ମନରେ ଯେଉଁ ଆଶାବାନ୍ଧି ବସିଛନ୍ତି, ସେ ଆଶା, ନିଶ୍ଚୟ ନିରାଶାରେ ପରିଣତ ହେବ—

ସ୍ତବ୍ଧ ହୋଇଗଲେ ନୃପତିବାବୁ—

ଜଳନ୍ତା ପାଇପ୍‍ଟାକୁ ଅଧର ଫାଙ୍କରେ ଭରିଦେଇ ଗମ୍ଭୀର କଣ୍ଠରେ ନୃପତିବାବୁ କହିଲେ, ବହୁ ଅତୀତରେ, କେତୁଟା ଟଙ୍କା ମୁଁ ତମ ବାପାଙ୍କୁ ଦେଇନପାରି ବୋହୂ କରିବା ପାଇଁ ମୋ ଝିଅକୁ କଥା ଦେଇଥିଲି । ବର୍ତ୍ତମାନ ତମେ କିମ୍ବା ତମ ବାପା, ସେ ଟଙ୍କା ମୋ’ଠାରୁ ଫେରାଇ ନେଇ ପାରନ୍ତି–ହଃ–ହଃ–ଟଙ୍କା ଅଭାବରେ ମୁଣ୍ଡବିକିବା ଅବସ୍ଥା ମୋର ସୁଧୁରି ଯାଇଛି ଅମୀୟ । ତମେ ଯେମିତି ଜଣେ ବିଶିଷ୍ଟ କଣ୍ଟ୍ରାକ୍ଟରର ପୁଅ, ରଶ୍ମୀ ମଧ୍ୟ ଠିକ୍ ତମଭଳି ଜଣେ ଧନିକ କଣ୍ଟ୍ରାକ୍ଟରର ଝିଅ ।

କିଛି ଖାଦ୍ୟ ସାମଗ୍ରୀ ଓ କଫି କପ୍ ଆଣି ସେଣ୍ଟର ଟେବୁଲ ଉପରେ ରଶ୍ମୀ ସଜେଇ ରଖୁ ରଖୁ ବାପାଙ୍କ କଥାର ଶେଷ ଧାଡ଼ିକ ଶୁଣି ଆନନ୍ଦରେ ଉଚ୍ଛ୍ଵସିତ ହୋଇ କହିଲା, ‘କୁହନ୍ତୁ ତା’ହେଲେ ବାପା ! ଆମ ଦୁହିଁଙ୍କର ବିବାହ କେବେ... ? ଯାହା ହେଉ ମଣିଷ ଏ ଅଶ୍ଳୀଳ ପାମ୍ପଲେଟ୍‍ରୁ ମୁକ୍ତି ପାଇବ’... I

ନିଃଶେଷ ପାଇପ୍‍ଟାକୁ ଆସଟ୍ରେରେ ରଖି ଦେଇ କ୍ଷୀଣ କଣ୍ଠରେ ନୃପତିବାବୁ କହିଲେ, ଜୀବନଟା କେବଳ ଗୁଡ଼ାଏ ଅଶ୍ଳୀଳ ପାମ୍ପଲେଟ୍‍ର ସମଷ୍ଟି ମାଆ । ତୁ ପାମ୍ପଲେଟ୍‍କୁ ଡରୁଛୁ... ? ମୁଁ ଚାହେଁ ବଂଶ ମର୍ଯ୍ୟାଦା... I ଅମୀୟକୁ ବିବାହ ନ କରି, ରଙ୍ଗନାଥକୁ ବିବାହ କଲେ, ସମ୍ମାନ ପାଇବି-। ତୁ ପାଇବୁ ପାମ୍ପଲେଟ୍‍ ପିଟାରୁ ମୁକ୍ତି... ।

ଏକ ଜଡ଼ ନିର୍ଜୀବ, ନିସ୍ପନ୍ଦ ମୂର୍ତ୍ତି ଭଳି ବସି ରହିଥିଲେ ଅମୀୟ ମଥାନତ କରି । ଚଳଚିତ୍ରର କାଳ୍ପନିକ କାହାଣୀ ଭଳି ଏ ବାସ୍ତବତା ତାଙ୍କୁ ବୋଧ ହେଉଥିଲା ନିହାତି ଆବ୍‍ସର୍ଡ଼... ।

କାନ୍ଦି କାନ୍ଦି ପାଦତଳେ ଲୋଟି ଯାଉଥିଲା ରଶ୍ମୀ...କୁହ ତେବେ ବାବା । କାହିଁକି ତମେ ଅମୀୟଙ୍କ ସହିତ ଅବାଧ ମିଳାମିଶାକୁ ପ୍ରଶ୍ରୟ ଦେଇଥିଲ... ? କୁହ... । ନୀରବ କାହିଁକି...କୁହ...କୁହ...

ନୃପତିବାବୁ ଅଧର ଫାଙ୍କରେ କୃତ୍ରିମ ହସ ଭରି ଉତ୍ତର ଦେଲେ, ତୁ ପାଠ ପଢ଼ାରୁ ଓହରି ନ ଯିବୁ ବୋଲି... । ଗୋଟାଏ ଏନଗେଜମେଣ୍ଟରେ ବ୍ୟସ୍ତ ରହିଲେ ୟଙ୍ଗ ଲାଇଫ୍‍ଟା ମୋରସ୍ ଲାଗିବନି...ପାଠ ପଢ଼ାରେ ଆଗ୍ରହ ବଢ଼ିବ...ତା’ଛଡ଼ା...

ତା’ଛଡ଼ା... ? ରଶ୍ମୀର ବ୍ୟଥିତ କଣ୍ଠସ୍ଵର...

ତା’ଛଡ଼ା ଅମୀୟ ବାପାର ଦଶହଜାର ଟଙ୍କାରୁ ଋଣ ମୁକ୍ତ ହେବା ଲାଗି ସନ୍ଦେହ ନ କରିବାର ଉପାୟ...

ଉଠି ଠିଆ ହେଲେ ଅମୀୟ । ମୁଣ୍ଡ ଉପରେ ଖସି ପଡ଼ୁଥିବା ଛାତଟାକୁ ସତେ ଯେପରି ସେ ହାତ ମୁଠାରେ ଅଟକାଇ ଦେବେ । ଚେତନା ଗ୍ରନ୍ଥିରେ ବିଷାକ୍ତ ଶିହରଣ...

ନୃପତିବାବୁ ସେ କକ୍ଷ ପରିତ୍ୟାଗ କରି ସାରିଥିଲେ । ଭୂଇଁରେ ଲୋଟିପଡ଼ି କ୍ରନ୍ଦିତା ରଶ୍ମୀକୁ ଉଠାଇ ବୁକୁରେ ଚାପିଧରି କହିଥିଲେ, ‘କାନ୍ଦନି ରଶ୍ମୀ ମୁଁ ତମ ଅଧରରେ ହସ ଫୁଟାଇବାକୁ ଆସିଥିଲି । ତମେ କାନ୍ଦିଲେ ମୁଁ ବୋଧେ ପାଗଳ ହୋଇଯିବି... I ବାପା ତମର ଋଣମୁକ୍ତ ଆଜି । ଆଉ ତମେ ମଧ୍ୟ ମୁକ୍ତ ଅଶ୍ଳୀଳ ପାମ୍ପଲେଟ୍ ଛାପାରୁ... । ତମେ ରଙ୍ଗନାଥକୁ ବିବାହକରି ସୁଖୀ ହୁଅ ରଶ୍ମୀ... । ମୁଁ ଯାଉଛି ।’

ଏଗାରଟା କୋଡ଼ିଏ ହେଲା । ବାହାର ଫାଟକ ଖୋଲିବାର ଶବ୍ଦ ହେଉଛି । ରଙ୍ଗନାଥ ଆସିଲା ବୋଧହୁଏ... । କ୍ରାମ୍ପେନ୍ ଗ୍ରୀନର ନୂଆ ଫିଆଟ୍‍ଟା ଅବଲୀଳାକ୍ରମେ ନବବଧୂ ଭଳି ଆସ୍ତେ ଆସ୍ତେ ପ୍ରବେଶ କରୁଛି ଗ୍ୟାରେଜ୍ ଭିତରକୁ । ପୋର୍ଟିକୋ ତଳେ ଠିଆ ହୋଇ ରହି ଅମୀୟ ଲକ୍ଷ୍ୟହୀନ ଭାବେ ଚାହିଁ ରହିଲେ ରଙ୍ଗନାଥକୁ ।

ଡ୍ରାଇଭରର କାନ୍ଧରେ ନିସ୍ତେଜ ଶରୀରଟା ଭରା ଦେଇ, ସମ୍ପୂର୍ଣ୍ଣରୂପେ ହାଲ୍‍କା କରି ଦେଇଛି ରଙ୍ଗନାଥ । ବାରଣ୍ଡା ଉପରକୁ ଉଠିବା ପାଇଁ ଛୋଟ ପାହାଚକୁ ଅତିକ୍ରମ କରିବାକୁ ଦେହରେ ବଳ ନାଇଁ ତା’ର... ।

ରଶ୍ମୀ ତୀର ବେଗରେ ଛୁଟି ଆସି ରଙ୍ଗନାଥକୁ ଟେକି ନେଇ ଗଲେ କକ୍ଷ ଭିତରକୁ... । ବାହାରେ ଆସି ଡ୍ରାଇଭର ଉଦ୍ଦେଶ୍ୟରେ ପ୍ରଶ୍ନ କଲେ, କ୍ଲବ୍ ଘରେ ଆଜି ମିସେସ୍ ଦୁବେ ଥିଲେ କି...-? ପ୍ରତିଦିନ ଅପେକ୍ଷା ସାହେବ ଆଜି ଟିକେ ବେଶି ପିଇ ଦେଇଛନ୍ତି... ।

ଡ୍ରାଇଭର ‘ହଁ’ର ଇଙ୍ଗିତ ଦେଇ ଛୋଟ କାଗଜଟିଏ ବଢ଼ାଇ ଦେଲା ।

କାଗଜଟିକୁ ପଢ଼ି ବିସ୍ମିତା ହେଲା ସେ । ହୁଇସ୍କି ଓ କ୍ଲବ୍ ଚାନ୍ଦା ବାବଦ ବାରଶହ ପଚାଶ’ଟଙ୍କା...ରଶ୍ମୀ କଣ୍ଠରେ ଅସ୍ପଷ୍ଟ ଉଚ୍ଚାରଣ !

 

କେତେ ଦିନର ବାକିଆ ଇଏ... ? ଆଖିରୁ ଲୁହ ରୋକି ଅମୀୟ ପ୍ରଶ୍ନ କଲେ ରଶ୍ମୀ ଉଦ୍ଦେଶ୍ୟରେ... । କେତେ ବା ଟଙ୍କା...ଛାଡ଼ନ୍ତୁ ମିସେସ୍ ମହାପାତ୍ର...କିନ୍ତୁ ରଙ୍ଗନାଥର ଅବସ୍ଥା...

 

ସଙ୍କଟାପନ୍ନ... । ସେ ପ୍ରତ୍ୟହ ଏଇଭଳି ଅସଂଯତ ଅବସ୍ଥାରେ ଘରକୁ ଫେରନ୍ତି । ଜାଣେନା, ଏ ଅଭିଶପ୍ତ ଜୀବନରୁ କେବେ ମୁକ୍ତି ପାଇବି ମୁଁ... । ଏତକ କହି ସାରିବା ପରେ ରଶ୍ମୀ ଦିଶୁଥିଲେ, ଏକ ବୈଶାଖ ମଧ୍ୟାହ୍ନର ଉପଗଳି ଭଳି ଉଦାସ... I

 

ଏ ବ୍ୟଥିତ ପରିସ୍ଥିତିରେ ମୁଁ ଏଠି ମିନିଟିଏ ରହିବାକୁ ଚାହୁଁନି ମିସେସ୍ ମହାପାତ୍ର...ଏଭଳି ଭାବେ ରଙ୍ଗନାଥ ଯେ ବଦଳି ଯାଇଛି । ଜାଣିଥିଲେ ଏଠାକୁ ଆସି ନ ଥାନ୍ତି । ମତେ ଚାଲିଯିବା ପାଇଁ ଅନୁମତି ଦିଅନ୍ତୁ...

 

ଏତେ ରାତିରେ ଆପଣ ଯିବେ କୁଆଡ଼େ... ? ଅନ୍ତତଃ ଏ ରାତିଟା ପରେ ଯେମିତି ଆଉ ଏ ଦୁଆର ନ ମାଡ଼ନ୍ତି ।

 

ମ୍ଳାନ ଡିନାର ଟେବୁଲରୁ ଖାଦ୍ୟ ସାମଗ୍ରୀ ନିଃଶେଷ କରି ଶୟନ କକ୍ଷରେ ପ୍ରବେଶ କଲେ ଅମୀୟ । ବଙ୍ଗଳା ନିର୍ଜନ ହେଲା । ଅନ୍ଧକାର କକ୍ଷ ନୀଳ ବଲ୍‍ବ ବିଶିଷ୍ଟ ଟେବୁଲ୍ ଲାଇଟରେ କ୍ଷୀଣ ଆଲୋକିତ ହେଲା ।

 

ସଂଲଗ୍ନ ଦୁଇଟି କୋଠରୀ ।

 

ଗୋଟିଏ ନିଜର ଓ ଅନ୍ୟଟି ରଙ୍ଗନାଥ ଓ ରଶ୍ମୀଙ୍କର । ଅମୀୟଙ୍କ ଉପରେ ଏକ ଉଦାସ ଦୃଷ୍ଟି ତୋଳି ନିଜର ଶୟନ କକ୍ଷର ଦରଜା ବନ୍ଦ୍ କଲା ରଶ୍ମୀ ।

 

ଏକ ହତାଶର ଦୀର୍ଘଶ୍ଵାସ ଛାଡ଼ି ଅମୀୟ ଦେହରେ ରେଜେଇ ଢାଙ୍କିଲେ । ଦୂର ଅତୀତରେ ହଜି ଯାଇଥିବା ଅସ୍ପଷ୍ଟ ସ୍ମୃତିଗୁଡ଼ା ଯେମିତି ସ୍ପଷ୍ଟ ହୋଇଯାଉଛି ଅମୀୟଙ୍କ ଆଖିରେ । ନୃପତିବାବୁଙ୍କ ଅନୁପସ୍ଥିତିରେ ରଶ୍ମୀ ନିଜର ଶୟନ କକ୍ଷରେ ଦରଜା ବନ୍ଦ୍ କରିଥିଲା ଅମୀୟଙ୍କୁ ଭିତରେ ରଖି...ସେଦିନ ରଶ୍ମୀର ଆଖି ଥିଲା, କି ମମତା ମଧୁର... ।

 

କିନ୍ତୁ ଆଜି... ? ନାଁ—ସେ ଅତୀତକୁ ସ୍ପଷ୍ଟ ହେବାକୁ ଦେବେନି ଅମୀୟ ।

 

ଆଃ...ଏ’ କି ବିକଟ ଚିତ୍କାର...ରଙ୍ଗନାଥ ଚିତ୍କାର କରୁଛି...ବିଛଣା ଉପରେ ଦୁଲକିନା କଚି ଦେବାର ଏକ ଶବ୍ଦ... । ରଶ୍ମୀର ବିକଳ କ୍ରନ୍ଦନ ସ୍ଵର... ।

 

ରେଜେଇ ଭିତରୁ ବାହାରି ଗୋଡ଼ରେ ସ୍ଲିପର ଗଳାଇଲେ ଅମୀୟ । ଆସ୍ତେ ଯାଇ ଦରଜା ପାଖରେ ଠିଆ ହେଲେ ସେ... । ରଶ୍ମୀର ବିକଳ କାନ୍ଦଣାରେ ତାଙ୍କ ମନହେଉଥିଲା ଏକ ଶକ୍ତ ଧକ୍କାରେ ଦରଜାକୁ ଭାଙ୍ଗି ଭିତରେ ପଶିଯାଆନ୍ତେ । କିନ୍ତୁ...ଅଟକି ଗଲେ ଅମୀୟ

 

ବିଚଳିତ ହୋଇ ଉଠିବା ବେଳେ ପୁଣି ଗୁଡ଼ାଏ ଅସ୍ପଷ୍ଟ କଣ୍ଠର ଆବାଜ ବ୍ୟସ୍ତ କରି ପକାଇଲା ତାଙ୍କୁ... । ଆଃ...ରଙ୍ଗନାଥ ! ତୁ ମତେ ପିଟି ପିଟି ମାରିଦେ... । କିନ୍ତୁ ରଶ୍ମୀକୁ...ମୋରି ଉପସ୍ଥିତିରେ...ନାଁ...ଅସହ୍ୟ...

 

ଏକ ଶକ୍ତ ଧକ୍କାରେ ରଙ୍ଗନାଥ ଶୟନ କକ୍ଷର ଦରଜା ହୁକ୍ ଖୋଲିଗଲା । ସ୍ତବ୍ଧ ରଙ୍ଗନାଥର ହାତରେ ଭଙ୍ଗା ମଦବୋତଲ ଅର୍ଦ୍ଧନଗ୍ନ ଅବସ୍ଥାରେ ରଶ୍ମୀ କଇଁ କଇଁ କାନ୍ଦୁଛି । ତା’ର ଗୋଟିଏ ବୁକୁରୁ ଝରି ପଡ଼ିଛି ରକ୍ତ । ବୋଧହୁଏ ଭଙ୍ଗା ବୋତଲର ଆଘାତ ପାଇ ରଶ୍ମୀର ବୁକୁ କ୍ଷତ...ବିକ୍ଷତ ।

 

ବିକ୍ଷତ ବକ୍ଷକୁ ହାତରେ ଚାପି ଧରି ରଶ୍ମୀ କହୁଛି, ଗାଡ଼ି ନେଇ ଗୋଟାଏ ହୁଇସ୍କି ଆଣି ଦେଇ ପାରିବେ ଚ‌ୌଧୁରୀବାବୁ...ମୋର ଜମା ଖିଆଲ ନାଇଁ ହୁଇସ୍କି ସରି ଯାଇଛି ବୋଲି...

 

କିନ୍ତୁ ଅମୀୟଙ୍କୁ ମନେହେଉଥିଲା, ବଂଶର ମର୍ଯ୍ୟାଦାକୁ ରଶ୍ମୀ ଯେମିତି ଟିପ ମାରି ଚିହ୍ନେଇ ଦେଉଛି...

Image

 

ପାଖୁଡ଼ା

 

ସକାଳ ହେବାର ବହୁ ଆଗରୁ ନିକୁଞ୍ଜବାବୁ ନିଜର ନିତ୍ୟକର୍ମ ତୁଟାଇ ଗୋଟାଏ ଅର୍ଦ୍ଧଲିଖିତ ପ୍ରବନ୍ଧର ପୂରଣରେ ମନୋନିବେଶ କରିଛନ୍ତି । ଟେବୁଲ ସାରା ଅସ୍ତବ୍ୟସ୍ତ ହୋଇପଡ଼ି ରହିଚି ଗୁଡ଼ାଏ ପୁରୁଣା ଛାପା ଅକ୍ଷର ଆଉ ହସ୍ତାକ୍ଷରର ପୃଷ୍ଠା ସବୁ... । କିଛି ଗୋଟାଏ ଲେଖିବା ଆଗରୁ ଶହେଟା ପଢ଼ିବା ପାଇଁ ବ୍ୟାକୁଳ ହୁଅନ୍ତି ସେ । ପଢ଼ିବା ସମୟରେ ହିଁ ତାଙ୍କ ମନରେ ଉଦ୍ରେକ ହୁଏ ଅନେକ ଲେଖାର ବ୍ୟାକୁଳତା... । ସେଇ ବ୍ୟାକୁଳତାକୁ ପାଇବା ପାଇଁ ସେ ଅନେକ ସମୟ ପଢ଼ି ପଢ଼ି ଶେଷରେ ଲେଖନୀ ଚଳାନ୍ତି ଅତି ଆଶ୍ଚର୍ଯ୍ୟ ମାର୍ଗରେ । ଉନ୍ନତ ପ୍ରବନ୍ଧ ଲେଖକ ହିସାବରେ ନିକୁଞ୍ଜବାବୁଙ୍କର ବେଶ୍ ସୁନାମ । ମାତ୍ର କବିତାକୁ ତାଙ୍କର ପସନ୍ଦ ଅତ୍ୟଧିକ । ଅନେକ ସମୟ ସେ କବିତା ଲେଖାରେ ହିଁ ନିଜକୁ ନିୟୋଜିତ କରନ୍ତି । ପ୍ରବନ୍ଧ ପୂରଣର ତାଗିଦା ମନଭିତରେ ଥାଇ ମଧ୍ୟ ସେ ଦୁଇଟି କବିତା ଲେଖି ପୂରଣ କରି ସାରିଲେଣି... । ନାଁ—ଏଥର ସେ କବିତା ନ ଲେଖି ପ୍ରବନ୍ଧ ଲେଖିବେ । ସମ୍ପାଦକଙ୍କର ତାଗିଦା ଓ ନେହୁରା ପତ୍ର ମଧ୍ୟ ଟେବୁଲ ଉପରେ ଆଶ୍ରୟ ନେଇଚି । ବ୍ୟସ୍ତତାରେ ଲେଖନୀର ମୃଦୁ ଚାଳନାବେଳେ ଗବାକ୍ଷରେ ବାରମ୍ଵାର କରାଘାତ ନିକୁଞ୍ଜବାବୁଙ୍କୁ ବ୍ୟସ୍ତ କରି ପକାଇଲା ।

 

ନିଶ୍ଚୟ ଏ ଡାକରା ନିର୍ମଳାଙ୍କର । କାହିଁକି ସେ ଜାଣି ଜାଣି ବ୍ୟସ୍ତ କରାନ୍ତି ନିକୁଞ୍ଜବାବୁଙ୍କୁ-? ସକାଳୁ ଘର ଝଡ଼ା, ଲୁଗା ସଫା, ପାଣି ରଖା, ଆଉ ମେହେନ୍ତ୍ରାଣୀକୁ ପାଣି ଦେବା କାମ ବି ତୁଟାଇ ଦେଇ ଥାଆନ୍ତି ନିକୁଞ୍ଜବାବୁ, ନିର୍ମଳା ଉଠିବା ଆଗରୁ । ତଥାପି ନିର୍ମଳା, ନିକୁଞ୍ଜବାବୁଙ୍କର ଲେଖିବା ମୁହୂର୍ତ୍ତଗୁଡ଼ାକୁ ଆଦୌ ସହ୍ୟ କରିପାରନ୍ତି ନାଇଁ । ଯେକୌଣସି ଉପାୟରେ ସେ କିଛି ନାଁ କିଛି ଅଭିଯୋଗ ବାଢ଼ି ସେ ସମୟତକ ନଷ୍ଟ କରି ଦିଅନ୍ତି ଅତି ନିର୍ଦ୍ଦୟ ଭାବରେ । ସବୁ ଜାଣି ମଧ୍ୟ ନିର୍ମଳାଙ୍କୁ ଉପେକ୍ଷା କରିବା, ନିକୁଞ୍ଜବାବୁଙ୍କ ସମସ୍ତ ଶକ୍ତିର ବାହାରେ ।

 

କ୍ରୋଧ ଓ ବିରକ୍ତିକୁ ଚାପି ଦେଇ ସ୍ଥିର ଚିତ୍ତରେ ନିକୁଞ୍ଜବାବୁ ଗବାକ୍ଷକୁ ଆସ୍ତେ ମୁକୁଳାଇ ଧରି ପ୍ରଶ୍ନ ତୋଳିଲେ, ନିର୍ମଳାଙ୍କୁ... ‘‘କ’ଣ କିଛି କହିବାର ଅଛି ?”

 

“ନ ଥିଲେ ତମ ପାଖକୁ ଆସନ୍ତି କାହିଁକି ?”

 

“କୁହ...କୁହ ତେବେ ଶୀଘ୍ର କ’ଣ କହିବ...ଲେଖାଟା ମୋର ଅଧାରେ ଅଛି ଯେ...”

 

“ଲେଖା...ଲେଖା ଦେଖାଇ ନିଜ ଦୋଷରୁ ତମେ ମୁକ୍ତି ପାଇଯିବ ବୋଲି ମତେ ଡରାଉଚ... ? ଆହେ ! କି ଲେଖା ନିତି ଲେଖୁଚ ? ଏ ଲେଖାରୁ ତୁମକୁ କେତେ ସୁନା କି ରୂପା କି ଟଙ୍କା କି ପଇସା ମିଳୁଚି ? ଲେଖି ଲେଖି କେତେ ଲୋକ ବଡ଼ ହୋଇଯାଇଛନ୍ତି କହିଲ ? ଯଦି ଲେଖି କରି ବଡ଼ ହୋଇଥାଆନ୍ତ, ତେବେ ଏ ଖଣ୍ଡିଆ ଘରେ ରହି କୋଠା ଘରର ଦୃଶ୍ୟ ଲେଖି ମନର ଓରିମାନା ମେଣ୍ଟାନ୍ତ ନାଇଁ । ନଈ କୂଳକୁ ନ ଯାଇ ନଈର ଶୀତଳତା ଅନୁଭବ କରୁଚ, ନୁହଁ-? ଯେତେ କହିଲି, ଖାଲି ମିଛ ଗୁଡ଼େ ଲେଖି ଲେଖି ସମୟ ନଷ୍ଟ କରନି...ଏଇ ସମୟରେ ତ କଲେଜ ପିଲାଙ୍କୁ ପଢ଼ାନ୍ତ ଯଦି ଟଙ୍କା ଆସି ଘରେ ଲହଡ଼ା ଭାଙ୍ଗନ୍ତା । ଟଙ୍କାର ଲହଡ଼ା ଦେଖିବାକୁ ମନ ବଳୁନି—ମିଛର ଲହଡ଼ା ଭିତରେ ଉବୁ ଟୁବୁ ହେବାକୁ ମନ ଧାଉଁଚି । ତମରି ଭଳି ପ୍ରଫେସର ତ ରାଉତରାଏ ବାବୁ...ବାଡ଼ି ବଗିଚା ଥାଇ ଦି’ ମହଲା କୋଠା ତୋଳି ଭଡ଼ା ଲଗେଇ ସାରିଲେଣି-। ତମ ଦେହି ହେଉ ନାଇଁ ମୋ କଥାକୁ ଫୁତ୍‍କାରରେ ଉଡ଼ାଇ ଦଉଛ । କଥାଟା ମୋର ନ ଶୁଣି, କ’ଣ ନା—ଲେଖାଟା ଅଧାରେ ଅଛି ।

 

ନିକୁଞ୍ଜବାବୁ କଣ୍ଠ ସ୍ଵରକୁ ବହୁ ନିମ୍ନ କରାଇ କହିଲେ “କଥାଟା ନ କହି ଏମିତି ରାଗୁଚ କାହିଁକି ? କୁହ କ’ଣ ହେଲା ?”

 

“ମତେ ପଚାରୁଚ କାହିଁକି ? ପଚାର ତମ ଝିଅକୁ ସକାଳୁ ସକାଳୁ ସିଏ ଏମିତି କାନ୍ଦୁଚି କାହିଁକି ?”

 

ବିସ୍ମୟରେ ନିକୁଞ୍ଜବାବୁଙ୍କ ଆଖି ତାଳୁରେ ଖୋସି ହୋଇଗଲା । ନିନା କାନ୍ଦୁଚି... ? ଗୋଟିଏ ବୋଲି ଝିଅ ନିନା...କେତେ ଗେଲ ବସର ସେ ନିର୍ମଳାଙ୍କର । ସେ କାନ୍ଦିଲେ ଯେ ନିର୍ମଳା ସହ୍ୟ କରିବେ ନାଇଁ...ଏ କଥା ନିକୁଞ୍ଜବାବୁ ବେଶ୍‍ ଉପଲବ୍ଧି କଲେ ।

 

ନରମ କଣ୍ଠରେ ନିକୁଞ୍ଜବାବୁ ନିନାକୁ ପଚାରିଲେ, “ହଇଲୋ ମା ନିନି ! କ’ଣ ହେଲା କି-? କାନ୍ଦୁଚୁ ତୁ ?”

 

“କି ଲୋ କହୁନୁ (ପଛ ପାଖରୁ ନିନାକୁ ଭିଡ଼ି ଆଣି ନିକୁଞ୍ଜବାବୁଙ୍କ ପାଖକୁ ଠେଲି ଦେଇ) ଏତେ ବେଳକୁ ତ କ’ଣ ଚୁପ୍ ଆଉ ତ ଲେମ୍ବୁରସ ନିଗିଡ଼ି ପଡ଼ୁନି (କାନକୁ ମୋଡ଼ି ଦେଇ) କିଲୋ କହ—ଠିଆଟା ହୋଇଚ କ’ଣ ?”

 

“ଉଁ...ଉଁ...ମୋର ସବୁ କଣ୍ଢଇ ଗୁଡ଼ାକ ବାପା ରୂପେଇକୁ ଦେଇ ଦେଲେ...”

 

“ଶୁଭିଲା ? ଝିଅ କ’ଣ କହୁଚି ?”

 

ରୁପେଇ ବାଡ଼ି ସଫା କରିବା ମେହେନ୍ତ୍ରାଣିର ଝିଅ । ସେ ତା’ ମାଆର ଅନୁପସ୍ଥିତିରେ ଆସି ବେଳେ ବେଳେ ବାଡ଼ି ସଫା କରିଦିଏ । ତା’ଠାରୁ କାମ ହାସଲ କରିବା ଉଦ୍ଦେଶ୍ୟ ନେଇ ତାକୁ ଖୁସି କରାଇବା ପାଇଁ ନିକୁଞ୍ଜବାବୁ କେବେ କେମିତି ଖଣ୍ଡେ ନିନିର ପୁରୁଣା ଫ୍ରକ ତାକୁ ଦେଇ ଦିଅନ୍ତି-। ରୂପେଇ ଓଠରେ ହସ, ଆଉ ମନରେ କୃତଜ୍ଞତା ଭରି ଚାଲିଯାଏ ।

 

ୟା’ ବୋଲି ରୂପେଇକୁ ନିନାର କଣ୍ଢେଇ ?

 

ଛିଃ...ଛିଃ...ନିର୍ମଳା କ୍ରୋଧରେ ଅଗ୍ନିଶର୍ମା ପାଲଟି ଗଲେ । ନିକୁଞ୍ଜବାବୁଙ୍କ ମୁହଁକୁ ଖାଲି ଚାହିଁ ଥାଆନ୍ତି ପୁଣି ଆଖି ଫେରାଇ ଆଣୁ ଥାଆନ୍ତି । ପୁଣି ଚାହୁଁ ଥାଆନ୍ତି ଆଖି ଫେରାଇ ଆଣୁ ଥାଆନ୍ତି ।

 

ଗୋଟା ଗୋଟା ଦ୍ୱିପ୍ରହର ଲାଗି ସେ ଧଳା ବଳିତା କନାରେ ଆଖି, କାନ, ନାକ ତିଆରି ଜାତି ଜାତିକା କଣ୍ଢେଇ କରି ଦେଉଥିଲେ । କିଏ ରାଜା...ରାଣୀ ବି କିଏ । ପାଟ ମନ୍ତ୍ରୀ କଟୁଆଳ ପୁଅ ବି ବାଦ୍ ଯାଇନଥିଲେ । ଗଲା ବରଷ ବାଲିଯାତ୍ରାରୁ ଯେତେ କିସମର ମାଟି କଣ୍ଢେଇ (ପିଲାଙ୍କୁ ଗୋଡ଼ରେ ରଖି ଶୁଆଉ ଥିବାର ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ରାଧା ଏକାକୀ ଦୋଳିରେ ଝୁଲୁଥିବା କଣ୍ଢେଇ...କୁଲେଇ ଧରି ପାଛୁଡ଼ୁ ଥିବାର କଣ୍ଢେଇ ଇତ୍ୟାଦି) କିଣେଇ ଦେଇଥିଲେ । ଆଉ ମଧ୍ୟ ଚିତ୍ରକାରକୁ ବରାଦ ଦେଇ ବାଘ, ସିଂହ, ମିରିଗ, ହରିଣ, ବିରାଡ଼ି, କୁକୁରଙ୍କର ଅସଂଖ୍ୟ କଣ୍ଢେଇ କିଣି ରଖିଛନ୍ତି କ’ଣ ଏ ରୂପେଇ ଲାଗି ?

 

“ଉଠୁ ଉଠୁ ଟିକିଏ ଡେରି ହୋଇଗଲା ବୋଲି ଘରଟାଯାକ ଜିନିଷ ତମେ ରୂପେଇକୁ ଦେଇ ଦେଲ ?”

 

“ନାଇଁ ମ ଘରଟାଯାକ କ’ଣ ଦେଲି ? ମସିଆ ମସେଇ କନାର କଣ୍ଢେଇ ଗୁଡ଼ାକ ୟା’ଡ଼େ ସିଆଡ଼େ ପଡ଼ି ଅସନା ଦିଶୁଥିଲା । କହିଲି, ଫିଙ୍ଗିଦେବୁ କାହିଁକି ତୁ ନେଇଯା ରୂପେଇ...”

 

“କ’ଣ ତମ ମନରେ ? ପଚାରିଲ ନାଇଁ ନିନାକୁ ନ ହେଲେ ମତେ ପଚାରି ଥାଆନ୍ତ...ଏଇ ଘରେତ ଶୋଇଥିଲି । କୋଉ ମରିଯାଇଥିଲି...”

 

ଉଃ...ନିକୁଞ୍ଜବାବୁ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । କିଛି କହି ନ ପାରି, ସେଠାରୁ ଚାଲିଆସିବା ପାଇଁ ଉଦ୍ୟତ ହେଉ ହେଉ ନିର୍ମଳା ପୁଣି ଆରମ୍ଭ କରିଦେଲେ ।

 

“ବୁଝିଲ ! ମତେ ଏଥର ତମେ ଡାଇଭୋର୍ସ କରିଦିଅ । ମୁଁ ତମ ଅଧୀନରେ ରହି ଚଳିବା ପାଇଁ ହାତ କାଟି ଲେଖି ଦେଇନି । ଏମିତି ତମର ମନ...ଯାହା ଚାହିଁବ, ତା’ କରିବ । ସେଦିନ ସେମିତି ଚାକର ଟୋକାଟାର ହାତ ଧରି ଟାଣି ଆଣି ଘରେ ପୂରେଇ ଦେଇ କହିଲ, “ଛିଃ...ଛିଃ ମାଆଙ୍କ କଥା ଧରନ୍ତି ? କ’ଣ ଦୋଷ କରି ଦେଇଥିବୁ ବୋଲି ପଦେ କହି ଦେଇଥିବେ । ଏଥିପାଇଁ ଯିବୁ ଭାରି ?” ଯିବନି କ’ଣ ମୋ ପାଖରେ ରହି ଦାଉ ସାଧିବ ? ମତେ ପଦକୁ ପଦ ଜବାବ ଦେଲା, ଚଟକଣାଟାଏ ପକେଇ ଦେଲାରୁ ମୋର ହେଲା ଦୋଷ ? ତାକୁ କଅଁଳ କଥା କହି ଜାଣୁଚ...ମତେ କହିଲା ବେଳକୁ ପଦେ ଜିଭ ଲେଉଟୁ ନାଇଁ ? ଆରେ...”

 

ନିର୍ମଳାଙ୍କୁ ବୁଝାଇବା ପାଇଁ ନିକୁଞ୍ଜବାବୁ ଆଉ ସମର୍ଥ ନୁହନ୍ତି । ଥରେ ନିର୍ମଳା ରାଗିଲେ ଆଉ ନିସ୍ତାର ନାଇଁ । ନିକୁଞ୍ଜବାବୁଙ୍କ ଚଉଦ ପୁରୁଷ ଗାଳି ଖାଇ ଯିବେ । ଏ ଗାଳି କିଛି ନୁହେଁ ।

 

“ମୁଁ ଯାଉଚି । ମୋର କ’ଣ ବାପ ଘର ନାଇଁ । ଭାଇ ଭଉଣୀ ଘରେ ଗଣ୍ଡା ଗଣ୍ଡା । ତମଭଳି ଆମର ଏମିତି ନିଉଛୁଣା ଘର ନୁହଁମ, ଖୁଣ୍ଟଭଳି ଗୋଟେ ପୁଅ ପୋଷ୍ୟ...କରା ପୁଅଟା ପୁଣି ଅନ୍ଧ... । ଗାଁରେ ଜମିତକ ଖାଇ ଠେଙ୍ଗାଧରି ବସିଚି... (ନିକୁଞ୍ଜବାବୁ ଗାଁକୁ ଗଲେ, କାଳେ ଚାଉଳ ଡାଲି ମାଗିବେ ବୋଲି, ‘ନିଭୃତ’ଙ୍କ ହାତରେ ସତର୍କ ପ୍ରହରୀ ଭଳି ସବୁବେଳେ ଠେଙ୍ଗା...) ତମେ ସିନା କୁଆଡ଼େ ଯାଇ ପାରିବ ନାହିଁ— ମୋର ଯିବାକୁ ଅନେକ ରାସ୍ତା । ମୁଁ ତୁମକୁ ଡରି ମରି କାହିଁକି ଥିବି ମଁ ?

ନିକୁଞ୍ଜବାବୁ ନିର୍ବାକ୍‍ । ସେ କିଛି କହିବା ଆଗରୁ ନିର୍ମଳାଙ୍କ ବକ୍ତବ୍ୟ ରେଳଗାଡ଼ିଭଳି ଦଉଡ଼ୁଚି । ନା ସେ ରହିବାର...ନା ସେ କମିବାର...

“ଜାଣିଚି ତ ମୁଁ ସକାଳୁ ଟିକିଏ ଶୋଇପଡ଼େ । ଉଠୁ, ନ ଉଠୁଣୁରୁ କିଆଁ ଏତେ କାଣ୍ଡ କରି ବସ । ଲେଖାତ ତମର ପାହାଡ଼ ପ୍ରମାଣ ଗଦା ହୋଇଚି—ସେଥିରେ ହାତ ନଦେଇ କଣ୍ଢେଇ ଗୁଡ଼ାକରେ କାହିଁକି ଏତେ ନଜର ତମର ? ଘର ତମର ଏମିତି ମଇଳା ହୋଇଯାଉଛି ? ଘର ତ ମଇଳା ହୋଇଯିବ ବୋଲି ଆଣ୍ଠୁକୁଡ଼ା ହୋଇ ବସିଚି ଏ ଯାଏଁ । ପିଲା କେଁ କଲେ ତମ ଲେଖା ହୋଇପାରିବ ନାଇଁ ବୋଲି ଆଉ କୋଉଥିରେ ମନ ନଦେଇ ସେଇ ଲେଖାରେ ମନପ୍ରାଣ ଢାଳି ଦେଇଚ ଜାଣିଚ ଏ ମାସରେ କାଗଜ ଆଉ କାଳି କେତେ ଆସିଚି ? ରଖିଚ ହିସାବ ତା’ର ? ସବୁ...ସବୁ ହିସାବ ମୋର ପାଟିରେ ମୁଖସ୍ତ । କେତେ ଟଙ୍କାର କାଗଜ କିଣା ହୋଇଚି...କବିତା ଲେଖି କେତେ ଟଙ୍କା ପାଇଚ...କୋଉ ସମ୍ପାଦକ ଚିଠି ଦେଲା ବେଳେ ଟଙ୍କାଟିଏ ସୁଦ୍ଧା ପଠାଇ ଦେଇଚି ? ସେଗୁଡ଼ାକ ମୁଣ୍ଡରେ ପଶି ଯାଉଚି । ଘର ଜିନିଷ ପରକୁ ଦେଲା ବେଳକୁ ମୁଣ୍ଡରେ କ’ଣ କମ୍‍ ବୁଦ୍ଧି ? ପ୍ରଫେସରଟାଏ ତ...

ନିର୍ମଳାଙ୍କର ଏ ତାଚ୍ଛଲ୍ୟ ନିକୁଞ୍ଜବାବୁଙ୍କୁ ଭାରି ବାଧିଲା । ବିନୟ ହୋଇ କରୁଣ କଣ୍ଠରେ କହିଲେ,

“ହଉ, ଏଥର ଆଉ ତମ ଜିନିଷ କାହାକୁ କିଛି ଦେବିନି । କାହିଁକି ଏମିତି ପାଟି କରୁଚ-?”

କ’ଣ କହିଲ ? ପାଟି ? ମୋ ପାଟି ତୁମକୁ ଏମିତି ଦିଶିଲା ? କ’ଣ ଏମିତି କହିଦେଲି ଯେ, ବାଧି ଯାଉଚି ? କହୁଚି, ଚୁପ୍ କରି ଯାଇ ରୂପେଇ ପାଖରୁ କଣ୍ଢେଇତକ ନେଇ ଆସ”...

ନିକୁଞ୍ଜବାବୁ ନିଜକୁ ବଡ଼ ନିଃସହାୟ ମନେକଲେ । ଉପାୟହୀନ ହୋଇ ବ୍ୟସ୍ତ କଣ୍ଠରେ କହିଲେ, “ଆରେ ଭଗୀ, ଚା’ କପେ ଆଣିଲୁ—ମୋ ପାଇଁ”...

“ଆଉ ମୋ ପାଇଁ ? ଏମିତି ତମେ ପୂଜାରୀକୁ ବରାଦ ଦେଇ ଜାଣ ? ଭାରି ରାଗ ଦେଖୁଚି । ପୂଜାରୀଟା ଯେମିତି ତମର ନିଜର ଲୋକ—ସେ’ତ ମୋ ବାପଘରୁ ଆସିଚି । ତମେ ତାକୁ ଚିହ୍ନିଥିଲ, ନାଁ ଜାଣିଥିଲ ? ତା’ ଉପରେ ତମର ଏମିତି ଅଧିକାର...ମୋର ନାଇଁ ? ଯାଅ କହୁଚି, ଆଗ ଯାଇ ମେହେନ୍ତର ସାଇରୁ କଣ୍ଢେଇତକ ଆଣ—ତେବେ ଯାଇ ଚା’ କି ଜଳଖିଆ, ନହେଲେ ସବୁ ଚା’ ତକ ଯାଇ ନଳାରେ ଢାଳିଦେବି ।”

ନିର୍ମଳାଙ୍କ ପାଇଁ ଚା’ତକ ନଳାରେ ଢାଳି ଦେବା କିଛି ବିଚିତ୍ର ନୁହେଁ । ଏମିତି ଥରେ ଲାଗିଥିଲା ବେଳେ ନିକୁଞ୍ଜବାବୁ ବଜାରରୁ ମାଛ ଆଣି ଘରେ ପଶୁଥିଲେ । ହାତରୁ ତାଙ୍କର ମାଛ ମୁଣି ଛଡ଼ାଇ ନେଇ ମାଛତକ ବାଡ଼ିପଟ ନର୍ଦ୍ଦମାକୁ ଫିଙ୍ଗି ଦେଇଥିଲେ ଚା’ତ ସାମାନ୍ୟ ମାତ୍ର...

ଅଗତ୍ୟା ନିକୁଞ୍ଜବାବୁ ପରିସ୍ଥିତିକୁ ଲାଘବ କରିବା ପାଇଁ କଠଉ ହଳକ ଗୋଡ଼ରେ ଗଳାଇ ରୂପେଇ ପାଖକୁ ବାହାରି ପଡ଼ିଲେ । ତରଳ ଲୁହା ପରି ଚାଇଁ ଚାଇଁ ଖରା ମୁଣ୍ଡରେ ଲେସି ହୋଇଯାଉଚି । ଦେହରୁ ବୋହି ଯାଉଚି ଅଜସ୍ର ସ୍ୱେଦ...ମାସଟା ଶେଷ ବୈଶାଖ...ନିଶ୍ଚୟ ।

 

ବାଟରେ ଦେଖାହେଲା ସହକର୍ମୀ ବ୍ରଜବାବୁଙ୍କ ସଙ୍ଗେ । ବ୍ରଜ ମିଶ୍ରଙ୍କ କୌତୂହଳୀ ଭାରି ଭାରି...କଣ୍ଠ... “କୁଆଡ଼େ ଏମିତି ଖରାଟାରେ ବାହାରି ପଡ଼ିଛନ୍ତି ନିକୁଞ୍ଜବାବୁ ?” ସାମାନ୍ୟ ଟିକିଏ ହସି ଦେଇ ନିକୁଞ୍ଜବାବୁଙ୍କର ସହଜ ଉତ୍ତର...‘‘ନାଇଁ ଟିକେ ବଜାର ଆଡ଼େ”...“ବଜାର ? ଆଉ ଶ୍ରୀମତୀ ଘର କମ୍ପାଉ ଥିଲେ ମେହେନ୍ତର ସାଇକୁ ଯିବାପାଇଁ ।”

 

ଅପ୍ରତିଭ ହୋଇ ନିକୁଞ୍ଜବାବୁଙ୍କ କଣ୍ଠରୁ ବାକ୍ୟ ସ୍ଫୁରିଲା ନାହିଁ । ଆତ୍ମଗ୍ଳାନିରେ ଚୁପ୍ ରହି ଗୋଟାଏ ନିର୍ବୋଧ ମେଷଭଳି ବ୍ରଜବାବୁଙ୍କ ମୁହଁକୁ ଚାହିଁରହିଲେ । ନିର୍ମଳାଙ୍କ ଲାଗି ବାହାରେ ସମସ୍ତଙ୍କ ପାଖରେ ଏମିତି ନିକୁଞ୍ଜବାବୁଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼େ । କେତେଥର ସେ ନିର୍ମଳାଙ୍କୁ ବୁଝାଇ କହି ନାହାନ୍ତି, ଯାହା କହୁଚ ତୁନି ତୁନି କହ, ପାଖ ପଡ଼ୋଶୀ ଶୁଣିଲେ କ’ଣ କହିବେ ? ନିର୍ମଳାଙ୍କ ବିଚାର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ସେ କୁହନ୍ତି,

 

“କ’ଣ କହିବେ ? ମୋ ନାଁରେ କେଶ୍ କରିବେ ? ମୁଁ ସେମାନଙ୍କ ଜାଗିର ଖାଇ ଚଳୁନି ମଁ, ସେମାନଙ୍କୁ ଡରି ଚଳିବି । ମୋ ଘରେ ମୁଁ ପାଟି କଲି ସେମାନଙ୍କର ଯାଏ କେତେ ଆସେ କେତେ ? ନୂଆ ବୋହୂ ହେଇଚି ଯେ, ଚୂ...ଚୂ ମାରିବି । ଚୋର କି ତସ୍କର ନୁହେଁ ମୁଁ । କାହାକୁ ଡରିବା ଏ ଜୀବନରେ ନୁହେଁ ।”

 

ନିକୁଞ୍ଜବାବୁ ନୀରବ ରହନ୍ତି । ପ୍ରତ୍ୟେକ କଥାକୁ ଯିଏ ଯୁକ୍ତିରେ ଖଣ୍ଡନ କରିଚି, ତାକୁ ବୁଝେଇବା ସହଜସାଧ୍ୟ ନୁହେଁ । ବାହାରେ ନିର୍ମଳାଙ୍କ ଲାଗି ଏଭଳି ଅପମାନ ନିକୁଞ୍ଜବାବୁଙ୍କର ଦିହସୁହା ହୋଇଗଲାଣି ।

 

ବାହାରେ ମୁଣ୍ଡ ନୁଆଁଇବାଠାରୁ ନିର୍ମଳାଙ୍କ ପାଖେ ମୁଣ୍ଡ ନୁଆଁଇବା ଅଧିକ କଷ୍ଟକର କି ନୁହେଁ କଳନା କରୁ କରୁ ରୂପେଇ ଘର ପାଖେ ପହଞ୍ଚିଗଲେ ନିକୁଞ୍ଜବାବୁ ।

 

“ଆଲୋ ମା ରୂପେଇ ଅଛୁ କି ?”

 

“ଆସୁଚି ବାବୁ...”

 

ରୂପେଇ ଆସିବାରୁ, ଖୁବ୍ ଧିରକଣ୍ଠରେ ନିକୁଞ୍ଜବାବୁ କହିଲେ “ଯୋଉ କଣ୍ଢେଇ ଦି’ଟା ତତେ ସକାଳେ ଦେଇ ଦେଇଥିଲି, ତାକୁ ଦେଇପକା...ନିନି ଦେଇ କାନ୍ଦୁଛନ୍ତି ! ଆଉ ଏ ପଇସା ରଖ, ଯାତ୍ରା ହେଲେ ତୁ କଣ୍ଢେଇ କିଣି ଦେବୁ ।”

 

ଅଧା ହସ (ପଇସା ପାଇ) ଅଧା କାନ୍ଦ (କଣ୍ଢେଇ ଦେଇଦେବା ଲାଗି) ହୋଇ ରୂପେଇ ଦଉଡ଼ିଲା ଘରକୁ । ଲେଉଟି ଆସି ନିକୁଞ୍ଜବାବୁଙ୍କୁ ବଢ଼େଇ ଦେଲା ଦୁଇଟି ଯାକ କଣ୍ଢେଇ...ଆଉ ଅନ୍ୟ ହାତ ମୁଠାରୁ ଚାରୋଟି ଅଣ୍ଡା, “ମାଆ ଦେଇଚି ବାବୁ, କୁକୁଡ଼ା ତମର ଦେଇଥିଲା । ମତେ କହିଥିଲା ଗଲାବେଳେ ନେଇ ଯିବାକୁ, ମୁଁ ଭୁଲି ଯାଇଥିଲି ।”

 

କ୍ଷୁଦ୍ର ବସ୍ତିର କେଉଁ ଅନ୍ତରାଳରେ ରୂପେଇ ନିଶ୍ଚିହ୍ନ ହୋଇଗଲା ନିକୁଞ୍ଜବାବୁଙ୍କ ଆଖିର ପରଦା ଉପରୁ । ନିର୍ଜୀବ କଣ୍ଢେଇ ଦୁଇଟିରେ ରୂପେଇର ସତ୍ତା ଯେମିତି ଅନୁଭବ କରୁଥିଲେ ନିକୁଞ୍ଜବାବୁ । ମନରେ ତାଙ୍କର କାନ୍ଦ କାନ୍ଦ ଭାବ । ଅବ୍ୟକ୍ତ ଏକ ଯନ୍ତ୍ରଣାରେ କାତର ହୋଇ ନିକୁଞ୍ଜବାବୁ ଲେଉଟି ଆସିଲେ ।

 

ରାସ୍ତାଟା ଯେମିତି ସରୁନି ଜମା । କଠଉହଳକ କାଣି ଆଙ୍ଗୁଠିରେ ଘସି ହୋଇ ହୋଇ ମଳି ଚମ ଉକୁଟି ଗଲାଣି । ଝାଳରେ ପଞ୍ଜାବିଟା ଓଦା ହୋଇ ମନେହେଉଚି ଯେମିତି ଆଣ୍ଠୁ ତଳକୁ ଲମ୍ବି ଗଲାଣି ଆଉ ଚକ୍ଷୁ ଦୁଇଟା ଖରାର ତେଜରେ ଦୃଷ୍ଟି ଶକ୍ତି ହରାଇ ଅନ୍ଧକାରରେ ପୂର୍ବରୁଚି ଯେମିତି...

 

ନିକୁଞ୍ଜବାବୁ ଚାଲିଛନ୍ତି...

 

ରାସ୍ତା କଡ଼ର ପାନ ଦୋକାନର ଟ୍ରାଞ୍ଜିଷ୍ଟରରୁ ଭାସିଆସୁଚି ହିନ୍ଦି ଚିତ୍ରର ସଙ୍ଗୀତ...

 

କୈଶୋରରେ ରେକର୍ଡ଼ ସଙ୍ଗୀତର ଗାୟକ ଥିଲେ ନିକୁଞ୍ଜବାବୁ । ଏବେ ବି ତାଙ୍କ ମନରୁ ଲିଭିନି ସଙ୍ଗୀତର ମୂର୍ଚ୍ଛନା । କିନ୍ତୁ ଏଭଳି ସଙ୍ଗୀତ...ଛିଃ...ଛିଃ...ମନେପଡ଼ିଗଲା ତାଙ୍କ ସଙ୍ଗୀତରୁ କିୟଦ ଅଂଶ...

 

“କହଇ ମନ ଆରେ ମୋ ବୋଲ କର

କଳା ଶ୍ରୀମୁଖ ବାରେ ଦେଖିବା ଚାଲ...”

 

ଆହା...ହା...ହା କି ଭାବ...କି ଭାଷା...କଳା ଶ୍ରୀମୁଖଙ୍କୁ ଦେଖିନଥିଲେ ବି ଏ ଗୀତରୁ ପଦେ ଶୁଣିଦେଲେ, ଦେଖିଲାପରି ମନେହୁଏ । ଆଉ ଏ ଯେଉଁ ଅର୍ଥହୀନ ତର...ତର...ତର...

ନିକୁଞ୍ଜବାବୁଙ୍କ ମନଟା କେମିତି ଗୋଟାଏ ଉଦାସ ଅପରାହ୍ନଭଳି ମନେହେଲା । ଘରୁ କି ବାହାରୁ ସେ ନିମିଷକ ପାଇଁ ହେଲେ ଶାନ୍ତି ପାଇପାରୁ ନାହାନ୍ତି । ଜୀବନଟା କ’ଣ କେବଳ ଗୁଡ଼ାଏ ଅଶାନ୍ତିର ସମଷ୍ଟି ମାତ୍ର ? କିଏ ତା’ର ଉତ୍ତର ଦେବ ? ଯିଏ ଅନୁଭବୀ ।

ବଳିତା କନାର କଣ୍ଢେଇ ଦୁଇଟା ହାତ ମୁଠା ଭିତର ଝାଳରେ ଭିଜି ଭିଜି ଲୋଚା ଲୋଚି ହୋଇଗଲାଣି । ଏ କଣ୍ଢେଇ ଦେଖିଲେ, ନିର୍ମଳା ପୁଣି ଅଗ୍ନିଶର୍ମା ପାଲଟି ଯିବେ । ପାଖ ଦୋକାନରୁ ନେଇ ଯିବେ କି ଦୁଇଟା ପ୍ଲାଷ୍ଟିକ୍ କଣ୍ଢେଇ ?

ରାସ୍ତା ଉପରୁ ଦୃଷ୍ଟି ତାଙ୍କର ଲମ୍ବିଗଲା ଦୋକାନ ଭିତରେ ସଜ୍ଜିତ ଥିବା କଣ୍ଢେଇ ଉପରକୁ । ନିରୀକ୍ଷଣ କରି ଲାଜେଇ ଗଲେ ସେ ଇସ୍...କଣ୍ଢେଇଗୁଡ଼ାକ କି ଟିକି ଟିକି ଅଥଚ ବୁକୁ ତାଙ୍କର ସବୁ କି ଉନ୍ନତ । ଝାଳୁଆ ହାତ ତାଙ୍କର ମୁଠା ମୁଠା ହୋଇଗଲା କି ଗୋଟାଏ ଉତ୍ତେଜନାରେ ।

ଘରେ ପହୁଞ୍ଚି ଯାଇ ରୋଷକ୍ରାନ୍ତା ନିର୍ମଳାଙ୍କୁ କହିଲେ, “ନିଅ ତମର ନିଧି ସମ୍ପତ୍ତି କଣ୍ଢେଇ...”

“ଆଉ ଇଏ ?”

“ଅଣ୍ଡା । ରୂପେଇ ମାଆ ଦେଲା ।”

 

“କେତେ ପଇସା ? ବଜାର ଦରରୁ ଊଣା ହେଲେ ରଖିବି । ନଚେତ୍ ସଫା କହୁଚି ଫେରାଇ ଦେବି ।”

 

“ଓଃ...ଫେରାଇବ କ’ଣ ଆମ କୁକୁଡ଼ାର ଅଣ୍ଡା ।

 

ଆମ କୁକୁଡ଼ା ?”

 

“ହୁଁ । ଯୋଉ ଦି’ଟା ଥିଲା ମୁଁ ତାକୁ ରୂପେଇ ମାଆକୁ ଦେଇ ଦେଇଥିଲି । ଆମ ଘରେ ରହି କାହିଁକି ଅସନା କରିବେ ତା’ ଘରେ ରହି ଅଣ୍ଡା ଦେଲେ ଆମକୁ ଦେଇ ଦେବ ବୋଲି ତାକୁ କହିଥିଲି ।’’

 

“ସତେ ? ମୁଁ ଖୋଜି ଖୋଜି ନୟାନ୍ତ । ଭଗିଆ ଆଉ ନରିକୁ ପଚାରି ପଚାରି ଥକିଲି ପଛେ ଜମା କହିଲେ ନାହିଁ । ଭାବିଲି କଟାସ କି ବିଲୁଆ ନେଇ ଯାଇଥିବ । ଅବା ସହି ନ ପାରି ସାଇ ପଡ଼ିଶା ମାରି ଖାଇ ଦେଇଥିବେ...”

 

ନିକୁଞ୍ଜବାବୁ ମୁଚୁ ମୁଚୁ ହସୁଛନ୍ତି ।

 

“ହସୁଚ ? ଲାଜ ନାଇଁ ? ସବୁ ତ ଏମିତି ଗୋଟି ଗୋଟି କରି ଦେଇ ଦେଲ ମତେ ରଖିଚ କାହିଁକି ? ରୂପେଇ ବାପାକୁ ମତେ ଦେଇ ଦଉନ...ତମ ଘର ଅସନା ନ ହୋଇ ତମକୁ ଗୋଟିଏ ଗୋଟିଏ ପୁଅ ଆଣି ଦେଇ ଦେଉଥିବ ।’’

 

ନିକୁଞ୍ଜବାବୁଙ୍କ ଗମ୍ଭୀର ମୁଖମଣ୍ଡଳରୁ ହସର ଚୂନା ଚୂନା ଭଗ୍ନାଂଶଗୁଡ଼ିକ ଛିଟିକି ପଡ଼ିଥିଲା ନିର୍ମଳାଙ୍କ ଉପରକୁ । ନିର୍ବିକାର ଚିତ୍ତରେ ନିର୍ମଳା ସେଗୁଡ଼ାକ ଝାଡ଼ି ଦେଉଥିବା ବେଳେ ନିଜ ଅଧର ଫାଙ୍କରୁ ଝରିପଡ଼ିଲା ହସର କତୋଟି ନରମ ପାଖୁଡ଼ା ।

Image

 

ମହାଲକ୍ଷ୍ମୀଙ୍କ ରୋଷ

 

ଜ୍ୟୋତ୍ସ୍ନା-ଚର୍ଚ୍ଚିତ ରାତ୍ରୀର ନିବିଡ଼ ପ୍ରହର ଘୋଟି ଆସିଛି ବଡ଼ ଦେଉଳରେ ।

 

ଶଯ୍ୟା ପରେ ଶୋଇ ରହି ଗୋଟାଏ ଅବ୍ୟକ୍ତ ଯନ୍ତ୍ରଣାରେ ଅସ୍ଥିର ହୋଇ ଉଠୁଛନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଛଳ ଛଳ ଆଖି ଦୁଇଟିରେ ଅଶ୍ରୁର ବର୍ଷା ନଈ ଆସୁଚି ଯେମିତି... । ଉଚ୍ଛ୍ୱସିତ ଆବେଗରେ ସମଗ୍ର ଶରୀରଟି କମ୍ପମାନ । ଚେଷ୍ଟାକରି ବି ସେ ସ୍ଥିର ହୋଇ ପାରୁ ନାହାନ୍ତି । ଆଖିରେ ନିଦ୍ରା ନାଇଁ,...ମନରେ ସ୍ଥିରତା ନାଇଁ, କି ଉପାୟରେ ଏଥିରୁ ମୁକ୍ତି ମିଳିବ ଉପାୟ ଖୋଜି ପାଉନାହାନ୍ତି ସେ... । ଏ ଭାବ, ଏ ଅସ୍ଥିରତା...ଆଜିର, ଏଇ ମୁହୂର୍ତ୍ତର ନୁହେଁ । ଏ ଦୀର୍ଘ ଦିନର । ଏତେ ରାତ୍ରିଯାଏଁ ଅନିଦ୍ରା ରହି ଦୁଃଖରେ ଅସ୍ଥିର ହେବାର କ’ଣ ବା କାରଣ ଥାଇପାରେ... ?

 

ଏ ସୃଷ୍ଟିର ଯେ ପାଳନକର୍ତ୍ତୀ, ସକଳ ସୁଖ ସୌଭାଗିନୀ, ସେ ଆଜି ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି । ଏକଥା କ’ଣ କଳ୍ପନାର ଯୋଗ୍ୟ... ? ଆଜି କିନ୍ତୁ ଏହା ବାସ୍ତବ... । ସେଇ ଚଳଚଞ୍ଚଳା, ସଦାପ୍ରସନ୍ନା ଲକ୍ଷ୍ମୀ ଗଭୀର ଦୁଃଖରେ ମ୍ରିୟମାଣ । ଆଖି ଆଗରେ ତାଙ୍କର ସୁନ୍ଦର ପୃଥିବୀର ବର୍ଣ୍ଣ ବିବର୍ଣ୍ଣ ହୋଇଉଠୁଛି... । ସବୁ ଶୂନ୍ୟ...ସବୁ ମନେହେଉଛି ଅନ୍ଧକାରମୟ । ଭଙ୍ଗା କାଚର ଆଇନା ଭଳି ପୃଥିବୀର ଶୋଚନୀୟ ରୂପକୁ ଦେଖି ଅସହ୍ୟ ହୋଇଉଠୁଛନ୍ତି ମା’ ଠାକୁରାଣୀ । ଏ ରଙ୍ଗହୀନ ବିବର୍ଣ୍ଣ ପୃଥିବୀର ସେ ଯେ ପାଳନକର୍ତ୍ତ୍ରୀ...ଭାବିଲା ବେଳେ, ନିଜର ଆତ୍ମସମ୍ମାନ ହରେଇ ବସିଲା ଭଳି ମନେହେଇନି ତାଙ୍କୁ... ।

 

ଏକ ଦୁରନ୍ତ ଅଭିମାନରେ ଶଯ୍ୟା ତ୍ୟାଗ କରି ଉଠି ଠିଆ ହେଲେ ଲକ୍ଷ୍ମୀ... । ଦେଶଟାକୁ ଥରେ ନୟନ ପୂରାଇ ଦେଖି ନେବାପାଇଁ ମନେ ମନେ ସ୍ଥିର କରି ନେଲେ । କେବଳ ଏଇ ମନ୍ଦିରର ପୂଜା ଅର୍ଚ୍ଚନା ବୁଝି ଦେଲେ ତ ନିଜର କର୍ତ୍ତବ୍ୟ ଶେଷ ହୋଇ ଗଲାନି... । କର୍ତ୍ତବ୍ୟର ପଥ ତାଙ୍କର ଅସୀମ । ସୃଷ୍ଟିକୁ ସୂଚାର ରୂପେ ଚଳାଇ ନେବା ଜୀବନରେ ତାଙ୍କର ବିରାଟ କର୍ତ୍ତବ୍ୟ ବୋଲି ବାଛି ନେଇଛନ୍ତି ସେ ଏଇ ମୁହୂର୍ତ୍ତରେ ସେ ଦେଖି ଆସିବେ ଦେଶର ପ୍ରକୃତ ରୂପ । ଦିନକୁ ଦିନ ଦେଶର ଅବସ୍ଥା ଆଉ ଭଲ ଆଡ଼କୁ ଗତି କରୁନି... । କ’ଣ ଏହାର କାରଣ ହୋଇପାରେ... ? ନିଜ ଆଖିରେ ଦେଖି ନ ଆସିଲେ ଜାଣିବାର ଉପାୟ ନାଇଁ । ରାତ୍ରି ତ ଆହୁରି ଅନେକ ବାକି ଅଛି... । ତିଥି ପୂର୍ଣ୍ଣିମା...ଆକାଶ ଛାତିରୁ ଝରି ପଡ଼ୁଛି ଝୁରୁ ଝୁରୁ ହୋଇ ଅଜସ୍ର ଜ୍ୟୋତ୍ସ୍ନା... । ମନ୍ଦ ନୁହେଁ ଏ ପରିବେଶ ପରିକ୍ରମଣ ପାଇଁ... । ଏତେ ଜ୍ୟୋତ୍ସ୍ନା...ଏତେ ଆଲୋକ...ଅଥଚ ଆଖିରେ ତାଙ୍କର ଅମାବାସ୍ୟା ରାତ୍ରିପରି ଭୟଙ୍କର ଅନ୍ଧାର ଲିପି ହୋଇ ଯାଉଛି । ଆଖିକୁ ଥରେ ଦୁଇ ଥର ମକଚି ଦେଇ ବିସ୍ମୟରେ ଅଭିଭୂତ ସେ..., ମନର ପରିବର୍ତ୍ତନ ସଙ୍ଗେ ଚକ୍ଷୁର କି ଆଶ୍ଚର୍ଯ୍ୟ ପରିବର୍ତ୍ତନ । ନାଁ ଆଉ ଅପେକ୍ଷା କରାଯାଇ ପାରେନା—ଏଇ ମୁହୂର୍ତ୍ତରେ ହିଁ ସେ ଦେଖି ଆସିବେ ଦେଶର ପ୍ରକୃତ ରୂପକୁ... ।

 

ଧୀରେ...ଅତି ଧୀରେ ସେ ବଡ଼ଦାଣ୍ଡ ଆଡ଼କୁ ଆଗେଇଗଲେ । ଜନଶୂନ୍ୟ ରାଜପଥ ମୃତ୍ୟୁ ଭଳି ସ୍ତବ୍ଧ... । ଗୋଟାଏ ବିକଳାଙ୍ଗ ମୃତକୃଷ୍ଣ ସର୍ପ ଭଳି ଶୋଇ ରହିଚି ବଡ଼ଦାଣ୍ଡ । ଦେଖିଲେ ଦୁଃଖ ଆସୁଛି... । ଆଖି ବୁଜି ଦେଲେ ବି ମନରେ ବିକାର ଜନ୍ମୁଛି । ଚାରିଆଡ଼େ ଅଳିଆ ଆବର୍ଜନା ଭର୍ତ୍ତି... । ରାସ୍ତା ଉପରକୁ ନିଜର ଆଶ୍ରୟସ୍ଥଳୀ ରୂପେ ବାଛି ନେଇଛନ୍ତି ଗୋମାତା— । ନିମିଳିତ ନୟନରେ ଗୁଡ଼ାଏ କାଗଜକୁ ପାକୁଳି କରିବାରେ ଲାଗିଛନ୍ତି— । ମା’ ଠାକୁରାଣୀଙ୍କ ଆଖିରୁ ଝରି ପଡ଼ିଲା ଧାର ଧାର ହୋଇ ବେଦନାର ଅଶ୍ରୁ— । ସଭ୍ୟ ମନୁଷ୍ୟ ଗୋମାତାକୁ ଏଇ ଆସନ ଦେଇ ଶିଖିଛି ? ଏଇ ତାଙ୍କର ରହିବା ସ୍ଥାନ—ଏଇ ତାଙ୍କର ଖାଦ୍ୟପେୟ ? ଅତୀତର ଗୋମାତାକୁ ନିଜର ଶୟନକକ୍ଷଠାରୁ ଆହୁରି ନିରାପଦରେ ରଖୁଥିଲା ଏଇ ମଣିଷ... । ରାତ୍ରିରେ ପ୍ରହରକୁ ପ୍ରହର ଉଠି ଗୃହକର୍ତ୍ତ୍ରୀ ଗୋମାତାର ଖାଇବା ପିଇବା ଭଲମନ୍ଦ ବୁଝୁଥିଲେ । ଲାଳନ ପାଳନରେ ତୃପ୍ତି ଲାଭ କରି ସେ ଅକାତରେ ଦାନ କରୁଥିଲା ଦୁଗ୍ଧ... । କିନ୍ତୁ ଆଜିର ଗୃହକର୍ତ୍ତ୍ରୀ ଗୋମାତାକୁ ବାହାରେ ଛାଡ଼ି ଦେଇ ପ୍ରହରକୁ ପ୍ରହର ସିନେମା ଦେଖାରେ ବିଭୋର... ।

 

ଅତୀତରେ ଏଇ ରାସ୍ତାରେ ପାଦ ଥାପିଲା ବେଳେ, ଗୋଟାଏ ଅପୂର୍ବ ଉନ୍ମାଦନାରେ ଦେହରେ ଶିହରଣ ସୃଷ୍ଟି ହେଉଥିଲା... । କାକର-ବତୁରା ଭୀରୁ ପାହାନ୍ତିରେ ଚୂନା ଚୂନା ବାଲି ଗୋଡ଼ି ମାଟି ଉପରେ ପାଦ ଥାପି ବାଟ ଚାଲିବାର କି ଯେ ଆନନ୍ଦ...ଆଜି ତାହା ସ୍ୱପ୍ନଭଳି ମନେହେଉଛି... । ଏଇ ରାସ୍ତାର ନିର୍ମାଣପାଇଁ ମଣିଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛି... । ଅଥଚ ଏହାର ସଦ୍‍ବ୍ୟବହାର କରି ଶିଖୁନି... । ଆଜିର ମଣିଷମାନଙ୍କ ମନରୁ ରୁଚିଗତ ଶୁଚିତା କ’ଣ କୁଆଡ଼େ ଉଭେଇ ଗଲାଣି... ?

 

କମ୍ପିତ ପଦ ତୋଳି ଅନେକ ବାଟ ଆଗେଇ ଆସିଲେଣି ମା’ ଲକ୍ଷ୍ମୀଠାକୁରାଣୀ... । ଆଗରେ ଶୁଭୁଛି...ସ୍ଵଳ୍ପ ଜନତାର କୋଳାହଳ... । ଏତେ ରାତିରେ ରାସ୍ତାରେ କୋଳାହଳ ? କାରଣ ଜାଣିବାପାଇଁ ଉତ୍ସୁକ ପଦ ତୋଳି ସେଇଠି ଠିଆ ହୋଇଗଲେ ମା’ ଠାକୁରାଣୀ । ପୁଲିସ ଖିନ୍ ଭିନ୍ କରି ପକାଇଲାଣି ସାରା ଗୋଦାମଟା... । ଜନତା ଭିତରୁ କୌତୂହଳୀ କଣ୍ଠରେ ଜଣେ କିଏ କହିପକାଉଚି...ଖୋଜ ଖୋଜ...ଆହୁରି ଖୋଜ...ପୁଣି ବାହାରିବ କେତେ ଦୁଗ୍ଧ ଡବା, ତେଲଟିଣ ଗହମ ବସ୍ତା... । ବିଗତ ଦିନଭଳି ଆଉ ଚୋରା ବେପାର ହୋଇପାରିବନି...ଜିନିଷ ମହଜୁଦ୍ ରଖି ମନଇଚ୍ଛା ଦର ବଢ଼ାଇ ହେବନି... । ଗୋଟାଏ ହାସ୍ୟରୋଳ ସୃଷ୍ଟି ହୋଇ ଜନତା ଚୁପ୍ ହେଇଗଲା...-। ନିଜ ଆଖିରେ ଜିନିଷର ସଦ୍‍ବ୍ୟବହାର ହୋଇପାରୁନଥିବା ଦେଖି ବଡ଼ ଦୁଃଖ କଲେ ମହାଲକ୍ଷ୍ମୀ...-। ଜନତାର ଗୁଜବ ତା’ହେଲେ ଭ୍ରାନ୍ତ ନୁହେଁ—ସତ୍ୟ । ଏତେ ଜିନିଷ ଗୋଦାମରେ ପଡ଼ି ରହି ନଷ୍ଟ ହୋଇଯାଉଛି ପଛେ ମଣିଷ ଖାଇବାକୁ ପାଉନି... । ପୁଲିସ୍‍ର ତଦାରଖରେ, ମହାଲକ୍ଷ୍ମୀ ଅତିଶୟ ଆନନ୍ଦିତ ହୋଇଯାଇ ଭାବିଲେ, ଆଃ...ଏ ଆଇନ କାନୁନ୍ ଟିକିଏ ଆଗରୁ କାର୍ଯ୍ୟକାରୀ ହୋଇନଥାନ୍ତା... ?

 

ଆସ୍ତେ ଆସ୍ତେ ଗୋଟିଏ ଛୋଟିଆ ଚାଳ ଘର ଆଡ଼େ ମୁହାଁଇଲେ ମା’ କମଳା । ଗରିବଙ୍କ ଅନ୍ତର ଜାଣିବାପାଇଁ ସେ ସଦା ବ୍ୟାକୁଳ...ଅଣଓସାରିଆ ଧସି ଯାଉଥିବା ମାଟିର ବାରଣ୍ଡା ଉପରେ ଠିଆହୋଇ ଲକ୍ଷ୍ମୀ ଦେଖିବାକୁ ପାଇଲେ, ରୂପହୀନ ଅର୍ଦ୍ଧ ଭଗ୍ନ ଘର ଭିତରୁ କୁହୁଡ଼ି ଭଳି ଭାସି ଆସୁଛି ଚେନାଏ ଆଲୋକ... । ଗୋଟିଏ ମହମବତୀର ନିଷ୍ପ୍ରଭ ଶିଖାରେ ଜୀର୍ଣ୍ଣବସନା ଝିଅଟି ପଢ଼ି ଚାଲିଚି... । ବଞ୍ଚିବାର ପଥ ଖୋଜୁଚି ସେ ଏଇ ନିଷ୍ପ୍ରଭ ଶିଖା ତେଜି... । ଏପାଖେ ଥାକେ ବହି, ସେପାଖେ ଥାକେ ବହି—ମଝି ବହିର ଖୋଲା ପୃଷ୍ଠା ଭିତରେ ହଜି ଯାଇଚି ସେ... । ଆଃ...କି ସାଧନା...ବଞ୍ଚିବାପାଇଁ କି ବ୍ୟାକୁଳ ପ୍ରୟାସ...

 

ୟା’କୁ କିନ୍ତୁ ଆଜିର ସମାଜ ଗ୍ରହଣ କରିବାପାଇଁ ନାରାଜ । ଶୂନ୍ୟ ନୀଡ଼ରେ ପକ୍ଷୀ କଣ୍ଠର କାକଳିଭଳି ଆଜି ଏହା ଅସ୍ପୃହଣୀୟ । ଏହାର ଉଚିତ୍ ମୂଲ୍ୟ ହେବା ଦୂରେ ଥାଉ...ଦୟାପରବଶ ହୋଇ କେହି ସାହାଯ୍ୟ ଦେବାପାଇଁ ବି ଆଗେଇ ଆସିବେ ନାହିଁ । କେଉଁଠି ଆଲୋକର ଜୁଆର ଛୁଟୁଛି, ଏଠି ଆଲୋକର ଜୀର୍ଣ୍ଣ ଶିଖା— । ଆଉ କିଛି ଦିନ ପରେ ହୁଏତ ସରକାରଙ୍କୁ ଦାବି କରାଯିବ ଖାଲି କାଗଜ କଲମ ଖାତା ବହି ଯୋଗାଇ ଦେଲେତ ହେବନି–ପଢ଼ିବାପାଇଁ ଆମକୁ ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଅ— । ପ୍ରତିଟି କଥା ଯଦି ସରକାର ବୁଝିବେ ତେବେ ମନୁଷ୍ୟ ମନୁଷ୍ୟ ଭିତରେ ଆଉ ସହଯୋଗିତା ରହିଲା କ’ଣ ? ନିଜକୁ ନିଖୁଣଭାବେ ଗଢ଼ି ତୋଳିବାର ସୁନ୍ଦର ଆକାଂକ୍ଷା ଆଉ ରହିବ କେଉଁଠି— ?

 

ନିଜର ଅନ୍ୟମନସ୍କତା କାଟି ଦେଖିଲା ବେଳକୁ କୋଠରୀଟି ଅନ୍ଧକାର । ମହମ ବତୀଟି ତା’ର ଶେଷ ସତ୍ତା ହରାଇ ବସିଲା ବୋଧେ— । ଦୁଇଟି କ୍ଷୀଣ କଣ୍ଠର ଅସ୍ପଷ୍ଟ କଥନ ଶୁଣାଯାଉଚି–‘‘ପଢ଼ା ତୋର ସରିଯାଇଚି ରିନି—’’ ? ମୋର କିନ୍ତୁ ସିଲେଇ ସରିପାରିନି— । ଆଉ ଟିକିଏ ବଡ଼ ମହମବତୀ ଆଣିଲେ ହେବ— । ଝିଅଟିର ଉପହାସ କଣ୍ଠ—କିନ୍ତୁ ବୋଉ ! ବଡ଼ ମହମବତୀଟିର ଦାମ୍ ଯେ ଅଧିକ । ଆଉ ଶୁଣି ପାରିଲେନି ଠାକୁରାଣୀ—ଲୁହ ଛଳ ଛଳ ଆଖିରେ ଫେରି ଆସିଲେ ସେ— ।

 

ଏତେ ଧନ ବିତରଣ କରିବାରେ ଲାଗିଛନ୍ତି ସେ—ଅଥଚ ସତ୍‍ପାତ୍ରରେ ପଡ଼ିପାରୁନି । ଯାହାର ଦରକାର ଅର୍ଥ—ସେ ପାଇପାରୁନି ଅଥଚ ଦରକାର କରୁନଥିବା ବ୍ୟକ୍ତି ପାଉଚି ପ୍ରଚୁର ଅର୍ଥ— ।

 

ଭଗ୍ନମନ ତୋଳି ଅନ୍ୟ ଏକ ଘରେ ପ୍ରବେଶ କଲେ ମା’ ଚଞ୍ଚଳା । ଘରଟି ଅନ୍ଧକାର ଭିତରେ ସତ୍ତା ହରାଇ ବସିଚି— । ମାତ୍ର ଘରଭିତର ବିଭିନ୍ନ ରଙ୍ଗର ଆଲୋକରେ ଆଲୋକିତ– । ଇସ୍—ମଦ୍ୟପାନର ଉତ୍କଟ ଗନ୍ଧରେ ନାକ ଫାଟି ପଡୁ଼ଛି । ଲିଭିଗଲା ଦୀପର ଧୂଆଁ’ ଘରସାରା ଲହରେଇ ଲହରେଇ ଖେଳି ବୁଲିଲା ପରି ହାଲ୍‍କା ଯନ୍ତ୍ର ସଙ୍ଗୀତର ସ୍ୱର ଘରଭିତରେ ମୃଦୁ ତାଳ ଦେଇ ନାଚି ଚାଲିଚି— । ଆଲୁକାୟିତକେଶା ଏକ ସୁନ୍ଦରୀ ରମଣୀର ସୌନ୍ଦର୍ଯ୍ୟକୁ ଲୁଟିବାରେ ଲାଗିଛନ୍ତି ଦୁଇଟି କ୍ଷୁଧିତ ପୁରୁଷ— । ଜଣେ ନିବିଡ଼ ଆଶ୍ଳେଷ ଭିତରେ ଆଶ୍ଳେଷି ନେଇଥିବା ବେଳେ ଅପର ପୁରୁଷଟି ରମଣୀ ଉପରକୁ ଫିଙ୍ଗି ଚାଲିଚି ପ୍ରଚୁର ଅର୍ଥ— । ଯେମିତି ଟଙ୍କାର ଝଡ଼ ବୋହୁଚି ଏଠି— । ଲକ୍ଷ୍ମୀଙ୍କର ଆଖି ଆପେ ଆପେ ବୁଜି ହୋଇଗଲା— । ମୁଦ୍ରିତ ନୟନରେ ବି ସେ ଦେଖିବାକୁ ପାଉଥିଲେ ଦୃଶ୍ୟଟିର ଶେଷ ଅଂଶ— ଚାରୋଟି କ୍ଷୁଧିତ ଚକ୍ଷୁର ପ୍ରଲୁବ୍ଧ ଦୃଷ୍ଟିକୁ ଏଡ଼ାଇ ଦେଇ ରମଣୀଟି ଆଗେଇ ଆସୁଚି ଶୂନ୍ୟ ବସନରେ ଦୁହିଁଙ୍କୁ ବିଦାୟ ଦେବା ଲାଗି— । ଟଙ୍କାଗୁଡ଼ିକୁ ଗୋଟାଇନେଇ ଲୁହା ଆଲମାରୀ ଭିତରେ ସାଇତି ରଖୁ ରଖୁ ଈଶ୍ୱରଙ୍କୁ ସେ ବହୁ ଧନ୍ୟବାଦ୍ ଦେଇଚାଲିଚି— ଠାକୁରେ ! ତୁମରି କରୁଣାରୁ ମୋର ଗୋଟିଏ ରାତ୍ରିର ପାଉଣା ଶହ ଶହ ଟଙ୍କା— ।

 

କରୁଣା— ? ଏଇମାନଙ୍କୁ ପୁଣି କରୁଣା— ? ଏଇ ଘୃଣ୍ୟବୃତ୍ତି ପାଇଁ ଈଶ୍ୱରଙ୍କ କରୁଣା– । ଘୃଣାରେ ମୁହଁ ବୁଲାଇ ଆଣିଲେ ଲକ୍ଷ୍ମୀ । ଏଇଠି ତେବେ ଅର୍ଥ, ଏଇଠି ସୁଖ— ଏଇଠି ଆତ୍ମମର୍ଯ୍ୟାଦା— । ବିଷ୍ଣୁଙ୍କ ଉପରେ ଗଭୀର ଅଭିମାନ କରି ଭାଙ୍ଗିପଡ଼ିଲେ ମା’ ଠାକୁରାଣୀ । ଦେଶଟା ଛାରଖାର ହୋଇ ଯାଉଚି—ଟିକିଏ ଚିନ୍ତା ନାଇଁ—ଟିକିଏ ଶୋଚନା ନାଇଁ— । ଯିଏ ମନ ଖୁସିରେ ଆନନ୍ଦରେ ବିଭୋର ହୋଇ ଡାକିଲା, ତାରି ଡାକ ଶୁଣିବ—ଅଥଚ ଦୁଃଖୀର କରୁଣ ଡାକ ଶୁଣିବା ପାଇଁ ତମେ ଶ୍ରବଣଶକ୍ତିହୀନ— । ଛିଃ...ଛିଃ...ଦେଶକୁ କ’ଣ ଏଇମିତି ପାଳନ କରାଯାଏ ?

 

ରାତ୍ରିର ଘନତା କଟି ଆକାଶଟା ଫର୍ଚ୍ଚା ଦିଶିଲାଣି... । ରାତ୍ରିର ଅବଗୁଣ୍ଠନ ଘୁଞ୍ଚେଇ ସୂର୍ଯ୍ୟ ଚାଲି ଆସିଲେଣି ପ୍ରଭାତକୁ ସାଥି କରି... । କି ସୁନ୍ଦର ଆଉ ମନୋରମ ଏ ପ୍ରଭାତ... । ୟା’କୁ ଉପଭୋଗ କରିବାପାଇଁ କେହି ନାହାନ୍ତି । ଗ୍ରାମ୍ୟ ବଧୂ ସ୍ନାନ କରିବାପାଇଁ ନଦୀ ତଟକୁ ଯାଇଥିବାର ଦୃଶ୍ୟ ଏଠି ଦେଖା ଯାଉନି... । ଫୁଲର ଡାଲା ଧରି କେହି ତୋଳୁନି ଫୁଲ...କି ସ୍ନାନ ସାରି ଶ୍ଳୋକ ବୋଲି ବୋଲି ଯାଉନି ମନ୍ଦିର ଦ୍ଵାର... । ସକାଳ ହୋଇ ସାରିଥିଲେ ବି ରାତିଭଳି ସମସ୍ତେ ନିଦ୍ରିତ । ବିଜୁଳି ପଙ୍ଖା ଘୂରୁଚି କ୍ଷୀଣ ବିଦ୍ୟୁତ୍ ଆଲୋକରେ ଶୟନ କକ୍ଷଟି ସକାଳଭଳି ଆଲୋକିତ... । କାହିଁକି ଏମାନେ ସ୍ଵାଗତ କରିବେ ପ୍ରଭାତକୁ ? କ’ଣ ଏମାନଙ୍କପାଇଁ ପ୍ରୟୋଜନ ସକାଳର ମୁକ୍ତ ବାୟୁ...ସୂର୍ଯ୍ୟର ପହିଲି କିରଣ... ? ଏମାନେ ତ ୟାକୁ କୃତ୍ରିମ ଉପାୟରେ ସଂଗ୍ରହ କରି ପାରି ସୁଖରେ, ଆନନ୍ଦରେ ବିଭୋର... । ଏଠି ସକାଳର ଦୃଶ୍ୟ ଯୁଦ୍ଧକ୍ଷେତ୍ରଭଳି ବୀଭତ୍ସ ସକରୁଣ ।

 

 

ସହରଟା ରାତ୍ରିର ଅତ୍ୟାଚାରରେ କ୍ଳାନ୍ତ ଜଣାପଡ଼ୁଚି... । ମୂର୍ଚ୍ଛିତ ହୋଇପଡ଼ିଚି ଯେମିତି ଧରଣୀ... । ଜନଶୂନ୍ୟ ରାସ୍ତା ଉପରେ ବିକଟ ଚିତ୍କାର କରି ଧାଇଁଚି ଦୁଇ ତିନିଟା ଟ୍ରକ୍... । କାହାର ବାଧା ମାନୁନି...କାହାରିକୁ ସେ ଦେଖି ପାରୁନି... । ଏଇ ଟ୍ରକଗୁଡ଼ାକରେ ବୋଧେ ଚୋରା ଚାଉଳ ଚାଲାଣ ହେଉଚି... । ଲକ୍ଷ୍ମୀଙ୍କ ମନର ସନ୍ଦେହକୁ ସତ୍ୟର ରୂପ ଦେଲା ପରି ଟ୍ରକ ପଛେ ପଛେ ପୁଲିସ୍ ଜିପ୍ ଛୁଟିଛି... । ଜିପ୍ ଭିତରୁ କିଏ ଚିତ୍କାର...ଧର ଧର ଆଗ ଟ୍ରକକୁ ଧର...ବିସ୍ମୟରେ ହତ୍‍ବାକ୍ ହୋଇପଡ଼ିଲେ ଲକ୍ଷ୍ମୀ । ମଣିଷ ଆଇନକାନୁନ୍ ମାନୁନି... । ଅପରାଧ, ନିରପରାଧ ମାନୁନି...ଯାହା ଚାହୁଁଛି ତା’ କରୁଚି । ଦେଶଟା ଆସ୍ତେ ଆସ୍ତେ ଲକ୍ଷ୍ମୀଛଡ଼ା ହୋଇପଡ଼ିଲାଣି... । ଜ୍ଞାନ ବୁଦ୍ଧି ଲୋପ୍ ପାଇଲାଣି... । ଥର ଥର ହୋଇ ଦେହଟା ଥରି ଉଠୁଚି ମହାଲକ୍ଷ୍ମୀଙ୍କର । ଏ ବିପର୍ଯ୍ୟୟ ମୁହୂର୍ତ୍ତରେ କ’ଣ ଯେ କରିବାକୁ ହେବ ଉପାୟ ଖୋଜି ପାଇନାହାନ୍ତି...ନିଜ ଆଖିରେ ଏସବୁ ଦେଖି କାହାକୁ ଅବିଶ୍ୱାସ କରିବେ ?

 

ସୂର୍ଯ୍ୟ ଉଠି ଆସିଲେଣି ଅନେକ ଉପରକୁ । ଏଇ ଯେମିତି ସକାଳ ହେଲା...ରାସ୍ତା ଉପରେ ଦୁଇ ତିନିଟା ଲୋକଙ୍କର ପାଦ ଚିହ୍ନ ପଡ଼ିଆସୁଚି... । ଚା’ ଦୋକାନରେ ଭିଡ଼ ଜମୁଚି କ୍ରମଶଃ... । କୋଇଲା ଚୁଲିର ପ୍ରଥମ ମଳିନ ଆଞ୍ଚରେ କଳା କୋଚଟ ଚା’ କେଟ୍‍ଲିଟି ଥୋଇ ପୁଣି ଥରେ ଢୁଳେଇ ପଡ଼ିଚି ହୋଟେଲ, ବାଳକଟି । ମାଲିକର ଡାକରାରେ ବିରକ୍ତ ହୋଇ କାନ୍ଥ ଘଣ୍ଟାକୁ ଚାହିଁ ଭାବୁଚି, କେତେ ସମୟ ଏମିତି ହୋଇଗଲା ଯେ ଏତେ ଡାକରା ମୋ ଉପରେ... । ଏତେ ଭିଡ଼ ଜମି ଗଲାଣି ହୋଟେଲ ଭିତରେ... । ଜମା ସକାଳ ନଅଟା ତ ବାଜିନି... । ଚୁଲିର ଆଞ୍ଚ କାଳି ଲିଭାଇଲା ବେଳକୁ ରାତି ଗୋଟାଏ ହୋଇଥିଲା... । କେତେ ଘଣ୍ଟା ଏମିତି ଶୋଇପଡ଼ିଲି ଯେ...

 

ନିଦ ମଳ ମଳ ଆଖିରେ ବାଳକଟି ଚା’ ପରଶିବାରେ ଲାଗିଚି... । ମାତ୍ର କାନ ଅଛି ଲୋକଙ୍କ ରାଜନୀତି ଚର୍ଚ୍ଚାରେ... । ଇଏ ବି ସମାଜର ଶାସକଗୋଷ୍ଠୀକୁ ଚିହ୍ନିବାପାଇଁ...ଜାଣିବାପାଇଁ ଉତ୍କଣ୍ଠିତ: ଆଜିର ମଣିଷ ସମାଜପାଇଁ ରାଜନୀତି ଚର୍ଚ୍ଚା ହେଲା ପ୍ରଧାନ ଆଲୋଚ୍ୟ ବିଷୟ— । ସମସ୍ତେ ଭାବୁଛନ୍ତି ଆମେ ରାଜନୀତି କଲେ ରାତାରାତି ବଡ଼ ହୋଇଯିବୁ । କି ଧନୀ କି ଦରିଦ୍ର ସମସ୍ତେ ଆଶାୟୀ, ବିନା ପରିଶ୍ରମରେ ବିଳାସୀ ଜୀବନ ଯାପନ କରିବା ! ଉତ୍ସୃଙ୍ଖଳ ମାନବ ସମାଜ ବୁଝି ପାରୁନି ଏଇ କ’ଣ ବଞ୍ଚିବାର ସ୍ଵାଦ— ?

 

ଆଦୁରରେ କେତେଜଣ ସ୍ତ୍ରୀଲୋକ ସୁନ୍ଦର ପୋଷାକ ପିନ୍ଧି ଫୁଲର ହାର ଧରି ଯାଉଛନ୍ତି-। ଏ ଅସମୟରେ ଖରାଟାରେ କେଉଁ ମନ୍ଦିରକୁ ଏମାନେ ଯାଉଛନ୍ତି... ? କ୍ଷିପ୍ର ପଦତୋଳି ମହାଲକ୍ଷ୍ମୀ ତାଙ୍କ ପାଖକୁ ଆଗେଇ ଗଲେ । ନମ୍ର କଣ୍ଠରେ ଲକ୍ଷ୍ମୀ ପ୍ରଶ୍ନ ତୋଳିଲେ, ଆଛା ଭଉଣୀମାନେ ମନ୍ଦିର ତ ତମେମାନେ ପଛରେ ଛାଡ଼ିଦେଇ ଆସିଲ...ଆଉ କେଉଁ ମନ୍ଦିରକୁ ଏ ଅବେଳରେ ଯାଉଛ ଦର୍ଶନ ପାଇଁ ? ମହାଲକ୍ଷ୍ମୀଙ୍କ ପ୍ରଶ୍ନରେ, ସେମାନଙ୍କ ଭିତରେ ଗୋଟିଏ ହସର ଗୁଞ୍ଜରଣ ଖେଳିଗଲା । ହସି ହସି ସେମାନଙ୍କ ଭିତରୁ ଜଣେ କହିଲେ, ମନ୍ଦିରକୁ ଆମେମାନେ ଆଉ ଯାଉନୁ ସେ ତ ନିର୍ଜୀବ...ସେ କ’ଣ ଆମମାନଙ୍କର ଗୁହାରୀ ଶୁଣନ୍ତି ? କେବଳ ମନର ବ୍ୟଥାଟା ଜଣାଇ, ଟିକିଏ ଶାନ୍ତି କାମନା ଆଶାରେ ଆମେ ଯାଉଥିଲୁ । ଏବେ ଆଉ ସେଥିରେ ବିଶ୍ୱାସ ଆସୁନି-। ମନ୍ଦିରରେ ନିୟମିତ ପୂଜା ଅର୍ଚ୍ଚନା ନାଇଁ, । ପୂଜକର ଖିଆଲ ଖୁସିରେ ମନ୍ଦିରର କାର୍ଯ୍ୟ ସମାପନ ହେଉଚି । ହାତରେ ଘଣ୍ଟା ବାନ୍ଧି, ମନ୍ତ୍ର ଉଚ୍ଚାରଣ ନକରି ଯେଉଁ ଦେବତାଙ୍କ ଆଗରେ ନଡ଼ିଆ ଭଙ୍ଗାଯାଏ ଭୋଗ ଲାଗେ...ସେ ଆଉ ଭଉଣୀ ଦେବତା କ’ଣ... ? ଘରର ଖେଳନା କଣ୍ଢେଇ ଭଳି ମନେହେଉଛି... । ଆମେ ଯାଉଚୁ, ବାବା ଧର୍ମାନନ୍ଦଙ୍କ ପାଖକୁ... । ସେ ତ ନିଜେ କହୁଛନ୍ତି, ଶ୍ରୀକୃଷ୍ଣଙ୍କ ଅବତାର ବୋଲି । ଆମର ଦୁଃଖ ସୁଖ ବୁଝିବା ପାଇଁ ତାଙ୍କ ଘରର ଦରଜା ସର୍ବଦା ମୁକୁଳିତ... । ତାଙ୍କୁ ଆମେ ପୂଜା କରୁ...ପ୍ରତ୍ୟହ ମାଳା ପିନ୍ଧାଉ... । ସେ ଆମର ସାକ୍ଷାତ ଈଶ୍ୱର... । ଘଣ୍ଟା ଧରି ତାଙ୍କ ସହିତ ଆଳାପ ଆଲୋଚନା କରି ଆମେ ଯେଉଁ ଆନନ୍ଦ ପାଉ...ମନ୍ଦିରକୁ ଯାଇ ମୂକ ଭଗବାନଙ୍କୁ ଗୁହାରୀ ଜଣାଇବାରେ ସେ ଆନନ୍ଦ ଆମେ ପାଇପାରୁନୁ...-। ତମେ ଯଦି ଇଚ୍ଛା କରୁଛ, ଆସ ଭଉଣୀ ଆମେ ତୁମକୁ ନେଇଯିବୁ ଆମ ବାବାଙ୍କ ପାଖକୁ... । ମୃଦୁ ହସି ନୀରବରେ ପଦାଙ୍କ ଅନୁସରଣ କରୁ କରୁ ମହାଲକ୍ଷ୍ମୀ କୌତୂହଳ କଣ୍ଠରେ ପଚାରିଲେ, ଭଉଣୀ ତମ ବାବା କ’ଣ ମଣିଷର ମନସ୍କାମନା ପୂରଣ କରିପାରୁଛନ୍ତି... ?

 

—ନିଶ୍ଚୟ ନିଶ୍ଚୟ... । ସେ କଥା ପଚାରୁଚ ଭଉଣୀ... ? ବର୍ଷ ବର୍ଷ ଧରି ମନ୍ଦିରକୁ ଦଉଡ଼ି ଯେଉଁ କାର୍ଯ୍ୟ ମୋର ହୋଇପାରିନଥାନ୍ତା...ମାତ୍ର ଗୋଟିଏ ଦିନରେ ସେ କାର୍ଯ୍ୟ ମେଜିକ୍ ଭଳି ହୋଇଗଲା...

 

ହତାଶରେ ଭାଙ୍ଗିପଡ଼ିଲେ ଠାକୁରାଣୀ... । ଇସ୍...ଈଶ୍ଵର ଯାହା କରିପାରୁ ନାହାନ୍ତି, ମଣିଷ ତାହା କରିପାରୁଚି ?

 

—କିଛି ନଭାବି ମୋତେ ସେ ଗୋପନ ତଥ୍ୟଟି କହିବ କି ଭଉଣୀ... ?

 

ଆଦୌ ଗୋପନ ନୁହେଁ... । ଏହା ମୋର ବ୍ୟକ୍ତ କରିବାର ଗୌରବ... । “ଏଇ କିଛି ଦିନ ହେଲା ମୋର ବୋହୂଟିଏ ଆସିଚି... । ତା’ର ମୋର ନିତ୍ୟ ଝଗଡ଼ା ହେବାଫଳରେ ସେ ମତେ କଥା କହିବା ବନ୍ଦ୍ କରିଦେଲା... । ବାବାଙ୍କୁ ମୋର ଗୁହାରୀ ଜଣାଇଲି । ବାବା ଶାସନ କଣ୍ଠରେ ଯାହା କହିଲେ’ ତା’ର ଅର୍ଥ ହେଲା, ତମେ ଶାଶୁକୁ ସେବା କର...କଥା ପଛେ କୁହନା— । ମୋର ତ ଭଉଣୀ ସେତିକି ଦରକାର ଥିଲା... । ବାବାଙ୍କ କଥା ପଦକ ମତେ ଔଷଧ ଭଳି କାମଦେଲା... । ସବୁ ଜମିତକ ବାବାଙ୍କ ନାଁରେ କରିଦେଲି ।

 

ହସି ଉଠିଲେ ମା’ ଠାକୁରାଣୀ... । ଇସ୍...ଏଇଭଳି ମୂର୍ଖ ଭକ୍ତଙ୍କର ଭଣ୍ଡବାବା... । କାହିଁକି କଳି ଲାଗୁଚ...ଦୋଷ କାହାର...ବୁଝିବା ଦୂରେ ଥାଉ ଜମି ପାଇବା ଲୋଭରେ ଶାଶୁର ସପକ୍ଷ ନେଇ ବୋହୂ ମୁଣ୍ଡରେ ଦୋଷ ଲଦି ଶାଶୁକୁ ସେବା କରିବା ପାଇଁ ପରାମର୍ଶ ଦିଆ ହେଉଚି । ଇସ୍ ମଣିଷଗୁଡ଼ାକ କେତେ ସ୍ଵାର୍ଥବାଦୀ...ଈଶ୍ଵର ନିନ୍ଦୁକ ହୋଇଯାଇଛନ୍ତି ଭାବିଲେ ଏ ବିଶ୍ଵରୁ ବିଦାୟ ନେବାକୁ ମନହେଉଚି... । ଏଇ ମଣିଷମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଆମେମାନେ ତାଙ୍କୁ ସତର୍କ ପ୍ରହରୀ ହେଇ ଜଗି ଥାଉ... । ଅଥଚ ସେମାନେ ଈଶ୍ଵରଙ୍କୁ ଡାକିବାପାଇଁ ବି ନାରାଜ... । ଅଳ୍ପ ପରିଶ୍ରମରେ ଯେଉଁଠି କାମ ହାସଲ ହୋଇଯିବ ସେଇଥିନେଇ ମଣିଷ ଅତି ପାଗଳ—ଈଶ୍ୱରଙ୍କ ଅବତାର କହି, ମଣିଷ ଭୁଲାଉଚି ମଣିଷକୁ । କେଉଁ ଅଲୌକିକ ମାୟା ଦେଖି ଏମାନେ ଆକୃଷ୍ଟ ହେଉଛନ୍ତି ?

 

ଭାବନାରେ ଭାବନାରେ ବହୁ ପଥ ଅତିକ୍ରମି ଗଲେଣି ମା’ ଠାକୁରାଣୀ । ଅଦୂରରୁ ଭାସି ଆସୁଛି ଡାକବାଜି ଯନ୍ତ୍ର ଭିତରେ ସିନେମା ସଙ୍ଗୀତର ସ୍ଵର... । ବିରାଟ ସାମିଆନା ଟଙ୍ଗା ହୋଇଛି...ଦୁଆର ସାମ୍ନାରେ ଅନେକ ଗାଡ଼ି ମୋଟର ବି ଥୁଆ ହୋଇଛି... । ଏ ନିଶ୍ଚୟ ବିବାହ ଉତ୍ସବ... । ଆଜିର ବିବାହ ଉତ୍ସବରେ ପୁରୋହିତର ମନ୍ତ୍ର ଉଚ୍ଚାରଣ, ବିବାହର ବିଧି ବିଧାନ ନଗଣ୍ୟ... । ପ୍ରଧାନ ହେଉଛି ନିମନ୍ତ୍ରଣ କାର୍ଡ଼, ଡାକବାଜି ଯନ୍ତ୍ର...ଚଉକି ଟେବୁଲ ଆଉ ଚା’ ଜଳଖିଆ... । ଏସବୁ ଭିତରେ ଗୁରୁତ୍ଵପୂର୍ଣ୍ଣ ଭୂମିକାଟି ହେଉଛି ଯୌତୁକ... । ଯିଏ ଯେତେ ଯୌତୁକ ଦେଇ ପାରିଲା, ସିଏ ସେତେ ସୁଯୋଗ୍ୟ ଜାମାତା ପାଇପାରିଲା ସାମାନ୍ୟ ଦୂରରେ ଠିଆହୋଇ ଉତ୍ସବଟିକୁ ଦେଖିବା ପାଇଁ ମନ ବଳାଇଲେ ମହାଲକ୍ଷ୍ମୀ... । ବହୁ ଆଡ଼ମ୍ବରରେ ବର ଆସିଲା...ପୁରୋହିତର ସାମାନ୍ୟ ଶ୍ଳୋକପାଠ ପରେ ହସ୍ତ ଗଣ୍ଠିର ସମୟ ଆଗତ ହେଲା... । ବରପକ୍ଷ ବ୍ୟକ୍ତିଙ୍କ ଭିତରେ ଗୋଟାଏ ଆଲୋଚନା ଚାଲିଲା ଅସ୍ପଷ୍ଟ ଭାବେ... । ତା’ପରେ ପାଟିତୁଣ୍ଡ...କଳି ତକରାଳ ଆରମ୍ଭ ହୋଇଗଲା ଜୋର ସୋରରେ... । “ସ୍କୁଟର ନାଇଁ...ଟିସଟ ଘଡ଼ି ନାହିଁ...ସୁଟ୍ ପାଇଁ ଟେରିନ୍ କନା ବଦଳରେ ଓ୍ୟାସ ଆଣ୍ଡ ଓ୍ୟାୟାର...ବିବାହ ନହେଲେ କୋଉ ଭାସି ଯାଉଛି ଆମର । ହାତରେ ଦଶଟା ହଜାର ଟଙ୍କା ଗୁଞ୍ଜି ନିଶ୍ଚିନ୍ତ”...ବରପିତା ଆଖି ଉପରୁ ଚଷମାଟା କାଢ଼ି ଦେଇ ଗର୍ଜନ ଛାଡ଼ିଛନ୍ତି... । ସଙ୍ଗେ ସଙ୍ଗେ ଗାଡ଼ି ଷ୍ଟାର୍ଟ ହୋଇଗଲା, ବସିଗଲେ ବରଯାତ୍ରୀ ଦଳ... । ଇସ୍...ଗାଡ଼ିପାଖେ ବର ପିତାର ଗୋଡ଼ ଧରି କି କାକୁତି ମିନତି... “ଝିଅ ମୋର ଅଭିଆଡ଼ି ରହିଯିବ...ଯାହା ଚାହୁଁଛନ୍ତି ସବୁ ଦେବାକୁ ରାଜି ହେଉଛି...ମୋର ଘରଦ୍ଵାର ବିକି ସର୍ବସ୍ୱାନ୍ତ ହେବି ପଛେ ଆପଣ ଫେରିଆସନ୍ତୁ”... । କନ୍ୟା ପିତା ମୁଣ୍ଡ କୋଡ଼ି ଦୁଃଖରେ ଅଧୀର ।

 

ଆଃ...ଆଜିର କନ୍ୟା ପିତା ମାତା ଅଭିଶପ୍ତ । ନିଜେ ସୃଷ୍ଟି କରିଥିବା ସନ୍ତାନ ନିଜ ପାଇଁ ସମସ୍ୟା... । ନଗଦ ଅର୍ଥର ମୋହରେ ସମସ୍ତେ ମୋହଗ୍ରସ୍ତ... । କନ୍ୟାର ଗୁଣ, ଯୋଗ୍ୟତା, ସୌନ୍ଦର୍ଯ୍ୟ, ଆଉ ବଂଶ ମର୍ଯ୍ୟାଦା ବିବାହ ବାଜରରେ ଚାହିଦା ନାହିଁ । ଯାହାକୁ ନେଇ ଏଇ ବିଶ୍ଵର ସୃଷ୍ଟି, ତା’ର ମୂଲ୍ୟ ଆଜି ଏତେ ନିମ୍ନରେ... ? ତା’ରି ସମାଜର ନିଷ୍ଟୁରତା... । ଉଚିତ୍ ଅନୁଚିତ୍ ପ୍ରତି କେହି ଚିନ୍ତା କରୁନାହାନ୍ତି । ଯିଏ ପଦସ୍ଥ ଅଫିସର ହେଲା, ସେଇ ଗ୍ରହଣ କଲା ଯୌତୁକ... । ନିଜର କ୍ଷମତା ବଳରେ ତା’ର ସ୍ତ୍ରୀ ପାଇଲା ଚାକିରି... । ଅଥଚ ଗରୀବ ଘରର ଝିଅଟିଏ ଯୋଗ୍ୟତାପତ୍ର ହାତରେ ଧରି ନାଁ ଚାକିରି ପାଇପାରିଲା ନାଁ ବିବାହ କରିପାରିଲା... ? ଦୁଃଖରେ ମରିଗଲେ ବି ତା’ କଥା ବୁଝିଲା ନାଇଁ ସମାଜ... । ଗୋଟିଏ ପରିବାର ବେକାର । ଗୋଟିଏ ପରିବାର ଭିତରୁ ଜଣେ ଚାକିରି କରି ସାରିବା ପରେ ଅନ୍ୟମାନଙ୍କୁ ବିଚାରକୁ ନିଆଯିବା ଉଚିତ୍ । ବେକାର ସମସ୍ୟା ବଢ଼ିବାରେ ଲାଗିଚି...କଳାବଜାରୀ ସଂଖ୍ୟା ମୂଳପୋଛ ହେଉନାହିଁ । ଏତେ ଧନ ଅକାତରେ ବିତ୍ତରଣ କରିବା ପରେ ବି ମନୁଷ୍ୟ ସୁଖ ଖୋଜି ପାଉନି କେଉଁଠି ଔଷଧ ଅଭାବରେ କାହାର ମୃତ୍ୟୁ ଘଟୁଚି...ଆଉ କିଏ ଭେଜାଲ ଔଷଧ ବ୍ୟବସାୟ କରି ହେଉଚି କୋଟିପତି । ଅର୍ଥର ପ୍ରକୃତ ସଦ୍‍ବ୍ୟବହାର ହୋଇପାରୁନି ବର୍ଷକରେ ଗୋଟିଏ ଫସଲ କରି ମନୁଷ୍ୟ ଯେଉଁ ସୁଖ ଶାନ୍ତି ପାଉଥିଲା ଆଜି ବର୍ଷକରେ ତିନି ତିନିଟା ଫସଲ କରି ବି ଅଭାବ ମନୁଷ୍ୟର ପାଖ ଛାଡ଼ୁନି । ଅଭାବଗ୍ରସ୍ତ ହୋଇ ଶେଷରେ ମଣିଷ ମନ୍ଦିରରୁ ମୂର୍ତ୍ତି ଚୋରି କରିବାକୁ କୁଣ୍ଠାବୋଧ କଲାନି... ।

 

ଆଗରେ ଦିଶୁଚି ହରିଜନ ବସ୍ତୀ । କ’ଣ ଏମାନଙ୍କର ଉନ୍ନତି ହୋଇଚି ? ସେଇ ଦାରିଦ୍ର୍ୟ ଭିତରେ ବୁଡ଼ି ରହିଛନ୍ତି ଏମାନେ । ସରକାର ଏମାନଙ୍କ ପାଇଁ ଅନେକ ଯତ୍ନ କରୁଚି । ଚାକିରୀ ଦେଇଚି ସହରାଞ୍ଚଳରେ ଚାଳଘର ପରିବର୍ତ୍ତେ କୋଠାଘର ଗଢ଼ି ତୋଳିଛି । କିନ୍ତୁ ଦିନକର ମଜୁରୀ ଟଙ୍କା ଯାଉଛି ନିଶା ପାଣି ସେବନରେ । ସିନେମା ଦେଖାରେ ସମସ୍ତ ପଇସା ଖଟାଇ ଅକର୍ମା ହୋଇ ପଡ଼ୁଛନ୍ତି । ମନରେ ତାଙ୍କର ଭଲ ମଣିଷ ହେବା ବଡ଼ ମଣିଷ ହେବାର ଉଚ୍ଚାକାଂକ୍ଷା କାଇଁ ? କୋଠା ଘରେ ରହି ବି ଦାରିଦ୍ର୍ୟର ସ୍ପଷ୍ଟ ଛାପ । ଅପରିଷ୍କାର ଅପରିଚ୍ଛନ୍ନତାରେ ବୁଡ଼ି ରହିଛନ୍ତି । ଏଇ ହରିଜନ ବସ୍ତୀର ଶୁଚିତା ଉପରେ ଲୋଭେଇ ଉଠି ଦିନେ ଠାକୁରାଣୀ ଶ୍ରୀୟା ଚଣ୍ଡାଳୁଣୀର ଦ୍ଵାରସ୍ଥ ହୋଇଥିଲେ । ନୁଆଁଣିଆ ଓଳି ତଳର ରଙ୍ଗମାଟି ଲିପା ଝୋଟି ଉପରେ ଠିଆ ହୋଇପଡ଼ି ପରମ ସୁଖ ଅନୁଭବ କରିଥିଲେ । ଆଜି ସେଇ ଚାଳର ଓଳି ନାଇଁ କି ମଣିଷର ଆତ୍ମା ଶୁଦ୍ଧି ନାଇଁ । ମନୁଷ୍ୟକୁ ଯେତେ ସୁବିଧା ସୁଯୋଗ ଦିଆ ଯାଇଚି, ସେତିକି ସେ ହୋଇପଡ଼ୁଚି କର୍ମକାତର ଜ୍ଞାନ ଶୂନ୍ୟ ।

 

କୃଷକ ଘରକୁ ଯାଇ, ତା’ର ଶୋଚନୀୟତା ଦେଖିବା ପାଇଁ ଆଉ ମନ ବଳିଲା ନାଇଁ ଠାକୁରାଣୀଙ୍କର । ତା’ର ପରିବାର ତାକୁ ସାହାଯ୍ୟ କରିବା ପାଇଁ ନାରାଜ । ପୁଅ ତା’ର ପଦସ୍ଥ ଅଫିସର ହେବା ପାଇଁ ଆଶାୟୀ । ସହରରେ ରହି ପାଠ ପଢ଼ିବା ପାଇଁ ତା’ର ଭୀଷଣ ସଉକ୍ । ହାତ ରେ ପୁଞ୍ଜି ନାଇଁ । ମନରେ ସନ୍ତୋଷ ନାଇଁ । ପୁଅ ମାଗୁଚି ସ୍କୁଟର କିଣିବା ପାଇଁ ଟଙ୍କା । ଝିଅର ଦରକାର ସିନ୍ଥେଟିକ୍ ଶାଢ଼ି । ବୋହୁ କହୁଚି, ମୁଁ ସହରରେ ରହିବି ମୋ ପାଖକୁ ସରୁ ଅରୁଆ ଚାଉଳ, ଖାଣ୍ଟି ଗୁଆଘିଅ ଓ ଭଜା ମୁଗଡାଲି ଦେଇ କରି ଆସ । ସବୁର ଅଭାବ ପୂରଣ କରି କରି ସେ ଆଜି ନିଃସ୍ଵ । ଦିନରେ ବକତେ ଭାତ ରାତିରେ କେଇ ଖଣ୍ଡ ଶୁଖିଲା ରୁଟି ଖାଇ ସେ କର୍ମ କରି ଚାଲିଚି । ତା’ ଜେଜେ ବାପାଙ୍କ ପଖାଳ କଂସାଟି ଦେଖିଲେ ଆଖିରୁ ଝରି ପଡ଼ୁଚି ଧାର ଧାର ଅଶ୍ରୁ ।

 

ସେ କର୍ମ କରି ଚାଲିଚି, ତା’ପ୍ରତି ସହୃଦୟତା ନାଇଁ । ଯେ ଅନ୍ୟାୟ କରି ଧନୀ ହୋଇପାରୁଚି, ତା’ର ପ୍ରଶଂସା ଗାଇବାରେ ସମସ୍ତେ ପାଗଳ । ଅନ୍ୟାୟ କରିବା ପାଇଁ ଆହୁରି ସୁଯୋଗ ଦିଆଯାଉଚି ତାକୁ । ସମସ୍ତେ ଆଜି, କ୍ଷମତା ପାଗଳ, ସ୍ଵାର୍ଥଖୋର । ଦେଶକୁ ଉନ୍ନତ ପଥକୁ ଆଗେଇ ନବାର ପ୍ରବୃତ୍ତି ଆଜି ସୁପ୍ତ । ଦୟା, କ୍ଷମା, ସ୍ନେହ, ଶ୍ରଦ୍ଧା ଦୂରର କଥା ଅପରର ଭଲମନ୍ଦ ବୁଝିବାକୁ ବି ଏ ସ୍ୱାର୍ଥପର ଦୁନିଆରେ କାହାରି ବେଳନାହିଁ ।

 

ମଧ୍ୟାହ୍ନର ଖରା; ନଇଁ ଆସିଲାଣି । କ୍ଳାନ୍ତ ପଦ ତୋଳି ମହାଲକ୍ଷ୍ମୀ ଅଟକିଗଲେ ଆଉ ଗୋଟିଏ ପ୍ରସାଦର ବାହାରେ । ଏ ମନୋରମ ପ୍ରସାଦର ଶୋଭା ଅବର୍ଣ୍ଣନୀୟ । ଗେଟରେ ଝୁଲୁଚି ନାମ ଫଳକ । ଏ ନାଁ, ତ ସହରର ଜଣାଶୁଣା । ବିଶିଷ୍ଟ ବ୍ୟବସାୟୀ । ମାତ୍ର ଏ କ’ଣ ଗେଟ୍ ଭିତରେ ପୁଲିସ୍, ଗୃହକାର୍ତ୍ତା ଫେରାର୍ । ଘର ଖାନତଲାସ ଚାଲିଚି । କିଲୋ କିଲୋସୁନା ଗୃହକର୍ତ୍ତ୍ରୀ କୋଇଲା ବସ୍ତାରେ ଲୁଚାଇ ପକାଉଛନ୍ତି ଭୃତ୍ୟା, ମାଲିକାଣୀଙ୍କ ଆଦେଶପାଇ ଅଫିମ ଗୁଳାମାନ ଫିଙ୍ଗି ଚାଲିଚି ବାହାରକୁ । ମଦ ବୋତଲ ଉପରେ କାଠ ଢାବଲ ଘୋଡ଼ାଇ ଦେଇ, ସଦ୍ୟ ଚାକିରି କରୁଥିବା ବଡ଼ପୁଅ ଆଲ୍‍ସିସିଅନ୍‍ଟାକୁ ଚଢ଼ାଇ ଦେଉଚି ଢାବଲ ଉପରକୁ । କଲେଜ ପଢ଼ୁଆ ମ୍ୟାକସି ପିନ୍ଧା ଝିଅ ଟଙ୍କାର ବିଡ଼ା ଧରି ଦଉଡ଼ୁଚି ବାଥ୍‍ରୁମକୁ । ପଛେ ପଛେ ପୁଲିସ୍ ଖୋଲ ଖୋଲ-। ଖୋଲିବା ପରେ ସବୁ ଶେଷ । ସେଫ୍‍ଟିକ୍ ଲାଟ୍ରିନ୍ ଭିତରେ ଟଙ୍କାର ବିଡ଼ା ପକାଇ ଦେଇ ଫ୍ଲାସ୍ କରି ଦେଉଚି ଚେନ୍ ଟାଣି । ଲାଟ୍ରୀନ୍‍ର ସଁ ସଁ ଶବ୍ଦ ଶୁଣି, ପୁଲିସ୍ ବିସ୍ମିତ । ଏତେ କମ୍ ସମୟ ଭିତରେ ଫ୍ଲାସ୍ କରିବା କ’ଣ ବା ପ୍ରୟୋଜନ ? ଟାଙ୍କି ଖୋଲ ନିଶ୍ଚୟ ବାହାରିବ ଏଥିରୁ ଟଙ୍କା ସୁନା ଯେତେ ସବୁ ଚୋରା ମାଲ । ଶୋଇବା ଘର ଫ୍ୟାନ୍ ବେଡ଼୍‍ର ପ୍ଲାଷ୍ଟିକ୍ କଭର ଭିତରୁ କଢ଼ା ଚାଲିଚି ଉଚ୍ଚ ଅଙ୍କର ନୋଟ୍‍ମାନ । ସାଇତା ହୋଇଥିବା ପୁରୁଣା ଚିଠିର ଲଫାଫା ଭିତରେ ବି ଟଙ୍କା ।

 

ଇସ୍...ଧନ ତା’ହେଲେ ଏଇ ପୁଞ୍ଜିବାଦୀ କୁବେରମାନଙ୍କ ହାତରେ ? ତେଲିଆ ମୁଣ୍ଡରେ ତେଲ ଭଳି, ଧନୀ ହାତରେ ଧନ । ଏଇ ବିବେକହୀନ ଅର୍ଥ ଲୋଭୀ ମନୁଷ୍ୟର ଆସନ ଆଜି ଉଚ୍ଚରେ ? ଅର୍ଥରେ ଏଇଭଳି ସଦ୍‍ବ୍ୟବହାର କରୁଛନ୍ତି ଏମାନେ... ? ଯେ ନ୍ୟାୟରେ ଚଳୁଚି...ସେଇ ନିସ୍ଵ ସେଇ ଦରିଦ୍ର... । ଅଭାବ ଅନାଟନ ତା’ର ଚିରସାଥି ?

 

ବେଦନାକ୍ରାନ୍ତ ଚିତ୍ତରେ ଲକ୍ଷ୍ମୀ ଶେଷରେ ନମସ୍ଥ କଲେ ସରସ୍ଵତୀଙ୍କ ପାଖକୁ ଯାଇ ମୀନତି ଜଣାଇବେ । “ଭଉଣୀ” ! ମୋର ଅପର୍ଯ୍ୟାପ୍ତ ଧନ ଆଜି କୁବେର ପାଖରେ । ଅର୍ଥର ସଦ୍‍ବ୍ୟବହାର ହୋଇପାରୁନି । ଆଜି ସମସ୍ତେ ଅର୍ଥାନ୍ଧ । କାହାରି ଜ୍ଞାନ ନାଇଁ ଭକ୍ତି ନାଇଁ ସ୍ନେହ ନାଇଁ ଶ୍ରଦ୍ଧା ନାଇଁ ପଶୁ ତୁଲ୍ୟ ମଣିଷ ମାତ୍ର । ତମର କରୁଣା ନ ହେଲେ ଦେଶ ଆଉ ତିଷ୍ଠି ପାରିବନି-। ପ୍ରତିଟି ମନୁଷ୍ୟର ମସ୍ତିଷ୍କରେ ଭରି ଦିଅ ସଦ୍‍ବୁଦ୍ଧି ଦିବ୍ୟା ଜ୍ଞାନ ଆଉ ନମ୍ରତା । ଅହଂକାର ନ ଦେଇ ତମେ ବିନୟୀଭାବ ବିତରଣ କର ଭଉଣୀ । ଅର୍ଥର ସଦ୍‍ବ୍ୟବହାର କରି ଶିଖନ୍ତୁ ସମସ୍ତେ । ଏତିକି କ’ଣ ଏ ବିପର୍ଯ୍ୟୟ ମୁହୂର୍ତ୍ତରେ ମୋ ଲାଗି ସହୃଦୟତା ଦେଖାଇ ପାରିବନି-?

 

କିନ୍ତୁ ଏ’ କ’ଣ, ସରସ୍ଵତୀ ତ ନାହାନ୍ତି । ଗଲେ କୁଆଡ଼େ ସିଏ ? ସେ’ତ ନିଜର ଆଳୟ ଛାଡ଼ି କୁଆଡ଼େ ଯାଆନ୍ତି ନାଇଁ । କିଏ ଆଉ ସାହାଯ୍ୟ କରିବ ମତେ ? ଆଖିରୁ ଧାର ଧାର ଅଶ୍ରୁକୁ ପୋଛିଚାଲିଛନ୍ତି ଠାକୁରାଣୀ ଜଗନ୍ନାଥଙ୍କ ପାଖକୁ । ସେଇ ପ୍ରଭୁ ଅନ୍ତର୍ଯ୍ୟାମୀ ସରସ୍ଵତୀଙ୍କ ଗମନ ପଥ ଅନୁସନ୍ଧାନ କରି କହି ପାରିବେ ।

 

ଦ୍ଵାରବନ୍ଧ ପାଖେ ଲକ୍ଷ୍ମୀଙ୍କର ପାଦ ଦୁଇଟି ଅଟକି ଗଲା, ସରସ୍ଵତୀ ତ ଏଇଠି ପ୍ରଭୁଙ୍କର ପଦସେବା କରୁଛନ୍ତି । ଅଭିମାନରେ ଗୁମୁରି ଉଠିଲେ ମହାଲକ୍ଷ୍ମୀ । କେତୁଟା ଦିନ ବା ହେଲା ମନ୍ଦିର ଛାଡ଼ିବାର ଏଇ ଟିକକ ଅନୁପସ୍ଥିତକୁ ମୋର ସମ୍ଭାଳି ନ ପାରି ସରସ୍ଵତୀଙ୍କୁ ଡକାଇ ଆଣିଛନ୍ତି । ମୁଁ କାହିଁକି ଗଲି, କୁଆଡ଼େ ଗଲି, ଜାଣିବା ପାଇଁ ତାଙ୍କର ଯଦି ଆଗ୍ରହ ନାହିଁ ତେବେ ଦେଶଟା ଛାରଖାର ହୋଇଯାଉ ମୋର ଯାଏ କେତେ ଆସେ କେତେ ? ମତେ ବି ଶୋଇ ଆସେ ରତ୍ନ ସିଂହାସନରେ ମୁଁ ବି କରିଜାଣେ ପ୍ରଭୁଙ୍କର ପଦସେବା ।”

 

ଧୀର ପଦ ତୋଳି ଲେଉଟି ଆସିଲେ ଠାକୁରାଣୀ । କ୍ଳାନ୍ତ ଶ୍ରାନ୍ତ ହୋଇ ବୁଲୁଛନ୍ତି ମାତ୍ର ଟିକିଏ ଶାନ୍ତିପାଇଁ । କେଉଁଠି ଟିକିଏ ସେ ଦେଖିନେବେ ନ୍ୟାୟ ଅନ୍ୟାୟର ତାରତମ୍ୟ । ମନୁଷ୍ୟର ସଦିଚ୍ଛା ପୂରଣ କିନ୍ତୁ ନାଁ— ଆଉ ଏସବୁ ଚକ୍ଷୁରେ ଦେଖିବା ସମ୍ଭବ ନୁହେଁ ସ୍ଵପ୍ନରେ ବି ନୁହେଁ । ସ୍ଵୟଂ ଈଶ୍ୱର ଯେଉଁଠି ସ୍ଵାର୍ଥ ପାଗଳ ମନୁଷ୍ୟ ତ ଛାର ମାତ୍ର । ସେ କାହିଁକି ନିଜର ସୁଖକୁ ଜଳାଞ୍ଜଳି ଦେବ-? ଅପରର ଦୁଃଖ ବୁଝିବ ?

 

ଦୁଃଖ, ଗ୍ଳାନି, ହତାଶା ଆଉ କ୍ଳାନ୍ତିର ବୋଝବୋହି ଫେରି ଆସିଲେ ମନ୍ଦିରଭିତରକୁ । ଏତେ ଦିନ ଧରି ଘୂରି ଘୂରି କିଛି ଶାନ୍ତି ପାଇଲେନି । ଯୋଉ ଦୁଃଖରେ ଅଧିର ହୋଇ ଏ ଘରୁ ପାଦ କାଢ଼ିଥିଲେ, ସେହି ଦୁଃଖର ବୋଝ ବୋହି ଫେରି ଆସିଲେ ।

 

କିନ୍ତୁ ମନ୍ଦିରର ଦ୍ଵାର ଦେଶରେ ପ୍ରଭୁ ବଳରାମ । ଅସନ୍ତୋଷରେ ଅସ୍ଥିର ସେ । ଲକ୍ଷ୍ମୀଙ୍କୁ ଆଉ ଘରେ ପୂରେଇବା ପାଇଁ ରାଜି ନୁହଁନ୍ତି । ଘରର ବୋହୂ ହୋଇ ଯଦି ବାହାରେ ବୁଲିବ ତେବେ ଘର ଲୋକମାନେ ଚଳିବେ କିପରି ? ଏଇ କେତେ ଦିନର ଅନୁପସ୍ଥିତିରେ ମନ୍ଦିରର ଯେଉଁ ଅବ୍ୟବସ୍ଥା— ସକାଳ ଧୂପ ମଧ୍ୟାହ୍ନରେ, ମଧ୍ୟାହ୍ନ ଧୂପ ରାତ୍ରିରେ । ଏ ଅନୀତିକୁ ଆଉ ସମ୍ଭାଳିବା ଅବସ୍ଥାରେ ନାହାନ୍ତି ବଳରାମ । କ୍ରୋଧରେ ଜର୍ଜରିତ ହୋଇ ପ୍ରତି ମୁହୂର୍ତ୍ତରେ ସେ ଭାବୁଛନ୍ତି ଜଗନ୍ନାଥଙ୍କୁ ପଚାରିବେ ଲକ୍ଷ୍ମୀ କ’ଣ ଘରେ ନାହିଁ । କିନ୍ତୁ ପର ମୁହୂର୍ତ୍ତରେ ଏ ପ୍ରଶ୍ନ ଜଗନ୍ନାଥଙ୍କ ପ୍ରତି ଅଶୋଭନୀୟ ହେବ ଭାବି ନୀରବ ରହିଯାଇଛନ୍ତି । ଘରର ବୋହୂ ଘରେ ନ ରହି ଆଉ ଯିବ କୁଆଡ଼େ ସିଏ ? ଏଭଳି ପ୍ରଶ୍ନ ପଚାରି ମନରେ ଦୁଃଖ ଦେବା ଠିକ୍ ହେବନି ଭାବି ଅସହ୍ୟ ଅବସ୍ଥାରେ ସେ ମା’ ବିମଳାଙ୍କୁ ପ୍ରଶ୍ନ କଲେ ଆଚ୍ଛା ବିମଳା, ଲକ୍ଷ୍ମୀ କ’ଣ ଆଉ ଘରେ ରହୁନି କି ? ମନ୍ଦିରରେ ଏମିତି ଅବ୍ୟବସ୍ଥା କାହିଁକି ? ବଳରାମଙ୍କ ପଛପଟେ ଠିଆ ହୋଇଥିଲେ ମହାଦୁର୍ଗା ବିମଳା ।

 

ବିମଳା ଏ ପ୍ରଶ୍ନରେ ବିଚଳିତ ନ ହୋଇ ମୃଦୁହସି କାରଣାଟା ସ୍ପଷ୍ଟଭାବେ ଜଣାଇ ଦେଲେ । “ଦେଶର ଅବ୍ୟବସ୍ଥାକୁ ସହ୍ୟ କରି ନ ପାରି ଲକ୍ଷ୍ମୀ ବର୍ତ୍ତମାନ ବାହାରେ । ତେଣୁ ମନ୍ଦିରର ଅବ୍ୟବସ୍ଥା ହେବା ସ୍ଵାଭାବିକ୍ । ଦେଖୁ ନା ଘିଅ ବଦଳରେ ଡାଲଡା । ଡାଲଡା ବଦଳରେ ବାଦାମତେଲ ଦିଆଯାଇ ତରକାରୀ ରନ୍ଧା ଚାଲିଚି । ଅନ୍ନରେ ଧାନ ଆଉ ଗୋଡ଼ି ଭର୍ତ୍ତି । ଡାଲିରେ ପାଣି ଅଧିକରୁ ଅଧିକ ବଢ଼ି ଚାଲିଚି” ।

 

ମା’ ବିମଳାଙ୍କଠାରୁ ନିର୍ଭର ବାଣୀ ଶୁଣି ବଳରାମଙ୍କ ଅଭିମାନ ସ୍ଵରଟା କ୍ରୋଧାର୍ତ୍ତ ଶୁଣାଗଲା, କିରେ, ଲକ୍ଷ୍ମୀ କେତେ ଦିନ ହେଲା ଘରେ ନାହିଁ କହିଲୁ ?

 

ପ୍ରଭୁ ଅନ୍ତର୍ଯ୍ୟାମୀ ନିରୁତ୍ତର ।

 

କ’ଣ ବା ତାଙ୍କୁ ଅଜଣା ? ସବୁ ଜାଣି, ସବୁଥିରେ ସେ ଚୁପ୍ ପ୍ରତ୍ୟେକ କଥାକୁ ସମ୍ଭାଳି ନେଇ ପରିସ୍ଥିତିକୁ ଲାଘବ କରିବା ପ୍ରଭୁଙ୍କ ଅଭ୍ୟାସ । ବଡ଼ ଭାଇଙ୍କ କଥାରେ ଜଗନ୍ନାଥ ବିଚଳିତ ନ ହୋଇ ମୃଦୁହସି ନୀରବ ରହିଲେ ।

 

ବଳରାମ କିନ୍ତୁ ସମ୍ଭାଳି ଯିବା ସମ୍ଭବନୁହେଁ । ବିରକ୍ତ ସ୍ଵରରେ ଜଗନ୍ନାଥଙ୍କୁ କହିଲେ, ସବୁଥିରେ ଚୁପ୍ ରହିଯିବା ସହିଷ୍ଣୁତାର ପରିଚୟ ଦେବନି ଜଗନ୍ନାଥ ! ଏହା ସହିଷ୍ଣୁତା ନୁହେଁ, କାପୁରୁଷତା । ଘରର ବୋହୂ ହୋଇ ସେ ବୁଲିବ ବାହାରେ । ଘରର ସୁବିଧା ଅସୁବିଧା ନ ବୁଝି, ବୁଝିବ ବାହାରର ? ଏଇଭଳି ସ୍ଵାଧୀନତାକୁ ହୁଏତ ତୁ ବରଦାସ୍ତ କରିପାରୁ । ମାତ୍ର ମୁଁ ନୁହେଁ ।

 

ଆଖି ଟେକି ଜଗନ୍ନାଥ ଚାହିଁଲେ ଲକ୍ଷ୍ମୀଙ୍କୁ । କ୍ଳାନ୍ତ ଶ୍ରାନ୍ତ ମଳିନବସନା ହୋଇ ଠିଆହୋଇଛନ୍ତି ଲକ୍ଷ୍ମୀ । ଦୁଃଖ ଆଉ ଅନୁଶୋଚନାରେ ଦଗ୍ଧ ସେ । ଆଖିରେ ଆଖିଏ ଲୁହ । ପଣତ କାନିରେ ପୋଛିଦେଇ କେତେ କ’ଣ କହି ଦେବା ପାଇଁ ବ୍ୟାକୁଳ ହେଉଛନ୍ତି । ମାତ୍ର ଏହା କ’ଣ ସତେ ସମ୍ଭବ ? ସାମ୍ନାରେ ସ୍ଵାମୀ ଆଉ ଦେଢ଼ଶୁର । ପାଟି ଫିଟାଇବା ମାନେ ଅବମାନନା । ଯେତେ ସେ ନ୍ୟାୟରେ ଥାଆନ୍ତୁ ଅବା ନିର୍ଦ୍ଦୋଷ ହୋଇଥାଆନ୍ତୁ ଏହା ତ ଆଉ କରାଯାଇ ପାରେନା-

 

ଜୀବନରେ ଅନେକ ନିର୍ବୋଧ ଆଶା ନେଇ ମନୁଷ୍ୟର ଦ୍ଵାରସ୍ଥ ହୋଇଛନ୍ତି ସେ । ପ୍ରତିଟିଥର ଧୋକା ଖାଇ ବି ସେ ନୀରବ ନୁହଁନ୍ତି ମନୁଷ୍ୟ ପାଇଁ । ଦୁଃଖ ଶୋକରେ ମଣିଷ ବଞ୍ଚୁ, ଅନୀତି କରି ଚାଲୁ...ରୋଗ ଭୋଗୁ ଏ କୋଠରତା ତାଙ୍କ ପାଖେ ସମ୍ଭବ ନୁହେଁ । ମଣିଷର ଦୁଃଖ ବୁଝିବାକୁ ସେ ନିଶ୍ଚୟ ଯିବେ, କିନ୍ତୁ କିଏ ଜାଣିଥିଲା, ପରିସ୍ଥିତି ଆସି ଏ ଜଟିଳ ସମସ୍ୟା ଧାରଣା କରିବ ବୋଲି— ? ପୂର୍ବଭଳି ଜଗନ୍ନାଥ ନୀରବ ରହିଯାଇ କ୍ରୋଧକୁ ଦ୍ଵିଗୁଣ ବଢ଼ାଇବେ । ଘରେ ପ୍ରବେଶ କରିବାକୁ ଅନୁମତି ଦେବେ ନାହିଁ...ଏକଥା ଜାଣିଥିଲେ ହୁଏତ ଲକ୍ଷ୍ମୀ ଯାଇ ନ ଥାନ୍ତେ କିନ୍ତୁ ବାହାରକୁ ଯିବା ପାଇଁ ପ୍ରତିଟି ଥର ଯେ ତାଙ୍କୁ ଅନୁମତି ନେବାକୁ ହେବ, ଭାବିଲାବେଳେ ବଢ଼ି ଉଠୁଚି ତାଙ୍କର ଅଶ୍ଵସ୍ତି । ତାଙ୍କର ମୂକ ଇଙ୍ଗିତ କ୍ଷମା ମାଗିବାର ଅନୁନୟ କାରୁଣ୍ୟରେ ଯେମିତି ସୂଚାଇ ଦେଉଚି, “ମୋର ସୁଖ ମୋର ସ୍ଵାଚ୍ଛନ୍ଦ୍ୟ ପାଇଁ ମୁଁ ଘର ଛାଡ଼ି ନ ଥିଲି ପ୍ରଭୁ...ଯାଇଥିଲି ତମରି ସୃଷ୍ଟିର ମନୁଷ୍ୟମାନଙ୍କ ଦୁଃଖ ବୁଝିବା ପାଇଁ । ଅନ୍ତର୍ଯ୍ୟାମୀ ହୋଇ ତମେ ଯଦି ଜାଣି ପାରିବନାହିଁ ମନର କଥା, ତେବେ କିଏ ଆଉ ଜାଣିବ କାହାକୁ ଜଣାଇବି ମୁଁ— ? ତମେ ଯଦି ବୁଝୁଥାଆନ୍ତ ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ତେବେ ମୁଁ ସାମାନ୍ୟ ସ୍ତ୍ରୀ ହୋଇ କାହିଁକି ଘର ଛାଡ଼ି ବାହାରକୁ ଗୋଡ଼ କାଢ଼ନ୍ତି ? ଏହା ମୋର ଦୋଷ ? ଏହା କ’ଣ ମୋର ହୃଦୟହୀନତା କୁହ ଏମିତି ନୀରବ କାହିଁକି— ? ବାହାରେ ଘୂରି ମୁଁ କ୍ଳାନ୍ତ, ଶୀଘ୍ର ଭିତରକୁ ଯିବା ପାଇଁ ଆଦେଶ ଦିଅ ପ୍ରଭୁ ।

 

କିନ୍ତୁ ଲକ୍ଷ୍ମୀ ଦୁଇ ହାତରେ ଅବଗୁଣ୍ଠନ ତୋଳି ଠିଆ ହୋଇ ରହିଛନ୍ତି ମୂକ ଶିଳାମୂର୍ତ୍ତି ପରି । ଦୀର୍ଘରୁ ଦୀର୍ଘତର ହେଉଚି ତାଙ୍କର ଅଶ୍ୱସ୍ତି । କିନ୍ତୁ କିଏ ଆଦେଶ ଦେବ ତାଙ୍କୁ ଭିତରେ ପ୍ରବେଶ କରିବାକୁ ବଳରାମଙ୍କ ନୀରବତା ଅସାଡ଼କରି ପକାଉଚି ଜଗନ୍ନାଥଙ୍କୁ । ଜଗନ୍ନାଥ ମନେ ମନେ ଭାବୁଛନ୍ତି, ଏହି ଦି’ତିନି ଦିନର ଅନୁପସ୍ଥିତିକୁ ସହ୍ୟ କରି ନ ପାରି ଏତେ କ୍ରୋଧ । ଦୀର୍ଘ ଅନୁପସ୍ଥିତିକୁ ସମ୍ଭାଳି ନେବା ପାଇଁ ସାହସ ଅଛି ତ ? ତଥାପି ବଳରାମଙ୍କ ଆଦେଶ ପାଇଁ ଜଗନ୍ନାଥ ପ୍ରତିକ୍ଷୀତ । ଦୁଇଟି ବଡ଼ ବଡ଼ ପ୍ରଶ୍ନିଳ ନୟନ ତୋଳି ଚାହିଁ ରହିଛନ୍ତି ବଳରାମଙ୍କୁ ।

 

ଏ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇ ବଳରାମ ହଠାତ୍ ସଚକିତ ହୋଇଉଠିଲେ । ଲକ୍ଷ୍ମୀଙ୍କର ଏ ସ୍ୱଳ୍ପ ଅନୁପସ୍ଥିତିରେ ମନ୍ଦିରର ଏତିକି ଅବ୍ୟବସ୍ଥା । ଦୀର୍ଘ ଅନୁପସ୍ଥିତିରେ କ’ଣ ଯେ ନ ହେବ ତାହା ଚିନ୍ତା କରିବାର ସମୟ ଏ । ଡାଲଡା ବାଦାମତେଲ ପରିବର୍ତ୍ତେ ଅଗରା ମଞ୍ଜିର ତେଲ ଯେ ନ ପଡ଼ିବ ତରକାରୀରେ କିଏ ମନା କରିବ ? ଏଇମିତି ଦିନେ ଲକ୍ଷ୍ମୀଙ୍କ ଉପରେ ରୋଷ କରି ଦି’ଭାଇ ଯାହା ହୀନସ୍ତା ହୋଇଚୁ, ଭାବିଲା ବେଳେ ଲଜ୍ଜାରେ ମୁଣ୍ଡ ଟେକି ହେଉନି । ସେଥିଲାଗି ଲକ୍ଷ୍ମୀ ପୁରାଣର ସୃଷ୍ଟି । ସ୍ତ୍ରୀ ମହଲରେ ଲକ୍ଷ୍ମୀଙ୍କର ସ୍ଥାନ ଅତି ଉଚ୍ଚରେ । ପୁଣି ଯଦି ତାରି ପୁନରାବୃତ୍ତି ହୁଏ ତେବେ କି ହାସ୍ୟାସ୍ପଦ ହୋଇପଡ଼ିବୁ । ଲକ୍ଷ୍ମୀ ଯଦି ଫେରି ଆସେ ଏଇ ମୁହୂର୍ତ୍ତରେ ପୁଣି ଫେରି ଆସିବ ଆମ ସୁଖର ଅତୀତ । ସମୃଦ୍ଧ ହୋଇଉଠିବ ଆମର ଏ ଭଗ୍ନ ବର୍ତ୍ତମାନ । ଧୀରେ ଧୀରେ ଉଠି ଠିଆ ହେଲେ ବଳରାମ । ତାଙ୍କ ନୀରବତା ଯେମିତି କହୁଥିଲା, ତମେ ଫେରି ଆସ ଲକ୍ଷ୍ମୀ...ତୁମକୁ ଛାଡ଼ି ଏକାକୀ ରହିବା ଆମ ପକ୍ଷେ ମଙ୍ଗଳ ନୁହେଁ । ମୁହଁର ବିରକ୍ତି ଭାବକୁ ପୋଛି ନେଇ ସେ ସ୍ଥାନ ପରିତ୍ୟାଗ କରି ଭିତରକୁ ଚାଲିଗଲେ ବଳରାମ ।

 

ଜଗନ୍ନାଥଙ୍କର ମନେହେଲା, ତାଙ୍କ ଜୀବନରେ ଏଇଟି ଯେମିତି ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ୟାକୁ ଆଉ ଅପେକ୍ଷା କରାଯାଇ ପାରେନା । ଲକ୍ଷ୍ମୀଙ୍କୁ ଆଶ୍ଵାସନା ଦବାର ପ୍ରକୃତ ସମୟ ଏ । ଧୀରେ ଧୀରେ ଅଗ୍ରସର ହୋଇ ଆଶ୍ଳେଷି ନେଲେ ଲକ୍ଷ୍ମୀଙ୍କୁ ।

 

ଅଭିମାନ ଆଉ ଅଶ୍ରୁର ଆବେଗରେ ଲକ୍ଷ୍ମୀଙ୍କ କଣ୍ଠ ରୁଦ୍ଧ ।

 

—ଛିଃ, ତମେ କାନ୍ଦୁଚ ଲକ୍ଷ୍ମୀ ?

 

—ଜାଣେନାଁ କାହାପାଇଁ ମୋର ଏ ଲୋତକର ସୃଷ୍ଟି । ଅଶ୍ରୁର ଗୋଟିଏ ଅଣୁ ଯଦି ଦରିଦ୍ର ମଣିଷର ଉପକାରରେ ଆସନ୍ତା, ତେବେ ସତ କହୁଚି ପ୍ରଭୁ, ତମର ସକଳ ନିର୍ଯ୍ୟାତନାକୁ ହସି ହସି ସହ୍ୟକରି ଯାଆନ୍ତି... ।

 

ସମବେଦନାରେ ଭାଙ୍ଗି ପଡ଼ି ସହାନୁଭୂତିର କଣ୍ଠରେ ଜଗନ୍ନାଥ କହିଉଠିଲେ, ତମ ସହିତ ମୁଁ ବି ଏ ଦେଶ କଥା ଚିନ୍ତା କରିବି ଲକ୍ଷ୍ମୀ...ତମେ ଆଉ ଦୁଃଖ କରନି—ମୋ ରାଣ, ତୁନି ହୁଅ... ।

Image